ଫେରିବ ତାତି: ଆସନ୍ତା ୨ ଦିନରେ ୩ ରୁ ୪ ଡିଗ୍ରୀ ବଢିବ ତାତି

ଭୁବନେଶ୍ୱର: କିଛି ଦିନରେ ବିରତି ପରେ ପୁଣି କଲବଲ କରିବ ତାତି । ଗତକାଲିଠୁ ରାଜ୍ୟରେ ପାଗ ବଦଳିଥିବାବେଳେ ଆଜିଠୁ ତାପମାତ୍ରାରେ ବୃଦ୍ଧି ଘଟିବ । ବାତ୍ୟା ପ୍ରଭାବରେ ଉପାନ୍ତରୁ ଉପକୁଳ ସବୁଠି ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା କମିଥିଲା । ଏବେ ଆସନ୍ତା ୨ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୫ ତାରିଖ ବେଳକୁ ସ୍ବାଭାବିକ ଠାରୁ ଉପରମୁହାଁ ହେବ ପାରଦ । ଉପକୂଳ ଓଡିଶାରେ ତାପମାତ୍ରା ୪୦ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି । ୧୬ ତାରିଖରୁ ରାଜ୍ୟର ଅଧିକାଂଶ ସହରରେ ୪୦ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହେବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ମଧ୍ୟ ରହିଛି ।

୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ବା କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଏଥର ସଅଳ ଆସିବ ମୌସୁମୀ । ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ହେବ ମୌସୁମୀ । ଏଥିପାଇ ପାଣିପାଗ ଅନୁକୁଳ ରହିଛି । ବିଗତ ବର୍ଷ ଅନୁସାରେ ୫ ଦିନ ପୂର୍ବରୁ ହେବ ସକ୍ରିୟ ।