ପଶ୍ଚିମ ଓଡ଼ିଶା ପାଇଁ ଜାରି ହେଲା ହିଟ୍ ଓ୍ୱେଭ୍ ଆଲର୍ଟ : ଅଂଶୁଘାତ ମୁକାବିଲା ଲାଗି ଖୋଲିଲା ସ୍ୱତନ୍ତ୍ର ଓ୍ୱାର୍ଡ

ଭୁବନେଶ୍ୱର: ବଢୁଛି ତାତି, ବଢୁଛି ଚିନ୍ତା । ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରକୋପ । ଗତକାଲି ଠାରୁ ବିଶେଷ କରି ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକୁ ହିଟ୍ ଓ୍ୱେଭ୍‌   ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଖରାର ପ୍ରକୋପକୁ ଦେଖି ରାଜଧାନୀରେ ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ୍ ହପ୍ସିଟାଲରେ ଖୋଲିଛି ସ୍ୱତନ୍ତ୍ର ଓ୍ୱାର୍ଡ ।

କଲବଲ କରୁଛି ତାତି । ହିଟ୍ ୱେଭ୍ ପାଇଁ ୪୮ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୩ଦିନ ପର୍ଯ୍ୟନ୍ତ ୩ ରୁ ୫ ଡିଗ୍ରୀ ଉଚ୍ଚା ରହିବ ପାରଦ । ବିଶେଷ କରି ୫ ଜିଲ୍ଲା ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଅଭ୍ୟନ୍ତରୀଣ ଓଡିଶାରେ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରିଛି କେନ୍ଦ୍ର । ସମ୍ବଲପୁରରେ ଖରା ଯୋଗୁଁ ୧୦ଟା ପରେ ଲୋକେ ପଦାକୁ ବାହାରି ପାରୁନଥିବା କହିଛନ୍ତି । ଲଗାତର ୪ ଦିନ ହେଲା ୪୦ ଡିଗ୍ରି ଉପରେ ରହୁଛି ପାରଦ ।

ଖରାକୁ ଦୃଷ୍ଟିରେ ରଖି ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଓ୍ୱାର୍ଡ । କ୍ୟାପିଟାଲ ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ୍ ଓ୍ୱାର୍ଡ କାର୍ଯ୍ୟକ୍ଷମ ହୋଇଛି । ଟ୍ରାଏଜ ରୁମରେ ୬ଟି ବେଡ୍ ପ୍ରସ୍ତୁତ କରାଯାଇଛି । କୋଭିଡ ସଂଗରୋଧ ଗୃହକୁ ସ୍ୱତନ୍ତ୍ର ହିଟ୍ ଷ୍ଟ୍ରୋକ ଓ୍ୱାର୍ଡରେ ପରିବର୍ତ୍ତନ କରି ୧୦ଟି ବେଡ୍ ଭାବେ ମୋଟ ୧୬ଟି ବେଡ଼ ପ୍ରସ୍ତୁତ ଥିବା ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏଠାରେ ୪ଜଣ ଷ୍ଟାଫ୍ ନର୍ସଙ୍କୁ ଦାୟିତ୍ୱ ଦିଆଯାଇଛି । ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା ସହ ଓଆରଏସ ପାଣି ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଆସନ୍ତା ୨ତାରିଖ ପରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ଏକ ଟ୍ରଫ୍ ଲାଇନ ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟର ପ୍ରଥମ କିନ୍ନର ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଛନ୍ତି କେନ୍ଦୁଝରର ସଲମା