ଭୁବନେଶ୍ୱର: ଭୁବନେଶ୍ୱରରେ ATM ଲୁଟ ପଣ୍ଡ । ଦୁଇ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକ । ୟୁନିଟ-୮ ଡିଏଭି ଛକ ନିକଟରେ ଥିବା ଏକ ATMରୁ ଲୁଟ କରିବାକୁ ଉଦ୍ୟମ କରୁଥିଲେ । ଲୁଟ୍ କରିବା ସମୟରେ ୨ ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକ । ଏହି ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି । ଗିରଫ ଲୁଟେରାଙ୍କଠାରୁ ଲୁହା ରଡ, କଟର ମେସିନ ଜବତ କରାଯାଇଛି । ତେବେ ଏହି ATM ଲୁଟ୍ ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ହେଉଛନ୍ତି ବାପ- ପୁଅ । ବାପ, ପୁଅ ଉଭୟ ATMରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । ତାଙ୍କ ଘର କନ୍ଧମାଳ ବୋଲି ସୂଚନା ମିଳିଛି ।
ଲିଫ୍ଟରୁ ପଡ଼ି ବୃଦ୍ଧ ମୃତ
ଭୁବନେଶ୍ୱର: ଏମିତି ବି ଆସେ ମୃତ୍ୟୁ । ଲିଫ୍ଟରୁ ଖସି ପଡି ବୃଦ୍ଧ ମୃତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସୁନ୍ଦରପଦା ହାଇଟେକ୍ ପ୍ଲାଜାରେ । ଲିଫ୍ଟରୁ ପଡ଼ି ମୃତ୍ୟୁ ବରଣ କରିଥିବା ବୃଦ୍ଧଜଣଙ୍କ ସେଇ ପ୍ଲାଜାରେ ରହୁଥିଲେ । ମିଳିଥିବା ସୂଚନା ଅନୁସାରେ, ଲିଫ୍ଟର ଡୋର ଲକ୍ ଖରାପ ଥିବାରୁ ଏଭଳି ଅଘଟଣ ହୋଇଥିବା ଅଭିଯୋଗ ହୋଇଛି । ବୃଦ୍ଧ ଜଣଙ୍କ ଲିଫ୍ଟର ସୁଇଚ୍ ମାରିଥିଲେ । ଲିଫ୍ଟ ସୁଇଚ୍ ମାରିବା ପରେ ଡୋର ଖୋଲିଥିଲା କିନ୍ତୁ ଲିଫ୍ଟ ଆସି ନଥିଲା । ଯାହା ଫଳରେ ବୃଦ୍ଧ ଜଣଙ୍କ ତଳକୁ ପଡି ଯାଇଥିଲେ ଏବଂ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ଏୟାରଫିଲଡ଼ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ବଢ଼ିଲା ବିଜେଡି ବଳ, ବିଜେପି ଛାଡି ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷ
ଭୁବନେଶ୍ୱର: ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷା ଝରଣା ବାରିକ । ବିଜେପି ଛାଡି ଆଜି ବିଜେଡିରେ ମିଶିଛନ୍ତି ଝରଣା । ୨୦୧୭ରେ ବିଜେପି ସମର୍ଥନରେ ସେ ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ଗତ ୧୫ ବର୍ଷରୁ ଝରଣା ବାରିକ ବିଜେପିରେ ରହିଥିଲେ । କିନ୍ତୁ ଆଜି ତାଙ୍କ ସହଯୋଗୀଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି । ଏହାସହ ବାଣପୁର ବ୍ଲକ ନନ୍ଦପୁର ଗ୍ରାମ ପଞ୍ଚାୟତର ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଦମୟନ୍ତୀ ବସ୍ତି ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ମିଶି ବିଜେଡିରେ ଯୋଗଦେଇଛନ୍ତି । ବିଜେଡିରେ ଯୋଗ ଦେଇଥିବା ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହାସହ ଦଳରେ ସେମାନଙ୍କ ସମ୍ମାନ ଓ ଆଦର ବିଜେପିଠାରୁ ଅଧିକ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି ।
ବ୍ଲୁମବର୍ଗ -୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଷ୍ଟିଲ ସିଟି
ରାଉରକେଲା: ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲାର ସଫଳତା । ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ସ୍ଥାନ ପାଇଛି ଷ୍ଟିଲ ସିଟି ରାଉରକେଲା । ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଛି ରାଉରକେଲା । ଭାରତର ଏକ ମାତ୍ର ସହର ଭାବେ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ପାଇଛି ରାଉରକେଲା । ୧ ନିୟୁତ ଡଲାର ପାଇବା ପାଇଁ ଯୋଗ୍ୟତା ଅର୍ଜନ କରିଛି ରାଉରକେଲା । ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ନାଁ କରିଛି ଷ୍ଟିଲ ସିଟି । ବିଶ୍ୱର ୯୯ ଦେଶ ଓ ୬୩୦ ପ୍ରସ୍ତାବ ଭିତରେ ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର ଦୁଇ ପ୍ରମୁଖ ସହର ରାଉରକେଲା ଓ ପୁନେ ସ୍ଥାନ ପାଇଥିଲେ । ତେବେ ୫୦ଟି ପ୍ରମୁଖ ସହର ମଧ୍ୟରୁ ନିଜର ଉତ୍ତମ କାର୍ଯ୍ୟଦକ୍ଷତା ଉପସ୍ଥାପନ କରି ରାଉରକେଲା ଭାରତର ଏକ ମାତ୍ର ସହର ବିଶ୍ୱର ପ୍ରମୁଖ ୧୫ଟି ସହର ମଧ୍ୟରେ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ବ୍ଲୁମବର୍ଗ ପକ୍ଷରୁ ରାଉରକେଲାକୁ ୧ ନିୟୁତ ଡଲାର ପୁରସ୍କାର ରାଶି ମିଳିବା ସହିତ ବିଭିନ୍ନ ସ୍ତରରେ ବୈଷୟିକ ସହଯୋଗ ଏବଂ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ ।
ରାଉରକେଲା ମହାନଗର ନିଗମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ପରୀକ୍ଷାମୂଳକ ଭାବେ ସହରର ଛେଣ୍ଡ ସ୍ଥିତ ଭିଏସଏସ ମାର୍କେଟଠାରେ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି । ଫଳରେ ଚାଷୀ, ଛୋଟ ଛୋଟ ପରିବା ଏବଂ ଫଳ ବ୍ୟବସାୟୀମାନେ ନିଜ ସାମଗ୍ରୀର ସଂରକ୍ଷଣ କରିପାରିବା ସହ ଅପଚୟ ରୋକା ଯାଇପାରିଛି । କରୋନା ମହାମାରୀ ଭଳି ପରିସ୍ଥିତିରେ ଲୋକଙ୍କ ଦୁଆର ମୁହଁରେ ତାଜା ପନିପରିବା ଓ ଫଳ ପହଞ୍ଚାଇବା କାମ ହୋଇପାରୁଛି । ଏ ସମସ୍ତ କାର୍ଯ୍ୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରୁଛନ୍ତି । ଏହା ଦ୍ୱାରା ସେମାନଙ୍କ ଜୀବନଶୈଳୀରେ ମଧ୍ୟ ଉନ୍ନତି ହୋଇଛି । ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି କୃଷି ଷ୍ଟାର୍ଟଅପ୍ କୋଏଲ ଫ୍ରେସ ସହଯୋଗ କରିଥିଲା । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗତ ବର୍ଷ ଜୁନ ମାସରେ ହୋଇଥିଲା ।
ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା, ଗୋଷ୍ଠୀ ସଂଘର୍ଷରେ ୪ ଆହତ
ଗଞ୍ଜାମ: ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ । ନାମାଙ୍କନ ପତ୍ର ଦାଖଲ ମଧ୍ୟ ଆରମ୍ଭ ହୋଇସାରିଛି । ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ଗାଁ ରାଜନୀତି । ଆଜି ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ନାମାଙ୍କନ ଦାଖଲ ବେଳେ ହୋଇଛି ଗୋଷ୍ଠୀ ସଂଘର୍ଷ । ନାମାଙ୍କନ ଦାଖଲ ଲାଗି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇରେ ଦେଖାଯାଇଛି ଗୋଷ୍ଠୀ ସଂଘର୍ଷ । ଦୁଇଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷରେ ୪ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ପରେ ଧରାକୋଟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

