ଆଜି ଆଷାଢ଼ କୃଷ୍ଣ ପଞ୍ଚମୀ ତିଥି, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ: ଆଜି ଆଷାଢ଼ କୃଷ୍ପ ପଞ୍ଚମୀ ତିଥି । ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡ଼ିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଅଣସର ଗୃହରେ କ୍ଷୀଣ ଆଲୋକରେ ଦଇତାପତି ଓ ପତି ମହାପାତ୍ର ସେବକଙ୍କ ଦ୍ୱାରା ଗୁପ୍ତସେବା ଚାଲିଥିବାବେଳେ ଚତୁର୍ଦ୍ଧା ବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ ଫୁଲୁରି ତେଲ । ବଡ଼ ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରି ତେଲ ଯୋଗାଯିବ ।

ବର୍ଷକ ତଳୁ ଘଣା ପେଡ଼ା ରାଶି ତେଲରେ ବିଭିନ୍ନ ପ୍ରକାର ସୁବାସିତ ଫୁଲ, କର୍ପୁର, ଔଷଧୀୟ ଚେରମୂଳ ଓ ସୁବାସିତ ଦ୍ରବ୍ୟ ପଡ଼ି ଏହାକୁ ମାଟି ତଳେ ପୋତାଯାଇ ପ୍ରସ୍ତୁତ କରାଯାଇଥାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସମ୍ପର୍ଣ୍ଣ ପରେ ପତି ମହାପାତ୍ର ସେବକ ଏହାକୁ ସଂସ୍କାର କରି ଦଇତାପତିଙ୍କୁ ଯୋଗାଇ ଦେବା ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମର୍ଦନ କରିବେ ।