ଘରେ ପଶି ୧୫ ଲକ୍ଷ ଟଙ୍କାର ଗହଣା ଲୁଟିଲେ, ବୃଦ୍ଧାଙ୍କୁ ମୁଣ୍ଡିଆ ମାରିଲେ

ଭୁବନେଶ୍ୱର: ଡକାୟତି କରି ଦଣ୍ଡବତ ହେଲେ ଡକାୟତ । ରାଜଧାନୀ ଭୁବନେଶ୍ୱରରେ ଘରେ ପଶି ଡକାୟତି କରିବା ପରେ ପରେ ମୁଣ୍ଡିଆ ମାରିଲେ ଲୁଟେରା । 15 ଲକ୍ଷ ଟଙ୍କା ଗହଣା ଲୁଟି ନେଇଛନ୍ତି ଡକାୟତ ଦଳ । ଧଉଳି ଥାନା ନୂଆଗାଁର ବଳରାମ ବିହାରରେ ଘଟିଛି ଘଟଣା । ଡକାୟତି କରି ଫେରାର ହେଉଥିବା ବେଳେ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ ।

ଦୁଇ ଦିନ ତଳେ ଝରକା ତାଡି ଘର ଭିତରକୁ ପଶିଥିଲେ ଲୁଟେରା, ୮୨ ବର୍ଷର ଜଣେ ମହିଳା ଓ ବୟସ୍କଙ୍କୁ ଛୁରୀ ଦେଖାଇଥିଲେ । ଭୟଭୀତ ହୋଇ ବୃଦ୍ଧା ସୁନା ଗହଣା ଦେଇ ଦେଇଥିଲେ । ଡକାୟତି ପରେ ଲୁଟେରାଙ୍କ ଭିନ୍ନ ଏକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା  ।  ଘରେ ଥିବା ବୃଦ୍ଧାଙ୍କୁ ମୁଣ୍ଡିଆ ମାରି ଫେରାର ହୋଇଯାଇଥିଲେ ଲୁଟେରା । ଘଟଣାରେ ଧଉଳି ଥାନା ପୋଲିସ ତଦନ୍ତ ଜାରି ରଖିଛି । 5 ଜଣ ହିନ୍ଦୀ ଭାଷାଭାସି ଲୋକ ଆସି ଲୁଟ କରିଥିବା ଜଣାପଡ଼ିଛି । ସିସିଟିଭି ଯାଞ୍ଚ କରାଯାଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ।