spot_img
Home Blog Page 4475

ଭୁବନେଶ୍ୱରରେ ନିଆଁ ବର୍ଷା, ସର୍ବାଧିକ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ସିଜୁଛି ରାଜଧାନୀ । ଆକାଶରୁ ବର୍ଷୁଛି ନିଆଁ । ଘରୁ ବାହାରିଲେ ପୋଡ଼ି ଯାଉଛି ମୁହଁ । ଆଜି ପୁଣି ରେକର୍ଡ ଭାଙ୍ଗିଛି ଭୁବନେଶ୍ବର । ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛି ଜନଜୀବନ । ଖରା ସାଙ୍ଗକୁ ଝାଞ୍ଜି ପବନରେ କଲବଲ ହେଉଛନ୍ତି ରାଜଧାନୀବାସୀ । ରାଜ୍ୟର ଅନ୍ୟ ସହରରେ ମଧ୍ୟ ସମାନ ଅବସ୍ଥା । ୪୦ ଡିଗ୍ରୀ ପାର କରିଛି ଅଧିକାଂଶ ସହର ।

ସାଢେ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୪୧.୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଚାନ୍ଦବାଲି ଓ ସମ୍ବଲପୁରରେ ୪୦.୮ ଲେଖାଏ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ହୀରାକୁଦ ଓ କେନ୍ଦୁଝରରେ ୪୦ଡିଗ୍ରୀ ରହିଛି ପାରଦ । ଓଡ଼ିଶା ମଧ୍ୟକୁ ବହୁଥିବା ଶୁଷ୍କ ପବନ ପାଇଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିଛି । ଆସନ୍ତା 4ଦିନ ପର୍ଯ୍ୟନ୍ତ ମଧ୍ୟ ସମାନ ପାଗ ରହିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ।

୭ଦିନ ପାଇଁ ଟ୍ବିନସିଟିରେ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ କରିଛି ପାଣିପାଗକେନ୍ଦ୍ର । କାଲିଠୁ 28 ତାରିଖ ଯାଏ କେତେକ ଜିଲ୍ଲା ପାଇଁ ହିଟୱେଭ୍ ସତର୍କତା ଜାରି ହୋଇଛି । ଆସନ୍ତାକାଲି ପାଇଁ ସୋନପୁର, ବୌଦ୍ଧ ଓ ବଲାଙ୍ଗୀରକୁ ସତର୍କତା ଜାରି ହୋଇଥିବାବେଳେ ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ ଏବଂ ୨୭ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ, ଓ କଳାହାଣ୍ଡିକୁ ଜାରି ହୋଇଛି ହିଟଓ୍ବେଭ୍ ।

ଆତ୍ମସମର୍ପଣ କଲେ ଲକ୍ଷ୍ମୀପୁର-ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା

ଉତ୍ତରପ୍ରଦେଶ: ଲକ୍ଷ୍ମୀପୁର-ଖେରି ହିଂସା ମାମାଲାରେ ଅଭିଯୁକ୍ତ ଆଶିଷ ମିଶ୍ରା ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ । ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ଆଲାହାବାଦ ହାଇକୋର୍ଟ । ପରେ ଜାମିନ ଖାରଜ କରି ସରେଣ୍ଡର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଲଷ୍ମୀପୁର-ଖେରି  ଚାଷୀ ହତ୍ୟାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଏହି ମାମଲାକୁ ତଦନ୍ତ କରି ତଦନ୍ତକାରୀ ଦଳ ୫ ହଜାର ପୃଷ୍ଠାର ଚାର୍ଜସିଟି ପ୍ରସ୍ତୁତ କରିଥିଲା । ଏହି ମାମଲାକୁ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ପୁଅକୁ ବିଜେପି ଘଣ୍ଟ ଘୋଡାଉଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ବାନ୍ଦ୍ରା କୋର୍ଟ ସାଂସଦ ନବନୀତ୍ ରାଣା ଏବଂ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ନେତାଙ୍କ ଜାମିନ ଶୁଣାଣି ଏପ୍ରିଲ ୨୯ରେ ହେବ।

ସାମ୍ବାଦିକଙ୍କ ଠୁ ଲାଞ୍ଚ ନେଉଥିଲେ, ମାଡି ବସିଲା CBI

ଭୁବନେଶ୍ୱର: EOW କନଷ୍ଟେବଳ ଓ ଅଧିକାରୀଙ୍କୁ ଗିରଫ କରିଛି ସିବିଆଇ । ମିଳିଥିବା ସୂଚନା ମୁତାବକ ଉକ୍ତ ଅଧିକାରୀ ସାଢ଼େ ୪ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ  ।  ଅଭିଯୋଗରେ ଭୁବନେଶ୍ୱରରୁ ଗିରଫ କରିଛି ସିବିଆଇ । EOW କନଷ୍ଟେବଳ ଅମିତ ଲାହୁଚା, ଇନ୍ସପେକ୍ଟର ସର୍ଜନ ଯାଦବ ଗିରଫ  ହୋଇଛନ୍ତି ।

ଭୁବନେଶ୍ୱରର ଜଣେ ସାମ୍ବାଦିକଙ୍କଠାରୁ କନଷ୍ଟେବଳ ଅମିତ ଲାହୁଚା, ଇନ୍ସପେକ୍ଟର ସର୍ଜନ ଯାଦବ ଲାଞ୍ଚ ନେଇଥିଲେ । ଲାଞ୍ଚ ନେବାବେଳେ ପୂର୍ବ ସୂଚନା ମୁତାବକ ଛକି ରହିଥିଲା ସିବିଆଇ । ଏହି ସମୟରେ ସିବିଆଇ ଅଧିକାରୀ ମାନେ ଗିରଫ କରିବାରେ ସଫଳ ହୋଇଥିଲେ  ।  ଗିରଫ ପରେ ଇନ୍ସପେକ୍ଟର ସର୍ଜନ ଯାଦବଙ୍କ ଦିଲ୍ଲୀ ବାସ ଭବନରେ ମଧ୍ୟ ରେଡ ଚାଲିଛି  ।

 

ରାଜଧାନୀ ଡବଲ ମର୍ଡର: ହତ୍ୟା ପରେ ପୋଲିସକୁ ଚିଠି ଲେଖିଥିଲେ ଅଭିଯୁକ୍ତ

ଭୁବନେଶ୍ବର: ‘ମୁଁ ହତ୍ୟା କରିଛି । ହତ୍ୟାକାଣ୍ଡ ପାଇଁ ମୁଁ ଦାୟୀ । ସ୍ତ୍ରୀ ଓ ଶାଳୀ ମାନସିକ ନିର୍ଯାତନା ଦେଉଥିବାରୁ ହତ୍ୟା କରିଛି ।’ ଏ ହେଉଛି ରାଜଧାନୀ ଡବଲ ମର୍ଡର ଯାଞ୍ଚରୁ ମିଳିଥିବା ନୂଆ ତଥ୍ୟ । ଶାଳୀ ଓ ସ୍ତ୍ରୀକୁ ହତ୍ୟା କରିବା ପରେ ପୋଲିସ ଉଦ୍ଦେଶ୍ୟରେ ଏମିତି ଚିଠି ଲେଖିଥିଲା ଅଭିଯୁକ୍ତ ବିଜୟ ସେଠୀ । ପୋଲିସ ଅଭିଯୁକ୍ତ ବିଜୟଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି । ରାଜଧାନୀରେ ଘଟିଥିବା ଏହି ବିଭତ୍ସ ହତ୍ୟା ପଛରେ ଏକାଧିକ କାରଣ ଥିବା ଅନୁମାନ କରାଯାଉଛି । ଯାହାକୁ ଆଧାର କରି ପୋଲିସ ତା’ର ତଦନ୍ତ ଆଗକୁ ବଢାଇଛି ।

ଆଜି ସକାଳୁ ସାକଳୁ ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ପଡିଯାଇଥିଲା ହୋହାଲ୍ଲା । କାରଣ ଅଭିଯୁକ୍ତ ବିଜୟ ରହୁଥିବା ଘରୁ ବାହାରୁଥିଲା ଦୁର୍ଗନ୍ଧ ଓ ଗୁରୁବାରଠାରୁ ତାଙ୍କ ପତ୍ନୀ ଗାୟତ୍ରୀ ଏବଂ ଶାଳୀ ସରସ୍ବତୀ ଥିଲେ ନିଖୋଜ । ୪ ଦିନ ପୂର୍ବରୁ ଟାଙ୍ଗିଆରେ ହାଣି ବିଜୟ ଉଭୟଙ୍କୁ ହତ୍ୟା କରିଥିଲେ । ଘରୁ ପଚା ଗନ୍ଧ ବାହାରିବାରୁ ଶବକୁ ଗାଏବ କରିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡି ଯାଇଥିଲେ । ମୃତ ଦୁଇ ଭଉଣୀଙ୍କ ବାପା ଓ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ଏହାପରେ ଜଣାପଡିଥିଲା ସଇତାନ ବିଜୟର ହତ୍ୟା କାହାଣୀ ।

ହତ୍ୟାକାଣ୍ଡ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସ୍ତ୍ରୀକୁ ହତ୍ୟା କରିବା ପରେ ଶାଳୀକୁ କାହିଁକି ହତ୍ୟା କରିଥିଲେ ବିଜୟ ତାହା ମଧ୍ୟ ରହସ୍ୟ ଘେରରେ ରହିଛି । ତେବେ ବିଜୟ ଲେଖିଥିବା ହାତ ଲେଖା ଚିଠିରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ମୃତ ଶାଳୀ ସରସ୍ବତୀ ସେଠୀ ଦୁଇ ମାସ ତଳେ ବିବାହ କରିଥିଲେ । ଘରୋଇ ହସ୍ପିଟାଲରେ ଚାକିରି କରୁଥିବାରୁ ସେ ଭୁବନେଶ୍ବରରେ ଏକ ହଷ୍ଟେଲରେ ରହୁଥିଲେ । ଗତ ଗୁରୁବାର ଦିନ ବିଜୟ ଯାଇ ତାଙ୍କୁ ଘରକୁ ଆଣିଥିଲେ । ଅପରାହ୍ଣରେ ସରସ୍ବତୀ ଏବଂ ତାଙ୍କ ଭଉଣୀ ଘର ଲୋକଙ୍କ ସହ ଶେଷ କଥା ହୋଇଥିଲେ । ଏହାପରଠାରୁ ଉଭୟଙ୍କ ଫୋନ ଅଫ୍ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପତ୍ନୀ ନିଖୋଜ ଥିବା ନେଇ ସରସ୍ବତୀଙ୍କ ସ୍ବାମୀ ଥାନାରେ ନିଖୋଜ ଏତଲା ଦେଇଥିଲେ । ପରିବାର ଲୋକେ ଆସି ବିଜୟଙ୍କ ପଡୋଶୀଙ୍କୁ ପଚରାଉଚରା କରି ନିରାଶ ହୋଇଥିଲେ । ଏହାପରେ ସେମାନେ ବିଜୟଙ୍କ ଘର ଉପରେ ନଜର ରଖିଥିଲେ । ଆଜି ବିଜୟ ଘରକୁ ଆସିଥିବା ବେଳେ ତାଙ୍କ ଶ୍ବଶୁର ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଧରିଥିଲେ ।

ପାରିବାରିକ କଳହରୁ ବିଜୟ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ବିବାହର ୧୧ ବର୍ଷ ପରେ ବି ବିଜୟ ବାପା ହୋଇ ପାରିନଥିଲେ । ଏହାକୁ ନେଇ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁ ସମୟରେ ଝଗଡା ହେଉଥିଲା । ଗୁରୁବାର ଦିନ ଏମିତି କିଛି ହୋଇଥିବା ଓ ରାଗରେ ବିଜୟ ଦୁଇ ଭଉଣୀଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।

ରାଣା ଦମ୍ପତ୍ତିଙ୍କୁ ୨ କୋଟିର ପେଣ୍ଟିଂ କିଣିବାକୁ ବାଧ୍ୟ କରିଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନେଇ ଏମିତି ଦାବି କରିଛନ୍ତି କରିଛନ୍ତି ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ । ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ବା ଇଡି ର ଚାର୍ଜସିଟରେ  ଏଭଳି ଦାବି କରାଯାଇଛି । ଚାର୍ଜସିଟ୍ ଅନୁସାରେ  ପ୍ରିୟଙ୍କା ଗାନ୍ଧୀ ରାଣା କପୁରଙ୍କୁ ୨ କୋଟିର ଏମଏଫ ହୁସେନଙ୍କ ଚିତ୍ର କିଣିବାକୁ ବାଧ୍ୟ କରିଥିଲେ ଏବଂ ଏହି ଟଙ୍କା ସୋନିଆ ଗାନ୍ଧୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା। କେବଳ ଏତିକି ନୁହେଁ ପେଣ୍ଟିଂ କିଣିଲେ ତାଙ୍କୁ ପଦ୍ମ ସମ୍ମାନ ମିଳିବା ସହିତ ଗାନ୍ଧି ପରିବାର ସହିତ ସମ୍ପର୍କ ନୀବିଡ ହେବ ବୋଲି ରାଜ୍ୟସଭା ସଦସ୍ୟ ତଥା କଂଗ୍ରେସ ନେତା ମୁରଲି ଦେଓରା ପ୍ରତିଶ୍ରୁତି ଦେଇଥିବା ରାଣା ଇଡିକୁ କହିଥିଲେ ।

ଚାର୍ଜସିଟରେ ଅନୁସାରେ ରାଣାଙ୍କୁ  ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ମୁରଲି ଦେଓରା କହିଥିଲେ ଯେ, ଯଦି ସେ ଏମଏଫ ହୁସେନଙ୍କ ଚିତ୍ର କିଣିବାକୁ ମନା କରନ୍ତି, ତେବେ ଗାନ୍ଧୀ ପରିବାର ସହ ତାଙ୍କର ସମ୍ପର୍କ ଖରାପ ହେବା ସହିତ  ପଦ୍ମ ସମ୍ମାନ ପାଇବାରେ ବି ଅସୁବିଧା ହେବ । ରାଣା କପୁର ଏହି ମାମଲାରେ  ଇଡି ସମ୍ମୁଖରେ  ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଅହମ୍ମଦ ପଟେଲଙ୍କ ବାବଦରେ ମଧ୍ୟ କହିଥିଲେ । ରାଣାଙ୍କ ଅନୁସାରେ ପେଣ୍ଟିଂ କିଣିବା ପରେ ପଟେଲ ତାଙ୍କୁ କହିଥିଲେ ଯେ, ସେ ସୋନିଆଙ୍କ ଚିକିତ୍ସାରେ ଗାନ୍ଧୀ ପରିବାରକୁ ସାହାଯ୍ୟ କରି ଭଲ କାମ କରିଛନ୍ତି ଏବଂ ତାଙ୍କୁ ପଦ୍ମ ଭୂଷଣ ଦେବା ପାଇଁ ଚିନ୍ତା କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଣା କପୁରଙ୍କୁ ମାର୍ଚ୍ଚ ୨୦୨୦ ରେ ଗିରଫ କରାଯାଇଥିଲା ଏବଂ ସେ ବର୍ତ୍ତମାନ ମଧ୍ୟ ନ୍ୟାୟିକ ହେପାଜତରେ ଅଛନ୍ତି। ରାଣା କପୁର କହିଛନ୍ତି ୨୦୧୦ ମସିହାରେ ମୁରଲି ଦେଓରା ତାଙ୍କୁ ନୂଆଦିଲ୍ଲୀର ଲୋଡି ଇଷ୍ଟେଟ୍ ବଙ୍ଗଳାରେ ମାରୱାଡି ରାତ୍ରୀ ଭୋଜନ ପାଇଁ ସାକ୍ଷାତ କରିବାକୁ ଚାପ ପକାଇଥିଲେ। ଚାର୍ଜସିଟ୍ ଅନୁଯାୟୀ ଦେଓରା ତତକାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଥିଲେ ଏବଂ ତାଙ୍କୁ ଏହି ବଙ୍ଗଳା ଆବଣ୍ଟନ କରାଯାଇଥିଲା।

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ରାଣା ଦମ୍ପତି

ମୁମ୍ବାଇ: ହନୁମାନ ଚାଳିଶା ବିବାଦରେ ଫସି ଗିରଫ ହୋଇଥିବା ମହାରାଷ୍ଟ୍ରର ଅମରାବତୀ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ବାମୀ ବିଧାୟକ ରବି ରାଣା ରହିବେ ଜେଲରେ । ଆଜି କୋର୍ଟରେ ହାଜର ହେବା ପରେ ମାମଲାର ବିଚାର କରି ବିନ୍ଦ୍ରା କୋର୍ଟ ରାଣା ଦମ୍ପତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏବେ ମେ’ ୬ ତାରିଖ ପର୍ଯ୍ୟନ୍ତ ଉଭୟ ଜେଲରେ ରହିବେ । ଗତକାଲି ଗିରଫ ହେବା ପରେ ଉଭୟ ସ୍ବାମୀ ସ୍ତ୍ରୀ ଜେଲରେ କାଟିଥିବା ବେଳେ ଆଜି ଜାମିନ ମିଳିଯିବ ବୋଲି ଆଶା କରୁଥିଲେ । ହେଲେ କୋର୍ଟ ସେମାନଙ୍କୁ ଜେଲକୁ ପଠାଇ ଦେଇଛନ୍ତି ।

ସୂଚନାଯୋଗ୍ୟ, ଶନିବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’ ଆଗରେ ହନୁମାନ ଚାଳିଶା ପାଠ କରିବାକୁ ନଭନୀତି ଏବଂ ତାଙ୍କ ସ୍ବାମୀ ଘୋଷଣା କରିଥିଲେ । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା । ଶହ ଶହ ଶିବସେନା ସମର୍ଥନ ରାଣା ଦମ୍ପତିଙ୍କ ଘର ଆଗରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ସେତିକି ନୁହେଁ, ଉତ୍ତପ୍ତ ଶିବସେନା କର୍ମୀ ବାରିକେଡ ଭାଙ୍ଗି ରାଣା ଦମ୍ପତିଙ୍କ ଘରେ ପଶିବାକୁ ମଧ୍ୟ ଚେଷ୍ଟା କରିଥିଲେ । ପୂରା ଦିନ ଏମାନଙ୍କ ଘର ଆଗରେ ଶିବସେନା କର୍ମୀ ଉତ୍ପାତ ମଚାଇଥିଲେ । ଏହାରି ଭିତରେ ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ପୋଲିସ ରାଣା ଦମ୍ପତିଙ୍କୁ ଗିରଫ କରିବାକୁ ତାଙ୍କ ଘରେ ପହଞ୍ଚି ଥିଲେ । ଯାହାକୁ ନେଇ ଉଭୟଙ୍କର ପୋଲିସ ସହ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଶେଷରେ ପୋଲିସ ସେମାନଙ୍କୁ ଗିରଫ କରି ଖାର ପୋଲିସ ଷ୍ଟେସନକୁ ନେଇଥିଲା । ସେଠାରେ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ।

NTPC ପାୱାର ଷ୍ଟେସନରେ ସମସ୍ୟା, ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଦର୍ଲିପାଲି NTPCର ୮୦୦ ମେଗାୱାଟ ୟୁନିଟ୍‌ରେ ଗତକାଲିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି । ଫଳରେ ରାଜ୍ୟରେ ବିଦ୍ୟୁତ ଯୋଗାଣରେ ସମସ୍ୟା ଦେଖାଦେଇଛି। ବୈଷୟିକ ସମସ୍ୟା ପାଇଁ ୟୁନିଟ୍‌ ବନ୍ଦ ରହିଛି । ବନ୍ଦ ଥିବା ୟୁନିଟର ମରାମତି କାର୍ଯ୍ୟ ଚାଲିଛି। ଖୁବଶୀଘ୍ର ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଉଦ୍ୟମ ଜାରି ରହିଛି।

ଏନେଇ ଏନଟିପିସି ଦର୍ଲିପାଲି ଏଜିଏମ୍‌ ସୂଚନା ଦେଇଛନ୍ତି । ଏନଟିପିସି ଦର୍ଲିପାଲି ପାଓ୍ବାର ଷ୍ଟେସନରେ ୮୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏଥିରୁ ଓଡ଼ିଶାକୁ ମିଳୁଛି ୪୦୦ ମେଗାୱାଟ୍ ବିଜୁଳି ।

ପାଇକ ବିଦ୍ରୋହୀଙ୍କୁ ପ୍ରଥମ ସ୍ୱାଧିନତା ସଂଗ୍ରାମୀ ମାନ୍ୟତା ଦାବିରେ ୨୭ରେ ହେବ ବିଶାଳ ପାଇକ ସମାବେଶ

ଭୁବନେଶ୍ୱର: ପୁଣି ତେଜିବ ପାଇକ ବିଦ୍ରୋହୀଙ୍କୁ ପ୍ରଥମ ସ୍ୱାଧିନତା ସଂଗ୍ରାମୀ ମାନ୍ୟତା ଦାବି । ଏପ୍ରିଲ୍‌ ୨୭ରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ ଅନୁଷ୍ଠିତ ହେବ । ସମାନ ଦାବିରେ ପୁଣି ବିରୋଧ ହେବ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୁଚନା ଦେଇଛି ମହାସଂଘ ।

ବରୁଣେଇ ଠାରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ରାଲି ପରେ ପ୍ରଦର୍ଶନୀ ପଡ଼ିଆ ଠାରେ ହେବ ସମାବେଶ। ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧିନତା ସଂଗ୍ରାମ ମାନ୍ୟତା, ଖୋର୍ଦ୍ଧା ବରୁଣେକ ପାହାଡ଼ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ପାଇଁ ଜମି ଯୋଗାଇଦେବା ଦାବୀରେ ହେବ ସମାବେଶ। ଏହା ସହ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବାକୁ ମଧ୍ୟ ଦାବି। ତେବେ ଦୀର୍ଘ ଦିନ ଧରି ଏହି ଦାବି ରହିଛି। ମହାମାରୀ ପାଇଁ ଦିଲ୍ଲୀରେ ସମାବେଶ ପାଇଁ ଅନୁମତି ମିଳିଲାନି କିନ୍ତୁ ଆଗାମୀ ଦିନରେ ପାଇକ ମହାସଂଘ ନିଶ୍ଚିତ ଭାବେ ଦିଲ୍ଳୀ ଯାଇ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେବ।

୧୮୧୭ ମସିହାର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି ହୋଇଛି । ଆସନ୍ତା ୨୭ରେ ଭୁବନେଶ୍ବରରେ ବିଶାଳ ପାଇକ ସମାବେଶ ପାଇଁ ଡାକରା ଦେଇଛି ବୀର ମହାସଂଘ । ବାରମ୍ବାର କେନ୍ଦ୍ର ସରକାର ସେମାନଙ୍କ ଦାବିକୁ ଉପେକ୍ଷା କରୁଥିବାରୁ ପାଇକମାନେ ମେଳି ବାନ୍ଧୁଛନ୍ତି । ୧୦ ହଜାରରୁ ଅଧିକ ପାଇକ ପ୍ରଥମ ସ୍ବାଧୀନତାର ମାନ୍ୟତା ଦାବି ନେଇ କେନ୍ଦ୍ର ବିରୋଧରେ ଗର୍ଜିବେ । ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି । ପାଇକମାନଙ୍କ ଦାବିକୁ ସମର୍ଥନ କରିଛି କଂଗ୍ରେସ ।
ବରୁଣେଇରେ ପାଇକ ସ୍ମାରକୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ବିଜେଡି ସାଂସଦମାନେ ତଥ୍ୟ ସହ ସଂସଦର ଉଭୟ ଗୃହରେ ଦାବି ଉପସ୍ଥାପନ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ପାଇକମାନଙ୍କ ବଳିଦାନ ପାଇଁ ଏହି ଲଢେଇ ଜାରି ରହିବ ବୋଲି ଶାସକ ଦଳ କହିଛି ।
ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ପରି ବୀରମାନେ ଅପୂର୍ବ ବୀରତ୍ବର ସହ ଇଂରେଜମାନଙ୍କ ବିରୋଧରେ ଲଢିଥିଲେ । ସେମାନଙ୍କ ବଂଶଜ ପାଇକମାନେ ଆଜି ନିଜର ବୀରତ୍ବ ଓ ବଳିଦାନକୁ ମାନ୍ୟତା ଦାବିରେ ରାଜରାସ୍ତାରେ ଲଢେଇ କରୁଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଏ ନେଇ ଉଚିତ ପଦକ୍ଷପ ନ ନେଲେ ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀ ଯାଏ ଲଢେଇ ଜୋରଦାର କରାଯିବ ବୋଲି ଓଡ଼ିଶା ବୀର ମହାସଂଘ ପକ୍ଷରୁ କୁହାଯାଇଛି ।

 

ଖରାଦିନ ଗରମରେ ଛଟପଟ ପାକିସ୍ତାନବାସୀ: ୧୫ ଘଣ୍ଟା ହେଉଛି ବିଦ୍ୟୁତ୍ କାଟ୍

ନୂଆଦିଲ୍ଲୀ: ଖରାଦିନର ପ୍ରବଳ ଗୁଳୁଗୁଳି ଏବଂ ରାତିର କିଟିକିଟି ଅନ୍ଧାରରେ ପାକିସ୍ତାନବାସୀ ଏବେ ଛଟପଟ ହେଉଛନ୍ତି । କାରଣ ଏବେ ସେଠାରେ ବିଦ୍ୟୁତର ଘୋର ଅଭାବ ଦେଖାଦେଇଛି । କିଛି ଦିନ ପରେ ଇସଲାମ ଧର୍ମର ବଡ଼ ପର୍ବ କୁହାଯାଉଥିବା ଇଦ୍-ଉଲ୍-ଫିତର୍ ଥିବାରୁ ଏଭଳି ଏକ ବିଦ୍ୟୁତ ସଙ୍କଟରେ ପଡ଼ିଯାଇଛନ୍ତି ପାକିସ୍ତାନବାସୀ ।

ସେଠାରେ ପ୍ରତେକ ଦିନ ୮ରୁ ୧୫ ଘଣ୍ଟା ବିଦ୍ୟୁଟ କାଟ ହେଉଛି । ବିଶେଷକରି କରାଚି, ଲାହୋର, ରାଓ୍ବଲପିଣ୍ଡି, କ୍ବେତା, ପେଶଓ୍ବାର, ମୁଲତାନ ଭଳି ଅନେକ ସହରର ଲୋକେ ଏବେ ଘାରି ହେଉଛନ୍ତି ।

ପାକିସ୍ତାନ ଅଧିକୃତ ପଞ୍ଜାବର ସହରାଞ୍ଚଳରେ ୮ରୁ ୯ ଘଣ୍ଟା ବିଦ୍ୟୁତ୍ କାଟ ହେଉଥିବାରୁ ଗ୍ରାମାଞ୍ଚଳରେ ୧୦ରୁ ୧୨ ଘଣ୍ଟା ବିଦ୍ୟୁତକାଟ ହେଉଛି । ଶକ୍ତି ବିଭାଜନ ପକ୍ଷରୁ କୁହାଯାଇଛି ଯେ, ପାକିସ୍ତାନରେ ଦିନକୁ ୧୯ ହଜାର ମେଗାଓ୍ବାଟର ବିଦ୍ୟୁତ ଆବଶ୍ୟକ ଥିଲାବେଳେ ଏବେ ମାତ୍ର ୧୭ ହଜାର ମେଗାଓ୍ବାଟ୍ ବିଦ୍ୟୁତ ଉତ୍ପାଦନ ହେଉଛି । କେବଳ ମଧ୍ୟହ୍ନ ଏବଂ ସନ୍ଧ୍ୟାବେଳେ ଏହାର ଆବଶ୍ୟକତା ୨୧ ହଜାର ମେଗାଓ୍ବାଟ ହେଉଛି ।

ଔଷଧରେ ପାଣି ବଦଳରେ ଏସବୁ ପାନୀୟ ବ୍ୟବହାର କରୁଥିଲେ ସାବଧାନ

ନୂଆଦିଲ୍ଲୀ: ଦେହ ଖରାପ ହେଲେ ଔଷଧ ଖାଉଥିବେ । କିଛି ଲୋକ ଦୋକାନରୁ ଔଷଧ କିଣି ଆଣୁଥିବା ବେଳେ ଆଉ କିଛି ଲୋକ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଥାନ୍ତି । ଡାକ୍ତରଙ୍କ ପରାମର୍ଶରେ ଔଷଧ ଆଣିବା ବେଳେ ଏହାକୁ କେମିତି ଖାଇବା ଦରକାର ଡାକ୍ତର ଦେଇଥାନ୍ତି । ଯଦି ମେଡିସିନ ଷ୍ଟୋରରୁ ଔଷଧ ଆଣୁଛନ୍ତି ତେବେ ଏହାକୁ କେମିତି ଓ କେଉଁ ପାନୀୟରେ ଖାଇବା ଦରକାର ଜାଣିପାରୁନଥିବେ । ତେବେ ଔଷଧରେ ମଧ୍ୟ ଏହାକୁ କେମିତି ଖାଇବେ ଉଲ୍ଲେଖ ରହିଥାଏ । ହେଲେ ପ୍ରାୟତଃ କୌଣସି ଲୋକ ଏହାକୁ ପଢି ନଥାନ୍ତି । ଫଳରେ ନିଜ ଇଚ୍ଛାରେ ପାଣି ବଦଳରେ ବିଭିନ୍ନ ପ୍ରକାରର ତରଳ ଖାଦ୍ୟରେ ଔଷଧ ଖାଇଦେଇଥାନ୍ତି । ହେଲେ ଏହା ଆପଣଙ୍କ ଶରୀର ପାଇଁ ବହୁତ କ୍ଷତିକାରକ ହୋଇପାରେ ।

ଯଦି ଆପଣ ଡାକ୍ତରଙ୍କ ପରାମର୍ଶ ବିନା କିମ୍ବା ପାଣି ବଦଳରେ ଅନ୍ୟ କିଛି ତରଳ ଦ୍ରବ୍ୟରେ ଔଷଧ ଖାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ବିଶେଷ କରି ଏମିତି କିଛି ପାନୀୟ ଅଛି ଯାହା ସହ ଔଷଧ ଖାଇବା ଅର୍ଥ ରୋଗ କମିବ କ’ଣ ଅଧିକ ସମସ୍ୟା ବଢିବାର କାରଣ ପାଲଟି ପାରେ ।

କାରଣ ଏହି ପାନୀୟ ଔଷଧର କ୍ଷମତାକୁ ହ୍ରାସ କରି ଦେଇଥାଏ । ଏହାସହ ଏସବୁ ପାନୀୟ ଯୋଗୁଁ ଔଷଧ ଠିକ୍ ସମୟରେ କାମ କରି ନଥାଏ । ସାଉଦୀ ଫାର୍ମାସ୍ୟୁଟିକାଲରେ ପ୍ରକାଶ ପାଇଥିବା ରୁପୋର୍ଟରୁ ଆସନ୍ତୁ କାଣିବା ଏମିତି କିଛି ପାନୀୟ ବଦଳରେ ଯାହା ଆପଣ ଔଷଧ ସହ ବ୍ୟବହାର କଲେ ସମସ୍ୟାରେ ପଡିପାରନ୍ତି ।

କଫି: କଫି ସହ ଯଦି ଔଷଧ ଖାଉବା ଦେହ ପ୍ରତି ହାନୀକାରକ ବୋଲି ସମସ୍ତେ ଜାଣନ୍ତୁ । ତଥାପି କିଛି ଲୋକ କଫି ସହ ଔଷଧ ଖାଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ଏହି କାଟାଗୋରୀରେ ଆସୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରର କଫି ହେଉ କି କୌଣସି ଗରମ ପାନୀୟରେ ଔଷଧ ଖାଇବା ଅନୁଚିତ । କାରଣ ଏହାଦ୍ବାରା ଷଔଧକୁ ଶରୀରରେ ମିଳାଇବାକୁ ଅଧିକ ସମୟ ଲାଗିଥାଏ । ଫଳରେ ଔଷକ୍ଷରୁ ଆପଣଙ୍କୁ ଯେତିକି ଲାଭ ମିଳିବା କଥା ମିଳିନଥାଏ ।

ଅରେଞ୍ଜ ଜୁସ୍: କିଛି ଲୋକ ଅରେଞ୍ଜ ଜୁସ୍ ସହ ଔଷଧ ଖାଉଥିବା ଦେଖିବାକୁ ମିଳିଥାଏ । ଅରେଞ୍ଜ ଜୁସରେ ଭିଟାମିନ୍ ସି ଥିବା ସମସ୍ତେ ଜାଣନ୍ତୁ । ଡାକ୍ତରଙ୍କ ଅନୁସାରେ ଭିଟାମିନ ସି ସହ ଔଷଧ ଖାଇଲେ ଶରୀର ଉପରେ ଅନ୍ୟ କିଛି ପ୍ରଭାବ ପଡିପାରେ । ଏହାସହ ଏହି ଜୁସ୍ ସହ ଔଷଧ ଖାଇଲେ ଏହା ଶରୀରରେ ମିଳାଇବାକୁ ମଧ୍ୟ ଅଧିକ ସମୟ ନେଇଥାଏ । ଯଦି ଆପଣଙ୍କ ଏମିତି ଅଭ୍ୟାସ ରହିଛି ତେବେ ଶୀଘ୍ର ଏହାକୁ ବଦଳାନ୍ତୁ ।

କୋକାକୋଲା: ଫେମସ୍ ଡ୍ରିଙ୍କ କୋକାକୋଲା ତ ନିଶ୍ଚିତ ପିଇଥିବେ । ଖାରାଦିନ ଆସିଲେ ଏହାର ଚାହିଦା ବଢି ଯାଇଥାଏ । ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ କୋକାକୋଲା ସହ ଔଷଧ ଖାଇବାକୁ ପସନ୍ଦ କରିଥାନ୍ତି । ଏହି ଥଣ୍ଡା ପାନୀୟ ଯୋଗୁଁ ଔଷଧ ଶରୀରରେ ମିଳାଇବାରେ ସମସ୍ୟା ସମସ୍ୟା ହୋଇଥାଏ ।

ଏନର୍ଜି ଡ୍ରିଙ୍କସ୍: କେବଳ କୋକାକୋଲା କି ଅରେଞ୍ଜ ଜୁସ୍ ନୁହେଁ ଏନର୍ଜି ଡ୍ରିଙ୍କସ ମଧ୍ୟ ଔଷଧ ସହ ବ୍ୟବହାର କରିବା କ୍ଷତିକାରକ । ଏହାଦ୍ବାର ଶରୀରରେ ଔଷଧର ପ୍ରଭାବ କମି ଯାଇଥାଏ । ଏହି କାରଣରୁ ଔଷଧ ଖାଇଲେ ବି ଆପଣଙ୍କୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗିଥାଏ ।

ଦହି: ଯଦି ଆପଣ ଦହି କିମ୍ବା କ୍ଷୀର ସହ ଔଷଧ ଖାଉଛନ୍ତି ସାବଧାନ ହୋଇଯାଆନ୍ତୁ ଓ ଏଥିରୁ ଶୀଘ୍ର ଦୂରେଇ ରୁହନ୍ତୁ । କାରର ଏହା ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଦହି ସହ ତ ଔଷଧ ବିଲକୁଲ ଖାଆନ୍ତୁ ନାହିଁ । ଏହା ଔଷଧ ଅବଶୋଷଣ ଓ ଭାଙ୍ଗି ପ୍ରକ୍ରିୟକୁ ପୂରା କମାଇ ଦେଇଥାଏ ।

ଆମ ମତରେ ଔଷଧ କେମିତି ଖାଇବେ ଓ ଏଥିପାଇଁ କେଉଁ ପାନୀୟ ବ୍ୟବହାର କରିବେ ତାହାର ପରାମର୍ଶ ଡାକ୍ତରଙ୍କ ପାଖରୁ ନିଅନ୍ତୁ । ଯଦି ଔଷଧ ଖାଇବାରେ ଏସବୁ ପାନୀୟ ବ୍ୟବହାର କରିବାର ଅଭ୍ୟାସ ରହିଛି ତେବେ ତୁରନ୍ତ ପରିବର୍ତ୍ତନ କରନ୍ତୁ । ଯଥା ସମ୍ଭବ ଔଷଧ ଖାଇବା ବେଳେ ପାଣିର ବ୍ୟବହାର କରନ୍ତୁ ଓ ସୁସ୍ଥ ରୁହନ୍ତୁ ।