ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଆଜି ଓ ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ

1 min read

ଭୁବନେଶ୍ୱର: ବଢ଼ୁଛି ତାତି, ହନ୍ତସନ୍ତ ଜନଜୀବନ । ରାଜ୍ୟରେ କ୍ରମାଗତ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମରେ ଅଧିକ ରହୁଛି ତାତି । ଆଜି ଓ ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩ ଦିନ ପର୍ଯ୍ୟନ୍ତ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଉଚ୍ଚା ରହିବ ପାରଦ । ବିଶେଷ କରି ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗିର, ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୨ଦିନ ପରେ ଅଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ସେପଟେ ଗତକାଲି ବି ଟିଟିଲାଗଡ଼ ହୋଇଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ଟିଟିଲାଗଡ଼ରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ା, ବଲାଙ୍ଗୀର, ଭବାନୀପାଟଣାରେ ୪୧.୨ ଡିଗ୍ରୀ ତାପମାତ୍ରା ରହିଛି । ବୌଦ୍ଧ, ସୁନ୍ଦରଗଡ଼, ସମ୍ବଲପୁର ଓ ମାଲକାନଗିରିରେ ପାରଦ ୪୦ ଡିଗ୍ରୀ ପାର୍ କରିଛି । ଖରାର ପ୍ରକୋପକୁ ଦେଖି ରାଜଧାନୀରେ ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ୍ ହପ୍ସିଟାଲରେ ଖୋଲିଛି ସ୍ବତନ୍ତ୍ର ଓ୍ବାର୍ଡ ।