ନୂପୁରଙ୍କ ପାଇଁ ବଢ଼ୁଛି ଅଡ଼ୁଆ; ମୁମ୍ୱାଇ ପୋଲିସ ପଠାଇବ ସମନ

1 min read

ମୁମ୍ୱାଇ: ବିବାଦୀୟ ମନ୍ତବ୍ୟ ପାଇଁ ଅଡୁଆରେ ବିଜେପିରୁ ନିଲମ୍ବିତ ନେତା ନୂପୁର ଶର୍ମା । ଏଥିପାଇଁ ତାଙ୍କୁ ମୁମ୍ବାଇ ପୋଲିସ ସମନ ପଠାଇବ । ବିବାଦୀୟ ମନ୍ତବ୍ୟ ନେଇ ପୋଲିସ ତାଙ୍କୁ ପଚରାଉଚରା କରିବ । ସାଉଥ ମୁମ୍ବାଇରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ନୂପୁର ଶର୍ମାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ଅନୁସାରେ ଏକ ଟେଲିଭିଜନ୍‌ ବିତର୍କରେ ନୂପୁର ଦେଇଥିବା ବୟାନର ଭିଡିଓ କ୍ଲିପ୍‌ ରହିଛି । ସେହି ଭିଡିଓ କ୍ଲିପ୍‌ରେ ନୂପୁର ଶର୍ମା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ।

ବିଜେପିର ପ୍ରବକ୍ତା ଥିବା ନୂପୁର ଶର୍ମାଙ୍କ ଏହି ବୟାନକୁ କେନ୍ଦ୍ରକରି ବିବାଦ ସୃଷ୍ଟି ହେବାପରେ ବିଜେପି ନୂପୁରଙ୍କ ଠାରୁ ନିଜକୁ ଦୂରେଇ ରଖି ତାଙ୍କୁ ଦଳରୁ ନିଲମ୍ବିତ କରିଛି । ସେପଟେ ଇରାନ, କୁଏତ, କାତାର ଏବଂ ପାକିସ୍ତାନ ସମେତ ଅନେକ ଦେଶ ବିଜେପି ନେତାଙ୍କ ଏହି ବିବାଦୀୟ ତଥା ଅଶାଳୀନ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ଭାରତ ସରକାର ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଜଣେ ମୁଖପାତ୍ର କହିବା ଅର୍ଥ ନୁହେଁ ଯେ ଏହାର ଭାରତ ସରକାରଙ୍କ ମତ । ଏଭଳି କଥାକୁ ଯିଏ ସମାଲୋଚନା କରୁଛି ତାହା ସଂକୀର୍ଣ୍ଣ ମାନସିକତା ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ଭାରତୀୟ ଜନତା ପାର୍ଟି ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଛି । ଏକ ଟିଭି ବିତର୍କରେ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଥିଲେ । ଯାହା ପରେ ଏହାକୁ ନେଇ ଅନେକ ବିରୋଧ ମଧ୍ୟ ହୋଇଥିଲା । ଏହି ବିବୃତ୍ତିରେ ଉତ୍ତେଜନା ପରେ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜେପି ନୂପୁର ଶର୍ମାଙ୍କ ସହ ଗଣମାଧ୍ୟମ ଦାୟିତ୍ୱରେ ଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରିଛି ।