ଆଜି ଉତ୍କଳ ଦିବସ, ମହାସମାରୋହରେ ଓଡ଼ିଶା ପାଳୁଛି ଦିବସ

ଭୁବନେଶ୍ୱର: ଆଜି ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ ତାରିଖ । ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ । ଯାହାକୁ ନେଇ ପ୍ରତ୍ୟେକ ଓଡ଼ିଆ ନିଜକୁ ଗର୍ବିତ ଅନୁଭବ କରନ୍ତି । ଯାହା ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ଓଡ଼ିଆ ଜାତିର ତେଜୋଦୀପ୍ତ ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଓଡ଼ିଶା ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ ।

ଉତ୍କଳ ଦିବସ ପାଇଁ ଉତ୍ସବମୁଖର ସାରା ରାଜ୍ୟ । କରୋନା ପାଇଁ ଦୁଇ ବର୍ଷ ଧରି ଉତ୍କଳ ଦିବସ ଫିକା ପଡ଼ିଥିବା ବେଳେ, ଏଥର ମହାସମାରୋହରେ ପାଳିତ ହେଉଛି ଓଡ଼ିଶା ଦିବସ । ଏକା ସମୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଗୁଞ୍ଜରିତ ହେବ ଓଡ଼ିଶା । ସନ୍ଧ୍ୟା ୬ଟାରେ ସମଗ୍ର ରାଜ୍ୟରେ ଏକା ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯିବ । ଏହା ସହିତ ବିଭିନ୍ନ ବରପୁତ୍ରଙ୍କ ଦ୍ୱାରା ରଚିତ ୧୦ଟି ସଂଗୀତ ଗାନ କରାଯିବ । ପ୍ରତି ଜିଲ୍ଲାରେ ସଭା ସମିତି ଆୟୋଜନ କରାଯାଉଛି । ଏହି ଆୟୋଜନର ଦାୟିତ୍ୱ ନେଉଛନ୍ତି ଜିଲ୍ଲା ପରିଷଦ ସଭାପତି । ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ସମବେତ ଭାବରେ ରାଜ୍ୟ ସଂଗୀତ ଗାନ କରି ବୀର ସଂଗ୍ରାମୀଙ୍କ ବଳୀଦାନକୁ ମନେ ପକାଇବେ ରାଜ୍ୟବାସୀ । କେବଳ ଓଡ଼ିଶା ନୁହେଁ, ନୂଆଦିଲ୍ଲୀ ଓ ଅନ୍ୟାନ୍ୟ ନଗରୀରେ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।