spot_img
Home Blog Page 4592

ଏସି ବଗିରୁ ନେଇ ପ୍ୟାଣ୍ଟ୍ରି କାର୍‌ରେ ଯୁବତୀଙ୍କ ସହ ମ୍ୟାନେଜର କଲା ଦୁଷ୍କର୍ମ

ଭୋପାଳ: ଚଳନ୍ତା ଟ୍ରେନ୍‌ରେ ଦୁଷ୍କର୍ମ ଅଭିଯୋଗ ।   ଦିଲ୍ଲୀର ୨୧ ବର୍ଷୀୟ ଯୁବତୀଙ୍କ ସହ ପ୍ୟାଣ୍ଟ୍ରିଂ କାର୍ ଏହି ଘଟଣା ଘଟିଛି । ଭୋପାଳ ଜିଆରପି ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ ପ୍ୟାଣ୍ଟ୍ରି କାର୍ ମ୍ୟାନେଜର ଶୁକ୍ରବାର ରାତିରେ ତାଙ୍କ ସହିତ ଅପକର୍ମ କରିଛନ୍ତି । ସେତେବେଳକୁ ସମୟ ପ୍ରାୟ ରାତି ୧୦ଟା ହେବ । ସମୟ ଅନୁଯାୟୀ ଜିଆରପି ଅନୁମାନ କରୁଛି ଯେ, ଟ୍ରେନ୍ ହରଦାରୁ ଇଟାରସି ମଧ୍ୟରେ ରହିଥିବ ।

ଜିଆରପି ନିକଟରେ ଦାୟର ଅଭିଯୋଗରେ ଯୁବତୀ ଜଣଙ୍କ ଲେଖିଛନ୍ତି ଯେ, ୯ଫେବ୍ରୁଆରୀରେ ସେ ଦିଲ୍ଲୀରୁ ମୁମ୍ୱାଇ ଯାଉଥିଲେ । ସେଠାରେ ଲୋକେ କହିଲେ ମୁମ୍ୱାଇ ଭଲ ନୁହଁ । ଏଠାରେ ଝିଅମାନଙ୍କୁ ବିକ୍ରି କରିଦିଅନ୍ତି । ତୁମେ ଫେରିଯାଆ । ଲୋକଙ୍କ କହିବା ପରେ ସେ ଶୁକ୍ରବାର ଦ୍ୱିପ୍ରହରରେ ମୁମ୍ୱାଇରୁ ଦିଲ୍ଲୀ ଆସିବା ପାଇଁ ଟ୍ରେନ୍ ଧରିଲେ । ଏହି ଟ୍ରେନ୍‌ରେ ଭିଡ଼ ଥିଲା ଏଣୁ ଭୁସାବଲ ଷ୍ଟେସନରେ ଓହ୍ଲାଇଲେ । ସେଠାରୁ ସେ ସନ୍ଧ୍ୟା ୬ଟାରେ ୟଶବନ୍ତପୁର-ନିଜାମୁଦ୍ଦିନ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଏସି କୋଚ୍‌ରେ ବସି ଗଲେ । ସେ ତଳେ ହିଁ କମ୍ୱଳ ବିଛାଇ ଶୋଇପଡ଼ିଲେ । ରାତି ପାଖାପାଖି ୮ଟା ବେଳକୁ ଜଣେ ଲମ୍ୱା ଓ ମୋଟ ମଣିଷ ନୀଳ ସାର୍ଟ ପିନ୍ଧି ସେଠାରେ ପହଞ୍ଚିଥିଲା । ଏଠାରେ କିଏ ଶୋଇଛି ବୋଲି ପଚାରି ସେ ଉଠାଇଥିଲେ । ଜନରଲ ବଗିରେ ସିଟ୍ ଖାଲି ଅଛି ଯାଇ ସେଠାରେ ଶୋଇବା ପାଇଁ କହିଲା । ଏବଂ ଜେନରାଲ୍ ବଗି ଆଡ଼କୁ ନେବାରେ ଲାଗିଲା । କିନ୍ତୁ ପ୍ୟାଣ୍ଟ୍ରି କାର୍ ବଗି ନିକଟରେ ଶୋଇଯିବାକୁ କହିଥିଲେ ।

ଆଉ କିଛି ସମୟରେ ପରେ ପୁଣି ସେହି ବ୍ୟକ୍ତି ଜଣଙ୍କ ଆସି ଯୁବତୀ ଜଣଙ୍କୁ ପ୍ୟାଣ୍ଟ୍ରି କାର୍ ଭିତରକୁ ନେଇଯାଇଥିଲା । ମୋ ସହିତ ସେ ଅସଦ୍ ଆଚରଣ କରିଥିଲେ । ମୁଁ ଚିତ୍କାର କରିବାରୁ ସେ ମୋତେ ୩ରୁ ୪ ଚାପୁଡ଼ା ମାରିଥିଲେ । ଏବଂ ଧମକ ମଧ୍ୟ ଦେଲେ ଯଦି କାହାକୁ କୁହେ ତେବେ ଧକ୍କା ମାରି ଟ୍ରେନରୁ ଫୋପାଡ଼ିଦେବେ । ମୁଁ କାନ୍ଦି କାନ୍ଦି ନିଜ ସାମାନ ଉଠାଇ ଦ୍ୱିତୀୟ ବଗିକୁ ଚାଲିଗଲି । ସେହି ସମୟରେ ରାତି ପ୍ରାୟ ୧୦ଟା ବାଜିଲାଣି । ମୋତେ ଟ୍ରେନରେ ଦୁଇ ଜଣ ଲୋକଙ୍କ ସହ ଭେଟ ହେଲା । ତାଙ୍କୁ ମୁଁ ଘଟଣା ସମ୍ପର୍କରେ ଅବଗତ କଲି । ଏବଂ ସେହି ଲୋକମାନଙ୍କ ସହ ଆସି ଥାନାରେ ପହଞ୍ଚିଥିବା ଯୁବତୀ ଜଣଙ୍କ କହିଛନ୍ତି । ତେବେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଅଭିଯୁକ୍ତ ଭୂପେନ୍ଦ୍ର ତୋମାରକୁ ଝାନ୍ସିରୁ ଗିରଫ କରାଯାଇଛି ।

ବିଶିଷ୍ଟ ଶିଳ୍ପପତି ରାହୁଲ ବଜାଜ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବଜାଜ୍ ଅଟୋର ପୂର୍ବତନ ଚେୟାରମ୍ୟାନ୍ ରାହୁଲ ବଜାଜଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।  ସେ ୨୦୨୧ ମସିହାରେ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ଏ ନେଇ ବଜାଜ୍ ଗ୍ରୁପ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରି ସୂଚିତ କରାଯାଇଛି ।  ସେ ହୃଦରୋଗରେ ପୀଡ଼ିତ ଥିବା ବେଳେ ଗତ ୧ ମାସ ପୂର୍ବେ  ରୁବି୍ ହଲ୍ କ୍ଳିନିକ୍‌ରେ ଭର୍ତ୍ତି ହୋଇଥିଲେ  ।

ସେ ୧୦ ଜୁନ୍ ୧୯୩୮ ମସିହାରେ କଲିକତାରେ ଜନ୍ମ ଗ୍ରହଣ କରିଥିଲେ । ସେ ଦିଲ୍ଲୀ ୟୁନିଭରସିଟିରୁ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ । ଏଥିସହିତ ସେ ବମ୍ୱେର ଆଇନ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଓକିଲାତି ପାସ୍ କରିଥିଲେ । ଏବଂ ହାବାର୍ଡ ଅଫ୍ ବିଜନେସ୍ ସ୍କୁଲରୁ ଏମ୍‌ବିଏ ପାସ୍ କରିଥିଲେ । ସେ ୧୯୬୮ ମସିହାରେ ବଜାଜ୍ ଅଟୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏବଂ ପରେ ୧୯୭୨ ମସିହାରେ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଥିଲେ । କନ୍‌ଫେଡ୍ରସନ୍ ଅଫ୍ ଇଣ୍ଡିଆର ସଭାପତି ଭାବେ ମଧ୍ୟ ୧୯୭୯ରୁ ୧୯୮୦ ଯାଏଁ ଦାୟିତ୍ୱ ତୁଲାଇଥିଲେ । ଏବଂ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚରିଂର ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ସେ ୨୦୦୬ରୁ ୨୦୧୦ ଯାଏଁ ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ସେ ୨୦୨୧ରେ ବଜାଜ ଅଟୋ ଚେୟାରମ୍ୟାନ୍ ପଦବୀରୁ ଅବ୍ୟାହତି ନେଇଥିଲେ ।

୧୪ରୁ ପୁଣି ସବୁ ଟ୍ରେନରେ ଚାଲିବ କ୍ୟାଟରିଂ ସେବା

ନୂଆଦିଲ୍ଲୀ: ଆସନ୍ତା ୧୪ରୁ ଟ୍ରେନରେ ଚାଲିବ କ୍ୟାଟରିଂ ସେବା । କୋଭିଡ ଯୋଗୁ ଏହି ସେବା ବନ୍ଦ ରହିଥିଲା । ତେବେ ଗତବର୍ଷ ଡିସେମ୍ବରରେ କେବଳ ରାଜଧାନୀ, ଶତାବ୍ଦୀ ଓ ଦୂରନ୍ତ ଟ୍ରେନରେ ଆରମ୍ଭ ହୋଇଥିଲା ଏହି ସେବା । ଆସନ୍ତା ୧୪ରୁ କ୍ୟାଟରିଂ ସେବା ଚାଲିବ ବୋଲି ସୂଚନା ଦେଇଛି ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ ବା IRCTC । ତେବେ କୋଭିଡ-୧୯ର ସମସ୍ତ ନିରାପତ୍ତା ଗାଇଡଲାଇନ ଅନୁସାରେ ଏହି ସେବା ଚାଲିବ । IRCTCର ସମସ୍ତ କର୍ମଚାରୀଙ୍କ ଲାଗି ମଧ୍ୟ ଗାଇଡଲାଇନ ଜାରି କରାଯାଇଛି । କୋଭିଡ-୧୯ ଆରମ୍ଭ ପରଠାରୁ ଅର୍ଥାତ ମାର୍ଚ୍ଚ ୨୦୨୦ରୁ ଟ୍ରେନରେ କ୍ୟାଟରିଂ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।

ଅଧାରୁ ବନ୍ଦ ହେଲା ଆଇପିଏଲ ନିଲାମ, ଷ୍ଟେଜରେ ବେହୋସ ହୋଇଗଲେ ନିଲାମ ଡକାଳି

ବାଙ୍ଗାଲୋର: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଚାଲିଛି ମେଗା ନିଲାମ ।  ଶନିବାର ଓ ରବିବାର ଦୁଇ ଦିନ ଧରି ଚାଲିବ ଏହି ନିଲାମ ପ୍ରକ୍ରିୟାରେ ।  ତେବେ ଶନିବାର ଆରମ୍ଭ ହୋଇଥିବା ନିଲାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିସିସିଆଇ ପକ୍ଷରୁ ନିଲାମ ଡାକୁଥିବା ହ୍ୟୁ ଏଡମିଡେସ ନିଲାମ ଡାକିବା ସମୟରେ ହଠାତ ଷ୍ଟେଜ ଉପରୁ ପଡ଼ିଯାଇଥିଲେ । ଯାହା ଫଳରେ ଏହି ମେଗା ନିଲାମ ପ୍ରକ୍ରିୟାକୁ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ ପଡ଼ିଛି । ଏହି ଘଟଣା ପରେ ସେଠାରେ ଉପସ୍ଥିତ ମେଡିକାଲ ଟିମ୍ ହ୍ୟୁ ଏଡମିଡେସଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ହ୍ୟୁ ଏଡମିଡେସଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ରହିଛି ଏବଂ ଏହି ମେଗା ଅକ୍ସନ ପୁଣି ଥରେ ୩.୩୦ରେ ଆରମ୍ଭ ହେବ ।

ଶନିବାର ଏପର୍ଯ୍ୟନ୍ତ ହୋଇଥିବା ନିଲାମ ପ୍ରକ୍ରିୟାରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର । ଆୟରଙ୍କୁ କୋଲକାତା ନାଇଟ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ଆୟରଙ୍କ ବ୍ୟତୀତ ଶିଖର ଧାଓ୍ୱନଙ୍କ ୮.୨୫ କୋଟିରେ ପଞ୍ଜାବ କିଙ୍ଗ୍ସ, ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ୫ କୋଟିରେ ରାଜସ୍ଥାନ ରୟାଲ୍ସ, ମହମ୍ମଦ ସାମିଙ୍କୁ ୬.୨୫ କୋଟିରେ ଗୁଜୁରାଟ ଟାଇଟନ୍ସ, କଗିସୋ ରାବାଡାଙ୍କୁ ୯.୨୫ କୋଟିରେ ପଞ୍ଜାବ କିଙ୍ଗ୍ସ, ଫାଫ୍ ଡୁପ୍ଲେସିସ୍ ୭ କୋଟିରେ ଆରସିବି, ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ୬.୨୫ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ, ପ୍ୟାଟ କମିନ୍ସଙ୍କୁ ୭.୨୫ କୋଟିରେ କେକେଆର, ରବିନ୍ ଉଥପ୍ପାଙ୍କୁ ୨ କୋଟିରେ ଚେନ୍ନାଇ ସୁପର କିଙ୍ଗ୍ସ, ଟ୍ରେଣ୍ଟ ବୋଲ୍ଟଙ୍କୁ ୮ କୋଟିରେ ରାଜସ୍ଥାନ ରୟାଲ୍ସ କିଣିଛି ।

ଆଇପିଏଲ ମେଗା ନିଲାମ: ଅଶ୍ୱିନୀଙ୍କୁ ୫ କୋଟିରେ କିଣିଲା ରାଜସ୍ଥାନ, ପଞ୍ଜାବରୁ ଖେଳିବେ ଧାଓ୍ୱନ

ବାଙ୍ଗାଲୋର: ଟାଟା ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ପାଇଁ ଚାଲିଛି ମେଗା ଅକ୍ସନ । ଆଜିଠାରୁ ଦୁଇ ଦିନ ଧରି ବାଙ୍ଗାଲୋରରେ ଚାଲିବ ଏହି ମେଗା ଅକ୍ସନ । ତେବେ ଚଳିତ ମେଗା ଅକ୍ସନରେ ପ୍ରଥମ ପ୍ଲେୟାର ଭାବେ ନିଲାମ ହୋଇଛନ୍ତି ଶିଖର ଧାୱନ । ଶିଖର ଧାଓ୍ୱନଙ୍କୁ ୮ କୋଟି ୨୫ ଲକ୍ଷରେ କିଣିଛି ପଞ୍ଜାବ କିଙ୍ଗ୍ସ । ଏହି ବାମହାତୀ ଓପନର ବ୍ୟାଟ୍ସମ୍ୟାନଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଚେଷ୍ଟା ହୋଇଥିଲା । କିନ୍ତୁ ଏହି ପଞ୍ଜାବ କିଙ୍ଗ୍ସ ବାଜି ମାରିନେଇଥିଲା । ସେହିପରି ଭାବରେ ଆଜିର ମେଗା ଅକ୍ସନରେ ଦ୍ୱିତୀୟ ଖେଳାଳି ଭାବରେ ଆର. ଅଶ୍ୱିନୀଙ୍କୁ ୫ କୋଟିରେ କିଣିଛି ରାଜସ୍ଥାନ ରୟାଲ୍ସ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଥିବା ମେଗା ନିଲାମ ପ୍ରକ୍ରିୟାରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଶ୍ରେୟସ ଆୟର । ଆୟରଙ୍କୁ ୧୨,୨୫ କୋଟିରେ କିଣିଛି କୋଲକାତା ନାଇଟ ରାଇଡର୍ସ ।

ସେହିପରି ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସଙ୍କୁ ୭. ୨୫ କୋଟିରେ କେକେଆର, ସାଉଥ ଆଫ୍ରିକାର ଦ୍ରୁତ ବୋଲର ରାବାଡାଙ୍କୁ ୯.୨୫ କୋଟିରେ ପଞ୍ଜାବ କିଙ୍ଗସ, ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲଟଙ୍କୁ ୮ କୋଟିରେ ରାଜସ୍ଥାନ ରୟାଲ୍ସ, ଫାଫ ଡୁପ୍ଲେସିସଙ୍କୁ ୭ କୋଟିରେ ଆରସିବି, ଡେଭିଡ୍ ଓ୍ୱାର୍ଣ୍ଣରଙ୍କୁ ୬.୨୫ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ, ମହମ୍ମଦ ସାମିଙ୍କୁ ୬.୨୫ କୋଟିରେ ଗୁଜୁରାଟ ଟାଇଟନ୍ସ କିଣିଛି ।

ବିଧାନ ପରିଷଦ ସଂକଳ୍ପ ସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖିବେ ବାଚସ୍ପତି

ଭୁବନେଶ୍ୱର: ବିଧାନ ପରିଷଦ ସଂକଳ୍ପ ସମ୍ପର୍କରେ କେନ୍ଦ୍ରକୁ ୨ଟି ଚିଠି ଲେଖିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ୨୦୧୮ରେ ବିଧାନସଭାରେ ସର୍ବସମ୍ମତିକ୍ରମେ ପାରିତ ବିଧାନ ପରିଷଦ ସଂକଳ୍ପ ରାଜ୍ୟ ସରକାର କେନ୍ଦ୍ରକୁ ପଠାଇଥିଲେ । କିନ୍ତୁ ମନ୍ତ୍ରୀଙ୍କୁ ଆଇନ ବିଭାଗ କାହିଁକି ଭୁଲ ତଥ୍ୟ ଦେଇଛି, ସେକଥା ଚିଠିରେ ଉଲ୍ଲେଖ କରିବେ ବାଚସ୍ପତି । ଏନେଇ ତଦନ୍ତ ପାଇଁ ବାଚସ୍ପତି ଚିଠି ଲେଖିବେ । ବିଧାନ ପରିଷଦ ଗଠନ ପାଇଁ ଓଡ଼ିଶା ସରକାରଙ୍କଠାରୁ ପ୍ରସ୍ତାବ ଆସିନଥିବା ରାଜ୍ୟସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜଜୁ କହିଥିଲେ । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଏହି ବୟାନ ପରେ ଏହା ଦୁଃଖ ଓ ଆଶ୍ଚର୍ଯ୍ୟର ବିଷୟ ବୋଲି ବାଚସ୍ପତି କହିଥିଲେ ।

୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ସେପ୍ଟେମ୍ବର ୨୦୧୮ରେ କେନ୍ଦ୍ରକୁ ଚିଠି ପଠାଯାଇଥିଲା । ଲୋକସଭା, ରାଜ୍ୟସଭା, ସଂସଦୀୟ ବ୍ୟାପାର ଓ ଆଇନ ସଚିବଙ୍କୁ ଏନେଇ ଚିଠି ପଠାଯାଇଥିଲା ବୋଲି ବାଚସ୍ପତି କହିଛନ୍ତି । ପୁଣିଥରେ ୨ଟି ଚିଠି ଲେଖି ସମସ୍ତ କଥା ଅବଗତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।

ଆଜିଠାରୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିଛି ଅନୁମତି । ଧାର୍ମିକ ଅନୁଷ୍ଠାନ ମଧ୍ୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ । ଲିଙ୍ଗରାଜ ମନ୍ଦିରରେ ପ୍ରତିଥରରେ ୧୦୦ ଭକ୍ତଙ୍କୁ ପ୍ରବେଶ ଅନୁମତି । ୧୫ ବର୍ଷରୁ କମ୍ ପିଲାଙ୍କୁ ଅଭିଭାବକଙ୍କ ସହ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିଛି । ସେହିପରି ରାଜଧାନୀରେ ଥିବା ମସଜିଦ ଓ ଚର୍ଚ୍ଚରେ କଟକଣା ଭିତରେ ହୋଇପାରିବ ସାମୁହିକ ପ୍ରାର୍ଥନା । ଭୁବନେଶ୍ୱର ମହାନଗର ନିଗମର ଏହି ନିଷ୍ପତ୍ତିକୁ ଉଭୟ ଭକ୍ତ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସ୍ୱାଗତ କରିଛନ୍ତି । ସୂଚନା ଅନୁସାରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜଧାନୀରେ ସମସ୍ତ ଧାର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲା ବିଏମସି ।

ଚେତାବନୀ ଦେଲା ଆମେରିକା, ଯେକୌଣସି ମୁହୂର୍ତ୍ତରେ ସିରିଜ ବୋମା ଓ କ୍ଷେପଣାସ୍ତ୍ର ମାଡ଼ କରିବ ଋଷ

ନୂଆଦିଲ୍ଲୀ: ୪୮ ଘଣ୍ଟା ଭିତରେ ୟୁକ୍ରେନ ଛାଡିବା ଲାଗି ଆମେରିକୀୟଙ୍କୁ ନିର୍ଦ୍ଦେଶ । ଖୁବ୍ ଶୀଘ୍ର ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବାକୁ ଯାଉଛି ବୋଲି ଆଲର୍ଟ ଜାରି କରିଛନ୍ତି ଆମେରିକା ହ୍ବାଇଟ୍ ହାଉସ ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍ ସୁଲିଭାନ । ଯେକୌଣସି ମୁହୂର୍ତ୍ତରେ ଋଷ ସିରିଜ ବୋମାମାଡ ଓ କ୍ଷେପଣାସ୍ତ୍ର ମାଡ଼ କରିବ ବୋଲି ସେ ଚେତାବନୀ ଦେଇଛନ୍ତି । ଚୀନରେ ଓ୍ବିଣ୍ଟର ଅଲିମ୍ପିକ୍ସ ଚାଲିଥିବା ଯୋଗୁ ଆକ୍ରମଣ କରିବାର ସମ୍ଭାବନା ନାହିଁ ବୋଲି ଯାହା କୁହାଯାଉଛି, ତାହାକୁ ଅଗ୍ରାହ୍ୟ କରିଛନ୍ତି ସୁଲିଭାନ । ଫେବ୍ରୁଆରୀ ୨୦ରେ ଅଲିମ୍ପିକ୍ସ ସରୁଥିଲେ ବି ତା ପୂର୍ବରୁ ଏହି ଆକ୍ରମଣ ଘଟିବ ବୋଲି ସେ ସୂଚନା ଦେଇଛନ୍ତି । ଏପରିକି ଏହି ଆକ୍ରମଣ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଓ ଅତି ଭୟଙ୍କର ହେବ ଏବଂ ରାଜଧାନୀ କିଏଭ ପ୍ରଥମ ଟାର୍ଗେଟ ହେବ ବୋଲି ସେ ସତର୍କ କରାଇଛନ୍ତି । ଆକ୍ରମଣରେ ଅନେକ ଲୋକ ମୃତାହତ ହେବାର ଆଶଙ୍କା ଥିବାରୁ ଦେଶ ଛାଡିବା ଲାଗି ଡେଡଲାଇନ ଦେଇଛି ଆମେରିକା ।

ସେହିପରି ଯୁଦ୍ଧରୁ ଦୂରେଇ ରହିବା ଲାଗି ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶେଷ ଅନୁରୋଧ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ସାମରିକ ଜେନେରାଲ ମାର୍କ ମିଲେ ମଧ୍ୟ ଯୁଦ୍ଧ ଟାଳିବା ଲାଗି ଋଷ ଜେନେରାଲ ଭାଲେରି ଜେର୍ସିମଭଙ୍କ ସହ ଆଲୋଚନା କରିଛନ୍ତି । ମାତ୍ର ସେପରି କୌଣସି ଅଗ୍ରଗତି ପରିଲକ୍ଷିତ ହୋଇନାହିଁ । ସେପଟେ ୟୁକ୍ରେନରୁ ଅନେକ ଦେଶର ଦୂତାବାସ କର୍ମଚାରୀ ପଳାୟନ କରିବା ଆରମ୍ଭ କରିଛନ୍ତି । ତୈଳ ଦର ଯଥେଷ୍ଟ ବଢିଥିବାବେଳେ ଷ୍ଟକ ମାର୍କେଟ ମଧ୍ୟ ଭୁଶୁଡିବାରେ ଲାଗିଛି । ଆମେରିକୀୟ ଇକ୍ୟୁଟିର ବ୍ୟାପକ ଅବମୂଲ୍ୟାୟନ ହୋଇଛି । ସମ୍ଭାବ୍ୟ ଯୁଦ୍ଧର ମୁକାବିଲା ଲାଗି ୟୁରୋପର ବିଭିନ୍ନ ରାଷ୍ଟ୍ରରେ ୮୦ ହଜାରରୁ ଅଧିକ ମାର୍କିନ ସୈନ୍ୟଙ୍କୁ ମୁତୟନ କରାଯାଇଛି ।

ତେଣେ ୧୯୮୬ରେ ଭୟଙ୍କର ଆଣବିକ ବିପର୍ଯ୍ୟୟର କାରଣ ସାଜିଥିବା ଚେର୍ଣ୍ଣୋବିଲ୍ ଆଣବିକ କାରଖାନାର ପରିତ୍ୟକ୍ତ କୋଠା ଗୁଡିକରେ ସମରାଭ୍ୟାସ ଜାରି ରଖିଛି ୟୁକ୍ରେନ । ସେଠାରେ ହଜାର ହଜାର ୟୁକ୍ରେନ ସୈନ୍ୟ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରିବା ଦେଖାଯାଇଛି । ସବୁଠାରୁ ଅଧିକ ସମସ୍ୟାରେ ପଡିଛନ୍ତି ଛାତ୍ରଛାତ୍ରୀ । ୟୁକ୍ରେନରେ ବିଶ୍ବର ୧୫୮ ରାଷ୍ଟ୍ରର ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ମେଡିକାଲ, ଇଞ୍ଜିନୟରିଂ ସମେତ ଅନ୍ୟ ବିଷୟରେ ପଢୁଛନ୍ତି । କେବଳ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦ ହଜାର । ସେମାନଙ୍କ ଭବିଷ୍ୟତ ନେଇ ଏବେ ଗଭୀର ଚିନ୍ତାରେ ପରିବାର । କୋଭିଡ ଯୋଗୁ ପାଠପଢା ପ୍ରଭାବିତ ହୋଇଥିବା ବେଳେ ଏବେ ସମ୍ଭାବ୍ୟ ଯୁଦ୍ଧ ସେମାନଙ୍କ ଭବିଷ୍ୟତକୁ ଛାରଖାର କରିବାର ଆଶଙ୍କା ସୃଷ୍ଟି ହୋଇଛି ।

କଳାହାଣ୍ଡିରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜର ବାଗପୁରରୁ ଜାମପଡା ଗାଁକୁ ଯିବା ରାସ୍ତା କଡ଼ରେ ଥିବା ଚାଷ ଜମିରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀ ଶରୀରରେ ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ହାତୀ ମୃତ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କ’ଣ ପାଇଁ ଏହି ହାତୀର ମୃତ୍ୟୁ ହୋଇଛି ତା’ର କାରଣ ଏବେବି ଅସ୍ପଷ୍ଟ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ ଦୁଇ ଦିନ ତଳେ କମେଗା ଜଙ୍ଗଲରେ ଏକ ମାଈ ହାତୀ ବିଦୁତ୍ୟ ତାର ଲାଗି ମୃତ୍ୟୁ ବରଣ କରିଥିଲା । ବନ ବିଭାଗଙ୍କ ପାଇଁ ହାତୀର ସୁରକ୍ଷା ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପାରାଦୀପରେ ମୁମ୍ବାଇ ଆଇଟିସି ଟିମ୍, ନକଲି ମଶାଧୂପ କାରଖାନାରେ ଚଢ଼ାଉ

ପାରାଦୀପ: ମଶାଧୂପ ବି ନକଲି । ପାରାଦୀପ ଆଦର୍ଶ ଥାନା ସ୍ଥିତ ତାରିଣୀଗଡ଼ାରେ ନକଲି ସ୍ଲିପ୍ ଓ୍ବେଲ ମଶାଧୂପ କାରଖାନା ଉପରେ ମୁମ୍ବାଇ ଆଇଟିସି ଇନଭେଷ୍ଟିଗେଟିଭ ବିଭାଗର ୫ ଜଣିଆ ଟିମ୍ ଓ ପୋଲିସର ଚଢାଉ । ବିପୁଳ ପରିମାଣର ନକଲି ସ୍ଲିପ ଓ୍ୱେଲ ମଶାଧୂପ, ପ୍ୟାକିଂ ଜରି, ଧୂପ ତିଆରି ମେସିନ,କେମିକାଲ ଓ ଗୋଟିଏ ଟାଟା ଜିପ୍ ଜବତ କରିଛି ପୋଲିସ । ଏଥିସହ କାରଖାନାର ମାଲିକ ରବିନ୍ଦ୍ର ନାୟକକୁ ଅଟକ ରଖିଛି ପୋଲିସ ।

ଦୀର୍ଘ ବର୍ଷ ହେଲା ପାରାଦୀପର ତାରିଣୀଗଡା ସ୍ଥିତ ନିଜ ଘରେ ରବିନ୍ଦ୍ର ନାୟକ ଓ ତାଙ୍କ ପୁଅ କର୍ଣ୍ଣାଟକରେ ତିଆରି ହେଉଥିବା ଏହି ସ୍ଲିପ୍ ଓ୍ୱେଲ୍  ମଶାଧୂପର ଡିଷ୍ଟ୍ରିବ୍ୟୁଟର ବୋଲି ପରିଚୟ ଦେଇ ଅବିକଳ ଲୋଗୋ ଓ ଷ୍ଟିକର ବ୍ୟବହାର କରି ନିଜେ ନକଲି ମଶାଧୂପ ତିଆରି କରି ବ୍ୟବସାୟ କରୁଥିଲେ । ଏ ସମ୍ପର୍କରେ କର୍ଣ୍ଣାଟକର କମ୍ପାନୀ ଜାଣିବା ପରେ ମୁମ୍ବାଇର ଆଇଟିସିର ଇନଭେଷ୍ଟିଗେଟିଭ ବିଭାଗରେ ଅଭିଯୋଗ କରିଥିଲେ । ଆଇଟିସି ବିଭାଗ ତଦନ୍ତ କରିବା ସହିତ ପାରାଦ୍ଵୀପରେ ପହଞ୍ଚିଥିଲେ । ବଜାରରେ ମିଳୁଥିବା ସ୍ଲିପ୍ ଓ୍ୱେଲ ମଶାଧୂପ ନକଲି ବୋଲି ସ୍ପଷ୍ଟ ହେବା ପରେ ପାରାଦ୍ଵୀପର ଅତିରିକ୍ତ ଏସପି ଓ ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସିଙ୍କ ସହାୟତାରେ କାରଖାନାରେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ କାରଖାନାର ମାଲିକ ରବିନ୍ଦ୍ର ନାୟକଙ୍କୁ ଧରିଥିବା ବେଳେ ରବିନ୍ଦ୍ରଙ୍କ ପୁଅ ବିକାଶ ରଞ୍ଜନ ନାୟକ ଓ ଅନ୍ୟଜଣେ ଫେରାର ଅଛନ୍ତି । ଅସଲି ସ୍ଲିପ୍ ଓ୍ୱେଲ ମଶାଧୂପର ଗୋଟିଏ ପେଟିର ଦାମ ୧୧ ହଜାର ଥିବା ବେଳେ ଏମାନେ ଉକ୍ତ କମ୍ପାନୀର ଲୋଗୋ ବ୍ୟବହାର କରି ୯ ହଜାର ଟଙ୍କାରେ ବିକ୍ରୟ କରୁଥିଲେ ।