spot_img
Home Blog Page 4474

ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ସମ୍ମାନରେ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର: ଯଶସ୍ୱୀ ସାରସ୍ୱତ ସାଧକ, ସୁଲେଖିକା କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାର ପ୍ରାପ୍ତ  ବୀଣାପାଣି ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି  । ଏକ ଶୋକବର୍ତ୍ତାରେ ମୁଖ୍ୟମନ୍ତ୍ରୀ ବୀଣାପାଣି ମହାନ୍ତିଙ୍କ ସ୍ମୃତି ଚାରଣ କରିଛନ୍ତି  ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ବୀଣାପାଣି ମହାନ୍ତି ତାଙ୍କ ଗଳ୍ପ ଓ ଉପନ୍ୟାସରେ ନାରୀ ଜୀବନର ସଂଘର୍ଷକୁ ସଫଳତାର ସହ ଉପସ୍ଥାପନା କରିଯାଇଛନ୍ତି  । ତାଙ୍କର କାଳଜୟୀ ରଚନା ନାରୀ ସଶକ୍ତିକରଣ ପାଇଁ ସବୁବେଳେ ପ୍ରେରଣା ଯୋଗାଇ ଚାଲିବ  । ବୀଣାପାଣି ମହାନ୍ତିଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି  ।

ସେପଟେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି । ଏଥି ସହିତ ସ୍ୱର୍ଗତ ବୀଣାପାଣି ମହାନ୍ତିଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି  ।

ନାଗାବଳୀ ନଦୀରେ ବୁଡିଗଲେ ଦୁଇ ଛାତ୍ର

ରାୟଗଡା: ନାଗାବଳୀ ନଦୀରେ ବୁଡିଗଲେ ଦୁଇ ଛାତ୍ର । 10 ଜଣ ଛାତ୍ର ମଧ୍ୟାହ୍ନରେ ତୁମ୍ବୀଗୁଡ଼ା ସ୍ଥିତ ନାଗାବଳୀ ନଦୀକୁ ଗାଧାଇବା ପାଇଁ ଯାଇଥିଲେ । ଛୁଟିରେ ନଦୀ ପାଣି ମଜା ନେଉଥିବାବେଳେ ଦୁଇଜଣ ବୁଡିଯାଇଥିଲେ । ସମସ୍ତ ଛାତ୍ର ରାୟଗଡା ସହର ସ୍ଥିତ ଏକ ଘରୋଇ ସ୍କୁଲର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ୧୦ ଜଣ ଯାକ ଛାତ୍ର ଗାଧୋଇବା ପାଇଁ ନଦୀକୁ ଯାଇଥିଲେ  । ଏହି ସମୟରେ ଦୁଇ ଜଣ ଛାତ୍ର ନଦୀରେ ବୁଡ଼ି ଯାଇଥିଲେ  । ମୃତ ଛାତ୍ରଙ୍କ ନାଁ ଆଦିତ୍ୟ ନାୟକ ଓ ଆକାଶ ଚୌଧୁରୀ । ରାୟଗଡା ପୋଲିସ ଘଟଣା ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରଛି ।

ଆଖି ବୁଜିଲେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି

କଟକ:  ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ  । ବାଦାମବାଡ଼ିସ୍ଥିତ ବାସଭବନରେ ୮୫ବର୍ଷ ହୃଦରୋଗରେ ପରଲୋକ ଘଟିଛି  ।  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବିଶିଷ୍ଟ ସାହିତ୍ୟିକା ହୃଦଘାତରେ ଆଖି ବୁଜିଛନ୍ତି  । ବୀଣାପାଣି ମହାନ୍ତି ୧୧ ନଭେମ୍ବର ୧୯୩୬ରେ ଜନ୍ମଗ୍ରହଣ କରିଥିଲେ । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ ।

୨୦୨୦ ମସିହାରେ ସେ ତାଙ୍କର ସାହିତ୍ୟିକ କୃତି ନିମନ୍ତେ ପଦ୍ମଶ୍ରୀ ସମ୍ମାନ ଏବଂ ଓଡ଼ିଆ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଲାଭ କରିଥିଲେ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାରରେ ମଧ୍ୟ ସମ୍ମାନୀତ ହୋଇଥିଲେ । ସେ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ବୀଣାପାଣି ମହାନ୍ତିଙ୍କ ଜନ୍ମ ବ୍ରହ୍ମପୁରରେ ହୋଇଥିଲା । ମାତ୍ର ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ା ନିକଟସ୍ଥ ଚାନ୍ଦୋଳଠାରେ ଥିଲା । ସେ ୧୯୫୩ ମସିହାରେ ମାଟ୍ରିକ, ୧୯୫୭ରେ ଅର୍ଥନୀତିରେ ସ୍ନାତକ ଓ ୧୯୫୯ରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନ କବିତା ଲେଖାରୁ ଆରମ୍ଭ ହୋଇ ଥିଲା । ୧୯୬୦ ମସିହାରେ ସେ ଜଣେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୯୨ରେ ଏଥିରୁ ଅବସର ଗ୍ରହଣ କରିଥିଲେ । ସେ ଆଜୀବନ ଅବିବାହିତା ।

ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା “ତନ୍ଦ୍ରାହତ” ପ୍ରଜାତନ୍ତ୍ର ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ “ଗୋଟିଏ ରାତ୍ରୀର କାହାଣୀ” ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା ।

ବିନା ଅପରେସନରେ ଭଲ ହେଉଛି କ୍ୟାନସର

ବିନା ଅପରେସନରେ ଭଲ ହେଉଛି କ୍ୟାନସର । ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେଲେ ବିନା ଅପରେନରେ ଭଲ ହୋଇପାରିବ ଏହି ଦୁରାରୋଗ । ବାହ୍ୟ ଶରୀରରେ କୌଣସି ଅପରେସନ ନ କରି ପାଟି କିମ୍ବା ମଳଦ୍ୱାର ପଟେ ହାଇଟେକ୍ନୋଲୋଜି ଜରିଆରେ ହୋଇପାରୁଛି ସଫଳ ଚିକିତ୍ସା । ଇଏସ୍‌ଡି ମାଧ୍ୟମରେ ଖାଦ୍ୟନଳୀ, ପାକସ୍ଥଳୀ, ମଳଦ୍ୱାର ଭଳି ସ୍ଥାନରେ କ୍ୟାନସର ଚିହ୍ନଟ ହେଲେ ତାହାକୁ ସଂପୂର୍ଣ୍ଣ ଭଲ କରାଯାଇପାରୁଛି । ତେବେ ରୋଗୀ ନିକଟରେ କ୍ୟାନସର ନେଇ ସାମାନ୍ୟ ସନ୍ଦେହ ହେଲେ ତୁରନ୍ତ ଟେଷ୍ଟିଂ କରିବା ହେଉଛି ଡାକ୍ତରଙ୍କ ଗୁରୁଦାୟିତ୍ୱ ।

କ୍ୟାନସର ପୂର୍ବାବସ୍ଥା, ସମ୍ଭାବନା କିମ୍ବା ପ୍ରାଥମିକ ପର୍ଯ୍ୟାୟ ହୋଇଥିଲେ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ ବୋଲି ଡାକ୍ତର ମନୋଜ ସାହୁ କହିଛନ୍ତି । ଏନେଇ ଆଡଭାନ୍ସ ଟେକ୍ନୋଲୋଜି ଓଡ଼ିଶାରେ ଉପଲବ୍ଧ ହୋଇଛି । ଏହି ସେବାକୁ ଡାକ୍ତର ମନୋଜ ୨୦୧୫ରୁ ଓଡ଼ିଶାରେ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ୮୦ରୁ ଅଧିକ ରୋଗୀ ବିନା ଅପରେସନ୍ କିମ୍ବା ବିନା କେମୋ ଥେରାପିରେ ସୁସ୍ଥ ନିରାମୟ ଜୀବନଯାପନ କରୁଛନ୍ତି । ଜାପାନ ଟେକ୍ନୋଲୋଜି ହାଇରିଜଲ୍ୟୁସନ ଏଣ୍ଡୋସ୍କୋପି ଦ୍ୱାରା ରୋଗ ଚିହ୍ନଟ ହୋଇପାରୁଛି ବୋଲି ଡାକ୍ତର ମନୋଜ କହିଛନ୍ତି । ମୁଖ ଗହ୍ୱର କ୍ୟାନସରକୁ ମଧ୍ୟ ଭଲ କରାଯାଇପାରୁଛି ବୋଲି କହିଛନ୍ତି ମନୋଜ । 

ହତ୍ୟାକାରୀ କହିଲା ସାଙ୍ଘାତିକ ସତ…

ଭୁବନେଶ୍ୱର: ସମୟ- ସକାଳ ସାଢେ ୭ । ସକାଳୁ ସକାଳୁ ଚନ୍ଦ୍ରଶେଖପୁର ହାଉର୍ସିଂ ବୋର୍ଡ କଲୋନୀରେ ଖେଳିଗଲା ଚାଞ୍ଚଲ୍ୟ। ସହି ହେଲାନି ମାନସିକ ନିର୍ଯାତନା, ସ୍ତ୍ରୀ ଓ ଶାଳୀଙ୍କୁ ମାରିଦେଲି। ଭୁବନେଶ୍ୱର ଚନ୍ଦ୍ରଶେଖପୁରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ପରେ ହାତଲେଖା ଚିଠିରେ ଅଭିଯୁକ୍ତ ଲେଖିଛି ଏଭଳି ସ୍ୱୀକାରୋକ୍ତି। ଅଭିଯୁକ୍ତ ବିଜୟ କେତନ ସେଠୀକୁ ଗିରଫ କରିଛି ଚନ୍ଦ୍ରଶେଖପୁର ଥାନା ପୋଲିସ। ସନ୍ତାନ ହେଉନଥିବାରୁ ମାନସିକ ନିର୍ଯାତନା ଦେଉଥିଲେ, ଗୁରୁବାର ଗଣ୍ଡଗୋଳ ଉଗ୍ର ରୂପ ନେବାରୁ ସ୍ତ୍ରୀ ଓ ଶାଳୀଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା କରିଥିଲା ବିଜୟ।  ଖସିଯିବାକୁ ଉଦ୍ୟମ ବେଳେ କାବୁ କରିଥିଲେ ଶୂଶୂର ଘର ଲୋକ। ଦୁଇମାସ ତଳେ ଶାଳୀଙ୍କ ବିବାହ ହୋଇଥିଲା । ଦୁଇ ଝିଅଙ୍କୁ ହରାଇ ଭାଙ୍ଗି ପଡ଼ିଛି ପୂରା ପରିବାର  ।

ରାଜଧାନୀରେ ଡବଲ ମର୍ଡର। ସାତ ଜନମର ସାଥୀ ସାଜିଲା ସଇତାନ। ପତ୍ନୀ ଓ ଶାଳୀଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା। ମର୍ଡର ସ୍ପଟରୁ ମିଳିଲା ହତ୍ୟାକାରୀର ହାତଲେଖା ଚିଠି। ସମୟ- ସକାଳ ସାଢେ ୭ । ସକାଳୁ ସକାଳୁ ଚନ୍ଦ୍ରଶେଖପୁର ହାଉର୍ସିଂ ବୋର୍ଡ କଲୋନୀରେ ଖେଳିଗଲା ଚାଞ୍ଚଲ୍ୟ। ଏସି ଅପରେଟପ ଭାବେ କାମ କରୁଥିବା ବିଜୟ କେତନ ସେଠୀ ପତ୍ନୀ ଓ ଶାଳୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ମୃତକ ହେଉଛନ୍ତି ଗାୟତ୍ରୀ ସେଠୀ ଓ ସ୍ବରସ୍ବତୀ ସେଠୀ। ଗତ ଗୁରୁବାର ଅପରାହ୍ନ ପରଠୁ ଦୁଇ ଝିଅଙ୍କ ସହ କଥା ହୋଇ ପାରିନଥିଲେ ପରିବାର ଲୋକେ। ବିଜୟ କେତନ ବି ଫୋନ ଉଠାଉନଥିଲା। ଗତକାଲି ଘରେ ତାଲା ପଡିଥିବାରୁ ଅପେକ୍ଷା କରି କରି ଫେରିଥିଲେ ଗାୟତ୍ରୀଙ୍କ ବାପା।

ରବିବାର ଭୋରରୁ ପୁଣି ଘର ନିକଟରେ ଛକି ରହିଥିଲେ । ସକାଳ ୭ଟାରେ ଘରକୁ ଆସିବା ବେଳେ ବିଜୟକୁ କାବୁ କରିଥିଲେ ଗାୟତ୍ରୀଙ୍କ ବାପା ଓ ଅନ୍ୟ ପରିବାର ଲୋକେ। ଧରାପଡିବା ପରେ ବିଜୟ ଦୁଇ ଝିଅଙ୍କୁ ହତ୍ୟା କରିଥିବା କହିଥିଲା। ଘଟଣାସ୍ଥଳରେ ପହଞ୍ଚି ଛାନ୍ବିନ୍ କରିଥିଲେ ଚନ୍ଦ୍ରଶେଖପୁର ଥାନା ପୋଲିସ ଓ ସାଇଣ୍ଟଫିକ ଟିମ୍ । ବେଡ୍ରୁମରେ ଗାୟତ୍ରୀଙ୍କ ମୃତଦେହ ପଡିଥିବା ବେଳେ ରୋଷେଇ ଘରେ ପଡିଥିଲା ସ୍ବରସ୍ବତୀଙ୍କ ମୃତଦେହ। ଘଟଣାସ୍ଥଳରୁ ବିଜୟର ହାତ ଲେଖା ଚିଠି ମିଳିଛି । ବିଜୟ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିବା ପରେ ମୃତଦେହ ପାଖରେ ବସି ଚିଠି ଲେଖିଥିଲା।

୧୧ବର୍ଷ ତଳେ ବିବାହ କରିଥିଲେ। ହେଲେ ସନ୍ତାନ ହେଉନଥିବାରୁ ସ୍ତ୍ରୀ ଓ ଶାଳୀ ସବୁବେଳେ ମାନସିକ ଯନ୍ତ୍ରଣା ଦେଉଥିଲେ। ତେଣୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା।ଗୁରୁବାର ଶାଳୀଙ୍କୁ ହସପିଟାଲରୁ ଆଣିବା ପରେ ପାଟିତୁଣ୍ଡ ହୋଇଥିଲା। ଉତକ୍ଷିପ୍ତ ହୋଇ ଉଭୟ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିଥିଲା ବିଜୟ  ଗତ ଦୁଇ ମାସ ତଳେ ମାଗୁରତ୍ନ ସେଠୀଙ୍କୁ ବିବାହ କରିଥିଲେ ସ୍ବରସ୍ବତୀ । ଇଏ ହେଉଛି ରିସେସ୍ପନର ଦିନର ଫଟୋ। ବିବାହର ମାତ୍ର ଦୁଇ ମାସ ପରେ ପତ୍ନୀକୁ ହରାଇ ଛାତି ଫଟାଇ କାନ୍ଦୁଛନ୍ତି ସ୍ବାମୀ ।

ହତ୍ୟାକାଣ୍ଡର ବ୍ୟବହୃତ ମାରଣାସ୍ତ୍ର ଜବତ କରିପାରିନି ପୋଲିସ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପତ୍ନୀଙ୍କ ପରକୀୟା ପ୍ରୀତି ଥିବା ମଧ୍ୟ ବିଜୟ ସନ୍ଦେହ କରି ମନସ୍ତାପରେ ରହୁଥିବା ଚର୍ଚ୍ଚା ହେଉଛି। ବିଜୟଙ୍କ ଏହି ସନ୍ଦେହକୁ ଉଭୟ ସ୍ତ୍ରୀ ଓ ଶାଳୀ ବିରୋଧ କରୁଥିବାରୁ ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ପୋଲିସ ଜେରାରୁ ବାହାରିବ ସତ ।

STF କବଜାରେ ହାତୀଦାନ୍ତ ତସ୍କରୀ ଗ୍ୟାଙ୍ଗ୍

ସୁବର୍ଣ୍ଣପୁର:  ପୁଣି ଏସଟିଏଫ୍ କବଜାରେ ବନ୍ୟ ଜନ୍ତୁ ଚୋରା ଚାଲାଣ କାରୀ । ରଞ୍ଜନ ମହାକୁଡ଼କୁ ଗିରଫ କଲା ଏସଟିଏଫ୍ । ରଞ୍ଜନ ଠାରୁ ୧୦ କେଜିର ୩ ଟି ହାତୀ ଦାନ୍ତ ଜବତ କରାଯାଇଛି । ସୁବର୍ଣ୍ଣପୁର ଯୁବରନି ସିତାପୁର ଗାଁ ନିକଟରେ ହାତୀଦାନ୍ତ ତସ୍କରୀ ପାଇଁ ଚାଲିଥିଲା ଡିଲ । ସୂଚନା ପାଇ ମାଡିବସିଲା ଏସଟିଏଫ୍ ।

ବୀରମହରାଜପୁର ବନ ବିଭାଗ ସହାୟତାରେ ରଞ୍ଜନକୁ ଗିରଫ କରିବାରେ ସଫଳ ହୋଇଛି ଏସଟିଏଫ୍ । ଗତ ଏକ ବର୍ଷ ଭିତରେ ଏସଟିଏଫ୍ ୨୭ଟି ବାଘ ଛାଲ,୧୮ ଟି ହାତୀ ଦାନ୍ତ, ୭ଟି ହରିଣ ଚମଡା,୧୨ ଟି ଜୀବନ୍ତ ବଜ୍ରକାପ୍ତା,୩୦ କେଜି ୪୦୦ ଗ୍ରାମ ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ,୨୯ଟି ବାଘ ନଖ ଜବତ କରିଛି ଟାର୍କ୍ସଫୋର୍ସ । ଘଟଣାରେ ମୋଟ୍ ୪୬ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ଏସଟିଏଫ୍ ।

ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କଲେ ଭିକାରୀ, ଆଗରୁ ଦେଇଥିଲେ ୧୬ ଲକ୍ଷ

ମାଙ୍ଗାଲୁରୁ: ଜଣେ ବୃଦ୍ଧା ଭିକାରୀ ମନ୍ଦିରକୁ ଦାନ କରିଛନ୍ତି ଲକ୍ଷେ ଟଙ୍କା । ମାଙ୍ଗାଲୁରୁ ର ରାଜରାଜେଶ୍ବରୀ ମନ୍ଦିରକୁ ଲକ୍ଷେ ଟଙ୍କା ଦାନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଏହି ୮୦ ବର୍ଷିୟ ବୃଦ୍ଧା । କେହି ଯେପରି ଭୋକିଲା ନ ରୁହନ୍ତୁ ଏହା କାମନା କରି ନିଜ ପାଖରେ ସାଇତିଥିବା ଟଙ୍କାକୁ ଦାନ କରିଦେଇଥିବା କହିଛନ୍ତି ଏହି ଭିକାରୀ ଜଣଙ୍କ । ସେ ଦକ୍ଷୀଣ କନ୍ନଡ ଓ ଉଡୁପୀ ଜିଲ୍ଲାରେ ଥିବା ମନ୍ଦିର ଆଗରେ ବସି ଭକ୍ତମାନଙ୍କ ଠାରୁ ପାଇଥିବା ଭିକ୍ଷାକୁ ସେ ଦାନ କରିଦେଇଛନ୍ତି । କେବଳ ଏତିକି ନୁହେଁ ମହିଳା ଜଣଙ୍କ ପୂର୍ବରୁ ମଧ୍ୟ ବିଭିନ୍ନ ମନ୍ଦିରକୁ ପ୍ରାୟ ୧୬ ଲକ୍ଷ ଟଙ୍କା ଦାନ କରିଛନ୍ତି ।

କର୍ଣ୍ଣାଟକର ଉଡୁପି ଜିଲ୍ଲା କୁଣ୍ଡାପୁର ତାଲୁକର କାଞ୍ଚାଗୋଡୁ ଗ୍ରାମର ଏହି ବୟସ୍କ ଅଶ୍ୱଥମ୍ମା ତାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ଗତ ୧୮ ବର୍ଷ ଧରି ବିଭିନ୍ନ ମନ୍ଦିର ନିକଟରେ ଭିକ୍ଷା ମାଗୁଥିଲେ। ଯେତେବେଳେ ତାଙ୍କ ପିଲାମାନେ ମରିଗଲେ ସେତେବେଳେ ବୃଦ୍ଧା ଅନ୍ୟ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତାଙ୍କ ପାଖରେ କାମ ନ ଥିବାରୁ ସେ ଭିକ ମାଗିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଭିକ୍ଷା ଅର୍ଥର କିଛି ଅଳ୍ପ ଅଂଶ ବ୍ୟବହାର କରିଥିଲେ। ଅନ୍ୟ ସବୁ ଟଙ୍କା ଏକ ବ୍ୟାଙ୍କରେ ଜମା କରିଥିଲେ। ଏହାକୁ ସେ ଏବେ ମନ୍ଦିରକୁ ଦାନ ଦେଇଛନ୍ତି।

ସୂଚନା ଅନୁସାରେ, ମହିଳା ଜଣକ ପୋଲାଲି ମନ୍ଦିର ସାମ୍ନାରେ ହେଉଥିବା ବାର୍ଷିକ ଯାତ୍ରା ମହୋତ୍ସବ ସମୟରେ ପ୍ରାୟ ଏକ ମାସ ଭିକ ମାଗିଥିଲେ। ଯେଉଁଥିରୁ ତାଙ୍କୁ ପ୍ରାୟ ଲକ୍ଷେ ଟଙ୍କା ମିଳିଥିଲା। ଏହି ଟଙ୍କାକୁ ଶୁକ୍ରବାର ସେ ମନ୍ଦିରକୁ ସାମୁହିକ ଭୋଜନ କାର୍ଯ୍ୟକ୍ରମ ପାଇଁ ଦାନ କରିଛନ୍ତି।

ଏହି ଟଙ୍କା ଦାନ କରିବା ନେଇ ଅଶ୍ବଥମ୍ମା କହିଛନ୍ତି ଯେ, ଲୋକମାନେ ଦେଇଥିବା ଭିକ୍ଷା ମୁଁ ତାଙ୍କୁ ଫେରାଇ ଦେଉଛି । ମୋର କେବଳ ଏତିକି ପ୍ରାର୍ଥନା କେହି ଯେପରି ଭୋକରେ ନ ରୁହନ୍ତୁ ।

ଥାନାରେ ସିରିଏଲ ଅଭିନେତା, ଯୁବତୀ ଆଣିଲେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ଲଭ୍‌ ସେକ୍ସ ଧୋକା । ଏଥର ଏଭଳି କାରନାମା ଭିଆଇଛନ୍ତି ଜଣେ  ସିରିଏଲ୍ ଅଭିନେତା  ।  ଏମ ସୁମନ କୁମାର ନାମକ ଜଣେ ଅଭିନେତା ପାହାଳ ଥାନାରେ ଅଟକ ଅଛନ୍ତି  । ପାହାଳ ଥାନାରେ ସୁମନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମିଳିଥିବା ସୂଚନା ମୁତାବକ ଜଣେ ଯୁବତୀଙ୍କ ସହିତ ଦୁଇବର୍ଷ ଧରି ଏକତ୍ର ରହିଆସୁଥିଲେ ଉକ୍ତ ଅଭିନେତା ଜଣଙ୍କ  ।

ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କରେ ମଧ୍ୟ ଯୁବକ ଜଣଙ୍କ ରହିଆସୁଥିବା ଅଭିଯୋଗ ହୋଇଛି  । ସେପଟେ ଏତେ ଦିନର ସମ୍ପର୍କରେ ରହିବା ସ୍ୱତେ ଯୁବତୀଙ୍କୁ  ଯୁବକ ଜଣଙ୍କ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଯୁବତୀ  । ପରେ ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

କରୋନାର ନୂଆ ଭାରିଆଣ୍ଟ ବିରୋଧରେ କୋଭିସିଲ୍ଡ କେତେ ପ୍ରଭାବୀ?

ନୂଆଦିଲ୍ଲୀ: କରୋନା ପୁଣି ଥରେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରୁଥିବା ବେଳେ ଏହାର ନୂଆ ଭାରିଆଣ୍ଟ କୁହାଯାଉଥିବା ଓମିକ୍ରନ୍ ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ନୂଆ ଭାରିଆଣ୍ଟ ଆସିବା ପରେ ଆମେ ନେଇଥିବା ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନ କେତେ କାମ ଦେଉଛି? ଏହି ଟିକା କରୋନାର ନୂଆ ଭାରିଆଣ୍ଟ ସହ ଲଢିପାରୁଛି ତ?

ଏ ନେଇ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, କୋଭିସିଲ୍ଡର ଉଭୟ ଡୋଜ୍ ଓମିକ୍ରନ ବିରୋଧରେ ପ୍ରଭାବଶାଳୀ ନୁହେଁ ।  ଏହା ପୂର୍ବରୁ ସମାନ ରିପୋର୍ଟ କୋଭାକ୍ସିନକୁ ନେଇ ବି ଆସିଥିଲା ।

ଏକ ଅଧୟନରୁ ଏହା ଜଣାପଡ଼ିଛି ଯେ, କୋଭିସିଲ୍ଡର ଦୁଇଟି ଡୋଜ ନେଇଥିବା ବ୍ୟକ୍ତି ମଧ୍ୟ ଓମିକ୍ରନର ଶିକାର ହେଉଛନ୍ତି । ଏହାର ନୂଆ ଭାରିଆଣ୍ଟ BA-1 ଶରୀରର ଆଣ୍ଟିବଡିକୁ ପ୍ରଭାବିତ କରୁଛି । ଏହାରି ଭିତରେ କୋଭିସିଲ୍ଡ ଏବଂ କୋଭାକ୍ସିନର ଉଭୟ ଡୋଜ ନେଇଥିବା ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇଯିବା ଉଚିତ ବୋଲି ଆଇସିଏମଆରର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।  ଯଦି ବ୍ୟକ୍ତି ବୁଷ୍ଟର ଡୋଜ୍ ନିଅନ୍ତି ତାହାଲେ ଶରୀରର ଆଣ୍ଟିବଡି ଏହି ଭାରିଆଣ୍ଟ ଉପରେ ପ୍ରଭାବ ପକାଇପାରେ ।

SBI ଗ୍ରାହକ ସାବଧାନ! କିଛି ବୁଝିବା ଆଗରୁ ଚୁଟକିରେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ଆପଣ ଏସବିଆଇ ଗ୍ରାହକ କି? ଆପଣଙ୍କ ପାଖକୁ ବାରମ୍ବାର ଅଜଣା ନମ୍ବରରେ କଲେ ଆସୁଛି କି? ତେବେ ସାବଧାନ। କିଛି ବୁଝିବା ଆଗରୁ, ଚୁଟକିରେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ। ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକମାନଙ୍କ ପାଇଁ ଜାରି କରିଛି ଏକ ଆଡ଼ଭାଇଜାରୀ। ଯେଉଁଥିରେ କୁହାଯାଇଛି ଯେ ଏହି ଦୁଇଟି ନମ୍ବରରୁ କଲ ଆସୁଥିଲୋ ଆଦୌ ଉଠାନ୍ତୁ ନାହିଁ।  ଆଉ ଯଦି ଆପଣ ଏହି ଉଠାଇବେ ତେବେ ବଡ଼ ଅସୁବିଧାରେ ପଡିପାରନ୍ତି।

ଏସବିଆଇ ପକ୍ଷରୁ ସତର୍କତା ଜାରି କରାଯାଇଥିବା ଦୁଇଟି ନମ୍ବର ହେଉଛି ‘8294710946’ ଏବଂ 7362951973।  ଇମେଲ ସମେତ ଏସଏମଏସ, ଟ୍ୱିଟ୍ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଏସବିଆଇ ଲୋକଙ୍କୁ ଏହି ୨ଟି ନମ୍ବର ନେଇ ସଚେତନ କରିଛି। ବ୍ୟାଙ୍କ କହିଛି ଯେ ଏଥିରେ ବ୍ୟାଙ୍କର ନାମ ବ୍ୟବହାର କରି ଲୋକଙ୍କୁ ଠକାଯାଉଛି।

ଏସବିଆଇର କହିବା ଅନୁଯାୟୀ ଏହି ଦୁଇଟି ନମ୍ବରରୁ ଫୋନ କଲ କରି ସାଇବର ଠକମାନେ ବ୍ୟାଙ୍କର ନାମ ବ୍ୟବହାର କରି ଠକେଇ କରୁଛନ୍ତି। ସୂଚନା ମୁତାବକ ପ୍ରଥମେ ଏହି ଦୁଇଟି ନମ୍ବର ବାବଦରେ ସତର୍କ କରାଇଥିଲା ଆସାମ ସିଆଇଡି। ସିଆଇଡି ମୁତାବକ ଏସବିଆଇ ଗ୍ରାହକଙ୍କୁ ପ୍ରଥମେ କେୱାଇସିକୁ ଅପଡେଟ୍ କରିବା ପାଇଁ ଏହି ଦୁଇଟି ନମ୍ବରରୁ କଲ ଆସିଥାଏ। ଏବଂ ଏହାପରେ ଗ୍ରାହକଙ୍କ ଫୋନକୁ ଏକ ଲିଙ୍କ ଆସିଥାଏ। ଆଉ ଯଦି ଗ୍ରାହକ ଏହି ଲିଙ୍କ ଉପରେ ଭୁଲରେ ବି କ୍ଲିକ କରନ୍ତି, ତେବେ ତାଙ୍କ ଆକାଉଣ୍ଟରୁ ଟଙ୍କା ମୂଳପୋଛ ହୋଇଯିବ। ତେବେ ଏସବୁ ଆସାମ ସିଆଇଡି ଟ୍ୱିଟ୍ କରି ଲୋକଙ୍କୁ ସଚେତନ କରିଛି। ଟ୍ୱିଟରେ ସମସ୍ତ ଏସବିଆଇ ଗ୍ରାହକଙ୍କୁ ଏପରି କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍ ନକରିବାକୁ ଅନୁରୋଧ କରାଯାଇଛି।

ତେବେ ଏସବିଆଇ ମଧ୍ୟ ଏହି ଟୁଇଟକୁ ସମର୍ଥନ କରି ଗ୍ରାହକଙ୍କୁ ସେହି ୨ଟି ନମ୍ବରରୁ ଫୋନ ନ ଉଠାଇବାକୁ ଏବଂ କେୱାଇସି ଅପଡେଟ୍ ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛି। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଏପରି କୌଣସି ଲିଙ୍କରେ କ୍ଲିକ କରନ୍ତୁ ନାହିଁ ଯେଉଁଥିରେ ଏଟିଏମ୍ ପିନ୍, ସିଭିଭି ନମ୍ବର ବା ଓଟିପି ବାବଦରେ ତଥ୍ୟ ଦେବାକୁ କୁହାଯାଉଛି। ଆଉ ଯଦି ଆପଣ ଭୁଲରେ ବି ନିଜ ଏଟିଏମ ପିନ୍ କିମ୍ବା କୌଣସି ଓଟିପି ଶେଆର କରୁଛନ୍ତି ତେବେ ଆପଣ କିଛି ବୁଝିବା ଆଗରୁ ଆପଣଙ୍କ ଆକାଉଣ୍ଟରେ କଳା କନା ବୁଲାଇସାରିଥିବେ ସାଇବର ଲୁଟେରା। ଆଖି ପିଛୁଲାକେ ଆପଣଙ୍କ ଜମା ପୁଞ୍ଜୀ ଚାଲିଯିବ ସାଇବର ଠକଙ୍କ ହାତକୁ।