ଧିମା ପଡ଼ିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ସମ୍ପୂର୍ଣ୍ଣ ଓଡ଼ିଶା ଛୁଇଁବାକୁ ଲାଗିବ ଆହୁରି ୫ ଦିନ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ଆହୁରି ୫ ଦିନ ଲାଗିବ । ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ପରେ ଏବେ ଧିମା ହୋଇଯାଇଛି ମୌସୁମୀ । ପାଗ ଅନୁକୂଳ ହେଲେ ବି ଆଗକୁ ବଢୁନି ମୌସୁମୀ । ୧୬ ତାରିଖରେ ଦକ୍ଷିଣ ଓଡ଼ିଶା ଛୁଇଁଥିଲା ମୌସୁମୀ । ହେଲେ ୨ ଦିନ ହେବ ଦୁର୍ବଳ ହୋଇଯାଇଛି । ଫଳରେ ଅନ୍ୟ ଜିଲ୍ଲାକୁ ଅଗ୍ରସର ହୋଇପାରିନାହିଁ । ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପାଇଁ କେବଳ ଘଡ଼ଘଡ଼ ବିଜୁଳି ସହ କିଛି ଜିଲ୍ଲାରେ ବର୍ଷା ହେଉଛି । ଏବେ ବି ରାଜ୍ୟରେ ୬୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ୩ଟି ଜିଲ୍ଲା ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଉତ୍ତର ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ତେବେ ବର୍ଷା ହେଲେ ମଧ୍ୟ ଚାଷ ପାଇଁ ତାହା ପର୍ଯ୍ୟାପ୍ତ ହେବା ସମ୍ଭାବନା କମ୍ ରହିଛି । କାରଣ ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ ।