ଅଲିମ୍ପିକ ମେଡାଲ ବିଜେତା ଲଭଲିନାଙ୍କ ସାଙ୍ଘାତିକ ଅଭିଯୋଗ, ମୋ ପ୍ରଶିକ୍ଷକଙ୍କୁ ଜାଣିଶୁଣି ବାଦ୍ ଦିଆଯାଉଛି, କେମିତି ଜିତିବି ପଦକ

1 min read

ବର୍ମିଂଘମ: ବର୍ମିଂଘମ କମନୱେଲଥ ଖେଳ ଆଉ କିଛି ଦିନ ମଧ୍ୟରେ ହେବାକୁ ଯାଉଛି । ସମସ୍ତେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଉପରେ ଲକ୍ଷ୍ୟ ରଖିଛନ୍ତି । ହେଲେ ଏହାରି ମଧ୍ୟରେ ଭାରତୀୟ ବକ୍ସିଂ ଫେଡେରେସନ ବିରୋଧରେ ସାଂଘାତିକ ଅଭିଯୋଗ ହୋଇଛି । ଟୋକିଓ ଅଲିମ୍ପିକ ମେଡାଲ ବିଜେତା ଲଭଲିନା ବୋର୍ଗୋହେନଙ୍କ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।  ବର୍ମିଂଘମ କମନୱେଲଥ ଖେଳ ପ୍ରସ୍ତୁତିରେ ବ୍ୟସ୍ତ ବୋର୍ଗୋହେନ କହିଛନ୍ତି ବକ୍ସିଂ ଫେଡେରେସନ ଖରାପ ରାଜନୀତିରେ ସାମିଲ ହେଉଛି ।

 

ଟୋକିଓ ଅଲମ୍ପିକରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ବକ୍ସର ଲଭଲିନା ଏକ ଟ୍ୱିଟ ଯୋଗେ ନିଜ ଅଭିଯୋଗ ଲୋକଲୋଚନକୁ ଆଣିଛନ୍ତି । ନିଜ ଟ୍ୱିଟରେ କହିଛନ୍ତି, ଦୁଃଖର ସହ କହିବାକୁ ପଡୁଛି ଯେ ମୁଁ ବହୁତ ଅଧିକ ନିର୍ଯାତିତ ଅନୁଭବ କରୁଛି । ଅଲମ୍ପିକ ଖେଳରେ ମୋର ପଦକ ଜିତିବାରେ ସହାୟତା କରିଥିବା ମୋର ପ୍ରଶିକ୍ଷକଙ୍କୁ ପ୍ରତିଥର ଟ୍ରେନିଙ୍ଗ ପ୍ରକ୍ରିୟା ଏବଂ ପ୍ରତିଯୋଗିତାରୁ ବାଦ୍ ଦିଆଯାଉଛି । ଏମାନଙ୍କ ମଧ୍ୟରୁ ଜଣେ କୋଚ ସନ୍ଧ୍ୟା ଗୁରୁଙ୍ଗ ଜୀ ଅଟନ୍ତି, ଯିଏକି ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜୟୀ ମଧ୍ୟ ଅଟନ୍ତି । ଅନେକ ଥର ଅନୁରୋଧ ସତ୍ତ୍ୱେ ତାଙ୍କୁ ବହୁତ ବିଳମ୍ବରେ ମୋ ଟ୍ରେନିଙ୍ଗ ପାଇଁ ଅନୁମତି ଦିଆଯାଇଥିଲା ।

ଏହାଦ୍ୱାରା ମୋର ଟ୍ରେନିଙ୍ଗ ଉପରେ ପ୍ରଭାବ ପଡୁଛି । ଏହା ମୋତେ ବହୁତ ସମସ୍ୟା ଏବଂ ମାନସିକ ଭାବେ ଶୋଷଣ କରୁଛି । ଆଗକୁ ଲେଖିଛନ୍ତି, ଏବେ ମୋ ପ୍ରଶିକ୍ଷକ ସନ୍ଧ୍ୟା ଗୁରଙ୍ଗ ଜୀ କମନୱେଲଥ ଗାଁ ବାହାରେ ଅଛନ୍ତି, ତାଙ୍କୁ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉନାହିଁ । ଖେଳ ଆରମ୍ଭ ହେବାର ଠିକ୍ ୮ ଦିନ ପୂର୍ବରୁ ଏପରି ଘଟଣା ମୋର ଟ୍ରେନିଙ୍ଗ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଅନେକଥର ଅନୁରୋଧ କରିବା ସତ୍ତ୍ୱେ ମୋର ଅନ୍ୟ ପ୍ରଶିକ୍ଷକଙ୍କୁ ମଧ୍ୟ ସ୍ୱଦେଶ ପଠାଇ ଦେଇଛନ୍ତି ।

ମୁଁ ଜାଣିପାରୁନି ଯେ ନିଜର ଧ୍ୟାନ କିଭଳି ଖେଳ ଉପରେ ଲଗାଇବି । ଏହିପରି ସ୍ଥିତି ଗତ ବିଶ୍ୱ ଚାମ୍ପିଅନସିପରେ ମୋର ପ୍ରଦର୍ଶନ ଉପରେ ପ୍ରଭାବ ପକାଇଥିଲା । ମୁଁ ଚାହୁଁନାହିଁ ଯେ ଏ ରାଜନୀତି ମୋର ରାଷ୍ଟ୍ରକୂଳ ଖେଳର ପ୍ରଦର୍ଶନ ଉପରେ ମଧ୍ୟ ପ୍ରଭାବ ପକାଉ । ମୁଁ ଆଶା କରୁଛି ଯେ ମୁଁ ଏହି ରାଜନୀତିକୁ ଭେଦ କରି ଦେଶ ପାଇଁ ପଦକ ଜିତିପାରିବି, ଜୟ ହିନ୍ଦ । ତାଙ୍କର ଏହି ଟ୍ୱିଟ ପରେ ଟ୍ୱିଟର ବ୍ୟବହାରକାରୀ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି ।

ଅନେକ ଲେଖିଛନ୍ତି କେବଳ ଲଭଲିନା ନୁହନ୍ତି ଅନେକ ଖେଳାଳି ମାନସିକ ନିର୍ଯାତନାର ଶିକାର ହେଉଛନ୍ତି । ଅନେକ ପ୍ରତିଭା ପ୍ରସ୍ଫୁଟିତ ହେବା ପୂର୍ବରୁ ଲିଭିଯାଉଛନ୍ତି । ଫେଡେରେସନର ମନମାନି କାରଣରୁ ଭାରତ ପଛକୁ ପଛକୁ ଯାଉଛି । ଖେଳ କ୍ଷେତ୍ରରେ ଏପରି ମାନସିକତା ରଖୁଥିବା ଫେଡେରେସନ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି ।