spot_img
Home Blog Page 4496

ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍: ପ୍ରଥମ ବୋଲର ଭାବରେ ୧୦୦ ଓ୍ୱିକେଟ ହାସଲ କଲେ ଅଶ୍ୱିନ

ବେଙ୍ଗାଲୁରୁ: ଭାରତୀୟ ଦଳର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ ଭାରତୀୟ ମାଟିରେ ଶାନଦାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆକୁ ବିଜୟଲାଭ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଅଶ୍ୱିନ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧୨ ଓ୍ୱିକେଟ ହାସଲ କରି କିଚି ରେକର୍ଡ ନିଜ ନାମରେ କରିଛନ୍ତି । ଅଶ୍ୱିନ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ୬ଟି ଓ ବେଙ୍ଗାଲୁରୁରେ ଖେଳାଯାଇଥିବା ଡେ’ ନାଇଟ ଟେଷ୍ଟରେ ୬ଟି ଓ୍ୱିକେଟ ଅକ୍ତିବର କରିଥିଲେ । ଯାହା ଫଳରେ ଭାରତ ଏହି ଦୁଇଟି ମ୍ୟାଚକୁ ବଡ଼ ବ୍ୟବଧାନରେ ବିଜୟଲାଭ କରିଛି ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଅଶ୍ୱିନ ୧୨ ଓ୍ୱିକେଟ ହାସଲ କରି ବିଶ୍ୱ କ୍ରିକେଟର ୪ ଜଣ ବୋଲରଙ୍କୁ ପଛରେ ପକାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ଦମଦାର ବୋଲିଂ ଫଳରେ ଅଶ୍ୱିନ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ଶତକ ହାଲସଲ କରିଛନ୍ତି । ପ୍ରଥମ ବୋଲର ଭାବରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ୧୦୦ ଓ୍ୱିକେଟ ହାସଲ କରିଛନ୍ତି । ଅଶ୍ୱିନ ୨୧ ଟେଷ୍ଟ ମ୍ୟାଚ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଏହି ଲିଷ୍ଟରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ କମିନ୍ସ । କମିନ୍ସ ୨୦ଟି ଟେଷ୍ଟ ମ୍ୟାଚ ଖେଳି ୯୩ ଓ୍ୱିକେଟ ହାସଲ କରିଛନ୍ତି ।

ଅଶ୍ୱିନ ଏହି ଟୁର୍ଣ୍ଣାମେଣ୍ଟରେ ୪ ଥର ଗୋଟିଏ ଇନିଂସରେ ୫ ଓ୍ୱିକେଟ ନେବାରେ ସଫଳ ହୋଇଛନ୍ତି । କମିନ୍ସଙ୍କ ପାଖରେ ବି ପାକିସ୍ତାନ ବିପକ୍ଷ ସିରିଜରେ ୧୦୦ ଓ୍ୱିକେଟ ହାସଲ କରିବାର ସୁଯୋଗ ରହିଛି । ତେବେ ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ । ବ୍ରଡ ଏହି ଟୁର୍ଣ୍ଣାମେଣ୍ଟରେ ୮୩ ଓ୍ୱିକେଟ ହାସଲ କରିଛନ୍ତି । ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ୮୦ ଓ୍ୱିକେଟ ହାସଲ କରି ଏହି ଲିଷ୍ଟରେ ଚତୁର୍ଥ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦି । ସେହପରି ୧୯ ଟେଷ୍ଟରେ ୭୪ ଓ୍ୱିକେଟ ଅକ୍ତିଆର କରି ଏହି ଲିଷ୍ଟର ପଞ୍ଚମ ସ୍ଥାନରେ ଜଶପ୍ରୀତ ବୁମ୍ରା ରହିଥିବାବେଳେ ସପ୍ତମ ସ୍ଥାନରେ ରହିଛନ୍ତି ମହମ୍ମଦ ସାମି । ସାମି ୧୯ଟି ଟେଷ୍ଟ ମ୍ୟାଚ ଖେଳି ୭୦ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

ଆକ୍ସନ ମୋଡ଼ରେ ଯୋଗୀ ସରକାର, ସପା ନେତାଙ୍କ ବେଆଇନ ନିର୍ମାଣ ଉପରେ ଚାଲିଲା ବୁଲଡୋଜର

ଲକ୍ଷ୍ନୋ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ । ବିପକ୍ଷରେ ଥିବା ସମାଜବାଦ ପାର୍ଟି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପରେ ବୁଲଡୋଜରକୁ ନେଇ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଗ୍ରହଣ କରିଥିଲା ବିଜେପି । ଏବଂ ବିଜେପି ତାର ପ୍ରତ୍ୟେକ ସଭାରେ ବୁଲଡୋଜର ଆଣିଥିଲା । ଏମିତି କି ବୁଲଡୋଜରକୁ ରାଲିରେ ମଧ୍ୟ ସାମିଲ କରାଗଲା ଏବଂ ଯୋଗୀଙ୍କୁ ବୁଲଡୋଜର ବାବା ମଧ୍ୟ କୁହାଗଲା ।

ବିଜେପି ଏବେ ବହୁମତ ସହ ପୁଣି ସତ୍ତାକୁ ଫେରିଛି । ସରକାରକୁ ଆସିବାପରେ ଯଦିଓ ଯୋଗି ଆଦିତ୍ୟନାଥ ସାମ୍ନାକୁ ଆସି ନାହାଁନ୍ତି କିନ୍ତୁ ବୁଲଡୋଜର ଆକ୍ସନ ମୋଡରେ ଆସିଛି । କାନପୁରରେ ବେଆଇନ ଭାବେ ନିର୍ମାଣଧିନ କୋଠା ଉପରେ ବୁଲଡୋଜର ଚଢାଇ ଦିଆଯାଇଛି । ଏହାସହ କାନପୁରରେ ୧୭୫୦ ବର୍ଗ ମିଟର ସରକାରୀ ଜମିକୁ ବେଆଇନ ଭାବେ ଦଖଲ କରାଯାଇଥିଲା । ଏହାକୁ ମଧ୍ୟ କାନପୁରର ଡେଭେଲପମେଣ୍ଟ ଅଥରିଟି ନିଜ ଅଧିନରେ ନେଇଛନ୍ତି । ଏହି ଜମିର ମୂଲ୍ୟ ପ୍ରାୟ ୮.୭୫ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି ।

କୁହାଯାଉଛି ଯେ, ଏହି ଜମିକୁ ଯିଏ ବେଆଇନ ଭାବେ ଅଧିଗ୍ରହଣ କରିଥିବା ଜମି ମାଫିଆ ବିଷ୍ଣୁ ଅରଫ ପଙ୍ଗୁ ସପା ସହ ଜଡ଼ିତ । ବିଷ୍ଣୁଙ୍କର ଏକ ଫଟୋ ସପାର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ମଧ୍ୟ ରହିଛି । ସେଠାରେ ଥିବା ପ୍ରାଚିନ ଶିବମନ୍ଦିର ପାଖରେ ଥିବା ଜମିକୁ ବେଆଇନ ଭାବେ ଅଧିକାର କରାଯାଇଥିଲା । ଏବଂ ସେଥିରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା ଯାହା ଉପରେ ବୁଲଡୋଜର ଚଢାଯାଇଛି ।

ତେବେ ଏନେଇ ପୂର୍ବରୁ ବିଷ୍ଣୁଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରାଯାଇଥିଲା । କାନପୁର ପୋଲିସ ବିଷ୍ଣୁଙ୍କ ବିରୋଧରେ ଧାରା ୪୭୭ ଅନୁସାରେ ଏକ ମାମଲା ରୁଜୁ କରିଛି । ସୂଚନା ଥାଉ କି, ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ବୁଲଡୋଜର ପ୍ରସଙ୍ଗର ଖୁବ୍ ଫାଇଦା ଉଠାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଓ ବିଜେପି ତରଫରୁ ବାରମ୍ବାର କୁହାଯାଉଥିଲା ଯେ, ସରକାରରେ ଆସିଲେ ପ୍ରଥମେ ମାଫିଆଙ୍କ ନିର୍ମାଣ ଉପରେ ବୁଲଡୋଜର ଚାଲିବ । ତେଣୁ ଯୋଗୀ ଆସିବା ପୂର୍ବରୁ ଆକ୍ସନ ମୋଡରେ ଆସିଛି ବୁଲଡୋଜର ।

ୟୁକ୍ରେନର ୫ଟି ସହରରେ ଆକ୍ରମଣ ଜୋରଦାର କରିଛି ଋଷ

କିଭ୍ : ୨୦ଦିନରେ ପହଞ୍ଚିଛି ଋଷ ୟୁକ୍ରେନ ଯୁଦ୍ଧ । ଦିନକୁ ଦିନ ଋଷ ତାର ଆକ୍ରମଣକୁ ତୀବ୍ର କରିଛି । ୟୁକ୍ରେନର ବଡ଼ ବଡ଼ ସହରକୁ ନିଜ କବଜାରେ ନେବାକୁ ଅହରହ ଆକ୍ରମଣ କରୁଛି ଋଷ । ଏଥିରେ ୟୁକ୍ରେନ୍ ରାଜଧାନୀ କିଭ୍, ଖାରକିଭ, ମାରିୟୁପୋଲ, ଚେର୍ନିହିବ୍ ଓ ମାଇକୋଲେଭ୍ ଭଳି ୫ଟି ମୁଖ୍ୟ ସହରରେ ରୁଷ୍ ତାର ଆକ୍ରମଣ ଜାରି ରଖିଛି । ଚେର୍ନିହିବ, ମାଇକୋଲେଭରେ ଗୋଳାବର୍ଷା କରାଯାଉଛି । ଆକ୍ରମଣରେ ୟୁକ୍ରେନର ବଲନୋବଖା ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

Russian Military Centers In North Kiev Of Ukraine

ଯୁଦ୍ଧ ଟାଳିବା ନେଇ ଦୁଇ ଦେଶର ପ୍ରତିନିଧିସ୍ତରୀୟ ଆଲୋଚନା ଗତକାଲି ହୋଇଥିବା ସତ୍ତ୍ୱେ କୌଣସି ସମାଧାନ ବାହାରି ପାରିନଥିଲା । ତେଣୁ ଆଜି ପୁଣି ଚାଲିବ ଆଲୋଚନା । ଏହା ପୂର୍ବରୁ ସୋମବାର ସକାଳେ କିଭରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏବଂ ଏହି ବିସ୍ଫୋରଣରେ ୯ ମହଲା ବିଶିଷ୍ଟ ବିଲ୍ଡିଂରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି। କିଭ୍ ରେଳ ଷ୍ଟେସନ ନିକଟରେ ମଧ୍ୟ ବୋମାବର୍ଷା ହୋଇଛି। କିଭରେ ଆଜି ଆଣ୍ଟୋନବ ବିମାନ କାରଖାନା ଉପରେ ଋଷ ଆକ୍ରମଣ ଯୋଗୁଁ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ସହରରେ ଏକ ଟିଭି ଟାୱାର ଉପରେ ରୁଷ୍ ସେନା ଆକ୍ରମଣ କରିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ରୁଷ୍ ସେନା ରାଜଧାନୀ କିଭକୁ ଚାରିଆଡ଼ୁ ଘେରୁଥିବାର ଖବର ମିଳିଛି । ଖାରକିଭରେ ମଧ୍ୟ ଭୟଙ୍କର ଗୋଳାବର୍ଷା ହୋଇଛି। ୟୁକ୍ରେନରେ ୧୯ଟି ଅଞ୍ଚଳରେ ଏୟାର ରେଡ୍ ଆଲର୍ଟ ଜାରି ହୋଇଛି।

Russia Invades Ukraine Indian Student Dnipro

ଅନ୍ୟତମ ସହର ମାଇକୋଲେଭରେ ମଧ୍ୟ ରୁଷ ବୋମାବର୍ଷା ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ସୁଧା ବୋମାମାଡ଼ ଯୋଗୁଁ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସେଠାରେ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ସହରରେ ମହଜୁଦ୍ ଖାଦ୍ୟ ଏବଂ ପାଣି ଶେଷ ହୋଇଯାଇଛି। ଦୀର୍ଘ ୧୨ ଦିନ ହେବ ଲୋକେ ପାଣି ଓ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି। ବିଦ୍ୟୁତ୍ ନାହିଁ କି ପାଣି ନାହିଁ। ମୋବାଇଲ୍ ଯୋଗାଯୋଗ ବି ନାହିଁ । ମାରିୟୁପୋଲରୁ ଖାଦ୍ୟ, ପାଣି ଶେଷ ହୋଇଯାଇଥିବା ବେଳେ ରୁଷ୍ ମାନବୀୟ ସହାୟତା ଗାଡ଼ିକୁ ଅଟକାଇଛି।

Curfew Imposed In Ukraine Capital Kiev Russia War

ଅନ୍ୟପଟେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ରୁଷ୍ ମାନବୀୟ ସହାୟତା ଗାଡ଼ି ଗୁଡ଼ିକ ଉପରେ ଆକ୍ରମଣ କରୁଛି ଏବଂ ଏହାକୁ ଅଟକାଉଛି । ଖେରସନ୍, ସୁମି, ଚେର୍ନିହିବ, ଚେର୍ନୋବିଲ୍ ପାୱାର ପ୍ଲାଣ୍ଟ୍, ଜା ପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ରୁଷ୍ ସେନା ଆକ୍ରମଣ ଜାରି ରହିଛି । ଚେର୍ନୋବିଲ୍ ପରମାଣୁ ଶକ୍ତି କେନ୍ଦ୍ରକୁ ବିଦ୍ୟୁତ୍ ଯୋଗାଣ ଆଜି ପୁଣି ଥରେ ବିଚ୍ଛିନ୍ନ କରିଦେଇଛି।

ବାଜିରେ ଭୁବନେଶ୍ୱର: ବଢ଼ୁଛି ତାତି, ଜମୁଛି ପ୍ରଚାର

ଭୁବନେଶ୍ୱର: ପୌର ପାଇଁ ଜୋରଦାର ହେଉଛି ପ୍ରଚାର । ରାଜଧାନୀରେ ଖରା ତାତି ବଢ଼ିବା ସହ ବଢ଼ୁଛି ରାଜନୈତିକ ଉଷ୍ମତା । ଗତକାଲି ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଜୋରଦାର କ୍ୟାମ୍ପେନ୍ ଜୋରଦାର କରିଛନ୍ତି କ୍ୟାମ୍ପେନ୍ ବିଜେଡି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ସୁଲୋଚନା ଦାସଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି ଭୁବନେଶ୍ୱରର ୩ ଜଣ ବିଧାୟକ। ପ୍ରତି ୱାର୍ଡରେ ପ୍ରଥମ ପର୍ଯ୍ୟାୟ ଡୋର ଟୁ ଡୋର କ୍ୟାମ୍ପେନ ସରିବା ପରେ ଆଜିଠାରୁ ରୋଡ ଶୋ’ ଆରମ୍ଭ କରିଛି ଶାସକ ବିଜେଡି । ପ୍ରଚାର ଗାଡି, ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ପ୍ରଚାରକୁ ତ୍ୱରାନ୍ୱିତ କରିଛନ୍ତି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ । ଶଙ୍ଖ ଚିହ୍ନ, ବିଜେଡି ଦଳ ଓ ଦଳର ଏକମାତ୍ର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଜନ ସମର୍ଥନ ଓ ଭଲ ପାଇବା ଏବଂ ସର୍ବୋପରି ବିକାଶର ଧାରାକୁ ଆଧାର କରି ବିଜେଡି ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ସଫଳତା ହାସଲ କରିବ ବୋଲି ଆଶା ରଖିଛନ୍ତି ଉଭୟ ପ୍ରାର୍ଥୀ ଓ ନେତା ।

ସେପଟେ ବିଜେପି ପକ୍ଷରୁ ମଧ୍ୟ ପ୍ରଚାରକୁ ଜୋରଦାର କରାଯାଇଛି । ପ୍ରଚାର ଗାଡିକୁ ଅନୁମତି ମିଳିବା ପରେ ଆଜିଠାରୁ ନିର୍ବାଚନୀ ଗୀତ ଓ ବାଜାରେ ଦୁଲୁକୁଛି ଭୁବନେଶ୍ବର ମହାନଗର ନିଗମ । ହାତରେ କମ୍ ସମୟ ଥିବାରୁ ଭୋଟରଙ୍କଠାରୁ ନିଜ ସପକ୍ଷରେ ସମର୍ଥନ ଜୁଟାଇବା ପାଇଁ ଲାଗି ପଡ଼ିଛନ୍ତି ପ୍ରାର୍ଥୀ । ଜନଗହଳି ସ୍ଥାନକୁ ଟାର୍ଗେଟରେ ରଖି ପ୍ରଚାର ମଇଦାନକୁ ଓହ୍ଲାଇଛି ବିଭିନ୍ନ ଦଳର ପ୍ରାର୍ଥୀ । ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ସାଙ୍ଗରେ ସ୍ଥାନୀୟ କର୍ପୋରେଟର ପ୍ରାର୍ଥୀଙ୍କୁ ନେଇ ବିଭିନ୍ନ ପାର୍କରେ ବୁଲି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିଛନ୍ତି ।

 

କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଧାର୍ମିକ ରୀତିନୀତି ଲାଗି ହିଜାବ ଜରୁରୀ ନୁହେଁ

 

ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ହିଜାବ ନିଷିଦ୍ଧ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କୋର୍ଟ କହିଛନ୍ତି-ଧାର୍ମିକ ରୀତିନୀତି ଲାଗି ହିଜାବ ଜରୁରୀ ନୁହେଁ । ଶିକ୍ଷାନୁଷ୍ଠାନରେ ସମାନତା ନୀତିକୁ ଛାତ୍ରଛାତ୍ରୀ ବିରୋଧ କରିପାରିବେନି । ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ପରିଧାନ କରିବା ଲାଗି କଟକଣା ଯଥାର୍ଥ । ଛାତ୍ରଛାତ୍ରୀ ଏହାକୁ ଅଯଥା ବିରୋଧ କରିପାରିବେ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ ରୀତୁରାଜ ଅଓ୍ୱସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେ.ଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଶୁଣାଇଛନ୍ତି ।

ହିଜାବ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ଓ ଅନ୍ୟାନ୍ୟ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ରାଜଧାନୀ ବେଙ୍ଗାଲୁରୁରେ ଜନ ସମାଗମକୁ ନିଷିଦ୍ଧ କରାଯାଇଥିବାବେଳେ କର୍ଣ୍ଣାଟକରେ ସ୍କୁଲ କଲେଜ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିଲା । ଗତମାସରେ ହିଜାବ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଜୋରଦାର ଆନ୍ଦୋଳନ ହୋଇଥିବାବେଳେ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ହୋଇଥିଲା ବଳ କଷାକଷି । ରାଜ୍ୟର ଶିକ୍ଷା ପ୍ରତିଷ୍ଠାନରେ ହିଜାବ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ବିରୋଧରେ ଉଡ଼ୁପିର କେତେକ ଛାତ୍ରୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶିକ୍ଷା ପ୍ରତିଷ୍ଠାନରେ ହିଜାବ ନିଷିଦ୍ଧ କରିବା ନେଇ କୌଣସି ଆଇନ ନାହିଁ ବୋଲି ସେମାନେ ଦର୍ଶାଇଥିଲେ । ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ, ସମ୍ବିଧାନ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା ଦେଇଛି । ଏହି ସ୍ବାଧୀନତାକୁ କୌଣସି ଶିକ୍ଷା ପ୍ରତିଷ୍ଠାନ କ୍ଷୁର୍ଣ୍ଣ କରିପାରିବେ ନାହିଁ । ହାଇକୋର୍ଟଙ୍କ ନିକଟରେ ସରକାର ଦର୍ଶାଇଥିଲେ ଯେ, ଭାରତରେ ହିଜାବ ପିନ୍ଧିବା ଉପରେ କୌଣସି କଟକଣା ନାହିଁ । ତେବେ ଶିକ୍ଷାନୁଷ୍ଠାନର ନିଷ୍ପତ୍ତି ଅନୁସାରେ ଏହି କଟକଣା ଜାରି କରାଯାଇଥାଏ ।

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

ମାଲକାନଗିରି: ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଏମ୍‌. ଆନନ୍ଦ ରାଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି l ନବରଙ୍ଗପୁର ସହରର ୩ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ । ଅଫିସ ସମେତ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଘରୁ କିଛି ନଗଦ ଟଙ୍କା ସହ ସୁନା ଗହଣା ଠାବ ହୋଇଥିବା ସୂଚନା ମିଳିଛି । ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ହାସଲ ହୋଇନାହିଁ । କୃଷି କାର୍ଯ୍ୟାଳୟରେ ଚଢ଼ାଉ କାର୍ଯ୍ୟ ସମାପ୍ତ ହୋଇଛି । କୃଷି କାର୍ଯ୍ୟାଳୟରୁ କିଛି ନଥିପତ୍ର, ରେଜିଷ୍ଟର ସହ ଆନନ୍ଦ ରାଓଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି । ଭିଜିଲାନ୍ସ କାର୍ଯ୍ୟାଳୟରୁ ତାଙ୍କୁ ନବରଙ୍ଗପୁରକୁ ନିଆଯିବ ବୋଲି ସୂଚନା ମିଳିଛି । ଏକ ଟିମ ଆନ୍ଧ୍ର ପ୍ରଦେଶ ଯାଇଥିବା ମଧ୍ୟ ପ୍ରାଥମିକ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗର ଏହି ଚଢ଼ାଉରେ ଜୟପୁର ଓ ମାଲକାନିଗିର ଭିଜିଲାନ୍ସ ବିଭାଗର ୯ ଜଣ ଅଫିସର ଏହି ଚଢ଼ାଉରେ ସାମିଲ ଅଛନ୍ତି ।

ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବଜେଟ ଅଧିବେଶନ । ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲି ବଜେଟ ଅଧିବେଶନ । ଚଳିତ ବଜେଟ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ରହିଛି । ତେବେ ଚଳିତ ବିଧାନସଭାର ବଜେଟ ଅଧିବେଶନ ଫୁଲଟାଇମ ଚାଲିବ ନା ୫ ଘଣ୍ଟା ଚାଲିବ କାର୍ଯ୍ୟ ଦିବସ । ଏହି ନିଷ୍ପତ୍ତି ଆଜି ସର୍ବଦଳୀୟ ବୈଠକରେ ନିଆଯିବ । ବଜେଟ ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୩୦ରେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ବସିବ । ଏଥିରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଉପସ୍ଥିତ ରହି ନିଷ୍ପତ୍ତି ନେବେ ।

ସେହିପରି ସ୍ୱଳ୍ପ ସମୟ ବଜେଟ ଅଧିବେଶନ କିପରି ସୁରୁଖୁରୁରେ ଚାଲିବ ତାହାରି ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ । ରାଜ୍ୟରେ ପୌର ଓ ମହାନଗର ନିଗମ ନିର୍ବାଚନ ପାଇଁ ବିଧାୟକ ବ୍ୟସ୍ତ ରହୁଥିବାରୁ ୧୦ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି । ଏହା ସହ ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ ପାରିତ ନହୋଇ ଭୋଟ୍ ଅନ୍ ଆକାଉଣ୍ଟ ଜରିଆରେ କାମଚଳା ବଜେଟ୍ ପାରିତ ହେବ । ତେବେ ବିଧାୟକମାନେ ସାମାଜିକ ଦୂରତାରେ ବସିବେ କି ନାହିଁ, ସେନେଇ ସ୍ୱାସ୍ଥ୍ୟ ବିଭାଗ ଓ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଆସନ୍ତା ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବସିବ ବଜେଟ ଅଧିବେଶନ  ।  ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ କାମଚଳା ବଜେଟ୍ ଆଗତ କରିବେ ।

 

 

ଆଜିଠୁ ଜଳିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୁବନେଶ୍ୱର: ସାବଧାନ୍! ଆଜିଠୁ ଜଳିବ ଓଡ଼ିଶା । ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଉତପ୍ତ ଶୁଷ୍କ ବାୟୁ ପ୍ରବେଶ କରିବ । ଏହା ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ୩୬ ରୁ ୩୮ ଡିଗ୍ରୀ ତାପମାତ୍ରା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୮ ରୁ ୪୧ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଏଥିପାଇଁ ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଏବଂ ଖୋର୍ଦ୍ଧାକୁ ସତର୍କତା ଜାରି କରାଯାଇଛି । ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ସେପଟେ ସମ୍ଭାବ୍ୟ ହିଟଓ୍ୱେଭ୍ କଣ୍ଡିସନକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି ପରିବହନ ବିଭାଗ । ପରିବହନ ବିଭାଗ ପକ୍ଷରୁ କହୁଯାଇଛି କି ଅଧିକ ଖରା ସମୟ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ବସ ମଧ୍ୟରେ ସ୍ୱଚ୍ଛ ପାନୀୟ ଜଳ, ବରଫ ଓ ORS ମହଜୁଦ ରଖିବାକୁ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବସ୍ ରହଣି ସ୍ଥଳରେ ଜଳଛତ୍ର ବ୍ୟବସ୍ଥା ଓ ବସରେ ଅଧିକ ସଂଖ୍ୟକ ଯାତ୍ରୀ ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେହିଭଳି ଜାତୀୟ ରାଜପଥରେ କିଓସ୍କ, ବସଗୁଡ଼ିକ ନିୟମ ପାଳନ କରୁଛନ୍ତି କି ନାହିଁ ତାର ଉପଯୁକ୍ତ ଯାଞ୍ଚ, ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଆଦି ଖୋଲିବାକୁ କୁହାଯାଇଛି ।

ଏମଏସପି ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି ଚାଷୀ

ନୂଆଦିଲ୍ଲୀ: ପୁଣି ଦେଶ ଦେଖିବ ବଡ଼ ଧରଣର ଚାଷୀ ଆନ୍ଦୋଳନ । ଏମଏସପି ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ଦାବିକୁ ନେଇ ଦେଶବ୍ୟାପୀ ଅଭିଯାନ ଆରମ୍ଭ ହେବ ବୋଲି ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ନୂଆଦିଲ୍ଲୀରେ ବସିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏପ୍ରିଲ ୧୧ରୁ ୧୭ ଯାଏଁ ପାଳନ ହେବ ଏମଏସପି ଆଇନ ଗ୍ୟାରେଣ୍ଟି ସପ୍ତାହ । ଏହି ସପ୍ତାହ ପାଳନ ଅବସରରେ ଧାରଣା, ବିକ୍ଷୋଭ, ସେମିନାର ଆୟୋଜିତ ହେବ ।

ସ୍ୱାମୀନାଥନ କମିଶନର ସୁପାରିସ ଅନୁସାରେ, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେବ । ଉତ୍ତରପ୍ରଦେଶ ଲଖିମପୁର ଖେରି ଘଟଣାରେ ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଇ ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପ୍ରତିବାଦରେ ମାର୍ଚ୍ଚ ୨୧ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଲଖିମପୁର ଖେରି ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ ମିଳିଥିବା ବେଳେ ନିରୀହ ଚାଷୀମାନେ ଏବେ ବି ଜେଲରେ ଥିବାରୁ ମୋର୍ଚ୍ଚା କ୍ଷୋଭ ପ୍ରକାଶ କରିଛି ।

ସେହିପରି  ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ହୋଇଥିବା ମାମଲାକୁ ଦିଲ୍ଲୀ ପୋଲିସ ସମେତ ଅନେକ ରାଜ୍ୟ ପ୍ରତ୍ୟାହାର କରି ନଥିବାରୁ ତାତିଛି ମୋର୍ଚ୍ଚା । ମାର୍ଚ୍ଚ ୨୮ ଓ ୨୯ରେ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦକୁ ମଧ୍ୟ ସଂଯୁକ୍ତ କିଷାନ ମୋର୍ଚ୍ଚା ସମର୍ଥନ କରିଛି । ଏବଂ ବୈଠକରେ ଦେଶର ପ୍ରାୟ ସମସ୍ତ ରାଜ୍ୟର ପ୍ରତିନିଧି ଯୋଗ ଦେଇଥିଲେ ।

ଶସ୍ତା ହେବ କି ତେଲ ଦେର ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆଗକୁ କମିପାରେ ତେଲ ଦର । ୟୁକ୍ରେନ ଓ ଋଷ ଯୁଦ୍ଧ ମଧ୍ୟରେ ଭାରତ ହୋଇପାରେ ଲାଭବାନ । କାରଣ ଶସ୍ତାରେ ଋଷଠାରୁ ତେଲ କିଣିବା ବିଷୟରେ ଗମ୍ଭୀରତାର ସହ ବିଚାର କରୁଛି ଭାରତ ।  ନିଜ ଆବଶ୍ୟକତାର ୮୨% ତେଲ ଆମଦାନି କରୁଥିବା ଭାରତ ରିହାତିରେ ମିଳୁଥିବା ଋଷର ତେଲ କିଣିବା ବିଷୟରେ ଚିନ୍ତା କରୁଛି । କେବଳ ତେଲ ନୁହେଁ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଏହା ଋଷରୁ ମଗାଇବାକୁ ଚାହୁଁଛି । ସାରା ଉପ୍ତାଦନରେ ବ୍ୟବହାର ହେଉଥିବା କଞ୍ଚାମାଲ ଋଷ ଓ ବେଲାରୁଷରୁ ଆମଦାନି କରିବା ଲାଗି ଭାରତ ପ୍ରସ୍ତୁତ ହେଉଛି । ଯେହେତୁ ଋଷ ଉପରେ କଟକଣା ଲାଗିଛି ତେଣୁ ଡଲାରରେ କାରବାର ହୋଇପାରିବ ନାହିଁ । ତେଣୁ ଭାରତୀୟ ମୁଦ୍ରା ଟଙ୍କାରେ ପେମେଣ୍ଟ କରିବାକୁ ଭାରତ ଚାହୁଁଛି । ଟଙ୍କା ଓ ଋଷର ମୁଦ୍ରା ରୁବଲ ମଧ୍ୟରେ କରିବାର କରିବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବା ଉପରେ ମଧ୍ୟ ବିଚାର କରାଯାଉଛି ।

ଅତୀତରେ ଇରାନ ସହ ତେଲ କାରବାର ହେଉଥିଲା । ସାଧାରଣତଃ ଋଷରୁ ଭାରତ ୨-୩ ପ୍ରତିଶତ ତେଲ ମଗାଇ ଥାଏ । ମାତ୍ର ୟୁକ୍ରନେ ଉପରେ ଋଷ ଆକ୍ରମଣ କରିବା ପରେ ଅଶୋଧିତ ତୈଳ ଦରରେ ୪୦ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଭାରତ ଚିନ୍ତିତ ହୋଇପଡ଼ିଛି । ଗତବର୍ଷ ନଭେମ୍ବର ବେଳକୁ ତେଲ ଦାମ୍ ୮୨ ଡଲାର ପାଖାପାଖି ଥିଲା । ଯୁଦ୍ଧ ଆରମ୍ଭ ହେବା ପରେ ୧୪ ବର୍ଷର ସର୍ବୋଚ୍ଚ ସ୍ତର ୧୪୦ ଡଲାରକୁ ବୃଦ୍ଧି ପାଇଥିଲା । ଏବେ ତାହା ୧୨୦-୧୩୦ ଡଲାର, ପାଖାପାଖି ରହିଛି । ଏଭଳି ଏକ ସମୟରେ ଋଷ ମୋଟା ଅଙ୍କର ରିହାତିରେ ଭାରତକୁ ତେଲ ବିକ୍ରି କରିବ ବୋଲି ପ୍ରସ୍ତାବ ଦେଇଛି । ସେହି ପ୍ରସ୍ତାବକୁ ଖୁସିର ସହ ଗ୍ରହଣ କରିବା ବିଷୟରେ ସରକାର ବିଚାର କରୁଛନ୍ତି । ଟ୍ୟାଙ୍କର ବୀମା ସୁବିଧା ଓ ତୈଳ ମିଶ୍ରଣକୁ ନେଇ ରହିଥିବା ସମସ୍ୟା ଦୂର ହେବା ପରେ ଋଷ ଦେଇଥିବା ରିହାତି ପ୍ରସ୍ତାବକୁ ଭାରତ ଗ୍ରହଣ କରିବ । ଋଷ ଉପରେ ଆମେରିକା ଓ ଅନ୍ୟାନ୍ୟ କ୍ଷମତାଶୀଳ ଦେଶ  କଠୋର କଟକଣା ଲଗାଇଥିବାରୁ ପୁଟିନଙ୍କ ନେତୃତ୍ୱାଧିନ ଦେଶରୁ ତେଲ କିଣିବା ଲାଗି ବହୁ ଦେଶ କୁଣ୍ଠା ପ୍ରକାଶ କରୁଛନ୍ତି । ସେମାନେ ଆମେରିକା ରୋଷର ଶିକାର ହେବାକୁ ଚାହୁଁନାହାଁନ୍ତି । ମାତ୍ର ଭାରତ କହୁଛି ଯେ, ଋଷ ଉପରେ ଲଗାଯାଇଥିବା କଟକଣା ତୈଳ ଦର କାରବାର ଉପରେ ଲାଗୁ ହୋଇନାହିଁ ।

Petrol And Diesel Price Down In Odisha After State Reduced VAT

ଯଦିଓ ଭାରତ କେତେ ତେଲ ଋଷରୁ ମଗାଇବ ଏବଂ କେତେ ରିହାତି ମିଳିବ ତାହା ସ୍ପଷ୍ଟ ହୋଇନାହିଁ । ଋଷ ହେଉଛି ଭାରତର ଏକ ମାତ୍ର ରାଷ୍ଟ୍ର ଯିଏକି ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗିତା ବ୍ୟତୀତ ଜାତିସଂଘରେ ମଧ୍ୟ ଭାରତ ସପକ୍ଷରେ ଏହା ବହୁବାର ସ୍ୱର ଉତ୍ତୋଳନ କରିଛି । ତେଲକୁ ନେଇ ଭାରତ ଏକ ବଡ଼ ଯୋଜନା ଉପରେ କାର୍ଯ୍ୟ କରୁଛି । କେବଳ ଋଷ ତେଲ ବ୍ୟତୀତ ଏହା ଇରାନ ଓ ଭେନେଜୁଏଲାରୁ ଅଧିକ ତେଲ କିଣବାକୁ ଚାହୁଁଛି । ସାଉଦି ଆରବ ନେଥୃତ୍ୱଧୀନ ଓପେକ୍ ରାଷ୍ଟ୍ର ସମୂହ ଉତ୍ପାଦନ ବଢାଇବା ପରେ ତେଲ ଦର ହ୍ରାସ ପାଇବ ବୋଲି କୁହାଯାଉଛି ।