ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ପାଇଁ ଚାଲିଛି ପ୍ରକ୍ରିୟା । ଇ. ବିବେକ୍ ରେଡ୍ଡି ହୋଇଛନ୍ତି ବିଜେଡିର ଡେପୁଟି ମେୟର ପ୍ରାର୍ଥୀ । ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଗୋଟାଏ ୩୦ରୁ ୩ଟା ୩୦ ଭିତରେ ନିର୍ବାଚନ ଶେଷ ହେବ । ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ଡେପୁଟି ମେୟର ହେବା ପ୍ରାୟ ନିଶ୍ଚିତ । କାରଣ ବ୍ରହ୍ମପୁର ମହାନଗର ନିଗମର ୪୨ଟି ଆସନରୁ ବିଜେଡି ୩୦, ବିଜେପି ୭, କଂଗ୍ରେସ ୧ ଓ ସ୍ବାଧୀନ ପ୍ରାର୍ଥୀ ୪ଟି ଆସନରେ ବିଜୟୀ ହୋଇଛନ୍ତି । ତେଣୁ ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ଡେପୁଟି ମେୟର ପଦ ଆସିବ । ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମର ମେୟର ଭାବେ ଶପଥ ନେଇଛନ୍ତି ସଂଘମିତ୍ରା ଦଳେଇ । ସେପଟେ ଆସନ୍ତାକାଲି ଭୁବନେଶ୍ୱର ମହାନଗର ପାଇଁ ହେବ ଡେପୁଟି ମେୟର ନିର୍ବାଚନ ।
ହଟସ୍ପଟ ପାଲଟିଛି ଚୀନର ସାଂଘାଇ ସହର, ତିଦିନ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ
ସାଂଘାଇ: ପୁଣି ଚୀନରେ କରୋନା ବିସ୍ଫୋଟ । ହଟସ୍ପଟ ପାଲଟିଛି ସାଂଘାଇ ସହର । ବଢୁଛି କରୋନାର ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ସ୍ଥିତି ବିଗିଡୁଛି । ଚୀନର ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ ସାଂଘାଇ ସହରରେ ସଂକ୍ରମଣ ଶୀର୍ଷ ଛୁଇଁଛି । ପ୍ରତିଦିନ ୨୦ ହଜାରରୁ ଅଧିକ କେସ୍ ଚିହ୍ନଟ ନେଇ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ । କଡ଼ା କଟକଣା, ସାମୂହିକ କୋଭିଡ୍ ପରୀକ୍ଷା, ସଂଗରୋଧ ସତ୍ତ୍ବେ ସଂକ୍ରମଣ କମିବାର ନାଁ ଧରୁନି । ଅଧିକ କେସ୍ ଲକ୍ଷଣହୀନ ଥିବାରୁ ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି ।

ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସହ ଚୀନ ଆର୍ମିର ମେଡିକାଲ ଷ୍ଟାଫଙ୍କୁ ମଧ୍ୟ କୋଭିଡ୍ ଡ୍ୟୁଟିରେ ସାମିଲ କରାଯାଇଛି । ସାଂଘାଇ ହସ୍ପିଟାଲରେ ମିଲିଟାରୀ ଡାକ୍ତର ନିଯୁକ୍ତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚୀନ ସରକାର ସାଂଘାଇ ସହରରେ ତିନି ଥର ସାମୂହିକ କୋଭିଡ୍ ଟେଷ୍ଟ କରାଇଥିଲେ ବି ଭୂତାଣୁକୁ କାବୁ କରାଯାଇପାରିନାହିଁ । ତେବେ କଡ଼ା ଲକଡାଉନ କଟକଣା ଯୋଗୁ ଖାଦ୍ୟ ଯୋଗାଣ ଅତ୍ୟଧିକ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପଟେ, ଦେଶରେ କିଛି ଦିନ ପରେ ପୁଣି ଏକ ହଜାର ଅତିକ୍ରମ କରିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୧,୧୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୩,୦୬୭କୁ ବୃଦ୍ଧି ପାଇଛି। ସେହିପରି ୧,୨୧୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୦,୦୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୫୭୩ରେ ପହଞ୍ଚିଛି।
ଇମ୍ରାନ ଖାନଙ୍କ ପୂର୍ବରୁ କେତେ ଜଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ ? ଜାଣନ୍ତୁ
ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏପ୍ରିଲ୍ ୩ରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଦେଶୀ ଷଡ଼ଯନ୍ତ୍ର ଦର୍ଶାଇ ଡେପୁଟି ସ୍ପିକର ଖାରଜ କରି ଦେଇଥିଲେ । ଯାହାକୁ ବିରୋଧ କରି ବିରୋଧୀ ସୁପ୍ରିମକୋର୍ଟ ଯାଇଥିଲେ । ଯାହା ଉପରେ ସୁପ୍ରମିକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯିବ । ଯଦି ଅନାସ୍ଥା ପ୍ରସ୍ତାବ ସଫଳ ହୁଏ ତ ନୂଆ ପ୍ରଧାନମନ୍ତ୍ରୀ ବଛାଯିବ ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି ।
ବିଶେଷ କଥା ହେଉଛି ଇମ୍ରାନ ପ୍ରଥମ ପ୍ରଧାନମନ୍ତ୍ରୀ ନୁହଁନ୍ତି ଯାହାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ତାଙ୍କ ପୂର୍ବରୁ ଏମିତି କେତେ ଜଣ ପ୍ରଧାନମନ୍ତ୍ରୀ ଥିଲେ ଯାହାଙ୍କ ବିରୋଧରେ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆସିସାରିଛି ।
ବେନାଜିର ଭୁଟ୍ଟୋଙ୍କ ଅନାସ୍ଥା ପ୍ରସ୍ତାବ
ଅନୁଭବି ପାକିସ୍ତାନୀ ନେତା ଜୁଲଫିକର ଅଲି ଭୁଟ୍ଟୋଙ୍କ ଝିଅ ବେନଜିର ପାକିସ୍ତାନର ପୁରୁଷ ପ୍ରାଧାନ୍ୟ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି ।
ତେବେ ଏହି ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିଥିବା ପ୍ରଥମ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ହେବା ପାଇଁ ବେନଜିର ଭୁଟ୍ଟୋ ହିଁ ଦାୟୀ ଥିଲେ । ୧୯୮୯ରେ ଭୁଟ୍ଟୋଙ୍କ ବିରୋଧରେ ପାକିସ୍ତାନର ପ୍ରଥମ ଅନାସ୍ଥା ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ବେନଜି ନିଜ ବିରୋଧରେ ସଂସଦୀୟ ପ୍ରକ୍ରିୟାରେ ଜିତିଥିଲେ ଏବଂ ସରକାର ବଜାୟ ରଖିବାରେ ସଫଳ ହୋଇଥିଲେ।
ସଂସଦର ୨୩୭ଜଣ ସଦସ୍ୟଙ୍କ ମଧ୍ୟରୁ ୧୦୭ଜଣ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିବାବେଳେ ୧୨୫ଜଣ ଭୁଟ୍ଟୋଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି ଏବଂ ପାଞ୍ଚଜଣ ଏଥିରୁ ନିବୃତ୍ତ ହୋଇଥିଲେ । ପ୍ରଥମ ଅନାସ୍ଥା ପ୍ରସ୍ତାବ ନୱାଜ ସରିଫହିଁ ଆଣିଥିଲେ ।
୨୦୦୬ରେ ଶୌକତ ଅଜିଜ୍
ପାକିସ୍ତାନ ଇତିହାସରେ ଦ୍ୱିତୀୟ ଅନାସ୍ଥା ପ୍ରସ୍ତାବ ୨୦୦୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶୌକତ ଅଜିଜଙ୍କ ବିରୋଧରେ ଅଣାଯାଇଥିଲା। ତଥାପି, ଶୌକତ ମଧ୍ୟ ଅନାସ୍ଥା ପ୍ରସ୍ତାବ ଭୋଟରୁ ବଞ୍ଚିଯାଇଥିଲେ । ୨୦୧ ଭୋଟ ସହିତ ସେ ତାଙ୍କ ସରକାର ବଜାୟ ରଖିବାରେ ସଫଳ ହୋଇଥିଲେ । ୨୦୦୪ ରେ ଅଜିଜ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।
ଦୁର୍ନୀତିର ଅଭିଯୋଗ ଆଧାରରେ ଅଜିଜଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଅଜିଜ ଏହି ଦାବିକୁ ଅସ୍ୱୀକାର କରି କହିଥିଲେ ଯେ, ବିରୋଧୀଦଳ “ନକାରାତ୍ମକ ରାଜନୀତି” କରୁଛନ୍ତି ।
ଏପର୍ଯ୍ୟନ୍ତ କୌଣସି ଅନାସ୍ଥା ପ୍ରସ୍ତାବ ସଫଳ ହୋଇନାହିଁ
ଇମ୍ରାନ ଖାନଙ୍କ ସମେତ ପାକିସ୍ତାନରେ ଏପର୍ଯ୍ୟନ୍ତ ସୁଧା ମୋଟ ୩ଜଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତିନୋଟି ଅନାସ୍ଥା ପ୍ରସ୍ତାବ ଆସିଛି । କିନ୍ତୁ ଏଥିରୁ କୌଣସିଟି ବି ଫଳପ୍ରଦ ହୋଇନାହିଁ। ଉଭୟ ବେନାଜିର ଭୁଟ୍ଟୋ ଏବଂ ଶୌକତ ଅଜିଜ ସଂଖ୍ୟାଗରିଷ୍ଠତା ସହ ବିଧାନସଭାରେ ସେମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଜିତିଥିଲେ।
ତେବେ ଅନାସ୍ଥା ପ୍ରସ୍ତାବରେ ଯଦି ଇମ୍ରାନ ଖାନ ପରାଜୟ ହୁଅନ୍ତୁ ତେବେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଯାହାଙ୍କ ବିରୋଧରେ ମହାଭିଯୋଗ ଆସିବ । ଯଦି ଆସନ୍ତାକାଲିର ଅନାସ୍ଥା ପ୍ରସ୍ତାବରେ ଇମ୍ରାନ ଖାନ ହାରିଯାଆନ୍ତି, ତେବେ ସେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଯିଏ ଅନାସ୍ଥା ପ୍ରସ୍ତାବ କାରଣରୁ ମହାଭିଯୋଗ ଚାଲିବ ।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଇତିହାସରେ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିପାରି ନାହାଁନ୍ତି ।
କୌଣସି ପ୍ରଧାନମନ୍ତ୍ରୀ ପାକିସ୍ତାନ ଇତିହାସରେ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିପାରି ନାହାଁନ୍ତି
ଦେଶର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ପରେ ଆରମ୍ଭ ହୋଇଥିଲା ଏହି ଦୌଡ଼ । ହତ୍ୟା ପରେ ମୁସଲିମ୍ ଲିଗ୍ ଏବଂ ଅନ୍ୟ ନେତାଙ୍କ ମଧ୍ୟରେ ଲଗାତାର କ୍ଷମତା ଦୌଡ଼ରେ ୧୯୫୧ ରୁ ୫୬ ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ଚାରିଜଣ ପ୍ରଧାନମନ୍ତ୍ରୀଙ୍କୁ ବଦଳା ଯାଇଥିଲା ।
କୁତବ ମିନାରରେ ରଖାଯାଇଥିବା ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ !
ନୂଆଦିଲ୍ଲୀ: କୁତବ ମିନାରରେ ରଖାଯାଇଥିବା ଭଗବାନ ଗଣେଶଙ୍କ ପ୍ରତିମାକୁ ନେଇ ବିବାଦ ବଢିବାରେ ଲାଗିଛି । ପୂର୍ବରୁ କୁହାଯାଇଥିଲା ଯେ ଏହି ମୂର୍ତ୍ତିଗୁଡ଼ିକୁ ସେଠାରୁ ହଟାଇ ଏକ ସମ୍ମାନଜନକ ସ୍ଥାନରେ ରଖାଯିବା ଉଚିତ, ବର୍ତ୍ତମାନ ବିଜେପି କାଉନସିଲର ଦାବି କରିଛନ୍ତି ଯେ ମୂର୍ତ୍ତିଗୁଡ଼ିକୁ କୁତବ ମିନାରରେ ହିଁ ଠିକ୍ ସ୍ଥାନରେ ରଖାଯିବା ଉଚିତ ଏବଂ ସେଠାରେ ହିଁ ଆଳତି ଓ ପୂଜାପାଠ କରାଯିବା ଉଚିତ୍ । ସୂଚନା ଅନୁସାରେ କୁତୁବ୍ ମିନାରରେ ମନ୍ଦିର ଏବଂ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଅପମାନଜନକ ଭାବେ ରଖିବାର ବିବାଦ ଦୀର୍ଘ ଦଶନ୍ଧି ପୁରୁଣା । କିନ୍ତୁ ବର୍ତ୍ତମାନ ସ୍ଥାନୀୟ ନିଗମ କାଉନସିଲର ଆରତୀ ସିଂ ଦାବି କରିଛନ୍ତି ଯେ ୨୦୦୦ମସିହା ପର୍ଯ୍ୟନ୍ତ ଲୋକମାନେ କୁତବ ମିନାରରେ ଅବସ୍ଥିତ ପ୍ରାଚୀନ ମନ୍ଦିରକୁ ପୂଜା କରିବାକୁ ଆସୁଥିଲେ, ଯାହାକି କିଛି କାରଣରୁ ବନ୍ଦ ହୋଇଯାଇଥିଲା ।
ମହରୋଲିରେ ବିଜେପିର କାଉନସିଲର ଆରତୀ ସିଂ ଦାବି କରିଛନ୍ତି ଯେ କୁତବ ମିନାର ପ୍ରକୃତରେ ଏକ ମନ୍ଦିର ଥିଲା। ଆଜି ବି କୁତବ ମିନାର ଭିତରେ ଦେବତା ଏବଂ ଦେବୀଙ୍କ ମୂର୍ତ୍ତିର ଅବଶିଷ୍ଟାଂଶ ଦେଖିବାକୁ ମିଳୁଛି । ଆରତୀ ଅଭିଯୋଗ କରିଛନ୍ତି ଯେ କୁତବ ମିନାରରେ ଥିବା ମସଜିଦ ପରିସରରେ ଭଗବାନଙ୍କ ମୂର୍ତ୍ତିଗୁଡ଼ିକୁ ଅପମାନିତ କରାଯାଉଛି।
ଏହାପୂର୍ବରୁ ବୁଧବାର ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଥିଲା। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) କୁ NMA ଦ୍ୱାରା ଏକ ଚିଠି ମଧ୍ୟ ଲେଖାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ କୁତବ ମିନାରରେ ଅପମାନଜନକ ଢଙ୍ଗରେ ରଖାଯାଇଛି ଏବଂ ସେମାନଙ୍କୁ ସେଠାରୁ ହଟାଇ ଜାତୀୟ ସଂଗ୍ରହାଳୟରେ ରଖାଯିବା ଉଚିତ ।
ଭଗବାନ ଗଣେଶଙ୍କ ପ୍ରତିମାକୁ ନେଇ ବିବାଦ କ’ଣ?
ମୁଖ୍ୟ ଫାଟକରୁ କୁଟୁବ ମିନାର ଭିତରକୁ ଯିବା ମାତ୍ରେ କୁୱାୱାଟୁଲ ଇସଲାମ ମସଜିଦର ଫାଟକ ରହିଥାଏ । କୁୱାୱାଟୁଲ ଇସଲାମର ଅର୍ଥ ହେଉଛି ଇସଲାମର ଶକ୍ତି । ବଲିଉଡ଼ ଫିଲ୍ମ ଫନା ସମେତ ଅନେକ ଚଳଚ୍ଚିତ୍ର ଏହାର ଚାରିପାଖରେ ନିର୍ମିତ ହଲୱେରେ ସୁଟିଂ କରାଯାଇଛି । ମସଜିଦ ବାହାରେ ଥିବା ଲେଖାରେ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ହଲୱେ ସ୍ତମ୍ଭର ନିର୍ମାଣ ସାମଗ୍ରୀ ୨୭ ହିନ୍ଦୁ ଏବଂ ଜୈନ ଲୋକଙ୍କ ମନ୍ଦିରରୁ ନିଆଯାଇଛି । ଏହା ଉପରେ କାଉନସିଲର ଆରତୀ ସିଂଙ୍କ ଦାବି ରହିଛନ୍ତି ଯେ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ପୁଣିଥରେ ଭଗବାନ ଗଣେଶଙ୍କ ପ୍ରତିମା ତିଆରି କରିବା ଉଚିତ ଏବଂ ଏଠାରେ ପୂଜାପାଠ କରାଯିବା ଉଚିତ୍। କୁତବ ମିନାର ପାଖରେ ଅବସ୍ଥିତ ଯୋଗମାୟା ମନ୍ଦିରର ପୁରୋହିତମାନେ ଦାବି କରିଛନ୍ତି ଯେ କୁତବ ମିନାର ଭିତରେ ଭଗବାନ ଗଣେଶଙ୍କୁ ବହୁ ବର୍ଷ ପୂଜା କରାଯାଉଥିଲା। ସେମାନେ ଦାବି କରିଛନ୍ତି ଯେ ଏହି ମନ୍ଦିରଟି ରାଜା ପୃଥ୍ୱୀରାଜ ଚୌହାନଙ୍କ ଦ୍ୱାରା ନିର୍ମିତ ହୋଇଛି । ପାରମ୍ପାରିକ ଉପାୟରେ ଏଠାରେ ପୂଜାପାଠ କରାଯାଇଥିଲା, କିନ୍ତୁ ଯେତେବେଳେ ମୋଗଲମାନେ ଭାରତକୁ ଆସିଲେ, ଏହି ମନ୍ଦିରଗୁଡିକ ଭାଙ୍ଗି ମସଜିଦରେ ପରିଣତ କରାଯାଇଥିଲା । ଏହାସହ ଦାବି କରାଯାଇଛି ଯେ ୨୦୦୦ବର୍ଷ ପର୍ଯ୍ୟନ୍ତ ସେ କୁତବ ମିନାର ଭିତରେ ଭଗବାନଙ୍କ ଆରତିରେ ଭାଗ ନେଇଛନ୍ତି। ପାରମ୍ପାରିକ ପୁରୋହିତଙ୍କ ପରିବାର ଦାବି କରିଛନ୍ତି ଯେ ମୋଗଲମାନଙ୍କ ଦ୍ୱାରା ଭାଙ୍ଗିଯାଇଥିବା ମନ୍ଦିରକୁ ପୁନଃସ୍ଥାପିତ କରାଯାଉ ଏବଂ ସେଠାରେ ପାରମ୍ପାରିକ ପୂଜାର୍ଚ୍ଚନା ହେଉ ।
ଘରୁ ଭିଡ଼ି ଆଣି ଦଳି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ନୀଳମଣି ସେଣଙ୍କ ମୃତ୍ୟୁ
ଟାଙ୍ଗୀ: ଘରୁ ଭିଡ଼ି ଆଣି ଦଳି ଦେଲା ଦନ୍ତା । ଗୁରୁତର ଅବସ୍ଥାରେ ମେଡିକାଲରେ ୫୮ ବର୍ଷୀୟ ନୀଳମଣି ସେଣ ମୃତ । ମୃତ ନୀଳମଣିଙ୍କ ଘର ଟାଙ୍ଗୀ ଥାନା ଜରିପୁଟ ଗାଁରେ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜର ଜରିପୁଟ ଗାଁରେ ଗତକାଲି ରାତିରେ ନୀଳମଣି ସେଣ ଘରେ ଖାଇସାରି ଦାଣ୍ଡ ଘରେ ଥିବାବେଳେ ଗୋଟିଏ ଗୋଠ ଛଡା ଦନ୍ତା ହାତୀ ତାଙ୍କ ଘରେ ପଶି ନୀଳମଣିଙ୍କୁ ଶୁଣ୍ଢରେ ଭିଡ଼ି ଆଣି କଚାଡ଼ି ଦେଇଥିଲା । ନୀଳମଣିଙ୍କ ଚିତ୍କାର ଶୁଣି ପରିବାର ଲୋକେ ହୋ ହାଲ୍ଲା କରିବାରୁ ହାତୀଟି ନୀଳମଣିଙ୍କୁ ଛାଡି ପଳାଇ ଯାଇଥିଲା ।
ତେବେ ଏହି ଘଟଣାର ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନୀଳମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ନୀଳମଣିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ନୀଳମଣିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

