ଗୃହରେ ହଙ୍ଗାମା: ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ୪କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଗୃହରେ ହଙ୍ଗାମା, ୪ କଂଗ୍ରେସ ସାଂସଦ ନିଲମ୍ବିତ । ଲୋକସଭାରେ ବିରୋଧୀଙ୍କ ଲଗାତାର ହଲ୍ଲାବୋଲ ଯୋଗୁ ଗୃହ ଅଧ୍ୟକ୍ଷଙ୍କ କାର୍ଯ୍ୟାନୁଷ୍ଠାନ । ଦରଦାମ ବୃଦ୍ଧିକୁ ନେଇ ପ୍ଳାକାର୍ଡ ଧରି ସରକାର ବିରୋଧରେ ନାରାବାଜି କରୁଥିବା ଚାରି କଂଗ୍ରେସ ଏମପିଙ୍କୁ ଗୃହରୁ ବହିଷ୍କାର କରିଛନ୍ତି ସ୍ପିକର ଏମ ବିର୍ଲା । ଚଳିତ ମୌସୁମୀ ଅଧିବେଶନ ପାଇଁ ୪ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ତାମିଲନାଡୁର କଂଗ୍ରେସ ଏମପି ମଣିକମ ଟାଗୋର, ଜୋଠିମଣି, କେରଳର ରାମ୍ୟ ହରିଦାସ ଓ ଟି ଏନ ପ୍ରାଥପନ୍ ଙ୍କୁ ଗୃହରୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ କଂଗ୍ରେସ ସାଂସଦ ସଂସସ ଭବନ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବସି ପ୍ରତିବାଦ ଜାରି ରଖିଛନ୍ତି ।

ଏପଟେ ଏନେକ କଂଗ୍ରେସ ଲୋକସଭା ଅଧ୍ୟକ୍ଷ ଓମ ବିରଲାଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରାଯାଇଛି । କଂଗ୍ରେସ କହିଛି ଗଣତନ୍ତ୍ରରେ ବିରୋଧ କରିବାର ଅଧିକାର ଅଛି । ଲଗାତାର ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବ୍ୟଥିତ କରୁଛି । ଜଣେ ଜନପ୍ରତିନିଧି ହିସାବରେ ସେମାନେ ସଂସଦରେ ବିରୋଧ ପ୍ରଦର୍ଶନ କରୁଥିଲେ । ସେମାନଙ୍କୁ ସମ୍ପୂର୍ଣ୍ଣ ସେସନରୁ ନିଲମ୍ବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସୂଚନା ଥାଉକି, ନିକଟରେ କିଛି ଶବ୍ଦକୁ ଅଣ ପାର୍ଲିଆମେଣ୍ଟାରୀ ଶବ୍ଦ ଘୋଷଣା ସହ ଗୃହରେ ଧାରଣା ଦେଲେ କିମ୍ବା ଅନଶନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା । ଏହି ପରିପେକ୍ଷିରେ ଆଜି ସାଂସଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ସେମାନେ ନିଲମ୍ବିତ ରହିବେ । ଲୋକସଭା ଅଧ୍ୟକ୍ଷ ମଧ୍ୟ ବିରୋଧୀ ସାଂସଦମାନଙ୍କୁ ଚେତାବନୀ ଦେଇ କହିଛନ୍ତି, ମୋ ଉଦାରତାକୁ ଦୁର୍ବଳତା ଭାବିବାର ଭୁଲ ନକରନ୍ତୁ । ଯଦି ତୁମେ ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଛ ତେବେ ସଦନ ବାହାରେ ଯାଇ କର । ଭିତରେ ଫ୍ଲାକାର୍ଡ ଧରି ପ୍ରତିବାଦ ବରଦାସ୍ତ କରାଯିବନି । ଏହାପରେ ସେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।