ବାରବାଟୀରେ ମ୍ୟାଚ୍‌ ଆୟୋଜନ ନ କରିବା ନେଇ ଆବେଦନ ଖାରଜ

1 min read

କଟକ: ଟଳିଲା ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଆଶଙ୍କା । ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବା ଦର୍ଶାଇ ମ୍ୟାଚ ବନ୍ଦ କରିବା ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ଢେଙ୍କାନାଳର ସଞ୍ଜୟ ନାୟକ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ମ୍ୟାଚ ବନ୍ଦ କରାଯାଉ ବୋଲି ସଞ୍ଜୟ କୋର୍ଟରେ ଆବେଦନ କରିଥିଲେ ।

ମାମଲାରେ ରାଜ୍ୟ ସରକାର, ବିସିସିଆଇ, ଓସିଏ ସମେତ ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ତେବେ ଆଜିର ଏହି ଶୁଣାଣି ସମୟରେ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ଆଡଭୋକେଟ ଜେନେରାଲ । ଆଡଭୋକେଟ ଜେନେରାଲଙ୍କ ତଥ୍ୟରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରି ମାମଲା ଖାରଜ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ୧୨ ତାରିଖରେ ହେବ ହାଇଭୋଲଟେଜ୍ ମ୍ୟାଚ । ଏହି ଟି-୨୦ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ଼ ହେବା ସମ୍ଭାବନା ରହିଛି । ଏଥିପାଇଁ ଷ୍ଟାଡିୟମ ପରିସରରେ ୨ଟି କାଉଣ୍ଟର ସହ ଅସ୍ଥାୟୀ ଭାବେ ୫ଟି କାଉଣ୍ଟର କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ପ୍ରତି ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକେଟ୍ ମିଳିବ ।