spot_img
Home Blog Page 4396

ଘରୁ ଭିଡ଼ି ଆଣି ଦଳି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ନୀଳମଣି ସେଣଙ୍କ ମୃତ୍ୟୁ

ଟାଙ୍ଗୀ: ଘରୁ ଭିଡ଼ି ଆଣି ଦଳି ଦେଲା ଦନ୍ତା । ଗୁରୁତର ଅବସ୍ଥାରେ ମେଡିକାଲରେ ୫୮ ବର୍ଷୀୟ ନୀଳମଣି ସେଣ ମୃତ । ମୃତ ନୀଳମଣିଙ୍କ ଘର ଟାଙ୍ଗୀ ଥାନା ଜରିପୁଟ ଗାଁରେ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜର ଜରିପୁଟ ଗାଁରେ ଗତକାଲି ରାତିରେ ନୀଳମଣି ସେଣ ଘରେ ଖାଇସାରି ଦାଣ୍ଡ ଘରେ ଥିବାବେଳେ ଗୋଟିଏ ଗୋଠ ଛଡା ଦନ୍ତା ହାତୀ ତାଙ୍କ ଘରେ ପଶି ନୀଳମଣିଙ୍କୁ ଶୁଣ୍ଢରେ ଭିଡ଼ି ଆଣି କଚାଡ଼ି ଦେଇଥିଲା । ନୀଳମଣିଙ୍କ ଚିତ୍କାର ଶୁଣି ପରିବାର ଲୋକେ ହୋ ହାଲ୍ଲା କରିବାରୁ ହାତୀଟି ନୀଳମଣିଙ୍କୁ ଛାଡି ପଳାଇ ଯାଇଥିଲା ।

ତେବେ ଏହି ଘଟଣାର ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନୀଳମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ନୀଳମଣିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ନୀଳମଣିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଐଶ୍ବର୍ଯ୍ୟଶାଳୀ ହେବ

ମେଷ: ଦିନଟି ଆପଣଙ୍କ ପାଇଁ ଐଶ୍ବର୍ଯ୍ୟଶାଳୀ ହେବେ । ନିଜ ଭାଗ୍ୟର ନିର୍ମାତା ନିଜେ ହୋଇପାରନ୍ତି। ବହୁ ଭୂସମ୍ପତ୍ତିଯୁକ୍ତ ହେବେ। ତେଜୀୟାନ୍‌ ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ପ୍ରବକ୍ତା ଓ ଭାଷ୍ୟକାର ହେବା ଆଶା କରାଯାଏ।

ବୃଷ: ଆଜି ଆପଣ ଧନବାନ୍‌ ହେବେ । ରାଜସେବକ ହୋଇପାରନ୍ତି ଏବଂ ବୁଦ୍ଧିମାନ୍‌ ହେବେ। ସ୍ବାଭିମାନୀ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ସଜ୍ଜନମାନଙ୍କର ପ୍ରିୟପାତ୍ର ହେବେ। ପତ୍ନୀ ଭାଗ୍ୟ ନିୟନ୍ତ୍ରଣର କର୍ତ୍ତ୍ରୀ ହୋଇପାରନ୍ତି।

ମିଥୁନ: ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଶକ୍ତିମାନ୍‌ ହେବେ। ରଣକ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରିବେ। ଶତ୍ରୁଦମନରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ।

କର୍କଟ: ଆଉ ଆଜି ନିରୋଗ ରହିବେ । ସୁସ୍ଥ ଓ ନିରାମୟରେ ଦିନଟି କଟିବ । ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ପରୋପକାରୀ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିପାରନ୍ତି। ସାହସୀ ହେବେ।

ସିଂହ: ଆଜି ଆପଣ ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ମଧ୍ୟ ହେବେ। ଆଜି ଆପଣ ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। ବହୁବିଦ୍ୟାରେ ପାରଙ୍ଗମ ହେବେ।

କନ୍ୟା: ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ଶ୍ରମସାର୍ଥକ ହେବ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାଭାବ ରହିବ।

ତୁଳା: ଦିନଟି ଆପଣଙ୍କ ପାଇଁ ସୁସ୍ଥ ଓ ନିରାମୟ ରହିବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଭୋଗ ବିଳାସରେ ବୁଡ଼ି ରହିପାରନ୍ତି। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା: ଆଜି ଆପଣ ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ।

ଧନୁ: ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ବରିଷ୍ଠ ଓ ବଦାନ୍ୟ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ।

ମକର: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

କୁମ୍ଭ: ଆଜି କର୍ମ କ୍ଷେତ୍ରରେ କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ବିଦ୍ୟାଭ୍ୟାସୀ ହେବେ। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ।

ମୀନ: ଆଜି ଆପଣ ଦାନଶୀଳ ହୋଇପାରନ୍ତି । ଉଦାର ପ୍ରକୃତିର ହେବେ। ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ଲାଭଦାୟକ ହେବ। ଯାନବାହନ ସୁଖ ମିଳିବ। ବୁଦ୍ଧିମାନ ହେବେ।

ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

ମୁମ୍ବାଇ: ବିଜୟ ଧାରା ଜାରି ରଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଗତକାଲି ଇଣ୍ଡିଆନ ପ୍ରମିୟର ଲିଗର ୧୫ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ଲାଭ କରିଛି ଲକ୍ଷ୍ନୌ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦମଦାର କମବ୍ୟାକ କରି ଲଗାତର ତିନୋଟି ମ୍ୟାଚରେ ଜିତିଛି ଲକ୍ଷ୍ନୌ । ଏହି ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଚଳିତ ଆଇପିଏଲରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ପ୍ରଥମ ସ୍ଥାନରେ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ସେହିପରି ଗୁଜୁରାଟ ଟାଇଟନ୍ସ ଲଗାତର ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଯାଇଥିବା ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୧୪୯ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ପୃଥ୍ୱୀ ଶ’ ୬୧ ରନ କରିଥିବାବେଳେ ଅଧିନାୟକ ରିଷଭ ପନ୍ତ ୩୬ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଶ୍ନୋଇ ୨ ଓ୍ୱିକେଟ ଅକ୍ତିଆର କରିଥିଲେ ।

୧୫୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦୁଇଟି ବଲ ବାକି ଥାଇ ଏହି ବିଜୟ ହୋଇଥିଲା । ଲକ୍ଷ୍ନୌ ପକ୍ଷରୁ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱାଣ୍ଟିନ ଡି’କକ୍ ୮୦ ରନ, କେଏଲ ରାହୁଲ ୨୪ ଓ କ୍ରୁନାଲ ପାଣ୍ଡ୍ୟା ୧୯ ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ଦୁଇଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ବିଜୟ ସହ ଲକ୍ଷ୍ନୌ ଲଗାତର ଭାବରେ ତିନୋଟି ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।

ଜରୁରୀକାଳୀନ ଅବତରଣ ବେଳେ ଦୁଇଖଣ୍ଡ ହୋଇଗଲା ବିମାନ

ସାନଜୋସ୍: ମଧ୍ୟ ଆମେରିକାରେ ଥିବା କୋଷ୍ଟରିକା ଠାରେ ଗୁରୁବାର ଦିନ ଏକ ଭୟଙ୍କର ପ୍ଲେନ କ୍ରାସ ହୋଇଛି । ଏଥିରେ ଜରୁରୀକାଳୀନ ଅବତରଣ କରିବା ବେଳେ ପଣ୍ୟବାହୀ ବିମାନ ଦୁଇଖଣ୍ଡ ହୋଇଯାଇଛି । ତେଣୁ ସାନ୍‌ଜୋସ୍‌ସ୍ଥିତ ଜୁଆନ୍‌ ସାନ୍ତାମାରିଆ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା । ଆଉ ଏହି ଦୁର୍ଘଟଣାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଗୁରୁବାର ଦିନ କୋଷ୍ଟରିକାର ଜୁଆନ୍‌ ସାନ୍ତାମାରିଆ ଆନ୍ତର୍ଜାତିକ ଏୟାରପୋର୍ଟରେ ଦୁର୍ଘଟଣା ହୋଇଥିଲା । କୁହାଯାଉଛି ଡିଏଚଏଲର କାର୍ଗୋ ପ୍ଲେନ ବା ପଣ୍ୟବାହୀ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି କରାଣରୁ ଏହି ଏୟାର ପୋର୍ଟରେ ବିମାନର ଜରୁରୀକାଳୀନ ଅବତରଣ ହୋଇଥିଲା ଏବଂ ଏହି ସମୟରେ ହିଁ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିଲା ।

ପ୍ରଖ୍ୟାତ ଜର୍ମାନ୍‌ ପରିବହନକାରୀ କମ୍ପାନି ‘ଡିଏଚ୍‌ଏଲ୍‌’ର ବୋଇଙ୍ଗ୍‌ ୭୫୭-୨୦୦ ପଣ୍ୟବାହୀ ବିମାନଟି ରନ୍‌ୱେରୁ ଖସିଯିବା ସହ  ଘୂରି ଘୂରି ପଛ ଚକା ପାଖରୁ ଦୁଇଗଡ଼ ହୋଇ ଭାଙ୍ଗିଯାଇଥିଲା। କିନ୍ତୁ, ବିମାନରେ ଥିବା ପାଇଲଟ୍‌ ଓ ସହକାରୀ ପାଇଲଟ୍‌ ନିରାପଦରେ ବାହାରି ଆସିଛନ୍ତି ବୋଲି କୋଷ୍ଟାରିକା ଦମକଳ ବିଭାଗର ମୁଖ୍ୟ ହେକ୍ଟର୍‌ ସାଭେସ୍‌ କହିଛନ୍ତି । ଡାକ୍ତରୀ ପରୀକ୍ଷା ନିମନ୍ତେ ଗୁଏଟେମାଲାର ସେ ପାଇଲଟ୍‌ ଦୁଇଜଣଙ୍କୁ ହସ୍ପିଟାଲ୍‌ ପଠାଇ ଦିଆଯାଇଛି ବୋଲି ଗିଡୋ ଭାସ୍‌କ୍ବେଜ୍‌ ନାମରେ ଜଣେ ‘ରେଡ୍‌ କ୍ରସ୍‌’ କର୍ମୀ କହିଛନ୍ତି।

ପୂର୍ବାହ୍ନ ପ୍ରାୟ ୧୦.୩୦ରେ ଉକ୍ତ ବିମାନଟି ସାନ୍‌ଜୋସ୍‌ ବାହାରେ ଥିବା ଜୁଆନ୍‌ ସାନ୍ତାମାରିଆ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ୨୫ ମିନିଟ୍‌ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ ପାଇଁ ବାଧ୍ୟ ହୋଇଥିଲା। ବିମାନରେ ହା‌ଇଡ୍ରୋଲିକ୍‌ ସମସ୍ୟା ଦେଖା ଦେଇଥିବା କଥା ପାଇଲଟ୍‌ମାନେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କୁ ସୂଚନା ଦେଇଥିଲେ। ଏଥିଯୋଗୁଁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବିମାନ ବନ୍ଦର ବନ୍ଦ ରହିଥିଲା।

ୟୁକ୍ରେନର ବିଭିନ୍ନ ସହରରେ ଜାରି ରହିଛି ଲଢ଼େଇ, ବୁଚା ଗଣହତ୍ୟାକୁ ଅସ୍ୱୀକାର କରୁଛି ଋଷ

କିଭ୍: ୪୪ ଦିନରେ ଋଷ-ୟୁକ୍ରେନ ୱାର । ୟୁକ୍ରେନର ବିଭିନ୍ନ ସହରରେ ଜାରି ରହିଛି ଲଢ଼େଇ । ସେପଟେ ନିଜ ସୈନ୍ୟବାହିନୀର ବ୍ୟାପକ କ୍ଷତି ଘଟିଛି ବୋଲି ପ୍ରଥମ ଥର ପାଇଁ ସ୍ବୀକାର କରିଛି ଋଷ । କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ କହିଛନ୍ତି- ଯୁଦ୍ଧରେ ଋଷର ବ୍ୟାପକ କ୍ଷତି ଘଟିବା ସହ ଅନେକ ସୈନ୍ୟ ମୃତାହତ ହୋଇଛନ୍ତି । ତେବେ ଯୁଦ୍ଧରେ କେତେ ସଂଖ୍ୟକ ସୈନ୍ୟ ପ୍ରାଣ ହରାଇଛନ୍ତି ବା ଆହତ ହୋଇଛନ୍ତି ସେ ସମ୍ପର୍କରେ ତଥ୍ୟ ଦେଇନାହାଁନ୍ତି ପେସକୋଭ । ଏହାସହ ବୁଚା ସହରରେ ଋଷ ଗଣହତ୍ୟା ଘଟାଇନାହିଁ ଏବଂ ଏହା ଏକ ଅପପ୍ରଚାର ବୋଲି ସେ କହିଛନ୍ତି ।

ଗତ ମାର୍ଚ୍ଚରେ ଋଷର ୧ ହଜାର ୩୫୧ ସୈନ୍ୟ ପ୍ରାଣ ହରାଇବା ସହ ୩ ହଜାର ୮୨୫ ସୈନ୍ୟ ଆହତ ହୋଇଛନ୍ତି ବୋଲି କହିଥିଲା ଋଷ । ତେବେ ହାର୍ ମାନିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରସ୍ତୁତ ନୁହନ୍ତି ଏବଂ ସେ ଯୁଦ୍ଧ ଲାଗି ସୈନ୍ୟମାନଙ୍କୁ ନେଇ ନୂଆ ରଣନୀତି କରୁଛନ୍ତି ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ରିବେକା କଫଲର । ଜାତିସଂଘ ମାନବାଧିକାର ପରିଷଦରୁ ଋଷ ବହିଷ୍କୃତ ହେବାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଗତକାଲିର ଭୋଟରେ ଏହି ପ୍ରସ୍ତାବ ସପକ୍ଷରେ ୯୩ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ମିଳିଥିଲା ୨୪ଟି ଭୋଟ । ୫୮ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ । ତେଣେ ଋଷ ସହ ସାଧାରଣ ବାଣିଜ୍ୟଗତ ସମ୍ପର୍କର ଅନ୍ତ ନେଇ ଆମେରିକା କଂଗ୍ରେସରେ ପ୍ରସ୍ତାବ ଗୃହୀତ ହୋଇଛି । ତନମଧ୍ୟରେ ରହିଛି ତୈଳ ଆମଦାନୀ । ଋଷ ସମେତ ଏହାର ମୁଖ୍ୟ ସହଯୋଗୀ ବେଲାଋଷ ବିରୋଧରେ ବି ସମଧରଣର ପଦକ୍ଷେପ ନିଆଯାଇଛି ।

ଆମଦାନୀ ଉପରେ ଥିବା ଶୁଳ୍କ ପରିମାଣକୁ ବହୁଗୁଣ ବଢ଼ାଇ ଦିଆଯାଇଛି । ଫଳରେ ଉଭୟ ଦେଶର ବାଣିଜ୍ୟ ଯଥେଷ୍ଟ କ୍ଷତିଗ୍ରସ୍ତ ହେବ । ଋଷଠାରୁ ଆମେରିକା ଗତ ୨୦୨୧ରେ ୧୭ଦଶମିକ ୫ ବିଲିୟନ ଡଲାରର ତୈଳ ସମେତ ୩୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା । ମାତ୍ର କଟକଣା ଯୋଗୁ ଏହି ଆମଦାନୀ ବ୍ୟାପକ ହ୍ରାସ ପାଇବ । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଏହି ଯୁଦ୍ଧରେ ୟୁକ୍ରେନର ବିଭିନ୍ନ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଉପରେ ୧୦୦ରୁ ଅଧିକ ଥର ହମଲା କରାଯାଇଛି । ଏହି ସବୁ ଘଟଣାରେ ୭୩ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ଆଜି ନେତ୍ର ଉତ୍ସବ, ଆସନ୍ତାକାଲି ଗଡ଼ିବ ଅଣଲେଉଟା ରୁକୁଣା ରଥ

ଭୁବନେଶ୍ୱର: ଆଜି ନେତ୍ର ଉତ୍ସବ । ପ୍ରତିଷ୍ଠା ହେବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୨୦ ତାରିଖଠାରୁ ରଥଖଳାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦଶପଲ୍ଲାରୁ ରଥ କାଠ ଆସିବା ପରେ ୫୫ ଜଣ ମହାରଣା ସେବାୟତ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି । ଆସନ୍ତାକାଲି ଗଡ଼ିବ ବାବାଙ୍କ ଅଣଲେଉଟା ରୁକୁଣା ରଥ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ ।

ଆସନ୍ତାକାଲି ଆଶୋକାଷ୍ଟମୀରେ ପରମ୍ପରା ଓ ନୀତିକାନ୍ତି ସହ ପହଣ୍ଡି ପରେ ଅପରାହ୍ନ ସାଢ଼େ ୩ଟାରେ ରଥଟଣା । ୫ ଦିନ ବ୍ୟାପୀ ହେବାକୁ ଥିବା ରୁକୁଣା ରଥଯାତ୍ରା ହେବାକୁ ଥିବାବେଳେ ୧୩ ତାରିଖରେ ହେବ ବାହୁଡ଼ା । ଦୁଇବର୍ଷ ପରେ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଶ୍ରଦ୍ଧାଳୁଙ୍କୁ ମିଳିବ ରଥ ଟାଣିବାର ସୁଯୋଗ । କରୋନା କଟକଣା ଯୋଗୁଁ ୨୦୨୦ରେ ଶେଷ ମୂହୁର୍ତ୍ତରେ ରଥଯାତ୍ରାକୁ ବନ୍ଦ କରିଥିଲା ପ୍ରଶାସନ । ୨୦୨୧ରେ ବିନା ଭକ୍ତରେ ହୋଇଥିଲା ରଥଯାତ୍ରା । ଚଳିତ ବର୍ଷ ଭକ୍ତ ସାମିଲ ହେବାକୁ ଥିବାରୁ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା ।

ତାତି ସାଙ୍ଗକୁ କଲବଲ କରିବ କାଳବୈଶାଖୀ, ଆସନ୍ତାକାଲି ପର୍ଯ୍ୟନ୍ତ ୯ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଆଗକୁ ପ୍ରବଳ ତାତି ସାଙ୍ଗକୁ କଲବଲ କରିବ କାଳବୈଶାଖୀ । ଆସନ୍ତାକାଲି ପର୍ଯ୍ୟନ୍ତ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ପାଇଁ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ଫଳରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଆଜି ଓ ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ଗଜପତି ଆଦି ଜିଲ୍ଲାରେ ବର୍ଷା ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାକୁ ତାତିରୁ ମିଳିବନି ମୁକ୍ତି । ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଆକଳନ କରାଯାଇଛି । ବିଶେଷ କରି ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡ଼ା, ବୌଦ୍ଧରେ ତାପମାତ୍ରା ବୃଦ୍ଧି ପାଇବ । ସେପଟେ ଆଜି ଲଘୁଚାପର ରୂପ ନେଇପାରେ ଘୂର୍ଣ୍ଣିବଳୟ । ତେବେ ଏହା ଅଧିକ ଘନୀଭୂତ ହେବା ନେଇ ଆସନ୍ତାକାଲି ଭିତରେ ସ୍ପଷ୍ଟ ସୂଚନା ମିଳିପାରିବ ।

ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ

ବ୍ରହ୍ମପୁର: ଆଜି ବ୍ରହ୍ମପୁର ମହାନଗର ନିଗମ ପାଇଁ ହେବ ଡେପୁଟି ମେୟର ନିର୍ବାଚନ । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ । ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଗୋଟାଏ ୩୦ରୁ ୩ଟା ୩୦ ଭିତରେ ନିର୍ବାଚନ ଶେଷ ହେବ । ବିଜେଡି ପ୍ରାର୍ଥୀ ଡେପୁଟି ମେୟର ହେବା ପ୍ରାୟ ନିଶ୍ଚିତ ।

କାରଣ ନିଗମର ୪୨ଟି ଆସନରୁ ବିଜେଡି ୩୦, ବିଜେପି ୭, କଂଗ୍ରେସ ୧ ଓ ସ୍ବାଧୀନ ପ୍ରାର୍ଥୀ ୪ଟି ଆସନରେ ବିଜୟୀ ହୋଇଛନ୍ତି । ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ଡେପୁଟି ମେୟର ପଦ ଆସିବ । ଯଦି ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନ କରନ୍ତି ତେବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ ବିଜେଡି ପ୍ରାର୍ଥୀ । ସେପଟେ ଆସନ୍ତାକାଲି ଭୁବନେଶ୍ବର ମହାନଗର ପାଇଁ ହେବ ଡେପୁଟି ମେୟର ନିର୍ବାଚନ ।

ଋଷକୁ ଝଟକା: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରୁ ବିଦା ହେଲା

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଓ ବୁଚା ନରସଂହାର ଋଷକୁ ପଡିଲା ମହଙ୍ଗା । ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (UNHRC)ରୁ ବିଦା ହେଲା ଋଷ । UNHRCରୁ ଋଷକୁ ହଟାଇବା ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭା (UNGA)ରେ ପାରିତ । ଚଳିତ ଥର ବି ଭୋଟିଂରେ ଅଂଶ ଗ୍ରହଣ କଲାନି ଭାରତ । ଋଷ ବିରୋଧ ପ୍ରସ୍ତାବ ସପକ୍ଷରେ ୯୩ ଭୋଟ ପଡିଥିଲା । ପ୍ରସ୍ତାବ ବିରୋଧରେ ୨୪ ଦେଶ ଭୋଟ ଦେଇଥିବା ବେଳେ ୫୮ ଦେଶ ଭୋଟିଂରେ ଭାଗ ନେଇ ନଥିଲେ ।

ଋଷ ବିରୋଧରେ ଏହି ପ୍ରସ୍ତାବ ଆମେରିକା ଆଣିଥିଲା । ବୁଚା ନରସଂହାର ଚିତ୍ର ଆସିବା ପରେ ଆମେରିକା ରାଜଦୂତ ଲିଣ୍ଡା ଥମସ୍ ଗ୍ରୀନଫିଲ୍ଡ ଋଷକୁ ମାନବାଧିକାର ପରିଷଦରୁ ବାଦ ଦେବାକୁ UNGAରେ ବିଶେଷ ବୈଠକ ଡକାଇ ଥିଲେ ।

ଦ୍ବିତୀୟ ଦେଶ ଭାବେ ବିଦା ହେଲା ଋଷ

୨୦୦୬ରେ ସ୍ଥାପନ ହୋଇଥିବା UNHRCରୁ ବିଦା ହେବାରେ ଋଷ ହେଉଛି ଦ୍ବିତୀୟ ଦେଶ । ୨୦୧୧ରେ ଲିବିଆକୁ ଏଥିରୁ ନିଲମ୍ବନ କରାଯାଇଥିଲା ।

ପୁଣି ଭୋଟିଂରୁ ଦୂରେଇ ରହିଲା ଭାରତ

ୟୁକ୍ରେନ ବିରୋଧରେ ଯୁଦ୍ଧ ଘଷୋଣା ପରଠାରୁ ଭିନ୍ନ ଭିନ୍ନ ବିଶ୍ବ ମଞ୍ଚରେ ଋଷ ଘେରିବାକୁ ଚେଷ୍ଟା କରାଯାଇଛି । ପ୍ରତିଥର ଭାରତ ଏଥିରୁ ଦୂରେଇ ରହିଛି । ୟୁକ୍ରେନ ଆକ୍ରମଣ ପରଠାରୁ ଋଷ ବିରୋଧରେ ଆମେରିକା, ବ୍ରିଟେନ ଓ ୟୁରୋପୀୟ ଦେଶଙ୍କ ଦ୍ବାରା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ, ମହାସଭା ଓ ମାନବାଧିକାର ପରିଷଦରେ ଅଲଗା ଅଲଗା ସମୟରେ ୧୦ରୁ ଅଧିକ ପ୍ରସ୍ତାବ ଅଣାଯାଇଛି । ଏହି ସବୁ ପ୍ରସ୍ତାବରେ ଭୋଟିଂ ବେଳେ ଭାରତ ସାମିଲ ହୋଇନାହିଁ ।

ତୋଷାଳି ମେଳାରେ ମୁଖ୍ୟ ଶାସନ ସଚିବ: କାଇଁଚ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ

ଭୁବନେଶ୍ୱର: ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରଏକାଦଶ ସନ୍ଧ୍ୟାକୁ ପ୍ରଦୀପ ପ୍ରଜ୍ବଳନ ସହ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରି ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ପ୍ରଥମ କରି ତୋଷାଳି ମେଳାକୁ ସଫଳତାର ସହ ଆୟୋଜନ କରାଯିବା କ୍ଷତିଗ୍ରସ୍ତ ଶିଳ୍ପୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିବା କହିଛନ୍ତି । ଏହାସହ କାଇଁଚ ଶିଳ୍ପ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବ ଦେଇଥିଲେ ।

ସେ କହିଛନ୍ତି, ‘ପ୍ରଦର୍ଶନୀକୁ ପ୍ରତିଦିନ ହଜାର ହଜାର ଦର୍ଶକ ଆସୁଥିବାରୁ ଶିଳ୍ପୀ ଓ କାରିଗରଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ବହୁଗୁଣିତ ହୋଇଛି । କାଇଁଚ ଶିଳ୍ପ ଓଡ଼ିଶାର ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ । କାଇଁଚ ଶିଳ୍ପୀମାନେ ଦୈନିଦିନ ଜୀବନରେ ବ୍ୟବହାର୍ଯ୍ୟ ପଦାର୍ଥଠାରୁ ଆରମ୍ଭ କରି କାର୍ଯ୍ୟାଳୟ ଓ ବିଭିନ୍ନ ପ୍ରକାର ସାଜସଜ୍ଜାରେ ଆବଶ୍ୟକ ପଡ଼ୁଥିବା ଦ୍ରବ୍ୟ ଉତ୍ପାଦନ କରନ୍ତି । ଏହା ବେଶ୍ ଆକର୍ଷଣୀୟ ଏବଂ ଉପଯୋଗୀ । କାଇଁଚ ହସ୍ତଶିଳ୍ପକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚେଷ୍ଟା ଆରମ୍ଭ କରାଯାଇଛି । କେନ୍ଦ୍ରାପଡ଼ା କାଇଁଚ ଉତ୍ପାଦର ଜିଆଇ ଟ୍ୟାଗିଂ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।’

ସେ ଆହୁରି କହିଛନ୍ତି, ‘ହସ୍ତଶିଳ୍ପୀ ଓ କାରିଗରଙ୍କୁ ବର୍ଷ ତମାମ୍‌ ବଜାର ସୁଯୋଗ ଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ଏକାମ୍ର ହାଟରେ ସ୍ୱତନ୍ତ୍ର ଷ୍ଟଲ ପ୍ରତିଷ୍ଠା କରାଯାଇଛି । ପୁରୀ ଓ କୋଣାର୍କରେ ଥିବା ନୀଳାଚଳ ଓ କୋଣାର୍କ ହାଟକୁ ନବୀକରଣ କରାଯାଇ ବର୍ଷ ତମାମ୍‌ ଚାଲୁ କରାଯିବାର ବ୍ୟବସ୍ଥା କରାଯାଉଛି ।’

ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା କହିଛନ୍ତି, ‘କେନ୍ଦ୍ରାପଡ଼ାରେ ପ୍ରାୟ ୩ ହଜାର କାଇଁଚ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ମହିଳା । ଚିହ୍ନିତ ଶିଳ୍ପୀମାନଙ୍କୁ ଆଧୁନିକ କାଇଁଚ କଳା ବିଷୟରେ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୯୬୫ ଜଣଙ୍କୁ ତାଲିମ ଦିଆ ସରିଛି ଓ ୫୦୦ ଜଣ ତାଲିମ ନେଉଛନ୍ତି । ଅକ୍ଟୋବର ଶେଷ ସୁଦ୍ଧା ସମସ୍ତ ଚହ୍ନତ ଶିଳ୍ପୀଙ୍କୁ ତାଲିମ ଦିଆଯିବ ।’

ସୂଚନାଯୋଗ୍ୟ, ତୋଷାଳି ମେଳାରେ ଚଳିତବର୍ଷ ପ୍ରାୟ ୪୫୦ ଷ୍ଟଲରେ ବିଭିନ୍ନ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରୟ ହେଉଛି । ଓଡ଼ିଶା ସମେତ ପ୍ରାୟ ୨୪ଟି ରାଜ୍ୟରୁ କାରିଗର ଓ ବୁଣାକାର ନିଜ ନିଜ ଉତ୍ପାଦ ବିକ୍ରି କରୁଛନ୍ତି । ମୁଖ୍ୟ ଶାସନ ସଚିବ ମେଳାରେ ବିଭିନ୍ନ ଷ୍ଟଲ ବୁଲିବା ସହ ଶିଳ୍ପୀ ଓ ବୁଣାକାରମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଆଜି ସନ୍ଧ୍ୟାରେ ଗୁରୁ ଶତ୍ରୁଘ୍ନ ନାୟକ ଏବଂ ସାଥୀ କଳାକାର, ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟ ପ୍ରତିଭା’ ଓ ‘ବିନାରୀ ଓ୍ବେଲଫେୟାର ଅର୍ଗାନାଇଜେସନ୍‌’ର କଳାକାରମାନେ ଓଡ଼ିଶୀ, ଦେବଦାସୀ ଓ ମାହାରୀ ନୃତ୍ୟ ପରିବେଷଣ କରିଥିଲେ ।