ୟୁକ୍ରେନର ଏହି ୪ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ

1 min read

କିବ୍: ଦିନଦିନ ତୀବ୍ର ହେବାରେ ଲାଗିଛି ୟୁକ୍ରେନ୍-ଋଷିଆ ଯୁଦ୍ଧ । ୟୁକ୍ରେନର ବଡ଼ ବଡ଼ ସହରରେ ୧୨ ଦିନ ହେବ ଲାଗିରହିଛି ଲଢେଇ । ଏବେ ଏହି ଲଢେଇ ମଧ୍ୟରେ ଲାଗିଛି କିଛି ସମୟ ବିରାମ । ୟୁକ୍ରେନର ୪ ସହରରେ ଋଷ ଘୋଷଣା କରିଛି ଅସ୍ତ୍ରବିରତି । ଉଦ୍ଧାର କାର୍ଯ୍ୟ ଲାଗି ରାଜଧାନୀ କିବ୍‌, ଖାରକିବ, ମାରିଓପୋଲ ଓ ସୁମିରେ ଅସ୍ତ୍ରବିରତି ଘୋଷଣା କରାଯାଇଛି । ଆଜି ମଧ୍ୟାହ୍ନ ସାଢେ ୧୨ରୁ ଅସ୍ତ୍ରବିରତି କରିବା ନେଇ ଘୋଷଣା କରାଯାଇଛି । ଫ୍ରାନ୍ସ କଥାରେ ଋଷ ତରଫରୁ ଏହି ପଦକ୍ଷପ ନିଆଯାଇଛି ।

ୟୁକ୍ରେନର ବିଭିନ୍ନ ସହରରେ ତୁହାକୁ ତୁହା ବୋମାମାଡ଼ କରିଛି ଋଷ । ୟୁକ୍ରେନ ଦକ୍ଷିଣାଞ୍ଚଳସ୍ଥିତ ମିକୋଲେଭ ଓ ଉତ୍ତରାଞ୍ଚଳସ୍ଥିତ ଚେର୍ଣ୍ଣିହିବ ସହରରେ ଜାରି ରହିଛି ଘମାଘୋଟ ଲଢେଇ । ରାଜଧାନୀ କିବକୁ କବଜା କରିବା ଲାଗି ଆଗେଇବାରେ ଲାଗିଛନ୍ତି ଋଷ ସୈନ୍ୟ । କିବ୍ ନିକଟସ୍ଥ ବିଲୋଗୋର୍ଦୋକରେ ଜୋରଦାର ବୋମାମାଡ କରିଛି ଋଷ । ୧୯୯୯ରେ ଚେଚେନ୍ୟା ଓ ୨୦୧୬ରେ ସିରିୟାରେ ଋଷ ସମାନ ଧରଣର ଯୁଦ୍ଧ କୌଶଳ ଆପଣାଇଥିଲା ବୋଲି ଅଭିଯୋଗ କରିଛି ବ୍ରିଟେନ । ଅନେକ ସହରରେ ବିଦ୍ୟୁତ, ଖାଦ୍ୟ ଓ ପାଣି ବିନା ସେଠାରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଯୁଦ୍ଧକୁ ନେଇ ୟୁକ୍ରେନର ଅଧିକାଂଶ ଶିଳ୍ପ ବନ୍ଦ ହେବାରେ ଲାଗିଥିବାରୁ ଭୟଙ୍କର ଅର୍ଥନୈତିକ ସଂକଟ ଆଡକୁ ଦେଶ ଚାଲିଯିବା ପରିଲକ୍ଷିତ ହୋଇଛି ।

ସେପଟେ ସୁମିରେ ଫସିଥିବା ୭୦୦ ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର ନେଇ ଚାଲିଛି ପ୍ରୟାସ । ୟୁକ୍ରେନର ଉତ୍ତର ପୂର୍ବାଞ୍ଚଳସ୍ଥିତ ସୁମି ସହରରେ ଏକ ମେଡିକାଲ କଲେଜରେ ଫସିରହିଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ନିର୍ଦ୍ଦେଶ ମିଳିବା ମାତ୍ରେ ତୁରନ୍ତ ସହର ଛାଡିବାକୁ ସେମାନଙ୍କୁ କହିଛି ଭାରତୀୟ ଦୂତାବାସ । ସୁମିଠାରୁ ତିନି ଘଣ୍ଟାର ଦୂରତାରେ ଥିବା ସହର ପୋଲତାଭାରେ ଏକ ଟିମ୍ ମୁତୟନ କରାଯାଇଛି । ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ଲାଗି ଏହି ଟିମ୍ ପଦକ୍ଷେପ ନେବ । ପୋଲତାଭା ଦେଇ ଛାତ୍ରଛାତ୍ରୀ ପଶ୍ଚିମାଞ୍ଚଳ ସୀମାକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ପ୍ରଚଣ୍ଡ ଶୀତ, ଖାଦ୍ୟାଭାବ, ପାନୀୟ ଜଳର ଅଭାବରେ ସେମାନେ ଜୀବନ ସହ ସଂଘର୍ଷ କରୁଥିବା ସୂଚନା ମିଳିଛି ।