ଗିରଫ ହେଲେ କୋଟିପତି ବିଡିଓ ଅଶ୍ୱିନୀ ଦାସ୍

ଜଳେଶ୍ୱର: କୋଟିପତି ଓଏସ ଅଶ୍ୱିନୀ ଦାସ ଗିରଫ । ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କ ଠାରୁ ଏଯାଏଁ ମୋଟ୍ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଏଥିରେ ରହିଛି କଟକ ଓ ଭୁବନେଶ୍ୱରରେ ପ୍ରାଇମ ଲୋକେସନର ଥିବା ୨୪ଟି ପ୍ଳଟ । ବିଡିଓଙ୍କ ଘରେ ଥିବା ମନ୍ଦିରରେ ଠାକୁରଙ୍କ ମୁଣ୍ଡରେ ଥିଲା ସୁନା ମୁକୁଟ । ଏହି ସୁନା ମୁକୁଟକୁ ମିସାଇ ମୋଟ ୧ କେଜି ୨୮ ଗ୍ରାମ ସୁନା ଜବତ କରାଯାଇଛି । ସେହିପରି ୩ କିଲୋ ୬୩୨ ଗ୍ରାମ ରୂପା ସିଜ୍ କରିଛି ଭିଜିଲାନ୍ସ । ଜବତ ହୋଇଥିବା ସମ୍ପତ୍ତିରେ ରହିଛି ଚାରୋଟି ଦାମୀ ଚାରି ଚକିଆ ଗାଡି, ୩ଟି ଦୁଇ ଚକିଆ ଗାଡି, ୭୩ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଓ ଇନ୍ସୁରାନ୍ସ । ଏହାସହ ଘରୁ ନଗଦ ୧.୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଜଳେଶ୍ୱର ବ୍ଳକର ଉନ୍ନତି ନୁହେଁ, ନିଜ ପକେଟ ଓ ନିଜର ବିକାଶରେ ମାତିଥିଲେ ବାବୁ । ଅଶ୍ୱିନୀଙ୍କ ଗୋଟିଏ ତିନି ମହଲା କୋଠାର ଦାମ ୧ କୋଟି ୨୨ ଲକ୍ଷ ଟଙ୍କା ଥିବା ବେଳେ, ଗୋଟିଏ ଦୁଇ ମହଲା କୋଠାର ଦାମ ରହିଛି ୧ କୋଟି ୧୦ ଲକ୍ଷ ଟଙ୍କା । ଗୋଟିଏ ବ୍ରିକ୍ସ‌ ଫ୍ୟାକ୍ଟ୍ରି ମଧ୍ୟ ରହିଛି ଅଶ୍ବିନୀଙ୍କ ନାଁରେ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ୫ ଡିଏସପିଙ୍କ ନେତୃତ୍ୱରେ ୯ ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ରେଡରେ ସାମିଲ ହୋଇଥିଲେ । ଅଶ୍ୱିନୀ ୧୯୯୫ ମସିହାରେ ପ୍ରଥମେ କୃଷି ବିଭାଗର ଜୁନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ରେ ସେ ଓଏଏସ୍ ସ୍ତରକୁ ପଦୋନ୍ନତି ପାଇ ସେ ଟାଙ୍ଗୀ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ପରେ କେନ୍ଦ୍ରପଡା ଜିଲ୍ଲାର ମହାକାଳପଡ଼ା ଓ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବିଡ଼ିଓ ଭାବେ କାର୍ଯ୍ୟ ତୁଲାଇଥିଲେ ।