spot_img
Home Blog Page 4700

LICର ଜୀବନ ଲାଭ ପଲିସି, ମିଳିବ ୨୦ ଲକ୍ଷ

ନୂଆଦିଲ୍ଲୀ: କରୋନାକୁ ନେଇ ସବୁଠି ଗମ୍ଭୀର ସ୍ଥିତି । ଲୋକେ ରିକ୍ସ ଥିବା ଫଣ୍ଡରେ ନିବେଶ କରୁବାକୁ ଚାହୁଁଛନ୍ତି । ଏହାସହ ଏମିତି ସ୍କିମରେ ଟଙ୍କା ଖଟାଇବାକୁ ଚାହୁଁଛନ୍ତି ଯେଉଁଥିରେ ତାଙ୍କୁ ଭଲ ରିଟର୍ଣ୍ଣ ମିଳିପାରିବ । ଏମିତି ଚାହୁଁଥିଲେ ଆପଣ LICର ଏଣ୍ଡିମେଣ୍ଟ ପ୍ଲାନ ଜୀବନ ଲାଭ ପଲିସି (Jeevan Labh Policy)ରେ ନିବେଶ କରିପାରିବେ । ଏହି ପଲିସିରେ ଅଳ୍ପ ନିବେଶରେ ମ୍ୟାଚୁରିଟ ପରେ ଅଧିକ ଟଙ୍କା ପାଇ ପାରିବେ ।

ମିଳିବ ୨୦ ଲକ୍ଷ ଟଙ୍କା

LIC ଓ୍ବେବସାଇଟରେ ଥିବା କାଲକୁଲେଟର ଅନୁସାରେ ଏହି ପଲିସିରେ ପ୍ରତିଦିନ ୨୬୦ ଟଙ୍କା ନିବେଶ କଲେ ଆପଣ ମ୍ୟାଚୁରିଟ ପରେ ୨୦ ଲକ୍ଷ ଟଙ୍କା ପାଇ ପାରିବେ । ଏଥିରେ ଆପଣ ସବୁଠୁ କମ ୨ ଲକ୍ଷ ଟଙ୍କାର ବିମା କରିପାରିବେ । ହେଲେ ଆପଣ ଚାହିଁଲେ ଏହାଠାରୁ ଅଧିକ ଟଙ୍କାର ବୀମା ବି କରିପାରିବେ । ଏହି ସ୍କିମରେ ଆପଣଙ୍କୁ ଇନକମ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

ପଲିସି ଟର୍ମ

ଏହି ପଲିସି ୩ଟି ଟର୍ମରେ ଆସିଥାଏ । ଆପଣ ୧୬ ବର୍ଷ, ୨୧ କିମ୍ବା ୨୫ ବର୍ଷର ମ୍ୟାଚୁରିଟି ସମୟସୀମାରେ ଏହି ସ୍କିମରେ ନିବେଶ କରିପାରିବେ । ପ୍ରିମିୟମ ଦେୟ ୧୦ ବର୍ଷ ଓ ୧୫ ଏବଂ ୧୬ ବର୍ଷ ରହିଛି । ଏଥିରେ ମାସିକ, ତିନି ମାସ, ୬ ମାସ କିମ୍ବା ବର୍ଷକୁ ଥରେ ପ୍ରିମିୟମ ଭରି ପାରିବେ ।

ନିବେଶ ପାଇଁ କେତେ ବର୍ଷ ହେବା ଦରକାର

୮ରୁ ୫୯ ବର୍ଷର ଲୋକ ଏଥିରେ ନିବେଶ କରିପାରିବେ । ଯଦି ଆପଣ ପ୍ରତିମାସ ପ୍ରିମିୟମ ଭରିବେ ତେବେ ଡୋରି ହେଲେ ୧୫ ଦିନ ଗ୍ରେସ୍ ସମୟ ମିଳିବ । ତିନିମାସ, ଛ ମାସ କିମ୍ବା ବର୍ଷକୁ ଥରେ ପ୍ରିମିୟମ ଭରୁଥିଲେ ଡୋରି ପାଇଁ ଗୋଟିଏ ମାସ ଅଧିକ ସମୟ ମିଳିବ ।

ରାଜଧାନୀର କାନ୍ଥରେ ଶୋଭା ପାଉଛି ପୁରୁଣା ସିନେମାର ଅଭୁଲା ସ୍ମୃତି

ଭୁବନେଶ୍ୱର: କାନ୍ଥ ବଖାଣୁଛି ୭୦-୮୦ ଦଶକର ଓଡ଼ିଆ ଚଳଚ୍ଚିତ୍ରର ଗାଥା । ଭୁବନେଶ୍ୱର କାନ୍ଥରେ ଶୋଭା ପାଉଛି ପୁରୁଣା ସିନେମାର ଅଭୁଲା ସ୍ମୃତି । ସେତବେଳର ହିରୋ ହିରୋଇନ ମାନଙ୍କ ଫଟୋ ଓ ପୋଷ୍ଟର ଦେଖିବାକୁ ମିଳୁଛି । ଚିତ୍ରକରଙ୍କ ଏହି ନିଆର ଉଦ୍ୟମ ପୁଣିଥରେ ହଜି ଯାଉଥିବା ସିନେମାର ସେହି ପୁରୁଣା ଦିନକୁ ପୁଣିଥରେ ଫେରାଇ ଆଣିଛି ।

କାନ୍ଥ କହୁଛି ପୁରୁଣା ଅଭୁଲା ସ୍ମୃତି । ବଖାଣୁଚି ୭୦-୮୦ ଦଶକର ଗାଥା । ମନ ଟାଣୁଛି ଚିତ୍ରକରଣଙ୍କ ଚିତ୍ରକଳା । ଭୁବନେଶ୍ବରର କାନ୍ଥରେ ଶୋଭା ପାଉଛି ୧୯୬୩ ଠାରୁ ଆରମ୍ଭ କରି ୭୦ ଓ ୮୦ ଦଶକର ଅଭିନେତା, ଅଭିନେତ୍ରୀ, ଗୀତିକାର ଓ ସେ ସମୟର ପୋଷ୍ଟର । ଜଲସୁଛି ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଛକ ରାସ୍ତାର ବାମ ପାର୍ଶ୍ବରେ ଥିବା ପ୍ରାଚିର । ସୀତା ବିବାହ, ଚକା ଆଖି ସବୁ ଦେଖୁଛି, ଲଳିତା, ସପ୍ତଶଜ୍ୟା, ଚିଲିକା ତୀରେ, ଗୌରୀ, ଅରୁନ୍ଧତି ଭଳି ଅନେକ ଅଭୁଲା ଚଲଚ୍ଚିତ୍ରର ଛବି ଦେଖିବାକୁ ମିଳିଛି । ଏହି ଚିତ୍ର ସବୁ ଦର୍ଶକଙ୍କୁ ପୁଣିଥରେ ଟାଣି ନେଇଛି ସେହି ପୁରୁଣା ଦିନକୁ ।

ଏହି ଚିତ୍ର କେବଳ ପୁରୁଣା ଦିନର ସ୍ମୃତିକୁ ମନେ ପକାଉ ନାହିଁ ବରଂ ଓଲିଉଡର ବରିଷ୍ଠ ଓ ଦିବଂଗତ କଳାକାରଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ଆଣି ଦେଇଛି । ସେହି ସିନେମାର ମୌଲିକତ ଓ ମୂଲ୍ୟ କୁ ଆଜି ବି ଦର୍ଶକ ଖୋଜୁଛନ୍ତି ।

କେନ୍ଦ୍ର ବୈମାତୃକ ମନୋଭାବର ଆଉ ଏକ ଉଦାହରଣ: ପୂର୍ବତଟ ରେଳପଥରୁ ଅଲଗା ହେଲା ରାୟଗଡ଼ା ଡିଭିଜନ

ଭୁବନେଶ୍ୱର: ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି ପୁଣି କେନ୍ଦ୍ରର ବୈମାତୃକ ମନୋଭାବ । ପୂର୍ବତଟ ରେଳପଥରୁ ଅଲଗା ହେଲା ରାୟଗଡ଼ା ଡିଭିଜନ । କେନ୍ଦ୍ରର ଏପରି ଆଭିମୁଖ୍ୟକୁ କଂଗ୍ରେସ କଡ଼ା ସମାଲୋଚନା କରିବା ସହ ନିଷ୍ପତ୍ତି ପୁନର୍ବିଚାର ନକଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତବାନୀ ଦେଇଛି । ଶାସକ ବିଜେଡି ମଧ୍ୟ ନିଷ୍ପତ୍ତି ବଦଳାଇବା ପାଇଁ କେନ୍ଦ୍ର ପାଖରେ ରାଜ୍ୟ ଦାବି କରିବ ବୋଲି କହିଛି । ଏ ପ୍ରସଙ୍ଗରେ ବିଜେପିର ଯୁକ୍ତି କିନ୍ତୁ ଭିନ୍ନ । ଯାହାକୁ ନେଇ ତେଜିଛି ରାଜନୀତି ।

ପୁଣି ରେଳବାଇ କ୍ଷେତ୍ରରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ । ଆନ୍ଧ୍ର ପାଇଁ ଓଡ଼ିଶାରୁ ଅଲଗା ହେଲା ରାୟଗଡ଼ା ଡିଭିଜନ । କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଶାଣିତ ହେଲା ସ୍ୱର । ନିଷ୍ପତ୍ତିର ପୁନଃବିଚାର ପାଇଁ ଦାବି କଲେ କଂଗ୍ରେସ ଓ ବିଜେଡି । କେନ୍ଦ୍ର ପାଇଁ ଓକିଲାତି କଲା ବିଜେପି । ନେଉଛନ୍ତି ଅଧିକ, ଦେଉଛନ୍ତି କମ୍‌। ତା’ପରେ ବି ବାରମ୍ବାର ଅଣଦେଖା । ପ୍ରଥମେ ଘୋଷଣା, ତା’ପରେ ପ୍ରତ୍ୟାହାର । ବର୍ଷ ବର୍ଷ ଧରି ରେଳବାଇ କ୍ଷେତ୍ରରେ ଏପରି ଅବେହଳାର ଶିକାର ହେଉଛି ଓଡ଼ିଶା । ରେଳବାଇକୁ ସିଂହଭାଗ ରାଜସ୍ୱ ଦେଉଛି ଓଡ଼ିଶା । ହେଲେ କେନ୍ଦ୍ରରେ ୟୁପିଏ କି ଏନଡିଏ ସରକାର, ଯିଏ ଥିଲେ ମଧ୍ୟ ଓଡ଼ିଶା ନିଜ ହକ୍‌ ପାଉନାହିଁ । ୨୦୧୯ ଜୁଲାଇ ୧୭ ତାରିଖରେ ରାୟଗଡ଼ାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ରେଳ ମନ୍ତ୍ରାଳୟ ଘୋଷଣା କରିଥିଲା। ଏଥିପାଇଁ ୨୦୨୦-୨୧ ବଜେଟରେ ପୂର୍ବତଟ ରେଳବାଇ ୧୭୦ କୋଟି ଟଙ୍କାର ଡିପିଆର ଦାଖଲ କରିଥିଲା । ସବୁ ଘୋଷଣା ପରି ରାୟଗଡ଼ା ଡିଭିଜନକୁ ଏବେ ଅଲଗା କରି ଓଡ଼ିଶା ପ୍ରତି କେନ୍ଦ୍ର ପୁଣି ବୈମାତୃକ ମନୋଭାବ ଦେଖାଇଛି । ଯାହା ବିରୋଧରେ ଉଠିଛି ଦୃଢ଼ ସ୍ୱର।

କେବଳ ରାୟଗଡ଼ା ଡିଭିଜନ ନୁହେଁ, ଶୀତଳାପଲ୍ଲୀ ଓ୍ବାଗନ କାରଖାନା ଘୋଷଣା ପରେ ପ୍ରତ୍ୟାହାର, କଳାହାଣ୍ଡି ଓ୍ବାଗନ ମରାମତି କାରଖାନା ବିଶାଖପାଟଣା ସ୍ଥାନାନ୍ତର ଓ ସମ୍ବଲପୁର ମାନେଶ୍ୱର ଓ୍ୱାଗନ ମରାମତି କାରଖାନା ପ୍ରତ୍ୟାହାର ହୋଇଥିବା ବେଳେ ହରିଦାସପୁର-ପାରାଦୀପ ରେଳ ଲାଇନରେ ଏଯାଏ ଯାତ୍ରୀବାହୀ ଟ୍ରେନ ଚାଲିନାହିଁ । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଏତେ ସବୁ ଅବେହଳା ପରେ ମଧ୍ୟ ରାଜ୍ୟ ସ୍ବାର୍ଥ ଭୁଲି କେନ୍ଦ୍ର ପାଇଁ ରାଜ୍ୟ ବିଜେପି ଓକିଲାତି କରୁଛି । ରାଜ୍ୟର ୫ଟି ଜିଲ୍ଲାରେ ଏଯାଏ ରେଳ ସଂଯୋଗ ହୋଇନାହିଁ । ଏଥିଲାଗି କେନ୍ଦ୍ର ପାଖରେ ବାରମ୍ବାର ଦାବି ସତ୍ତ୍ୱେ ଫଳ ଶୂନ୍ ।

ଏଥିସହିତ ପଢ଼ନ୍ତୁ: ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନଙ୍କ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ

ଆଇପିଏଲ ସିଜିନ୍-୧୫; ମୁମ୍ବାଇରେ ଖେଳାଯାଇପାରେ ପୂରା ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ନୂଆବର୍ଷ ପରଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୦ ହଜାରରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଭାରତରେ ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ତୃତୀୟ ଲହର ଆସିପାରେ । ଏସବୁ ଭିତରେ ବିସିସିଆଇ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି ।

ଆଇପିଏଲର ଏହି ସିଜିନରେ ଦୁଇ ନୂଆ ଟିମ୍ ଆସିବା ଫଳରେ ମୋଟ ୧୦ ଟିମ୍ ହୋଇଯିବ । ଏପରି ସ୍ଥିତିରେ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୧୦ଟି ସହରରେ କରିବାକୁ ଚିନ୍ତା କରିଥିଲା । କିନ୍ତୁ କରୋନାର ତୃତୀୟ ଲହର ପାଇଁ ଏହା ଆଉ ସମ୍ଭବ ହେବ ନାହିଁ । ମିଡିଆ ରିପୋର୍ଟ ଅନୁସାରେ କ୍ରିକେଟର ଏହି ମହାକୁମ୍ଭ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲର ପ୍ରଥମ ସପ୍ତାହରେ ଆରମ୍ଭ ହୋଇପାରେ । ରିପୋର୍ଟ ଅନୁଯାୟୀ ଭାରତରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ପାଇଁ ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟର ପ୍ଲାନ-ବି ଯୋଜନା କରୁଛି । ଆଇପିଏଲର ସମସ୍ତ ମ୍ୟାଚ ମୁମ୍ବାଇର ତିନୋଟି ଷ୍ଟାଡିୟମରେ କରିବାକୁ ଚିନ୍ତା କରୁଛି ବିସିସିଆଇ । ବର୍ତ୍ତମାନ ବିସିସିଆଇ ପାଖରେ କେବଳ ଦୁଇଟି ବିକଳ୍ପ ରହିଛି । ପ୍ରଥମତଃ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ୧୦ଟି ଅଲଗା ଅଲଗା ସହରରେ କରିବା । ଦ୍ୱିତୀୟତଃ ପୂରା ଟୁର୍ଣ୍ଣାମେଣ୍ଟ ମୁମ୍ବାଇର ତିନୋଟି ଷ୍ଟାଡିୟମରେ ଆୟୋଜନ କରିପାରେ ବିସିସିଆଇ ।

 

ପଞ୍ଚାୟତ ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନଙ୍କ ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ

ଭୁବନେଶ୍ୱର: ସଂକ୍ରମଣ ସଂକଟରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? ଗାଁ ଭୋଟ ପାଇଁ ସବୁ ପ୍ରକ୍ରିୟା ଶେଷ ହୋଇଥିବାବେଳେ ବାଟ ଓଗାଳଛି କରୋନା । ଏଥିପାଇଁ ଚିନ୍ତାରେ ପଡିଯାଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତାରିଖ ଘୋଷଣା ପାଇଁ ଆଗୁଆ ରାଜ୍ୟରେ କରୋନା ସ୍ଥିତି କିପରି ଅଛି, ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି, ଟିକାକରଣ କେତେ ବାଟରେ ପହଞ୍ଚିଛି, ଏସବୁ ଅପଡେଟ ନେଇଛନ୍ତି ଆୟୋଗ । ମତଦାତାଙ୍କଠାରୁ ଆରମ୍ଭ କରି ପ୍ରାର୍ଥୀ ସମସ୍ତଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଆୟୋଗ ।

କେବେ ହେବ ପଞ୍ଚାୟତ ନିର୍ବାଚନ ? ଆୟୋଗ କେବେ ଜାରି କରିବେ ବିଜ୍ଞପ୍ତି ? ସଂରକ୍ଷଣ ତାଲିକା, ଭୋଟର ଲିଷ୍ଟ, ନିର୍ବାଚନ ସାମଗ୍ରୀ ଧରି ବସିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ହେଲେ ତାରିଖ ଘୋଷଣା ନେଇ ଚିନ୍ତାରେ ପଡିଯାଇଛନ୍ତି । ବିଜ୍ଞପ୍ତି ପୂର୍ବରୁ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ରାଜ୍ୟର କରୋନା ସଂକ୍ରମଣ ସ୍ଥିତି, ମୁକାବିଲା ପାଇଁ ପଦକ୍ଷେପ ଏବଂ ଟୀକାକରଣ ସ୍ଥିତି ବାବଦରେ ରାଜ୍ୟ ନିର୍ବାଚନ ଆୟୋଗ ସରକାରଙ୍କଠାରୁ ନେଇଛନ୍ତି ଅପଡେଟ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ସ୍ବାସ୍ଥ୍ୟ ବିଭାଗ ଏସିଏସ୍ ଆର୍.କେ.ଶର୍ମା ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ହେଲଥ ୱାର୍କର,ଫ୍ରଣ୍ଟ ଲାଇନ ୱାର୍କରଙ୍କୁ ବୁଷ୍ଟର୍ ଡୋଜ ଦିଆଯିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି ।

ଆୟୋଗଙ୍କ ପାଇଁ ସୁରକ୍ଷା ସବୁଠାରୁ ବଡ଼ ପ୍ରାଥମିକତା ରହିଛି । ମତଦାତାଙ୍କ ଠାରୁ ଆରମ୍ଭ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ନିର୍ବାଚନ ପରିଚାଳନାରେ ନିୟୋଜିତ ହେବାକୁ ଥିବା କମର୍ଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗ ଫୋକସ୍ କରିଛନ୍ତି । ସରକାରଙ୍କ ସହ କରୋନା ବାବଦରେ ବିସ୍ତୃତ ଆଲୋଚନା କରିଛନ୍ତି ଏବଂ ଏହାକୁ ଆଧାର କରି ନିର୍ବାଚନ ନେଇ ନିଷ୍ପତି ନିଆଯିବ ବୋଲି କମିଶନର କହିଛନ୍ତି । ସେଥିପାଇଁ ୧୦ ତାରିଖରେ ସର୍ବଦଳୀୟ ବୈଠକ ଏବଂ ୧୨ ତାରିଖରେ ଅଫିସର ସ୍ତରୀୟ ବୈଠକରେ ଆୟୋଗ ବିସ୍ତୃତ ଆଲୋଚନା କରିବେ ।

ଏପଟେ ୩୦ ଜିଲ୍ଲା ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ କରିଛି ପଞ୍ଚାୟତିରାଜ ବିଭାଗ । ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦ ଅଳଙ୍କୃତ କରିବେ । ୧୦ ଟି ଜିଲ୍ଲା ଅଣ ସଂରକ୍ଷିତ ଥିବା ବେଳେ ୫ଟି ଅନୁସୂଚିତ ଜାତି, ୭ଟି ଅନୁସୂଚିତ ଜନଜାତି ଏବଂ କେବଳ ମହିଳାଙ୍କ ପାଇଁ ୮ଟି ଜିଲ୍ଲା ପରିଷଦ ସଭାପତି ପଦ ସଂରକ୍ଷିତ ରହିଛି ।

ଡିଜିଟାଲ ପ୍ରଚାରରେ ବିଜେପିର ମୁକାବିଲା କରି ପାରିବୁ ନାହିଁ, କମିଶନ ଟଙ୍କା ଦିଅନ୍ତୁ : ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସମେତ ୫ ରାଜ୍ୟ ପାଇଁ ଘୋଷଣା ହୋଇଛି ବିଧାନସଭା ନିର୍ବାଚନ ତାରିଖ । ୟୁପିରେ ପେବୃଆରୀ ୧୦ରୁ ମାର୍ଚ୍ଚ ୭ ମଧ୍ୟରେ ୭ଟି ପର୍ଯ୍ୟାୟରେ ହେବ ମତଦାନ । ହେଲେ ନିର୍ବାଚନ ବେଳେ ସଭାସମିତି ଓ ରାଲି ଉପରେ କଟକଣା ଲଗାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ୧୫ ଜାନୁଆରୀ ପର୍ଯ୍ୟନ୍ତ ସଭା, ସାଇକେଲ କି ବାଇକ୍ ରାଲି ଏବଂ ପଦଯାତ୍ରା ଉପରେ ଉପରେ କମିଶନ ରୋକ୍ ଲଗାଇଛନ୍ତି । କେବଳ ଡିଜିଟାଲ ରାଲି ପାଇଁ ପ୍ରାର୍ଥୀଙ୍କୁ ଅନୁମତି ମିଳିଛି । ଯାହାକୁ ନେଇ ଆଶଙ୍କାରେ ବିଭିନ୍ନ ରାଜନୈତିକ ଦଳ । ବିଶେଷ କରି ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ସାମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଅଧିକ ବିଚଳିତ ହୋଇଯାଇଛନ୍ତି । ଡିଜିଟାଲ ପ୍ରଚାରରେ ବିଜେପିକୁ ଟକ୍କର ଦେବା ସମ୍ଭବ ନୁହେଁ ବୋଲି କହିବା ସହ ପ୍ରସ୍ତୁତ ହେବା ପାଇଁ ନିର୍ବାଚନ କମିଶନ ଟଙ୍କା ଦିଅନ୍ତୁ ବୋଲି ଦାବି କରିଛନ୍ତି ।

ଡିଜିଟାଲ ଭିତ୍ତିଭୂମି ନଥିବା ଦଳ କ’ଣ କରିବେ ?

ଡିଜିଟାଲ ରାଲିକୁ ନେଇ ଅଖିଳେଶ ପ୍ରଶ୍ନ ଉଠାଇବା ସହ କହିଛନ୍ତି, ‘ନିର୍ବାଚନ କମିଶନ ଡିଜିଟାଲ ରାଲିରେ ବିଧାନସଭା ପ୍ରଚାର କଥା କହିଛନ୍ତି । ଏଥିପାଇଁ ପ୍ରତି ଦଳକୁ ସମାନ ମୈଦାନ ମିଳିବା ଦରକାର । କରୋନା ସମୟରେ ପ୍ରଥମ ଥର ଏମିତି ନିର୍ବାଚନ ହେବାକୁ ଯାଉଛି । କମିଶନ ବିଭିନ୍ନ ପ୍ରକାର ନିୟମ କରିଛନ୍ତି । ହେଲେ ଭର୍ଚୁଆଲ ରାଲି କଥା ଯଦି କହିବା, ନିର୍ବାଚନ କମିଶନଙ୍କୁ ସେ ଦଳମାନଙ୍କ ସମ୍ପର୍କରେ ବି ବିଚାର କରିବା ଦରକାର ଯାହା ପାଖରେ ଏମିତି ଡିଜିଟାଲ ରାଲି ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ ।’

ଡିଜିଟାଲ ରାଲିରେ ବିଜେପି ଆଗରେ

ଡିଜିଟାଲ ରାଲି ହେଉ କି ସଭା ସମିତି ଏଥିରେ ଦେଶର ଅନ୍ୟ ଦଳମାନଙ୍କ ତୁଳନାରେ ବିଜେପି ବହୁ ଆଗରେ । ଏହା କାହାକୁ ଅଛପା ନାହିଁ । ଡିଜିଟାଲ ଇଣ୍ଡିଆ ସ୍ଲୋଗାନକୁ ଦଳ ବହୁଳ ଭାବେ ନିଜ ରାଜେନୖତିକ କାର୍ଯ୍ୟକ୍ରମରେ ବ୍ୟବହାର କରିଆସୁଛି । ଏହାକୁ ନେଇ ଅଖିଳେଶ କହିଛନ୍ତି, ‘ନିର୍ବାଚନ କମିଶନଙ୍କୁ ବିରୋଧୀ ଦଳଙ୍କୁ ଟିଭିରେ ଅଧିକ ସମୟ ଦେବା ଆବଶ୍ୟକ ଓ ଏହା ମାଗଣାରେ ମିଳିବା ଦରକାର । ବିଜେପି ପାଖରେ ପୂର୍ବରୁ ଭିତ୍ତିଭୂମି ରହିଛି । ଏହି କାରଣରୁ ବିଜେପିକୁ ହିଁ ଅଧିକ ଇଲେକ୍ସନ ବ୍ରାଣ୍ଡ ମିଳିବ । ଅନ୍ୟ ଦଳଙ୍କୁ ମଧ୍ୟ କେଉଁଠୁ ନା କେଉଁଠୁ ଟଙ୍କା ମିଳିବା ଦରକାର ।’

ବିଜେପିକୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି, ‘ପଞ୍ଚାୟତ ନିର୍ବାଚନରେ ବିଜେପି କାର୍ଯ୍ୟକର୍ତ୍ତା କେମିତି ଅଧିକାରୀ ଭଳି କାମ କରିଥିଲେ ଲୋକେ ଦେଖିଛନ୍ତି । କରୋନା ସମୟରେ ଲୋକଙ୍କୁ ଅକ୍ସିଜେନ ଓ ମେଡିକାଲରେ ବେଡ ମିଳି ନଥିଲା । ସେମାନେ ନିଜ ଇଚ୍ଛାରେ କାମ କରୁଛନ୍ତି । ନିର୍ବାଚନ କମିଶନ ଶାସକ ଦଳ ଉପରେ ଶକ୍ତି ଦେଖାଇବା ଆବଶ୍ୟକ । ’

ଏହାସହ ୧୦ ମାର୍ଚ୍ଚରେ ବିଜେପି ସଫା ହୋଇଯିବ ବୋଲି ସେ କହିଛନ୍ତି ।

‘ବିଜେପିକୁ ମୁକାବିଲା ପାଇଁ ଆମକୁ ଟଙ୍କା ଦିଅ’

ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର କିଛି ଘଣ୍ଟା ପୂର୍ବରୁ ଅଖିଳେଶ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କହିଥିଲେ, ‘ନିର୍ବେଚନ କମିଶନ ଦଳମାନଙ୍କୁ କିଛି ଫଣ୍ଡ (ଟଙ୍କା) ଦେବା ଦରକାର । ଏହାଦ୍ବାରା ରାଜନୈତିକ ଦଳମାନେ ପାଦେ ଆଗକୁ ଆଗେଇବେ । ଏହି ଟଙ୍କାରେ ବିଜେପିର ଭିତ୍ତିଭୂମି ସହ ସମକକ୍ଷ ହେବାକୁ ଆମେ ପ୍ରସ୍ତୁତ ହୋଇପାରିବୁ । ନହେଲେ ଆମେ ବିଜେପିର ମୁକାବିଲା କରିପାରିବୁ ନାହିଁ । ଏଥିପାଇଁ ଆମେ ଦାବି କରୁଛୁ, ନିର୍ବାଚନ କମିଶନ ସରକାରଙ୍କ ଜରିଆରେ ରାଜନୈତିକ ଦଳଙ୍କୁ କିଛି ଟଙ୍କା ଦିଅନ୍ତୁ । ଏହାଦ୍ବାରା ଲୋକତନ୍ତ୍ର ବ୍ୟବସ୍ଥାରେ ସବୁ ରାଜେନୖତିକ ଦଳ ବିଜେପି ପରି ଦୃଢ଼ ହୋଇପାରିବେ ଓ ବିଜେପିର ଡିଜିଟାଲ ପ୍ରଚାରକୁ ମୁକାବିଲା କରିପାରିବେ ।’

ଦିଲ୍ଲୀରେ ବେକାବୁ କରୋନା, ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଯଦି ଦିଲ୍ଲୀ କଥା କହିବା ତାହାଲେ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଭାବରେ ୨୪ ଘଣ୍ଟାରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏସବୁ ମଧ୍ୟରେ ଆଶ୍ୱସ୍ତିକର ଖବର ଯେ ଗତ ୨୪ ଘଣ୍ଟାରେ ୧୧ ହଜାର ୮୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୪୮ ହଜାରରେ ପହଞ୍ଚିଛି ।

ସୂଚନା ଅନୁସାରେ ଦିଲ୍ଲୀରେ ଏବେ ୨୫ ହଜାର ୯୦୯ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି । ସେହିପରି ଭାବରେ ହସ୍ପିଟାଲରେ ୧୫୮୬ ଜଣ ଆଡମିଟ୍‌ ହୋଇଛନ୍ତି । କରୋନା ଆକ୍ରାନ୍ତ ବଢ଼ୁଥିବାବେଳେ ଟେଷ୍ଟ ବି ବହୁ ସଂଖ୍ୟାରେ ହେଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧ ଲକ୍ଷରୁ ଅଧିକ ଟେଷ୍ଟ ହୋଇଛି । ଶନିବାର ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ କହିଥିଲେ କି ଆଜି ଦିଲ୍ଲୀରେ ୨୦ ହଜାରରୁ ଅଧିକ ମାମଲା ଚିହ୍ନଟ ହେବେ । ସେ ଆହୁରି କହିଥିଲେ କି ଦିଲ୍ଲୀରେ ଏବେ ପଜିଟିଭିଟି ରେଟ୍ ୧-୨ ପ୍ରତିଶତ ବୃଦ୍ଧି ପାଇବ । ରାଜଧାନୀରେ ଓମିକ୍ରନ ମାମଲା ବି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଦିଲ୍ଲୀରେ ୪୮ ନୂଆ ଓମିକ୍ରନ କେସ୍ ଚିହ୍ନଟ ହୋଇଛି ।

 

 

ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି ଜାଣନ୍ତୁ?

ନୂଆଦିଲ୍ଲୀ: ବିଶ୍ୱ ହେଉ କିମ୍ବା ଦେଶ, ସବୁସ୍ଥାନରେ ସେଲିବ୍ରେଟି ସୋସିଆଲ ମିଡିଆ ପୋଷ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଯଦି ଭାରତ କଥା କହିବା ତାହାଲେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରେ ଅଧିକ ଟଙ୍କା ଚାର୍ଜ କରୁଥିବା ସେଲିବ୍ରେଟିଙ୍କ ମଧ୍ୟରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି । ୨୦୨୧ହୋପର ଇନଷ୍ଟାଗ୍ରାମ ରିଚ୍ ଲିଷ୍ଟ ଅନୁସାରେ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିବାରେ ବିରାଟ କୋହଲି ୧୯ତମ ସ୍ଥାନରେ ରହିଛନ୍ତି ।

ବିରାଟ କୋହଲି ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୬ ଲକ୍ଷ ୮୦ ହଜାର ଡଲାର ଅର୍ଥାତ ପ୍ରାୟ ୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଯଦି ଫଲୋଅର୍ସଙ୍କ କଥା କହିବା ତାହାଲେ ଏହି ମାମଲାରେ ଭାରତରେ ପ୍ରଥମ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ବିରାଟଙ୍କର ଇନଷ୍ଟାଗ୍ରାମରେ ୧୭୭ ମିଲିୟନ ଫଲୋଅର୍ସ ରହିଛି । କୋହଲିଙ୍କ ପରେ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବିଶ୍ୱର ଟପ୍-୫୦ ଲିଷ୍ଟରେ ଏହି ଦୁଇ ଭାରତୀୟ ରହିଛନ୍ତି । ତେବେ ପ୍ରିୟଙ୍କ ଚୋପ୍ରା ଗୋଟିଏ ପୋଷ୍ଟ ପାଇଁ ୪୦୩, ୦୦୦ ଡଲାର ଅର୍ଥାତ ପ୍ରାୟ ୩ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋ । ସେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟ ପାଇଁ ୧,୬୦୪,୦୦୦ ଡଲାର ଅର୍ଥାତ ପ୍ରାୟ ୧୨ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟରେ ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିବା ଖେଳାଳିଙ୍କ ମଧ୍ୟରେ କ୍ରିଷ୍ଟିଆନ ରୋନାଲ୍ଡଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଷ୍ଟାର ଫୁଟବଲର ଲିଓନାଲ ମେସୀ । ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ମେସୀ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରେ  ପ୍ରାୟ ୮.୬୮ କୋଟି ଟଙ୍କା ନେଇଥାନ୍ତି । ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ବ୍ରାଜିଲ ଫୁଟବଲର ନେମାର ଜୁନିଅର । ସେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟ ପାଇଁ ପ୍ରାୟ ୬.୧୨ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହା ପରେ ଚତୁର୍ଥ ସ୍ଥାନରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଅଛନ୍ତି ।

ଆସନ୍ତା ୧୦ରୁ ରାଜ୍ୟରେ ବର୍ଷା ! ଅମଳ ସୁରକ୍ଷିତ ରଖିବା ପାଇଁ ପରାମର୍ଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ପଶ୍ଚିମା ଝଡ଼ ସକ୍ରିୟ ହେବାରୁ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ସହ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆସନ୍ତାକାଲିଠୁ ପାଗ ବଦଳିବା ସହ ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ୧୨ ତାରିଖ ସୁଦ୍ଧା ସାରା ରାଜ୍ୟରେ ବର୍ଷିବ । ସେପଟେ ଅଦିନିଆ ବର୍ଷା ସମୟରେ ଫସଲ ପରିଚାଳନା ନେଇ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି ।

ଜାନୁଆରୀ ୧୧ରୁ ୧୪ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଆସନ୍ତାକାଲିଠୁ ପାଗ ବଦଳିବାକୁ ଆରମ୍ଭ ହେବ । ଏହି ସମୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲୁକା ବର୍ଷା ହେବ । ୧୦ରୁ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ ସୁବର୍ଣ୍ଣପୁରରେ ବର୍ଷାର ମାତ୍ରା ବଢିବା ସମ୍ଭାବନା ରହିଛି । ୧୧ ଓ ୧୨ରେ ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏହି ଦୁଇ ଦିନରେ ଝଡ଼ତୋଫୋନ ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଶୀତ ଦିନିଆ ବର୍ଷା ଯୋଗୁ ଚାଷ ସର୍ବାଧିକ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବର୍ଷା ଅଣଜଳସେଚିତ ଜମି ପାଇଁ ଲାଭଦାୟକ ହେବ । ହେଲେ ପନିପରିବାକୁ ରୋଗପୋକ ଲାଗି ନଷ୍ଟ କରିପାରନ୍ତି । ଆଦ୍ରତା ଅଧିକ ଥିବାରୁ ଆଳୁ ଓ ଟମାଟୋ ଚାଷ ଅଧିକ ପ୍ରଭାବିତ ହୋଇପାରେ । ଅମଳ ହୋଇଥିବା ଖରିଫ ଧାନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ଓୟୁଏଟି । କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖିଲେ ଭଲ ।

ଆସନ୍ତା ୨୪ ଘଣ୍ଟା ଯାଏଁ ଭୁବନେଶ୍ୱରରେ ପାଗ ଶୁଖିଲା ରହିବ । ତାପମାତ୍ରା ୧୫ ଡିଗ୍ରୀ ଭିତରେ ରହିବ । ହେଲେ ୧୧ ଓ ୧୨ ତାରିଖରେ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଯବାନଙ୍କୁ ଥରାଇ ପାରୁନି ହାଡ଼ଭଙ୍ଗା ଶୀତ

0

ଜମ୍ମୁ କାଶ୍ମୀର : ଦେଶରେ କରୋନା ସଙ୍ଗେ ସଙ୍ଗେ ଶୀତର ପ୍ରକୋପ ବଢ଼ିବାର ଜୋର ଧରିଲାଣି । ବିନା ଶୀତବସ୍ତ୍ରରେ ବାହାରକୁ ବାହାରିବା ଏକପ୍ରକାର ଅସମ୍ଭବ କହିଲେ ଚଳେ । ଏପଟେ ସନ୍ଧ୍ୟା ହେବା ମାତ୍ରେ ଲୋକେ ନିଆଁ ପୁଇଁବା ସହ ଅନେକ ଘରୁ ବାହାରୁ ନାହାନ୍ତି ସେପଟେ ଭାରତୀୟ ଯବାନ ସୀମାରେ ଥାଇ ନିଜ କର୍ତ୍ତବ୍ୟରେ ଅବହେଳା କରିନାହାନ୍ତି । ଯବାନଙ୍କ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହି ଭିଡିଓଟି ଦେଖିବା ପରେ ଦେଶ ପ୍ରତି ଯବାନଙ୍କ ତ୍ୟାଗ,ନିଷ୍ଠା ଓ ଭଲପାଇବା ଦେଖିବାକୁ ମିଳୁଛି । ଯାହାର ଦେଶବାସୀ ସୋସିଆଲ ମିଡିଆରେ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

କୋଭିଡ ପାଇଁ ସାପ୍ତାହିକ କର୍ଫ୍ୟୁ ଲଗାଯାଇଥିବାରୁ ଅଧିକାଂଶ ଲୋକ ଘରେ ରହୁଛନ୍ତି ଏଣୁ ରାସ୍ତାଘାଟ ଶୂନଶାନ ଦେଖାଯାଉଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଥିବାରୁ ଶୀତର ପ୍ରକୋପ ମଧ୍ୟ ଅଧିକ ରହୁଛି । ମାତ୍ର ବରଫ ବର୍ଷା ହେଉଥିବା ସ୍ଥାନରେ ଜଣେ ଯବାନ ନିର୍ଭୟ ସହ ଛିଡ଼ା ହୋଇ ଦେଶର ସୁରକ୍ଷା କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଭିଡିଓଟି ପିଆରଓ ଉମଦପୁର, ମିନିଷ୍ଟ୍ରି ଅଫ୍ ଡିଫେନ୍ସ ପେଜରେ ସେୟାର କରିଯାଇଛି । ଭିଡିଓରେ ଯବାନ ଜଣକ ଏତେ ଭୟଙ୍କର ବରଫ ବର୍ଷାରେ ନିର୍ଭୟରେ ଛିଡ଼ାହୋଇଥିବା ବେଳେ ତାଙ୍କ ଆଣ୍ଠୁ ଯାଏ ବରଫ ଜମିଥିବାର ଦେଖାଯାଉଛି । ଭିଡିଓଟି କାଶ୍ମୀର ବର୍ଡରର ବୋଲି ସୂଚନା ମିଳିଛି । ଖବର ପ୍ରସାରଣ ହେବାର ମାତ୍ର କିଛି ସମୟ ବ୍ୟବଧାନରେ ଭିଡିଓଟିକୁ ୨ ଲକ୍ଷ ଉପରେ ଭିୟୁଜ୍ ମିଳିସାରିଥିଲା । ଭିଡିଓଟିକୁ ଦେଖି ଦେଶବାସୀ ଯବାନଙ୍କୁ ପ୍ରଶଂସା କରିବା ସହ ଯବାନଙ୍କ ଏଭଳି ସାହସିକତା ଏବଂ ତ୍ୟାଗ ପାଇଁ ଦେଶବାସୀ ଧନ୍ୟବାଦ ଜଣାଇଛନ୍ତି ।