ଏଥର ଗ୍ରୀଷ୍ମରେ ହେବନି ଗରମ, ତାତିକୁ ନିୟନ୍ତ୍ରଣରେ ରଖିବ କାଳବୈଶାଖୀ ପାଗ

1 min read
Odisha Summer Weather March Rain

ଭୁବନେଶ୍ୱର: ଏଥର ଗ୍ରୀଷ୍ମରେ ହେବନି ଗରମ । ଉପାନ୍ତରୁ ଉପକୂଳ ସବୁଠି ରହିବ ସ୍ୱଭାବିକ ତାପମାତ୍ରା । ମାର୍ଚ୍ଚ ପରେ ତାତିବ କମ୍ ବର୍ଷିବ ବେଶୀ । ଏଭଳି ଆଶ୍ୱସ୍ତିକର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଏବେ ଓଡ଼ିଶା ଉପରେ ଲା-ନିନା ସକ୍ରିୟ ରହିଥିବାରୁ ମାର୍ଚ୍ଚରୁ ମେ’ଓଡ଼ିଶା ତାପମାତ୍ରା ବିଶେଷ ବଢ଼ିବନି । ଏହି ୩ ମାସରେ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ରହିଛି । ତେବେ ମାର୍ଚ୍ଚ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ସ୍ୱଭାବିକ କିମ୍ବା ତା’ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଚୈତ୍ରରେ ତାତିବ, ବୈଶାଖରେ ବର୍ଷିବ । ଏଥର ଖରା କମ୍, ବର୍ଷା ଅଧିକ । ଗ୍ରୀଷ୍ମ ଋତୁ ସାରା ସ୍ୱଭାବିକ ଠାରୁ କମ୍ ରହିବ ରାତିର ତାପମାତ୍ରା । ମାର୍ଚ୍ଚକୁ ଛାଡ଼ିଦେଲେ ଏପ୍ରିଲ ଏବଂ ମେ’ ମାସରେ ଅଧିକ ତାତି ବା ହିଟୱେଭ୍ କଣ୍ଡିସନ ସୃଷ୍ଟି ହେବ ନାହିଁ । ଏନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଲା-ନିନାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବ । ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ । ବର୍ଷା ପରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ହେବ । ଯାହା ବର୍ଦ୍ଧିତ ତାପମାତ୍ରାକୁ ନିୟନ୍ତ୍ରଣ କରିବ ।

Odisha Summer Weather March Rain

ମାର୍ଚ୍ଚ ମାସରେ ବର୍ଷା ସମ୍ଭାବନା ନଥିବାରୁ ଉପରମୁହାଁ ହେବ ପାରଦ । ଗତ ଦୁଇ ଦିନ ହେବ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୬ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ମାସ ଶେଷ ବେଳକୁ ୪୦ ଡିଗ୍ରୀ ଟପିପାରେ । ବିଶେଷ କରି ମାଲକାନଗିରି, ସୋନପୁର, ବୌଦ୍ଧ ଏବଂ କଳାହାଣ୍ଡିରେ ତାପମାତ୍ରା ଅଧିକ ରହିବା ନେଇ ଆଇଏମଡି ଆକଳନ କରିଛି । ସେପଟେ ଓଡ଼ିଶାକୁ ବାୟୁ ମଣ୍ଡଳର ତଳ ଭାଗରୁ ଗରମ ପବନ ପ୍ରବାହିତ ହେଉଥିବା ବେଳେ ଉପର ଭାଗ ୧୨ କିଲୋମିଟରରେ ଥଣ୍ଡା ପବନ ପ୍ରବାହିତ ହେଉଛି ।

ତେଣୁ ତାହା ତାପମାତ୍ରା ବୃଦ୍ଧି କରିବାକୁ ଦେଉନି । ଫଳରେ ରାଜ୍ୟରେ ଗ୍ରୀଷ୍ମ ଋତୁରେ କାଳବୈଶାଖୀ ବର୍ଷା ପାଇଁ ତାତି ନିୟନ୍ତ୍ରଣରେ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ୱର ୪୪.୨ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠୁ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିଲା । କିନ୍ତୁ ଏବର୍ଷ ତାତିରୁ ତ୍ରାହି ମିଳିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

Leave a Reply