ପୋଲିସକୁ ଫୋନ୍ କରି ଯୁବକ ମଗାଇଲେ ଚିଲ୍ଡ ବିୟର !

1 min read

ତେଲେଙ୍ଗାନା: ରାତି ଅଧରେ ୧୦୦ ନଂରେ ଡାଏଲ୍ କରି  ପୋଲିସକୁ ଡାକିଲେ । ପୋଲିସ ବାବୁ ମଧ୍ୟ ଆସି ପହଞ୍ଚିଗଲେ । ତା’ ପରେ କହିଲେ ମୋତେ ଗୋଟେ ଚିଲ୍ଡ ବିୟର ଦରକାର । ଯୁବକଙ୍କ କଥା ଶୁଣି ପୋଲିସ ବି ତାଜୁବ । ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ବିକାରାବାଦ ସହରରେ ।

ସୂଚନା ଅନୁଯାୟୀ, ବିଳମ୍ବିତ ରାତି ପ୍ରାୟ ୨ଟା ୩୦ମି. ବେଳକୁ ବିକାରାବାଦ ପୋଲିସ କଣ୍ଟ୍ରୋଲ୍ ରୁମକୁ ଏକ ଫୋନ୍ କଲ୍ ଆସିଥିଲା । ପୋଲିସ ଫୋନ୍ ଉଠାଇବା ବେଳକୁ ସାମ୍ନାପଟୁ ମଧୁ ନାମକ ଜଣେ ବ୍ୟକ୍ତି କହିଥିଲେ- ମୋତେ ସାହାଯ୍ୟ କରନ୍ତୁ । ଘଟଣା ସମ୍ପର୍କରେ ମୁଁ ଫୋନରେ କହିପାରିବିନି, ଆପଣ ମୋ ଘରକୁ ଆସନ୍ତୁ । ତତକ୍ଷଣାତ୍ ଜଣେ ପୋଲିସ ବାବୁ ସମ୍ପୃକ୍ତ ଯୁବକ ରହୁଥିବା ଦୌଲତାବାଦ ସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ମଧୁ କନଷ୍ଟେବଳଙ୍କୁ କହିଥିଲେ- ମୋ ପାଇଁ ଦୁଇଟି ଚିଲ୍ଡ ବିୟର ଆଣିଦିଅନ୍ତୁ । ଯାହାକୁ ଶୁଣି ଚକିତ ହୋଇପଡିଲେ କନଷ୍ଟେବଳ ଜଣକ । ତା’ପରେ ସେ ମଧୁକୁ ପିଟିବା ସହ ତା’ ବିରୋଧରେ ମାମଲା ରୁଜୁ କରିଥିବା ନେଇ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ରିପୋର୍ଟ ଅନୁସାରେ ମଧୁ ସମ୍ପୂର୍ଣ୍ଣ ନିଶାଗସ୍ତ ଥିଲେ ।

ମୋ ସ୍ତ୍ରୀ ମଟନ ରୋଷେଇ କରୁନି

ତେବେ ଏଭଳି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଳାର ବାସିନ୍ଦା ନବୀନ ମଧ୍ୟ ୧୦୦ ନଂକୁ କଲ୍ କରି କହିଥିଲେ ସ୍ଥିତି ସାଂଘାତିକ ରହିଛି । ଏପରିକି ସେ ପୋଲିସକୁ ୬ ଥର କଲ୍ କରିଥିଲେ । ଯେତେବେଳେ ପୋଲିସ ନବୀନ ଘରେ ପହଞ୍ଚିଲେ ସେତେବେଳେ ନବୀନ ନିଶାରେ ଚୂର ଥିଲା  ଏବଂ କହିଥିଲା ମୋ ସ୍ତ୍ରୀ ମୋ ପାଇଁ ମଟନ୍ ରୋଷେଇ କରୁନାହିଁ । ପରେ ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ତାକୁ ହେପାଜତରେ ନେଇଥିଲା । କିନ୍ତୁ ପରେ ଛାଡି ଦେଇଥିଲା ।

ମୋ ପ୍ରେମିକ କଥା ହେଉନାହିଁ

ସେହିଭଳି ଗତ ବର୍ଷ ମଧ୍ୟପ୍ରଦେଶର ଛିନ୍ଦୱାରାରେ ଜଣେ ମହିଳା ୧୦୦ ନଂକୁ ଡାଏଲ କରି ପୋଲିସର ସାହାଯ୍ୟ ଲୋଡିଥିଲେ । ଆଉ କହିଥିଲେ ମୋ ପ୍ରେମିକ ରାଗିଛନ୍ତି ଏବଂ ମୋ ସହ କଥାବାର୍ତ୍ତା କରୁନାହାଁନ୍ତି । ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ତାଙ୍କ ପ୍ରେମିକ ସହିତ କିଛି କଥାରେ ଝଗଡା କରିଥିଲେ। ମହିଳାଙ୍କ ସମସ୍ତ ଚେଷ୍ଟା ସତ୍ୱେ ପ୍ରେମିକ ଜଣକ ତାଙ୍କ ସହ କଥା ହୋଇନଥିଲେ, ଯାହାପରେ ସାହାଯ୍ୟ ପାଇଁ ସେ ୧୦୦ ନମ୍ବରକୁ ଡାଏଲ କରିଥିଲେ।