ନିଦରେ ଶୋଇଥିଲେ ନିଆଁ ଲାଗିଗଲା, ଜଳିଗଲେ ମା ଓ ୨ ଶିଶୁ

ମୟୂରଭଞ୍ଜ: ଶୋଇଥିବା ବେଳେ ଘରେ ଲାଗିଲା ନିଆଁ , ୩ ଜୀବନ୍ତ ଦଗ୍ଧ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁର ଢ଼ିପାସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ନିଆଁ ଲାଗି ମା ସହ ୨ ଶିଶୁ ଜୀଅନ୍ତା ଜଳିଯାଇଛନ୍ତି । ଗୁରୁବାର ରାତି ପ୍ରାୟ୨ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଛି । ପରିବାର ଲୋକେ ଗଭୀର ନିଦରେ ଶୋଇ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

ନିଆଁ ଲାଗିଥିବା ସୂଚନା ପାଇ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ମା ଓ ୨ ଶିଶୁଙ୍କ ଜୀବନ ଚାଲିଯାଇଥିଲା । ଅଗ୍ନିକାଣ୍ଡରେ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା ବେଳେ ପୋଲିସ ସନ୍ଦେହରେ ମଙ୍ଗଲକୁ ଝାରପୋଖରିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ।

ମୃତକମାନେ ହେଲେ ମଙ୍ଗଲ ମାର୍ଣ୍ଡିଙ୍କ ପତ୍ନୀ ସୁରୁକୁନି ମାର୍ଣ୍ଡି , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି । ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିବା ବେଳେ ଘରୋଇ କଳି ଯୋଗୁ ସେ ତାଙ୍କୁ ଛାଡ଼ିଦେଇ ଦ୍ଵିତୀୟ ବିବାହ କରିଥିଲେ । ବାରିପଦାରୁ ସାଇଣ୍ଟିଫିକ ଟିମ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯିବ ।