ଭୁଲରେ ପାକିସ୍ତାନ ଉପରେ ପଡିଛି ମିଜାଇଲ

ନୂଆଦିଲ୍ଲୀ: ଭୁଲରେ ପାକିସ୍ତାନ ଉପରେ ପଡିଛି ଭାରତର ମିଜାଇଲ । ଭାରତ ଏୟାରସ୍ପେଶ ଉଲ୍ଲଂଘନ କରିଥିବା ପାକିସ୍ତାନର ଆରୋପ ପରେ ଏମିତି ଉତ୍ତର ଦେଇଛନ୍ତି ଭାରତ ସରକାର । ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଭାରତ ସରକାର କହିଛନ୍ତି ।

ସୂଚନାଯୋଗ୍ୟ, ଭାରତ ଉପରେ ପାକିସ୍ତାନ ଏୟାରସ୍ପେଶ ଉଲ୍ଲଂଘନ ଅଭିଯୋଗ କରିଥିଲା । ପାକିସ୍ତାନର ୧୨୪ କିମି ଭିତରକୁ ଭାରତର ଏକ ମିଜାଇଲ ଖାନଓ୍ବାଲ ଜିଲ୍ଲାରେ ପଡିଥିବା ପାକିସ୍ତାନ ଅଭିଯୋଗ କରିଥିଲା । ଯାହାର ଉତ୍ତର ଭାରତ ସରକାରଙ୍କ ପକ୍ଷରୁ ରଖାଯାଇଛି ।

ଭାରତ ତରଫରୁ କୁହାଯାଇଛି, ୯ ମାର୍ଚ୍ଚରେ ଏକ ରୁଟିନ୍ ମେଣ୍ଟେନେନ୍ସ ସମୟରେ ବୈଷୟିକ ତ୍ରୁଟି କାରଣରୁ ଏକ ମିଜାଇଲ ଫାୟାର ହୋଇ ଯାଇଥିଲା । ସରକାର ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତ ସରକାରଙ୍କ ଅନୁସାରେ, ତ୍ରୁଟି ଯୋଗୁଁ ମିଜାଇଲଟି ଫାୟାର ହେବା ପରେ ପାକିସ୍ତାନରେ ପଡିଥିଲା । ଏଥରେ କୌଣସି ଲୋକଙ୍କ ମୃତ୍ୟୁ ଘଟିନାହିଁ । ଏହାକୁ ଭାରତର ଆକ୍ରମଣ ବୋଲି ପାକିସ୍ତାନ କହୁଛି । ଭାରତର ମିଜାଇଲ ପଡିବାକୁ ନେଇ ସେଠାରେ ସରକାରଙ୍କଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ଚିଲ୍ଲାଉଛନ୍ତି ।

ପାକିସ୍ତାନ ଗଣମାଧ୍ୟମ ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ପାକିସ୍ତାନ ବିଦେଶ ମନ୍ତ୍ରୀ କହିଥିଲେ, ‘ଭାରତ ସରକାର ଏଥିପାଇଁ ଦାୟୀ । ଏହାକୁ ଭାରତ ସରକାରଙ୍କୁ ମାନିବାକୁ ପଡିବ । ଭାରତ ସରକାରଙ୍କ ସ୍ପଷ୍ଟିକରଣ ପରେ ଆମେ ଆଗକୁ ପଦକ୍ଷେପ ନେବୁ ।’