spot_img
Home Blog Page 4249

ଦୁର୍ବଳ ହେଲା ’ଅସାନି’, ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା

ଭୁବନେଶ୍ୱର: ଆଜି ରାତିରେ ଗଭୀର ଅବପାତ ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଅସାନି । ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ‘ଅସାନି’ ଗତ କରୁଛି । ଘଣ୍ଟାପ୍ରତି ୬ କିମି ବେଗରେ ବାତ୍ୟା ଗତି କରୁଛି । ଗୋପାଳପୁରଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଦୂରରେ କେନ୍ଦ୍ରୀଭୂତ । ପୁରୀଠାରୁ ଦକ୍ଷିଣ-ପଶ୍ଚିମରେ ୬୩୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ବାତ୍ୟା ଅସାନି । ମଚ୍ଛଲିପଟ୍ଟନମଠାରୁ ୪୦ କିଲୋମିଟର ଓ କାକିନାଡାଠାରୁ ୧୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ଅସାନି ।

ଗତ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ଅସାନି । ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରର ନର୍ସାପୁର, ୟନମ୍, କାକିନାଡା, ଟୁନି ଓ ବିଶାଖାପାଟ୍ଟନମ୍ ଉପକୂଳ ଦେଇ ପୁଣି ସମୁଦ୍ରରେ ଗତି କରିବ । କାକିନାଡାଠାରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଏହା ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଓଡ଼ିଶା ଉପକୂଳଠାରୁ ବାତ୍ୟା ସମୁଦ୍ର ମଧ୍ୟରେ ବହୁ ଦୂରରେ ଅତିକ୍ରମ କରିବ । ସେତେବେଳକୁ ଏହା ଅବପାତର ରୂପ ନେଇସାରିଥିବ । ସେପଟେ ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପାଗ ବଦଳିବ । ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା । ବାତ୍ୟା ଦୁର୍ବଳ ହେଉଥିବାରୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । ବାତ୍ୟା ଦୁର୍ବଳ ହୋଇ କାଲି ଅବପାତର ରୂପ ନେବା ସମ୍ଭାବନା । ହେଲେ ଏହାର ପ୍ରଭାବରେ ରାଜ୍ୟର ୧୦ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ,ରାୟଗଡା, ଗଞ୍ଜାମ,ନବରଙ୍ଗପୁର, ଗଜପତି ,କେଉଁଝର, ମୟୁରଭଞ୍ଜଓ ପୁରୀରେ ବର୍ଷା ସମ୍ଭାବନା ରହିଛି ।

ଅନ୍ୟପଟେ ୧୨ ତାରିଖ ରାତି ଯାଏଁ ସମୁଦ୍ର ଅଶାନ୍ତ ରହିବ ଆସନ୍ତା କିଛି ଘଣ୍ଟାରେ ଓଡିଶା ଉପକୂଳବର୍ତ୍ତୀ ଜିଲ୍ଳାଗୁଡିକରେ ୪୦ରୁ ୫୦ କିମି ଏବଂ ଝଟକା ପବନ ୬୦ କିମି ବେଗରେ ପବନ ବହିପାରେ । ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

 

କାକିନାଡାରେ ଲ୍ୟାଣ୍ଡଫଲ କରିବ ଅସାନି ! ବର୍ତ୍ତମାନ ୮୦ରୁ ୮୫ କିଲୋମିଟର ବେଗରେ ପବନ ବହୁଥିବା ରେକର୍ଡ

ଅମରାବତୀ:  ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶ ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାତ୍ୟା ଦୂର୍ବଳ ହେଉଥିଲେ ବି ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟା ଆହୁରି ଦୂର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଆନ୍ଧ୍ରର ବିଭିନ୍ନ ସ୍ଥାନରେ ୮୦ରୁ ୮୫ କିଲୋମିଟର ବେଗରେ ପବନ ବହୁଥିବା ରେକର୍ଡ ହୋଇଛି ।

ଆସନ୍ତା କିଛି ଘଣ୍ଟା ମଧ୍ୟରେ ବାତ୍ୟା ଆନ୍ଧ୍ର ଉପକୂଳରେ ପହଞ୍ଚିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିବ । ଏହା ପ୍ରଭାବରେ ଆନ୍ଧ୍ରର ମାଚିଲିପାଟନମ, ନରସାପୁର, ୟାନମ, କାକିନଡ଼ା, ଟୁନି, ବିଶାଖାପାଟଣା ଆଜି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେହିପରି ଗୋପାଳପୁର ଠାରୁ ଦକ୍ଷିଣ-ପଶ୍ଚିମରେ ୫୨୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୬୩୦ କିମି ଦୂରରେ ରହିଛି ବାତ୍ୟା ଅସାନି ।

ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬କିମି ରହିଛି । ୧୨ ତାରିଖ ସକାଳ ସୁଦ୍ଧା ଦୁର୍ବଳ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । କାକିନାଡାରେ କରିପାରେ ଲ୍ୟାଣ୍ଡଫଲ କରିବା ନେଇ କୁହାଯାଇଛି ।

ବାତ୍ୟା ଆଶଙ୍କାରେ ବଢ଼ିଲା ଆଳୁ ଦର, ପଶ୍ଚିମବଙ୍ଗରୁ ଆଳୁ ଆସିଲେ ନିୟନ୍ତ୍ରିତ ହେବ ଦର

ଭୁବନେଶ୍ୱର: ବାତ୍ୟା ଆଶଙ୍କାରେ ବଢ଼ିଛି ଆଳୁ ଦର । ପଶ୍ଚିମବଙ୍ଗର ପରିବହନ ଦର ଅନୁସାରେ ଦର ବୃଦ୍ଧି ପାଏ । ତେବେ ବାତ୍ୟା ଅସାନି ଓଡ଼ିଶାରେ ଲାଣ୍ଡଫଲ କରିବନି । ଯାହା ଫଳରେ ଓଡ଼ିଶାରେ ବିଶେଷ ଭାବରେ କିଛି କ୍ଷୟକ୍ଷତି ହେବ ନାହିଁ । ତେଣୁ ଯଦି ଆଳୁ ଠିକ ଭାବେ ପଶ୍ଚିମବଙ୍ଗରୁ ଆସେ ତେବେ ଦର କମିବ ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

ବର୍ତ୍ତମାନ ଆଳୁ କୁଇଣ୍ଟାଲ ପିଛା ୧୯୦୦ ଟଙ୍କାରେ ବିକ୍ରି ହେଉଛି। ଯେଉଁ ସବୁ ସ୍ଥାନରେ ଆଳୁ ଓ ପିଆଜ ଚଢ଼ା ଦରରେ ବିକ୍ରି ହେଉଛି ସେହି ସବୁ ସ୍ଥାନରେ ଏନ୍ଫୋର୍ସମେଣ୍ଟ ଟିମକୁ ରେଡ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ । ଆଜି ସନ୍ଧ୍ୟା ସୁଦ୍ଧା ୫ରୁ ୬ଟି ସ୍ଥାନରେ ରେଡ୍‌ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଉତ୍ତରାଖଣ୍ଡରେ ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ, ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୬

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପିଥୌରାଗଡ ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଯେଉଁଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ତାହା ନେପାଳ ସୀମାର ଆଖପାଖ ଅଞ୍ଚଳ । ରିକ୍ଟର ସ୍କେଲରେ ଏହି ଭୂକମ୍ପ ତୀବ୍ରତା ୪.୬ ରହିଛି । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ମୃତାହତ ନେଉ କୌଣସି ସୂଚନା ମିଳିପାରିନାହିଁ ।

ତେବେ, ଏହା ପୂର୍ବରୁ ଫେବୃଆରୀ ୧୨ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରହିଥିଲା । ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ କେନ୍ଦ୍ର ହୋଇଥିବା ଜଣାପଡ଼ିଥିଲା । ଗୁରୁବାର ଦିନ ମଧ୍ୟ ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା ଏବଂ ଭୂକମ୍ପ କେନ୍ଦ୍ର ତାଜିକିସ୍ତାନ ଥିଲା ।

ବ୍ରଜରାଜନଗର ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ ଅଳକା ମହାନ୍ତି

ବ୍ରଜରାଜନଗର: ବ୍ରଜରାଜନଗରରେ ହେବ ବିଗ୍ ଫାଇଟ୍ । ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଶାଳ ରୋଡ୍ ଶୋ’ରେ ଯାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନାମାଙ୍କନ ଭରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଶାରଦା ନାୟକ, ରୀତା ସାହୁ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ଜଣଙ୍କ ପରେ ଜଣେ ଯାଇ ନାମାଙ୍କନ ଭରୁଛନ୍ତି । ଆଜି ନାମାଙ୍କନ ଦାଖଲ ହେବା ପରେ ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏହା ପରେ କମ୍ପିବ ପ୍ରଚାର ମଇଦାନ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ। ମେ’ ୩୧ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ହେବ ମତଦାନ । ଜୁନ ୩ ତାରିଖରେ ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ।

ସମ୍ବିତଙ୍କୁ ଭର୍ତ୍ସନା କଲେ ସୁର, ଜଗନ୍ନାଥଙ୍କୁ ନେଇ ନାଟକ ନକରନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ସମ୍ବିତ ପାତ୍ରଙ୍କୁ ଭର୍ତ୍ସନା କଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ନାଟକ ନକରନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ । ସେ ଆହୁରି କହିଛନ୍ତି ସମ୍ବିତ ପାତ୍ର ଜଗନ୍ନାଥଙ୍କୁ କେତେବେଳ ମୁଣ୍ଡେଇ, କେତେବେଳେ କାଖେଇ ନାଚୁଛନ୍ତି । ସମ୍ବିତ ମୁଣ୍ଡିଆ, କୁଣ୍ଡିଆ ରାଜନୀତି ବନ୍ଦ କରନ୍ତୁ ବୋଲି ତାତ୍ସଲ୍ୟ କରି କହିଛନ୍ତି ସୁର ।

ଓଡ଼ିଶାରେ ଧର୍ମକୁ ନେଇ ରାଜନୀତି ନକରାଯାଉ । ପୁରୀ, ଲିଙ୍ଗରାଜ ମନ୍ଦିରର ବିକାଶ ହେଉ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ହେଉଥିବା କାମ ତୁରନ୍ତ ଶେଷ କରାଯାଉ । ଭୁଲ୍ ଦେଖିଲେ ଏଏସଆଇ, ଆର୍କିଓଲୋଜି ଓ ହାଇକୋର୍ଟଙ୍କୁ ସମ୍ବିତ ପାତ୍ର ଜଣାନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ । ବାରମ୍ବାର ପୁରୀ ଆସି ନାଟକ ନକରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ କହିଛନ୍ତି ।

ଦେଶଦ୍ରୋହ ଆଇନ କାର୍ଯ୍ୟକାରିତାରେ ରୋକ, ଅଭିଯୁକ୍ତମାନେ ଜାମିନ ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ: ବିବାଦୀୟ ଦେଶଦ୍ରୋହ ଆଇନର କାର୍ଯ୍ୟକାରିତା ଉପରେ ସାମୟିକ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଏହି ଆଇନର ପୁନଃସମୀକ୍ଷା ଯାଏଁ ଆଇନ ଉପରେ ରୋକ୍ ଜାରି ରହିବ ବୋଲି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିମାନେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ବୁଧବାର ଦିନ ସୁପ୍ରିମକୋର୍ଟଙ୍କ ନୋଟିସର ଜବାବ ରଖିଥିଲେ କେନ୍ଦ୍ର ସରକାର । ସଂଗୀନ ଅପରାଧୀଙ୍କ ବିରୋଧରେ ଏହି ଆଇନ ଜରିଆରେ ମାମଲା ରୁଜୁ ହୋଇପାରିବ ବୋଲି କେନ୍ଦ୍ର ସରକାର କୋର୍ଟରେ ଜଣାଇଥିଲେ । ଗତ ସୋମବାର ଦିନ ବିବାଦୀୟ ଦେଶଦ୍ରୋହ ଆଇନର ପୁନଃସମୀକ୍ଷା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ତେବେ ସମୀକ୍ଷା ସରିବା ପର୍ଯ୍ୟନ୍ତ ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲାଗିପାରିବ କି ନାହିଁ, ସେ ନେଇ ସରକାରଙ୍କଠାରୁ ଜବାବ ତଲବ କରିଥିଲେ ସୁପ୍ରିମକୋର୍ଟ ।

ପରେ ଆଜି ଜବାବ ଦାଖଲ କରିଥିଲେ କେନ୍ଦ୍ର ସରକାର । ସଙ୍ଗୀନ ଅପରାଧୀଙ୍କ ବିରୋଧରେ ଦେଶଦ୍ରୋହ ଆଇନ ଜରିଆରେ ମାମଲା ରୁଜୁ ହେବା ସପକ୍ଷରେ ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର । ହେଲେ ସରକାର ସ୍ପଷ୍ଟ କରିଥିଲେ ଯେ, ବରିଷ୍ଠ ପୋଲିସ ଅଧିକାରୀ ଉଚିତ ମନେ କଲେ ହିଁ ମାମଲା ରୁଜୁ ହୋଇପାରିବ । ତାଙ୍କ ଅନୁମତିରେ ହିଁ ମାମଲା ରୁଜୁ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଦେଶଦ୍ରୋହ ଆଇନରେ ରୋକ୍ ଲଗାଇବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର ।

ଟ୍ୱିଟରର ନୂଆ ବସ୍ ଏଲନ ମସ୍କଙ୍କ ନିଷ୍ପତ୍ତି, ଟ୍ୱିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ସତ ହେଲା ଭାରତର ପରାଗ ଅଗ୍ରୱାଲ ଆକଳନ । ପୁଣି ଟ୍ୱିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରୁ ବ୍ୟାନ୍ ହଟାଯିବ ବୋଲି କହିଛନ୍ତି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ନୂଆ ବସ୍ ଏଲନ ମସ୍କ । ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋରସେ ମଧ୍ୟ ମସ୍କଙ୍କ କଥାରେ ସହମତି ଦର୍ଶାଇଛନ୍ତି । ଡୋରସେ କମ୍ପାନୀର ସିଇଓ ଥିବା ସମୟରେ ହିଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବ୍ୟାନ୍ କରିଦିଆଯାଇଥିଲା ।

ଯେତେବେଳେ ଟ୍ୱିଟରକୁ ଏଲନ ମସ୍କ କିଣିଥିଲେ ସେତେବେଳେ ଏନେଇ ଅନୁମାନ କରୁଥିଲେ ପରାଗ । ଆଉ କହିଥିଲେ ଟ୍ୱିଟରର ନୂଆ ମାଲିକ ଆସିବା ପରେ ହୁଏତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଯାଇପାରେ । ଯାହା ଏବେ ସତ ହୋଇଛି ।

ତେବେ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ୟାନ୍ କରାଯିବା ଏକ ବ୍ୟବସାୟିକ ନିଷ୍ପତ୍ତି ଥିଲା ବୋଲି ଡୋରସେ କହିଛନ୍ତି । ତେବେ ଟ୍ରମ୍ପଙ୍କ ଆକାଉଣ୍ଟରେ ବ୍ୟାନ୍ ଲଗାଇବା ଟ୍ୱିଟରର ମୂର୍ଖତା । ବ୍ୟାନ୍ ଲଗାଇବା ପାଇଁ କିଛଇ ବଡ଼ କାରଣ ଦରକାର । ଏବେ ମୁଁ ଟ୍ୱିଟରର ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛି ବୋଲି ମସ୍କ କହିଛନ୍ତି । ମସ୍କଙ୍କ ନିଷ୍ପତ୍ତି ପରେ ବି ଟ୍ରମ୍ପଙ୍କ ଟ୍ୱିଟରକୁ ଫେରିବା ନେଇ ଆଶଙ୍କା ରହିଛି । ପୂର୍ବରୁ ଟ୍ୱିଟରକୁ ନଫେରିବା ନେଇ ଟ୍ରମ୍ପ ଘୋଷଣା କରିସାରିଛନ୍ତି । ଗତବର୍ଷ ଆମେରିକାରେ ହିଂସା ବେଳେ ଟ୍ରମ୍ପଙ୍କ କିଛି ଟ୍ୱିଟକୁ ନେଇ ତାଙ୍କୁ ବ୍ୟାନ୍ କରାଯାଇଥିଲା ।

ରାଜଧାନୀରେ ପୁଣି ମାତିଲେ ଲୁଟେରା, ହୋମିଓପାଥିକ ଦୋକାନରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଭୁବନେଶ୍ୱରରେ ଥମୁନି ଲୁଟେରାଙ୍କ ଆତଙ୍କରାଜ । କମିଶନରେଟ୍ ପୋଲିସଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଲୁଟେରା । ଖାରବେଳ ନଗର ହୋମିଓପାଥିକ ଔଷଧ ଦୋକାନରୁ ଲୁଟ୍ । ଦୋକାନ ପଛ ପଟୁ ସଟର ଭାଙ୍ଗି ପଶିଥିଲେ ଲୁଟେରା । ଦୋକାନରେ ପଶି ଲୁଟ୍ କରିବା ପରେ ଦୋକାନରେ ଲାଗିଥିବା କ୍ୟାମେରା ହାର୍ଡ ଡିସ୍କକୁ ନେଇ ମଧ୍ୟ ଛୁ ମାରିଛନ୍ତି ଲୁଟେରା । ଏହି ହୋମିଓପାଥିକ ଦୋକାନରୁ ପ୍ରୟ ସାଢ଼େ ୩ ଲକ୍ଷ ଟଙ୍କା କ୍ୟାସ ନେଇଯାଇଥିବା ଅନୁମାନ କରାଯାଇଛି । ତେବେ ଏହି ଘଟଣା ପରେ ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେଉଁ ଦେଶରୁ ଭାସି ଆସିଲା ଏହି ସୁନାର ରଥ ?

ଶ୍ରୀକାକୁଲମ: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଉପକୁଳକୁ ଭାସି ଆସିଲା ସୁନେଲି ମନ୍ଦିର  । ଏହା ଏକ ମନ୍ଦିର ଚୁଡା ବା ରଥ ସଦୃଶ ହୋଇଛି  । ବାହାର ଦେଶରରୁ ଏହା ଭାସି ଆସିଥିବା ଅନୁମାନ କରାଯାଉଛି  । ମାଲେସିଆରୁ ଭାସି ଆସିଥିବା ଚର୍ଚ୍ଚା ହେଉଛି  । ଏହି ରଥକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି  । ଏପଟେ ପ୍ରଶାସନ ପକ୍ଷରୁ ଉପରିସ୍ଥ ଅଧିକାରୀ ସୂଚନା ଦିଆଯାଇଛି  । ଗୁଇନ୍ଦା ବିଭାଗକୁ ନେଇ ମଧ୍ୟ ସୂଚନା ଦିଆଯାଇଛି  ।

https://fb.watch/cX3cEUNZz7/

ସାମୁଦ୍ରିକ ବାତ୍ୟା ‘ଅସାନୀ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ  ଡଙ୍ଗା ଭାସି ଆସି ଥିବା ଦେଖିବାକୁ ମିଳିଛି। ଏଥିରେ ଥାଇ ବା ମଲେଶିୟା ଭାଷାରେ କିଛି ଲେଖା ହୋଇଥିବା ସହ ବୁଦ୍ଧ କଳାକୃତି ଥିବା ଦେଖିବାକୁ ମିଳିଛି। ତେଣୁ ସମ୍ଭବତଃ ଏହା ଥାଇଲ୍ଯାଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଇଛି। ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ଏହି ସୁନ୍ଦର ରଥ ସଦୃଶ ଡଙ୍ଗାଟିକୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟପଟେ, ସାନ୍ତାବୋମଲି ତହସିଲଦାର କହିଛନ୍ତି ଯେ, ଏହି ରଥ ଅନ୍ୟ ଦେଶରୁ ଆସିଥିବା ସମ୍ଭାବନା କମ୍। ତହସିଲଦାର କହିଛନ୍ତି ଯେ ଏହି ରଥଟି ଭାରତୀୟ ଉପକୂଳରେ କୌଣସି ଚଳଚ୍ଚିତ୍ର ସୁଟିଂ ପାଇଁ ବ୍ୟବହୃତ ହୋଇଥାଇପାରେ, କିନ୍ତୁ ଉଚ୍ଚ ଜୁଆର କାରଣରୁ ଏହା ଭାସିଆସି ଶ୍ରୀକାକୁଲମ୍ କୂଳରେ ଲାଗିଥାଇପାରେ ।