ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ଦରବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଇନ୍ଧନ ଗ୍ୟାସ ଦର ହୁ ହୁ ହୋଇ ବଢିଚାଲିଛି । ସାଧାରଣ ଲୋକଙ୍କ ଉପରେ ଦର ବୃଦ୍ଧିର ଚାପ ନିୟମିତ ଭାବେ ବଢୁଛି । ପେଟ୍ରୋଲ ଡିଜେଲ ସାଙ୍ଗକୁ ଇନ୍ଧନ ଗ୍ୟାସ ଦର ବି ନିୟନ୍ତ୍ରଣ ବାହାରେ । ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଆକାଶଛୁଆଁ ହେଲାଣି । କେନ୍ଦ୍ର ସରକାରଙ୍କ ଏଭଳି ଅର୍ଥନୀତିକୁ ବିରୋଧ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି । ଗ୍ରୀଷ୍ମପ୍ରବାହ କମିବା ପରେ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି କହିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେହିଭଳି କଂଗ୍ରେସ ମଧ୍ୟ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛି । କେନ୍ଦ୍ର ସରକାର ଲୋକଙ୍କୁ ଭୁଆଁ ବୁଲେବାକୁ ଉଜ୍ବଳା ଯୋଜନା ନାଁରେ ବେପାର କରୁଛି ବୋଲି କଂଗ୍ରେସ ନେତା ଶରତ ରାଉତ ଅଭିଯୋଗ କରିଛନ୍ତି ।