ସେୟାର ମାର୍କେଟରେ ହାହାକାର

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣର ପ୍ରଭାବ ସାରା ବିଶ୍ବ ଉପରେ ପଡିବାରେ ଲାଗିଛି । କେବଳ ସମାରିକ ଦୃଷ୍ଟିକୋଣରୁ ନୁହେଁ ଅର୍ଥନୀତି ଉପରେ ବି ପଡୁଛି ବଡ ପ୍ରଭାବ । ଯୁଦ୍ଧ ୟୁରୋପରେ ହେଉଛି ସତ, ହେଲେ ପୂରା ଦୁନିଆର ଅର୍ଥବ୍ୟବସ୍ଥା ଦୋହଲିବାକୁ ଲାଗିଛି । ଯାହାର ପ୍ରଭାବ ଭାରତ ଉପରେ ପଡିଛି ।

ଇନଭେଷ୍ଟରଙ୍କ ନିଦ ହଜାଇ ଦେଇଛି ବିଶ୍ବରେ ଯୁଦ୍ଧର ଘନଘଟା । ସକାଳୁ ବଜାର ଖୋଲିବା ମାତ୍ରେ ସେନସେକ୍ସ ୧୩ ଶହ ପଏଣ୍ଟ ଖସିଛି । ସେହିପରି ନିଫଟି ୪ ଶହ ପଏଣ୍ଟ ଖସି ୧୫ ହଜାର ୯ ଶହରେ ପହଞ୍ଚିଛି । ଯୁଦ୍ଧସ୍ଥିତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୩୦ ଡଲାର ହୋଇଛି ।

ଗତ କିଛି ସପ୍ତାହ ଧରି ମାର୍କେଟ ଅସ୍ଥିର ରହିଥିବା ବେଳେ ଏ ସପ୍ତାହର ପ୍ରଥମ ଦିନରେ ବଜାର ଖୋଲିବା ମାତ୍ର ସେନସେକ୍ସ, ନିଫଟି ସୂଚକାଙ୍କ ହ୍ରାସ ପାଇବାରେ ଲାଗିଛି । ୟୁକ୍ରେନ ଉପରେ ହମଲାକୁ ନେଇ ଋଷ ଉପରେ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଯାଇଛି । ଏବେ ଆମେରିକା ଓ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ଋଷ ତୈଳ ଓ ଗ୍ୟାସ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା ଚଳାଇଛନ୍ତି । ଫଳରେ ଅଶୋଧିତ ତୈଳ ଦର ଗତ ୧୩ ବର୍ଷରେ ରେକର୍ଡ ଛୁଇଁଛି ।