୧୮୦୦ ମାଇଲ୍ ଉଡ଼ି ବେଲୁନ୍ ସୃଷ୍ଟି କଲା ବନ୍ଧୁତା

Letter Attached Balloon Flies 1800 Miles

ନୂଆଦିଲ୍ଲୀ: ବେଲୁନ୍ ଫୁଙ୍କି ଦେଲେ ଫୁଲିଯାଏ । ଚାପି ଦେଲେ ଫାଟି ଯାଏ । ଛୋଟବଡ଼ ସମସ୍ତଙ୍କ ପ୍ରିୟ ହୋଇଥାଏ ବେଲୁନ୍ । ଛୋଟ ବେଳେ ଅନେକ ବେଲୁନ ପାଇଁ ପରିବାରକୁ ନାକେଦମ୍ କରି ଦେଇଥାନ୍ତି । କିନ୍ତୁ ବେଲୁନର ଏ କାହାଣୀ ନିଆରା । ଯେଉଁଠି ବେଲୁନ୍ ପାଇଁ ୧୦ ବର୍ଷର ବାଳକ ୧୮୦୦ ମାଇଲ୍ ଦୂରରେ ପାଇଛନ୍ତି ଜଣେ ନୂତନ ବନ୍ଧୁ ।

ଆମେରିକାର କାନସାସରେ ରହୁଥିବା ୧୦ ବର୍ଷର ଜଣେ ବାଳକ ମଜା ମସ୍ତିରେ ଏକ ବେଲୁନରେ ନୋଟ ଭର୍ତ୍ତି କରି ଆକାଶରେ ଛାଡ଼ି ଦେଇଥିଲେ । ଛୁଆଟି ଜାଣିବାକୁ ଚାହିଁଥିଲା ତା ବେଲୁନଟି କେତେ ବାଟ ଯାଉଛି, କେତେ ଦୂର ଯାଇ ପାରୁଛି । ଆଉ ଶେଷରେ ଉକ୍ତ ବେଲୁନଟିକୁ ପାଇଛନ୍ତି କ୍ୟୁବେକରେ ରହୁଥିବା କ୍ରି ସମୁଦାୟର ଜଣେ ବ୍ୟକ୍ତି । ଯାହା ପରେ ଜଣାପଡ଼ିଛି କି ବେଲୁନଟି ୧୮୦୦ ମାଇଲ୍ ଉଡ଼ି ଆସିଛି ।

କାନସାସରୁ ବେଲୁନଟି ଆମେରିକାର ଉତ୍ତର ଆଡ଼କୁ ଉଡ଼ି ଉଡ଼ି କ୍ୟୁବେକରେ ପହଞ୍ଚିଥିଲା । ବ୍ୟକ୍ତି ଜଣଙ୍କ ଘର ଠାରୁ ପ୍ରାୟ ୧ କିଲୋମିଟର ଦୂର ଜଳଭରା ସ୍ଥାନରୁ ବେଲୁନ ଟିକୁ ପାଇଥିଲେ । ଆଉ ବେଲୁନରେ ଥିବା ଚିଠି ପଢ଼ିବା ପରେ ଛୁଆଟି ବିଷୟରେ ଜାଣି ପାରିଥିଲେ । ଯେଉଁଥିରେ ଛୁଆଟି ନିଜ ସ୍ଥାନ ତା ସମ୍ପର୍କରେ ଲେଖିଥିଲା । ଏହାପରେ ଡେବିଡ୍ ନିଜ ଫେସବୁକରେ ଏନେଇ ପୋଷ୍ଟ କରିଥିଲେ ।