କେମିତି ମାନସକୁ ମାରିଥିଲେ ଅଭିଯୁକ୍ତ, ଆଜି କ୍ରାଇମସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ

1 min read

କଟକ: ରିମାଣ୍ଡରେ ଖୋଲୁଛି କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ସତ । ଆଜି ରିମାଣ୍ଡର ଚତୁର୍ଥ ଦିନ । ରିମାଣ୍ଡର ଚତୁର୍ଥ ଦିନରେ ଆଜି ସମସ୍ତ ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ୍ ରିକ୍ରିଏସନ କରିପାରେ କ୍ରାଇମବ୍ରାଞ୍ଚ । ଅପହରଣଠୁ ହତ୍ୟା ଆଉ ମୃତଦେହ ପୋତିବା ପର୍ଯ୍ୟନ୍ତ ସବୁ ଘଟଣାର ରିକ୍ରିଏସନ କରିବ କ୍ରାଇମବ୍ରାଞ୍ଚ । ଚାନ୍ଦବାଲିରୁ ନୟାଗଡ଼ ପର୍ଯ୍ୟନ୍ତ ସବୁ ସ୍ଥାନକୁ ନେଇ ମର୍ଡରର ଡେମୋ କରାଇବ ତଦନ୍ତକାରୀ ଟିମ୍ । ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚକୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମିଳିନି ।  ତେବେ ଆସନ୍ତାକାଲି ରିମାଣ୍ଡ ସରୁଥିବା ବେଳେ ପୁଣିଥରେ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ରିମାଣ୍ଡରେ ଆଣିପାରେ ।

ସେପଟେ କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ବଖାଣି ସାରିଛି ଅଭିଯୁକ୍ତ ରଞ୍ଜନ ନାୟକ । ଚାନ୍ଦବାଲି ପଳାସପୁରରୁ ମାନସଙ୍କୁ ଶର୍ମିଷ୍ଠା କାରରେ ଅପହରଣ କରି ମାନସଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଆଣିଥିଲେ । ଅପହରଣ ବେଳେ ଶର୍ମିଷ୍ଠା, ରଞ୍ଜନ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ କାରରେ ଥିଲେ । ଦୟାଲ ଆଶ୍ରମରେ ମାନସଙ୍କୁ ନୃଶଂସ ଭାବେ ଶାରିରୀକ ନିର୍ଯାତନା ଦେବା ସହ ଶକ୍ତ ବସ୍ତୁରେ ଆଘାତ ଦିଆଯାଇଥିଲା । ଆଶ୍ରମରେ ନିରଞ୍ଜନ ମଧ୍ୟ ମାନସଙ୍କୁ ମାଡ଼ ମାରିଥିଲେ । ମାନସଙ୍କ ମୃତ୍ୟୁ ପରେ ଶର୍ମିଷ୍ଠା କାରରେ ମୃତଦେହକୁ ଆଣି ରଣପୁରରେ ପୋତା ଯାଇଥିଲା । ପରେ ଚଣ୍ଡିଖୋଲଠାରୁ ୨ କିଲୋମିଟର ଦୂର ଦଇତାରୀ-ପାରାଦୀପ ହାଇଓ୍ୱେ ନିକଟରେ ପ୍ରମାଣ ନଷ୍ଟ କରିଥିଲେ ଅଭିଯୁକ୍ତ । ଚଣ୍ଡିଖୋଲର ସେହି ସ୍ଥାନକୁ ଯାଇ ଅଧାପୋଡ଼ା ଇୟର ଫୋନ୍, ଚପଲ, ଶାଢୀ, ଅଖା ବସ୍ତା, ଗଇଁତି ଓ କୋଦାଳକୁ ଜବତ କରିଛି ତଦନ୍ତକାରୀ ଟିମ୍ ।