ଉଦୟପୁର, ଅମରାବତୀ ଭଳି ଭୋପାଳରେ ଛାତ୍ରଙ୍କ ହତ୍ୟା ଆଶଙ୍କା

1 min read

ଭୋପାଳ: ବିବାଦୀୟ ପୂର୍ବତନ ବିଜେପି ନେତ୍ରୀ ନୁପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ଉପରେ ଆପତ୍ତିଜନକ ବୟାନ ପରେ ଦେଶରେ ସାମ୍ପ୍ରଦାୟିକା ହିଁସା ପରିଲକ୍ଷିତ ହୋଇଛି । ପୂର୍ବରୁ ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ହତ୍ୟା ଏବଂ ମହାରାଷ୍ଟ୍ରର ଅମରାବତୀରେ ମେଡିସିନ ଦୋକାନୀଙ୍କୁ ହତ୍ୟା ପରେ ଏବେ ଆଉ ଜଣଙ୍କ ହତ୍ୟା ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଭୋପାଳରେ ଜଣେ ବିଟେକ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସାମ୍ପ୍ରଦାୟିକତା ପାଇଁ ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ  ।

ଛାତ୍ର ଜଣଙ୍କ ଫୋନରୁ ଏହି ସ୍କ୍ରିନସଟ୍ ତାଙ୍କ ବାପାଙ୍କୁ ହ୍ୱାଟ୍ସଆପରେ ଆସିଥିଲା


ତେବେ ଭୋପାଳ-ନର୍ମଦାପୁର ରେଲୱେ ଷ୍ଟେସନରେ ରବିବାର ରାତିରେ ବିଟେକ ଷ୍ଟୁଡେଣ୍ଟଙ୍କ ଶବ ଉଦ୍ଧାର ହୋଇଛି । କିଛି ବାଟ ଦୂରରୁ ସ୍କୁଟି ଏବଂ ମୋବାଇଲ ମଧ୍ୟ ପୋଲିସକୁ ମିଳିଛି । ହତ୍ୟା ସନ୍ଦେହ ଏଥିପାଇଁ କରାଯଉଛି କାରଣ, ସେହି ରାତିରେ ଛାତ୍ରଙ୍କ ଇନଷ୍ଟାଗ୍ରାମ ଆଇଡିରୁ ତାଙ୍କ ବାପା ଏବଂ ସାଙ୍ଗମାନଙ୍କୁ ହ୍ୱାଟ୍ସଆପରେ ଏକ ସ୍କ୍ରିନସଟ୍ ଆସିଥିଲା । ସେଥିରେ ଛାତ୍ରଜଣଙ୍କ ଫଟୋ ଥିଲା । ଫଟୋରେ ଲେଖାଯାଇଥିଲା ଗୁସ୍ତାଖ-ଏ-ନବୀ କି ଏକ ହି ସଜା, ସିର ତନ ସେ ଜୁଦା । ଅର୍ଥାତ ମହମ୍ମଦଙ୍କ ଅପମାନ କରିବାର ଗୋଟିଏ ଦଣ୍ଡ ଗଣ୍ଡିରୁ ମୁଣ୍ଡ ଅଲଗା ।

ସିଭନୀ ମାଲୱାର ମୂଳ ନିବାସୀ ଉମାଶଙ୍କର ରାଠୋରଙ୍କ ୨୦ ବର୍ଷର ପୁଅ ନିଶାଙ୍କ ରାଠୋର ଭୋପାଳର ଓରିଏଣ୍ଟାଲ କଲେଜରେ ବି ଟିକେ୍ ୫ମ ସେମିଷ୍ଟାରର ଛାତ୍ର ଥିଲା । ପ୍ରାରମ୍ଭିକ ଯାଞ୍ଚରେ ମାମଲା ଆତ୍ମହତ୍ୟା ଲାଗୁଛି । ଛାତ୍ର ଜଣଙ୍କ ସେୟାର ବଜାରରେ ନିବେଶ କରୁଥିଲା । ଘାଟା ଲାଗିବା କାରଣରୁ ଆତ୍ମହତ୍ୟା କରିଥାଇ ପାରେ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଯାଞ୍ଚ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିପାରିବ । ତେବେ ଘଟଣା ସ୍ଥଳରୁ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ । ପରିବାରରେ ଶୋକାକୂଳ ପରିବେଶ ରହିଛି । କାରଣ ଦୁଇ ଭଉଣିରେ ନିଶାଙ୍କ ଏକମାତ୍ର ଭାଇ ଥିଲା । ପୋଲିସ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ଯେ, ନିଶାଙ୍କଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ କିଏ ବ୍ୟବହାର କରିଥିଲା । ନିଶାଙ୍କ ପିତାଙ୍କ ପାଖକୁ ସେହି ସ୍କ୍ରିନସଟ୍ ପଠାଇବା ପଛରେ ଉଦ୍ଦେଶ୍ୟ କଣ ତାର ତଦନ୍ତ କରୁଛି ପୋଲିସ ।