ନାମାଙ୍କନ ଭରିଲେ ବିଜେଡିର ୩ ମେୟର ପ୍ରାର୍ଥୀ

ଭୁବନେଶ୍ବର: ମୈଦାନ ପ୍ରସ୍ତୁତ । ବିଜେଡି ଯୋଦ୍ଧା ବି ରେଡ୍ଡି । ପୌର ନିର୍ବାଚନରେ ଜୋରଦାର ହେବ ଫାଇଟ୍ । ଆଜି ନାମାଙ୍କନ ଭରିବାର ଶେଷ ଦିନରେ ୩ ମହାନଗର ନିଗମ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଭୁବନେଶ୍ବରରେ ସୁଲୋଚନା ଦାସ, କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଙ୍ଘମିତ୍ରା ଦଳାଇ ବିରାଟ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ଆଜି ସେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ।

ସେପଟେ ବିଜେପିର ପ୍ରାର୍ଥୀମାନେ ମଧ୍ୟ ନାମାଙ୍କନ ଭରିବେ । କଂଗ୍ରେସର କଟକ ଓ ଭୁବନେଶ୍ବର ମେୟର ପ୍ରାର୍ଥୀ ପୂର୍ବରୁ ନାମାଙ୍କନ ଦାଖଲ କରିସାରିଛନ୍ତି ।

କେବଳ ମେୟର ପାଇଁ ନୁହେଁ ସାରା ରାଜ୍ୟରେ କର୍ପୋରେଟର ପ୍ରାର୍ଥୀ ପାଇଁ ମଧ୍ୟ ନାମାଙ୍କନ ଭରାଯାଉଛି । ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଭୟ ଖେଳି ଯାଇଛି । ବିଜେଡି ଟିକେଟ ନେବାକୁ ଆଶାୟୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି ।