‘ନା ମୁଁ କାହା ଆଗରେ ନଇଁବି ନା ମୋ ଦେଶକୁ ନଇଁବାକୁ ଦେବି’, ଦେଶବାସୀଙ୍କୁ ସମ୍ବୋଧିତ କରି ଏମିତି କହିଲେ ଇମ୍ରାନ

ଇସଲମାବାଦ: ଶେଷ ଓଭରର ଶେଷ ବଲ ପର୍ଯ୍ୟନ୍ତ ଖେଳ ଜାରି ରହିବ ବୋଲି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଗୋଟିଏ ପଟେ ଇମ୍ରାନ ସରକାରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ସେ ଦେଶକୁ ସମ୍ବୋଧିତ କରିଛନ୍ତି । ଦେଶବାସୀ କେଉଁ ରାସ୍ତାକୁ ଚୟନ କରିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି । ଆସନ୍ତା ୩ରେ ଅନାସ୍ତା ପ୍ରସ୍ତାବ ଉପରେ ଭୋଟିଂ ହେବ । କିନ୍ତୁ ବିରୋଧୀ ନିଜ ଚକ୍ରାନ୍ତରେ ବିଫଳ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଇମ୍ରାନ୍‌ ।

ଆମ ସାମ୍ନାରେ ଏବେ ଦୁଇଟି ରାସ୍ତା ଆସିଛି । ଏଥିରୁ ଆମକୁ ଗୋଟିଏ ବାଛିବାକୁ ହେବ ବୋଲି କହିଛନ୍ତି ଇମ୍ରାନ । ଦେଶବାସୀଙ୍କୁ ଜଣାଇ ଦେବାକୁ ଚାହୁଁଛି ମୋ ଭଳିଆ ଲୋକ କାହିଁକି ରାଜନୀତିକୁ ଆସିଲା । ଯଦି ମୋତେ ନେତା ଭାବେ ଦେଖୁଥାନ୍ତି ତେବେ ରାଜନୀତିକୁ ଆସିବା ପୂର୍ବରୁ ମୋତେ କେହି ଚିହ୍ନି ନଥିଲେ । ମୋର କେହି ଗଡଫାଦର ନାହାନ୍ତି ବୋଲି ଇମ୍ରାନ କହିଛନ୍ତି । ୨୫ ବର୍ଷ ପୂର୍ବେ ରାଜନୀତିକୁ ଆସିବା ବେଳେ ୩ଟି ଲକ୍ଷ ଥିଲା । ନ୍ୟାୟ, ମାନବତା ଓ ଆତ୍ମ ନିର୍ଭରତା ସୁନିଶ୍ଚିତ କରିବା ପାଇଁ ରାଜନୀତିକୁ ଆସିଥିଲି ବୋଲି ଇମ୍ରାନ୍‌ କହିଛନ୍ତି । ମୁଁ ଯେତେବେଳେ ପାକିସ୍ତାନର ସାଧାରଣ ଜନତାର କଥା କହୁଛି ବିରୋଧୀ ସେତେବେଳେ ନିଜ ପରିବାର ଚିନ୍ତାରେ ଅଛନ୍ତି । ପାକିସ୍ତାନ ମୋ ଠୁ ମାତ୍ର ୫ ବର୍ଷ ବଡ଼ । ଦେଶର ପ୍ରଥମ ପିଢୀର ନାଗରିକ । ରାଜନୀତି ଆରମ୍ଭ କରିବା ବେଳେ ନା ମୁଁ କାହା ଆଗରେ ନଇଁବି ନା ମୋ ଦେଶକୁ ନଇଁବାକୁ ଦେବି । ମୋ ଦେଶକୁ କାହାର ଗୋଲାମୀ କରିବାକୁ ଦେବିନି ।

ସେ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୮ ତାରିଖ ଦିନ ବିଦେଶରୁ ଏକ ବାର୍ତ୍ତା ଆସିଲା, ଯେଉଁଥିରେ ପାକିସ୍ତାନ ଉପରେ କାହିଁକି ସେମାନେ କ୍ଷୁବ୍ଧ ବୋଲି କହିଥିଲେ । ଯଦି ଇମ୍ରାନ ଖାନକୁ ହଟାଇ ଦିଆଯିବ ତେବେ ଆମେ ପାକିସ୍ତାନକୁ କ୍ଷମା କରିଦେବୁ । ଯଦି ଏପରି ନ ହୁଏ ତେବେ ପାକିସ୍ତାନକୁ କଠିନ ସମୟ ଦେଖିବାକୁ ପଡିବ । ମୋର ଋଷିଆ ଗସ୍ତରେ ଆମେରିକା କ୍ଷୁବ୍ଧ । ମୋତେ ହଟାଇବା ଲାଗି ଜୋରଦାର ଉଦ୍ୟମ ଆରମ୍ଭ ହୋଇଯାଇଛି । ହେଲେ ମୁଁ ମଧ୍ୟ କହି ରଖୁଛି କେବେ ହେଲେ ଇସ୍ତଫା ଦେବି ନାହିଁ । ବଳ ଶେଷ ହେବା ପର୍ଯ୍ୟନ୍ତ ମୁଁ ପରିସ୍ଥିତି ଓ ବିରୋଧୀଙ୍କ ମୁକାବିଲା କରିବି ବୋଲି କହିଛନ୍ତି ଇମ୍ରାନ ।