spot_img
Home Blog Page 4250

ଛଅ ମାସରେ ହୋଇଛି ୧ ହଜାର କୋଟିର GST ଠକେଇ

କଟକ: ଶେଷ ହୋଇଛି ଦୁଇବର୍ଷପରେ ବସିଥିବା SIT ବୈଠକ । ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି ନିଶା କାରବାର । ଗତ ୬ ରୁ ୭ ମାସ ଭିତରେ ୧ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ଜିଏସଟି ଠକେଇ ହୋଇଛି । ନିଶା କାରବାରରେ ବର୍ତ୍ତମାନ କଳାଧନର ବ୍ୟବହାର ବ୍ୟାପକ ମାତ୍ରାରେ ହେଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ପାନାମା ପେପରସ କ୍ଷେତ୍ରରେ ୪ଶହରୁ ଅଧିକ ମାମଲା ରୁଜୁ ହୋଇଛି । ଏହା ଭିତରୁ ପ୍ରାୟ ୩ଶହଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଣ୍ଡୋରା ପେପରସ ମାମଲାରେ ମାସକ ଭିତରେ ୭୦ ଟି ମାମଲା ରୁଜୁ ହୋଇଛି । ଏ ପର୍ଯ୍ୟନ୍ତ ୮ ଟି ରିପୋର୍ଟ SIT ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଆଉ କିଛି ମାସ ମଧ୍ୟରେ ପରବର୍ତ୍ତୀ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବ SIT । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାର ତଦନ୍ତରେ ଇଡି ଓ ଆୟକର ବିଭାଗକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଲେ ଏସଆଇଟି ।

ମହାରାଷ୍ଟ୍ର ସଙ୍କଟ: ସନ୍ଧ୍ୟା ୫ରେ ଶୁଣାଣି, ଫ୍ଲୋର ଟେଷ୍ଟ ଉପରେ ଲାଗିବ କି ରୋକ ?

ମୁମ୍ବାଇ: ଦୀର୍ଘ ୯ ଦିନ ହେବ ଚାଲିଥିବା ମହାରାଷ୍ଟ୍ର ରାଜନୀତିକ ନାଟକ ଏବେ ସମାପ୍ତ ହେବା ଉପରେ । କାରଣ ଆଜି ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ଆସ୍ଥା ଭୋଟ ପାଇଁ ଉଦ୍ଧବ ଠାକରେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଆସନ୍ତାକାଲି ବିଧାନସଭାରେ ଫ୍ଲୋର ଟେଷ୍ଟ ହେବ  । ସେପଟେ ବିଦ୍ରୋହୀ ସିନ୍ଦେ ଗୋଷ୍ଠୀ ମଧ୍ୟ କାଲି ସୁଦ୍ଧା ମୁମ୍ବାଇ ଆଶିବାକୁ ପ୍ରସ୍ତୁତି ସାରିଛନ୍ତି । ଅବଶ୍ୟ ଶିବସେନା ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି  । ସନ୍ଧ୍ୟା ୫ଟା ବେଳେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରିବେ । ତେବେ ସୁପ୍ରିମକୋର୍ଟ ଶିବସେନାର ଆବେଦନକୁ ଖାରଜ କରିଦେବାର ଅଧିକା ସମ୍ଭାବନା ରହିଛି  ।

ଶିବସେନା ନିଜ ଆବେଦନରେ କହିଛି, ବିଦ୍ରୋହୀଙ୍କୁ ଅଯୋଗ୍ୟ ଘୋଷଣା ମାମଲା ଏବେ ବିଚାରଧୀନ ଅଛି ଏଭଳି ସ୍ଥିତିରେ ଫ୍ଲୋର ଟେଷ୍ଟ କିପରି ହେବ । ସୂଚନାଯୋଗ୍ୟ ମହାରାଷ୍ଟ୍ର ବିଧାନସଭା ଉପ ବାଚସ୍ପତି ନିକଟରେ ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବେ ବୋଲି ଚେତାବନୀ ଦେଇ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ  । କିନ୍ତୁ ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଶୁଣାଣିରେ କହିଥିଲେ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଉପବାଚସ୍ପତି ବିଦ୍ରୋହୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତୁ  । ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ପରେ ବିଦ୍ରୋହୀଙ୍କୁ ଆଶ୍ୱସ୍ତି ମିଳିଥିଲା  । ବିଜେପି ସହ ମିଶି ସେମାନେ ୧୧ ତାରିଖ ପୂର୍ବରୁ ଫ୍ଲୋର ଟେଷ୍ଟ କରାଇ ଉଦ୍ଧବ ସରକାର ଭାଙ୍ଗିବା ପାଇଁ ଯୋଜନା କରିଛନ୍ତି ।

ଗତକାଲି ବିଜେପି ନେତା ଦେବେନ୍ଦ୍ର ଫଡନାବୀସ ଏବଂ ଅନ୍ୟ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ଉଦ୍ଧବଙ୍କ ପାଖରେ ବହୁମତ ନଥିବା କଥା କହିବା ସହ ଫ୍ଲୋର ଟେଷ୍ଟ କରିବା ପାଇଁ ଦାବି କରିଥିଲେ । ଆଜି ତାଙ୍କର ଦାବି ଉପରେ ରାଜ୍ୟପାଳ ମୋହର ମାରିଛନ୍ତି ଏବଂ ଉଦ୍ଧବଙ୍କୁ ଆସନ୍ତା କାଲି ଫ୍ଲୋର ଟେଷ୍ଟର ସାମ୍ନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ଏହାକୁ ଚ୍ୟାଲେଞ୍ଜ କରି ଶିବସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି । ତେବେ ସୁପ୍ରିମକୋର୍ଟ ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବା ସମ୍ଭାବନା ବହୁତ କମ୍ ଦେଖାଯାଇଛି ।

କାରଣ ମଧ୍ୟପ୍ରଦେଶରେ ମଧ୍ୟ ୨୦୨୦ ମସିହାରେ କମଲନାଥ ସରକାର ଫ୍ଲୋର ଟେଷ୍ଟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କ ନିବେଦନକୁ ଖାରଜ କରିଦେଇଥିଲେ  । ସେ ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୨ ବିଧାୟକଙ୍କ ସହ ମିଶି କଂଗ୍ରେସରୁ ଇସ୍ତଫା ଦେଇଥିଲେ । ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ସେ ସମୟରେ ମଧ୍ୟ ଚେତାବନୀ ଦେଇଥିଲେ  । ରାଜ୍ୟପାଳ କିନ୍ତୁ ଫ୍ଲୋର ଟେଷ୍ଟ ଅନୁମତି ଦେଇ ଦେଇଥିଲେ  । ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ କମଲନାଥ ଓ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇ ବିଧାୟକଙ୍କ ଅଯୋଗ୍ୟ ମାମଲା ବିଚାରଧୀନ ଅଛି ଏପରି ସ୍ଥିତିରେ ଫ୍ଲୋର ଟେଷ୍ଟ ନକରାଯିବାକୁ ଦାବି କରିଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ । ବିଦ୍ରୋହୀ ୨୨ ବିଧାୟକ ବିଜେପିକୁ ସମର୍ଥନ ଦେଇ ମଧ୍ୟପ୍ରଦେଶରେ ସରକାର ଗଠନ କରିଥିଲେ  ।

ଏବେ ମଧ୍ୟ ସମାନ ପରିସ୍ଥିତି ମହାରାଷ୍ଟ୍ରରେ ଦେଖାଦେଇଛି । ଅବଶ୍ୟ ମହାରାଷ୍ଟ୍ରରେ ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେଇନାହାନ୍ତି ଏବଂ ଦଳ ପାଖରେ ତାଙ୍କୁ ଅଯୋଗ୍ୟ କରିବାର ଉଚିତ ତର୍କ ଅଛି  ।  କିନ୍ତୁ ସେମାନେ ବିଜେପିକୁ ସମର୍ଥନ କରୁଛନ୍ତି  । ଯଦି କାଲି ଫ୍ଲୋର ଟେଷ୍ଟ ହୁଏ ତେବେ ଏମାନେ ସରକାରଙ୍କ ବିରୋଧରେ ଯାଇ ବିଜେପି ସହ ମିଶି ନୂଆ ସରକାର ଗଢିବାର ସମ୍ଭାବନା ରହିଛି  । ଆଜି ସନ୍ଧ୍ୟା ୫ଟାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି  ।

ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ହାଇକୋର୍ଟରେ ପହଞ୍ଚିଲା ହାତୀ ମୃତ୍ୟୁ ମାମଲା। ରାଜ୍ୟରେ ଲଗାତାର ଭାବେ ହେଉଥିବା ହାତୀ ମୃତ୍ୟୁ ମାମଲାକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ମଙ୍ଗଳାବାଗ ଅଞ୍ଚଳର ସମାଜସେବୀ ଗୀତା ରାଉତ ଏହି ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ହାତୀ ଶିକାରକୁ ରୋକିବା ପାଇଁ କଠୋର ଆଇନ ବ୍ୟବସ୍ଥା ଲାଗୁ କରିବା ପାଇଁ ସେ ପ୍ରାର୍ଥନା କରିଛନ୍ତି।

ଆସାମ ସରକାରଙ୍କ ପରି ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ଓଡ଼ିଶାରେ ଲାଗୁ କରିବା ପାଇଁ ସେ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି। ଏହାସହ ଗତ ପାଞ୍ଚ ବର୍ଷରେ ହାତୀଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଇଛି । ହାତୀ ଶିକାର ପାଇଁ କେତେଜଣ ଶିକାରୀଙ୍କୁ ଗିରଫ କରାଯାଇଛି ଏ ନେଇ ସରକାର ତଥ୍ୟ ଦାଖଲ କରନ୍ତୁ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି। ଏଥିରେ ଜଙ୍ଗଲ ଓ ପରିବେଶ ସଚିବ, ପିସିସିଏଫ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସେପଟେ ଏହି ମାମଲାରେ ଅଧିକ ତଥ୍ୟ ଓ ନଥିପତ୍ର ଦାଖଲ କରିବା ପାଇଁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଗୋଟିଏ ରେଞ୍ଜରୁ ବାରମ୍ବାର କଙ୍କାଳ ବାହାରିବାକୁ ନେଇ ଏସଆଇଟି ଗଠନ କରାଯାଇଥିବା ଜହ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି । ଦରକାର ପଡିଲେ ଆହୁରି ଟିମ୍ ଗଠନ ହୋଇ ତଦନ୍ତ ହେବ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି ଏବଂ ହେବ ବୋଲି ସେ କହିଛନ୍ତି ।

ଶ୍ରୀଲଙ୍କାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଜାରି, ଅଧିକାଂଶ ପେଟ୍ରୋଲ ପମ୍ପ ଖାଁ ଖାଁ

କଲମ୍ବୋ: ଶ୍ରୀଲଙ୍କାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ ଜାରି । ହାହାକାର ସ୍ଥିତିରେ ଜନତା । ସେପଟେ ଇନ୍ଧନ କ୍ଷେତ୍ରରେ ରାସନ ବ୍ୟବସ୍ଥା ଲାଗୁ କରିଛନ୍ତି ସରକାର । ଅର୍ଥାତ ସମସ୍ତଙ୍କୁ ଇନ୍ଧନ ଏଣିକି ମିଳିବ ନାହିଁ । କିଛି ନିର୍ଦ୍ଦିଷ୍ଟ ବର୍ଗର ଗ୍ରାହକଙ୍କୁ ଇନ୍ଧନ ମିଳିବ । ଏହି ନିୟମ ଲାଗୁ ହେବା ପରେ ଅଧିକାଂଶ ପେଟ୍ରୋଲ ପମ୍ପ ଖାଁ ଖାଁ ହୋଇଛି । ଏହି ନିୟମ ବଳରେ ସ୍ୱାସ୍ଥ୍ୟ ସମ୍ପର୍କିତ  ଯାନ, ଟ୍ରେନ, ବସ୍ ଲାଗି ଇନ୍ଧନ ମିଳିବ । ଆସନ୍ତା ୨ ସପ୍ତାହ ଲାଗି ଏହି ନିୟମ ବଳବତ୍ତର ରହିବ । କୋଭିଡ ବିପଦ ପରଠାରୁ ଶ୍ରୀଲଙ୍କାରେ ଆରମ୍ଭ ହୋଇଥିବା ସମସ୍ୟାର ଅନ୍ତ ଘଟୁ ନଥିବାବେଳେ ଦିନକୁ ଦିନ ସମସ୍ୟା ଗମ୍ଭୀର ହେବାରେ ଲାଗିଛି ।

ସେପଟେ ଦେଶରେ ପେଟ୍ରୋଲ ଓ ଡିଜେଲ ସମସ୍ୟାର ଅନ୍ତ ଲାଗି ବିଭିନ୍ନ ତୈଳ ଉତ୍ପାଦନକାରୀ ରାଷ୍ଟ୍ରର ତୈଳ କମ୍ପାନିଙ୍କୁ ଆହ୍ୱାନ ଦେଇଛନ୍ତି ସରକାର । ଦେଶରେ ଇନ୍ଧନ ବିକ୍ରି କରିବା ଲାଗି ସରକାର ଅନୁମତି ଦେଇଛନ୍ତି । ଏନେଇ ହୋଇଛି କ୍ୟାବିନେଟ ନିଷ୍ପତ୍ତି । ବର୍ତ୍ତମାନ ବି ଦେଶରେ ୨ କୋଟିରୁ ଅଧିକ ଲୋକ ଖାଦ୍ୟ, ମେଡିସିନ ଓ ଇନ୍ଧନ ସମସ୍ୟାରେ ଛଟପଟ ହେଉଛନ୍ତି । ଇନ୍ଧନ ସମସ୍ୟା ଏଡ଼ାଇବା ଲାଗି ସରକାର ସହରାଞ୍ଚଳର ସ୍କୁଲଗୁଡ଼ିକୁ ଦୁଇ ଦିନ ଲାଗି ବନ୍ଦ କରିଛନ୍ତି ।

ଅଗ୍ନିପଥ ଯୋଜନା: ବାୟୁସେନାରେ ଭର୍ତ୍ତି ହେବା ଲାଗି ଆବେଦନ କଲେଣି ୧ ଲକ୍ଷ ୮୩ ହଜାରରୁ ଅଧିକ ଯୁବକଯୁବତୀ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଲାଗି ନୂଆ ଉତ୍ସାହ । ଭାରତୀୟ ବାୟୁସେନାରେ ଭର୍ତ୍ତି ହେବା ଲାଗି ବର୍ତ୍ତମାନ ସୁଦ୍ଧା ଆବେଦନ କଲେଣି ୧ ଲକ୍ଷ ୮୩ ହଜାର ଯୁବକଯୁବତୀ । ଗତ ୬ ଦିନ ମଧ୍ୟରେ ରେକର୍ଡ ସଂଖ୍ୟକ ଆବେଦନ ହୋଇଛି । ଏକ ଟ୍ୱିଟରେ ବାୟୁସେନା ପକ୍ଷରୁ କୁହାଯାଇଛି- ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ୧ ଲକ୍ଷ ୮୩ ହଜାର ୬୩୪ ଜଣ ଯୁବକଯୁବତୀ ଆବେଦନ କରିଛନ୍ତି । ଜୁନ ୧୪ରେ ଏହି ଯୋଜନା ଘୋଷିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଥିବା ସତ୍ତ୍ୱେ ଚାକିରି ଲାଗି ଆବେଦନକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଯୋଜନାର ସାଢ଼େ ୧୭ ବର୍ଷରୁ ୨୧ ବର୍ଷ ବୟସର ଯୁବକଯୁବତୀ ଆବେଦନ କରିପାରିବେ । ୪ ବର୍ଷ ଲାଗି ସେମାନଙ୍କ କାର୍ଯ୍ୟକାଳ ଅବଧି ରହିବ । ପ୍ରତିବାଦ ହେବା ପରେ ସର୍ବୋଚ୍ଚ ବୟସ ସୀମା ୨୧ ବର୍ଷରୁ ୨୩ ବର୍ଷକୁ ବୃଦ୍ଧି କରିଥିଲେ ସରକାର ।

 

କହ୍ନେୟା ଲାଲ ମର୍ଡର ପଛରେ ରହିଛି କି ପାକିସ୍ତାନ ଲିଙ୍କ? ତଦନ୍ତ ଲାଗି ଉଦୟପୁରରେ NIAର ସ୍ୱତନ୍ତ୍ର ଟିମ୍

ଜୟପୁର: ରାଜସ୍ଥାନ ଉଦୟପୁର ଦରଜୀ କହ୍ନେୟା ଲାଲ ହତ୍ୟା ମାମଲା । ହତ୍ୟାକାଣ୍ଡର ତଦନ୍ତ ଭାର ନେଲା ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏର ସ୍ୱତନ୍ତ୍ର ଟିମ୍ । ଏହି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କୌଣସି ପ୍ରକାର ଆନ୍ତର୍ଜାତିକ ଲିଙ୍କର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସେପଟେ ଯେଉଁମାନେ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ କହିଛନ୍ତି ରାଜସ୍ଥାନ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦିନେଶ ଏମଏନ । କେତେକ ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ସୂଚନା ଦେଇଛନ୍ତି ଦିନେଶ । ମୃତ କହ୍ନେୟା ଲାଲଙ୍କ ପୋଷ୍ଟମର୍ଟମ ହୋଇଥିବାବେଳେ ଘଟଣାରେ ୭ ଜଣଙ୍କୁ ପୋଲିସ ଅଟକ ରଖିଛି । କହ୍ନେୟା ହତ୍ୟାକାଣ୍ଡ ସହ ଜଡ଼ିତ ଦୁଇ ଅଭିଯୁକ୍ତଙ୍କ ସହ ପାକିସ୍ତାନ ଏକ ଆତଙ୍କବାଦୀ ସଂଗଠନର ସମ୍ପର୍କ ରହିଛି ବୋଲି ସୂଚନା ମିଳିଛି । ଏହି ଦୁଇ ଅଭିଯୁକ୍ତ ହେଲେ ଗୌସ ମହମ୍ମଦ ଓ ରିୟାଜ ଅଖତାରିଙ୍କୁ ଗିରଫ କରାଯାଇଛି ।

 

ସେପଟେ କହ୍ନେୟା ଲାଲ ହତ୍ୟାର ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ତାଙ୍କ ଦେହରେ ୨୬ଟି କ୍ଷତ ଚିହ୍ନ ଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଏହି ଘଟଣାକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ । ତେଣେ ଏହି ହତ୍ୟାକାଣ୍ଡ ବିରୋଧରେ ଦେଶବ୍ୟାପୀ ବିରୋଧ କରିବାକୁ ଘୋଷଣା କରିଛି ବଜରଙ୍ଗ ଦଳ ।

ଅନ୍ୟପଟେ କାର୍ଯ୍ୟରେ ଅବହେଳା ବିରୋଧରେ ଧନ୍ ମଣ୍ଡି ପୋଲିସ ଥାନାର ଜଣେ ଏଏସଆଇଙ୍କୁ ସସପେଣ୍ଡ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ଲାଗି ସହରରେ ୬୦୦ରୁ ଅଧିକ ପୋଲିସ ମୁତୟନ କରାଯାଇଛି । ଏହି ହତ୍ୟା ଘଟଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ଶଶି ଥରୁର ପ୍ରମୁଖ ନିନ୍ଦା କରିଛନ୍ତି । ତେଣେ ଏହି ହତ୍ୟାକାଣ୍ଡକୁ ସମାଲୋଚନା କରିଛନ୍ତି ଏଆଇଏମପିଏଲବି ସାଧାରଣ ସମ୍ପାଦକ ମୌଲାନା ଖଲିଦ ସୈଫୁଲ୍ଲା ରହମାନି । ଏହା ଏକ ଦୁଃଖଦ ଘଟଣା ବୋଲି ସେ କହିଛନ୍ତି । ତେଣେ ମୃତ କହ୍ନେୟା ଲାଲଙ୍କ ପଡୋଶୀ କହିଛନ୍ତି ଯଦି କହ୍ନେୟାଙ୍କୁ ଉପଯୁକ୍ତ ସୁରକ୍ଷା ଦିଆଯାଇପାରିଥାନ୍ତା ତେବେ ତାଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତି ।

ଏଥର ଦିନକୁ ୬ ଘଣ୍ଟା ଚାଲିବ ଗୃହ କାର୍ଯ୍ୟ, ପ୍ରଥମ ଦିନରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ

ଭୁବନେଶ୍ୱର: ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ବିନା ବାଧାରେ ଗୃହ ଚାଲିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଦିନକୁ ୬ ଘଣ୍ଟା ଚାଲିବ ଗୃହ ବୋଲି ନିଷ୍ପତ୍ତି ହୋଇଛି । ଆଗରୁ ୫ ଘଣ୍ଟା ଚାଲୁଥିଲା । ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟ ସାଢେ଼ ୧୦ରୁ ସାଢେ ଗୋଟାଏ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ ଟାରୁ ୬ ଟା ପରିବର୍ତ୍ତେ ୭ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି । ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ମୋଟ ୨୪ଟି କାର୍ଯ୍ୟଦିବସରେ ଚାଲିବ ବିଧାନସଭା । ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ ।

ସର୍ବଦଳୀୟ ବୈଠକରେ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ମୁଖ୍ୟ ସଚେତକ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯାଉଛି । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯାଉଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ତେବେ ଏଥର କରୋନା କଟକଣା କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । କିନ୍ତୁ ବାଚସ୍ପତି ଓ ସରକାରୀ ଦଳ ସଚେତକ କହିଛନ୍ତି ବର୍ତ୍ତମାନ କୋଭିଡ ବଢ଼ୁଥିବାରୁ ରିସ୍କ ନେଇ ହେବନି । କୋଭିଡ ନେଇ କେନ୍ଦ୍ର ସଚିବ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି । କୋଭିଡ କଟକଣା ଭିତରେ ବିଧାନସଭା ଚାଲିବ ବୋଲି କହିଛନ୍ତି ବାଚସ୍ପତି ।

ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରେ ସୁରକ୍ଷାକର୍ମୀଙ୍କ ମକଡ୍ରିଲ୍

ପୁରୀ: ଦିନକ ପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । କରୋନା ପାଇଁ ୨ବର୍ଷ ବିନା ଭକ୍ତରେ ବଡ଼ଦାଣ୍ଡକୁ ଆସିଥିଲେ ମହାପ୍ରଭୁ । କିନ୍ତୁ ଚଳିତ ଥର ଭକ୍ତଙ୍କ ଗହଣରେ ହେବ ଘୋଷଯାତ୍ରା । ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସବୁ ପ୍ରକାର ଚ୍ୟାଲେଞ୍ଜର ସାମ୍ନା ପାଇଁ ପ୍ରସ୍ତୁତ ରହିଛି ପୋଲିସ । ପୁରୀରେ ଆତଙ୍କବାଦୀ ଆକ୍ରମଣ କିପରି ହେବ ମୁକାବିଲା । ତାକୁ ନେଇ ମକଡ୍ରିଲ୍ କରିଛନ୍ତି ସୁରକ୍ଷା କର୍ମୀ । ପରିତ୍ୟକ୍ତ ଘରେ ଜଣଙ୍କୁ ପଣବନ୍ଦୀ ରଖିଛନ୍ତି ୨ଜଣ ଆତଙ୍କବାଦୀ । ବନ୍ଦୀଙ୍କୁ ମୁକୁଳାଇବା ନେଇ ଡେମୋ ପ୍ରାକ୍ଟିସ ହୋଇଛି ।

 

ମଧ୍ୟପ୍ରାଚ୍ୟ ସହ ବଢ଼ିବ ବାଣିଜ୍ୟକ ସମ୍ପର୍କ, ଆଜି ଦୁବାଇରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

ଦୁବାଇ: ଆଜି ଦୁବାଇରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ । ମଧ୍ୟ ପ୍ରାଚ୍ୟର ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଞ୍ଜିନିବେଶ ପାଇଁ ଓଡ଼ିଶାର ଅନୁକୂଳ ପରିବେଶ ସମ୍ପର୍କରେ ବିଦେଶୀ ନିବେଶକଙ୍କୁ ଅବଗତ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂବର୍ରୁ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ଦୁବାଇ ମଲ୍ଟି କମୋଡିଟିଜ୍ ସେଣ୍ଟର ଏବଂ ସାରଜାର ସାରାଜା ବିମାନବନ୍ଦର ଅନ୍ତର୍ଜାତୀୟ ମୁକ୍ତ ଜୋନ୍ କର୍ତ୍ତୃପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ।

ଡିଏମସିସି ଏକ ଫ୍ରି ଟ୍ରେଡ୍ ଜୋନ୍ ପାଇଁ ସାରା ବିଶ୍ୱରେ ଜଣାଶୁଣା । ଗୋଟିଏ ଛାତ ତଳେ କୃଷି ଜାତ ଦ୍ରବ୍ୟଠାରୁ ଆରମ୍ଭ କରି ଚାହା, କଫି, ସୁନା, ହୀରା, କ୍ରିପ୍ଟୋକରେନ୍ସି ଏଠାରେ ଉପଲବ୍ଧ । ମୁଖ୍ୟ ଶାସନ ସଚିବ ସାରଜା ଓ ଓଡ଼ିଶା ମଧ୍ୟରେ ଦକ୍ଷତା ସହ ପ୍ରଶିକ୍ଷଣ ବିନିମୟ ବାବଦରେ ଆଲୋଚନା କରିଛନ୍ତି । ସେହିପରି ଟିମ୍ ଓଡ଼ିଶା ସୈଫ ଜୋନ୍ ଅଥରିଟିଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଟିମ୍ ଓଡ଼ିଶାରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ ମୁଖ୍ୟ ଭୁପିନ୍ଦର ସିଂହ ପୁନିଆ ଏବଂ ଓଡ଼ିଶାର ଶିଳ୍ପପତିମାନେ ସାମିଲ ଥିଲେ । ଦୁବାଇରେ ଅନୁଷ୍ଠିତ ହେଉଥିବା ମେକ୍ ଇନ୍ ଓଡ଼ିଶାରେ ଯୋଗ ଦେବାକୁ ମୁଖ୍ୟ ଶାସନ ସଚିବ ନିମନ୍ତ୍ରଣ କରିଛନ୍ତି । ଓଡ଼ିଶାକୁ ବିପୁଳ ପରିମାଣରେ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଏକ ନିବେଶକ ସମ୍ମେଳନର ପରିକଳ୍ପନା କରିଥିବା ବେଳେ, ଏହି ପ୍ରୟାସ ଆଗାମୀ ଦିନରେ ରାଜ୍ୟର ବିକାଶକୁ ଅଧିକ ଦୃତତର କରିବ ବୋଲି କୁହାଯାଉଛି ।

ନିବେଶକ ସମ୍ମେଳନ ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମଧ୍ୟପ୍ରାଚ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ମଧ୍ୟପ୍ରାଚ୍ୟ ଓ ଓଡ଼ିଶା ମଧ୍ୟରେ ଅର୍ଥନୀତିକ ଓ ସାମାଜିକ ସମ୍ପର୍କକୁ ଏକ ନୂଆ ଦିଗ ପ୍ରଦାନ କରିବା ନେଇ ଆଶା କରାଯାଉଛି । ବିଶେଷକରି ଏହି ନିବେଶକ ସମ୍ମେଳନରେ ଫୁଡ୍ ପ୍ରୋସେସିଂ, ପେଟ୍ରୋକେମିକାଲ, କେମିକାଲ ଏବଂ ପ୍ଲାଷ୍ଟିକ ମେଟାଲ୍ସ, ଇଲେକଟ୍ରୋନିକ୍ସ କମ୍ପାନୀଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବେ । ନିକଟ ଅତୀତରେ ରାଜ୍ୟରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସ୍ୱଳ୍ପ ସମୟ ମଧ୍ୟରେ ପରିବେଶ ମଞ୍ଜୁରୀଠାରୁ ଆରମ୍ଭ କରି ଜମି ଅଧିଗ୍ରହଣରେ ସହଜ ନୀତି, ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ରାଜ୍ୟରେ ଶିଳ୍ପ ସ୍ଥାପନ ପାଇଁ ବାଟକୁ ଖୁବ୍ ସରଳ କରିଛି । ୟୁଏଇରେ ରହୁଥିବା ପ୍ରବାସୀଙ୍କ ଅଭିଜ୍ଞତାକୁ କିପରି ଓଡ଼ିଶାରେ ଲଗାଯାଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ସହଯୋଗ କାମନା କରିବେ । ଗତକାଲି ଗଲଫ ଦେଶ ପୁଞ୍ଜିପତି ଓଡ଼ିଆ ଡେଲିଗେସନଙ୍କ ସହ ପାରସ୍ପରିକ ବ୍ୟବସାୟ ପାଇଁ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖି ଉତ୍ସାହିତ ଅଛନ୍ତି ପ୍ରବାସୀ ଓଡ଼ିଆ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କଳାହାଣ୍ଡିର ଘୁମୁରା ଓ ବଜାଶାଲ୍ ଲୋକକଳା ଶିଳ୍ପୀ ଦୁବାଇ ଯାଇଥିବା ଜଣାପଡ଼ିଛି ।

ଅର୍ଦ୍ଧେନ୍ଦୁ ଦାଶଙ୍କ ନାଁରେ ଆସିଲା ଆଉ ଏକ ଠକେଇ ଅଭିଯୋଗ, ଘର ଭଡ଼ା ବାବଦକୁ ଦେଇନାହାନ୍ତି ୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ବଡ଼ ଖବର ସମ୍ପାଦକ ଅର୍ଦ୍ଧେଦୁ ଦାଶଙ୍କ ନାମରେ ଆସିଲା ଆଉ ଏକ ଠକେଇ ଅଭିଯୋଗ । ଘର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଘର ମାଲିକ ବିଶ୍ୱଜିତ ସାହୁ ବଡ଼ଗଡ଼ ଥାନାରେ ଦେଇଛନ୍ତି ଏତଲା । ୬ ମାସର ୫ ଲକ୍ଷ ଟଙ୍କା ଭଡ଼ା ଦେଇ ନଥିବା ଅଭିଯୋଗ ହୋଇଛି । ଏନେଇ ଘର ମାଲିକ ବିଶ୍ୱଜିତ ଟଙ୍କା ମାଗିବାରୁ ଅର୍ଦ୍ଧେନ୍ଦୁ ଦାସ ଗାଳି ଗୁଲଜ କରିବା ସହ ଓ ଧମକ ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଛି ବଡ଼ଗଡ଼ ଥାନା ପୋଲିସ ।

ଦେଇଥିବା ଏତଲାରେ ଭଡ଼ା ଘରକୁ ଠିକସେ ରକ୍ଷଣାବେକ୍ଷଣ ହେଉନଥିବା ଦର୍ଶାଯାଇଛି । ବିନା ଅନୁମତିରେ ଘର କାନ୍ଥ ଖୋଲିବା ସହ ବିଭିନ୍ନ ସ୍ଥାନରେ ପାନ ଛେପ ପକାଯାଉଛି । ଏନେଇ ବାରମ୍ବାର ଜଣାଇଲେ ଥିଲେ ଘର ମାଲିକ । ପ୍ରତି ବଦଳରେ ଅର୍ଦ୍ଧେନ୍ଦୁ ଦାସ ଘର ମାଲିକ ବିଶ୍ୱଜିତଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ବକେୟା ଟଙ୍କା ସହ ଘର ଛାଡ଼ିବାକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଥିବା କହିଛନ୍ତି ଘର ମାଲିକ । ତେଣୁ ଯଥାଶୀଘ୍ର ବାକି ଥିବା ଘର ଭଡ଼ା ପ୍ରଦାନ କରିବାକୁ ଏତଲାରେ ଦର୍ଶାଇଛନ୍ତି ବିଶ୍ୱଜିତ୍ । ପୂର୍ବରୁ ଇଓଡବ୍ଲୁ ଓ କଟକ ପୁରୀଘାଟ ଥାନାରେ ଦୁଇଟି ଠକେଇ ଅଭିଯୋଗ ହୋଇଛି । ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଅର୍ଦ୍ଧେଦୁ ଦାସଙ୍କ ଜାଗମରାସ୍ଥିତ ବାସଭବନରେ ଚଢ଼ାଉ କରିଥିଲା ଇଓଡବ୍ଲୁ ।