spot_img
Home Blog Page 4239

ଆସୁଛି ଲଘୁଚାପ ବଢ଼ିବ ବର୍ଷା, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର । ଆସୁଛି ଲଘୁଚାପ । ଆଉ ଦିନକ ପରେ ରାଜ୍ୟରେ ବଢ଼ିବ ବର୍ଷା । ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଥିବାବେଳେ ୪ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଓ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହ ଭଲ ବର୍ଷା ହେବ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ୬ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଆଜି ବର୍ଷା ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଧାୟକ ଦଳ ବୈଠକ ବସିବ । ଗୃହରେ ଶାସକ ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ବୈଠକରେ ପ୍ରସ୍ତୁତ ହେବ ରଣନୀତି । ସେହିପରି ଦଳୀୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିବ । ସକାଳ ୯ଟାରେ ବସିବାକୁ ଥିବା ବୈଠକରେ ମୁଖ୍ୟ ବିରୋଧୀ ବିଜେପି ଗୃହରେ କେଉଁ କେଉଁ ପ୍ରସଙ୍ଗ ଉଠାଇବ ସେନେଇ ରଣନୀତି ପ୍ରସ୍ତୁତ କରାଯିବ ।

https://www.youtube.com/watch?v=eO4Ne1KpWeI

ଅନ୍ୟପଟେ ଆଜି କଂଗ୍ରେସର ମଧ୍ୟ ବିଧାୟକ ଦଳ ବସିବ । ସକାଳ ୧୦ଟାରେ କଂଗ୍ରେସ ବିଧାୟକ ଦଳ ନେତା ନଂରସିହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ କଂଗ୍ରେସ କେଉଁ କେଉଁ ପ୍ରସଙ୍ଗ ଗୃହରେ ଉଠାଇବ ସେ ସମ୍ପର୍କରେ ଆଲୋଚନା ହେବ ।

ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚିତ ହେବେ ନୂଆ ବାଚସ୍ପତି, ଆଜି ଦାଖଲ ହେବ ନାମାଙ୍କନ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚିତ ହେବେ ନୂଆ ବାଚସ୍ପତି । ଏଥିପାଇଁ ଆଜି ଦାଖଲ ହେବ ନାମାଙ୍କନ । ଆସନ୍ତାକାଲିଠୁ ବସିବ ଦୁଇଦିନିଆ ଅଧିବେଶନ । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସୋମବାର ଦିନ ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବେ । ଗତ ୩୦ ତାରିଖରେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବିଜେପିର ଦେବେନ୍ଦ୍ର ଫଡନଭିସ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଣେ ଶିବସେନାର ୩୮ ବିଧାୟକଙ୍କ ବିରୋଧରେ ମହାବିକାଶ ଅଘାଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶିବସେନାର ସବୁ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭାରୁ ବାରଣ ପାଇଁ ଆବେଦନ କରାଯାଇଛି । ଯେଉଁ ବିଧାୟକଙ୍କ ବିରୋଧରେ ଶୁଣାଣି ଚାଲିଛି ବା ଶୁଣାଣି ହେବାକୁ ଯାଉଛି, ସେମାନଙ୍କୁ ଗୃହକାର୍ଯ୍ୟରୁ ରୋକିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି  । ଆସନ୍ତା ୧୧ ତାରିଖରେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବେ ।

ଏକନାଥ ସିନ୍ଦେଙ୍କ ବିଦ୍ରୋହ ସତ୍ତ୍ୱେ  ଶିବସେନା ଉଦ୍ଧବ ଠାକେରଙ୍କର ବୋଲି ଟିମ୍ ଉଦ୍ଧବ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ଯାହା ଜଣାପଡ଼ୁଛି ଟିମ୍ ଉଦ୍ଧବ ହଠାତ ଏବେ ବି ହାର ମାନିବା ମୁଡରେ ନାହିଁ  । ଏକନାଥ ସିନ୍ଦେଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଟିମ୍ ଉଦ୍ଧବ ପ୍ରସ୍ତୁତ ହେଉଛି । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଉଦ୍ଧବ ଠାକେର । ଯେଉଁମାନେ ବିଜେପି ସହ ଯାଇଛନ୍ତି, ସେମାନେ ନିଜକୁ ପ୍ରଶ୍ନ କରନ୍ତୁ ବୋଲି ଉଦ୍ଧବ କହିଛନ୍ତି  । ବର୍ତ୍ତମାନ ବିଜେପି ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟାଖ୍ୟାନ କରିଛି, ତେବେ  ୨୦୧୯ରେ କାହିଁକି ଅମଙ୍ଗ ହେଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ ।

ଶରଧାବାଲିରେ ତିନି ରଥ, ସନ୍ଧ୍ୟା ଧୂପ ନୀତି ପରେ ଆଡ଼ପ ମଣ୍ଡପ ଯିବେ ଶ୍ରୀଜିଉ

ପୁରୀ: ଶରଧାବାଲିରେ ତିନି ରଥ । ରଥାରୁଢ ହୋଇ ଦର୍ଶନ ଦେଉଛନ୍ତି ମହାବାହୁ । ଆଜି ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡ଼ପ ମଣ୍ଡପ ବିଜେ ନୀତି ସମ୍ପାଦନ କରିବେ ସେବାୟତ । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ । ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ତିନି ଠାକୁର କରିବେ ଲୀଳାଖେଳା । ଗତକାଲି ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ବଡ଼ ଭାଇ ଓ ଭଉଣୀଙ୍କୁ ନେଇ ଜନ୍ମବେଦୀ ଅଭିମୁଖେ ଯାଇଛନ୍ତି କାଳିଆ ସାଆନ୍ତ ।

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ଏଥର ମଧ୍ୟ କୋଭିଡ କଟକଣା ମଧ୍ୟରେ ଚାଲିବ ବିଧାନସଭା । ଲମ୍ବା ସମୟର ବଜେଟ ଅଧିବେଶନରେ ରହିଛି ମୋଟ ୨୪ଟି କାର୍ଯ୍ୟଦିବସ  l ଆଜି  ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂର୍ଣ୍ଣାଙ୍ଗ ବଜେଟରେ ଆସିବ ବର୍ଷକର ଆୟବୟର ସ୍ପଷ୍ଟ ଚିତ୍ର । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣି ପାରିନଥିଲେ । ତେଣୁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର କାମଚଳା ବଜେଟ୍ ଆଗତ ହୋଇଥିଲା ।

ଆଉ ଏବେ ପୂର୍ଣ୍ଣାଙ୍ଗ ବଜେଟ ଆକାର ୨ ଲକ୍ଷ ୧୦ ହଜାର କୋଟି ଟପିବ ବୋଲି ଆକଳନ କରାଯାଉଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ବଜେଟ ଆକାର ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇବ । ପୂର୍ଣ୍ଣାଙ୍ଗ ବଜେଟରେ ଭିତ୍ତିଭୂମି, ପର୍ଯ୍ୟଟନ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସୃଷ୍ଟି ସହ ଜନକଲ୍ୟାଣ ଯୋଜନା ଉପରେ ଗୁରୁତ୍ୱ ଦିଆଯିବ । ରାଜ୍ୟର ଆର୍ଥିକ ସୁପରିଚାଳନା ଯୋଗୁଁ ଋଣଭାର ନିୟନ୍ତ୍ରଣାଧୀନ ଥିବା ବେଳେ ଗତ କିଛି ବର୍ଷ ଧରି କ୍ରମାଗତ ଭାବେ ରାଜସ୍ୱ ବଳକା ବଜେଟ ପ୍ରସ୍ତୁତ ହେଉଛି । ଏଥର ଏକ ଲୋକାଭିମୁଖୀ ବଜେଟ୍ ହେବ ବୋଲି ଆଶା କରାଯାଉଛି  ।

ରଥଟଣାରେ ଅଘଟଣ; ବିଦ୍ୟୁତ ତାର ଲାଗି ଜଣେ ମୃତ, ୭ ଆହତ

ନନ୍ଦିଘୋଷ ବ୍ୟୁରୋ: ରଥ ଟଣା ବେଳେ ଅଘଟଣ । ୧୧ କେଭି ବିଦ୍ୟୁତ ତାରରେ ଲାଗିଲା ରଥ । ଦୁର୍ଘଟଣାରେ ଜଣେ ମୃତ , ୭ ଜଣ ଗୁରୁତର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗୁଡିଖାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସଂଧ୍ୟାରେ ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି ଛକ ନିକଟରେ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସିଥିଲା ରଥ । ଫଳରେ ରଥ ନିକଟରେ ଥିବା ୮ ଜଣ ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ମୃତକ ହେଲେ ଅଗରଡା ଗାଁର ଅନିଲ ସାହୁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ରଥ ଟାଣିବାକୁ ଯିବା ବାଟରେ ଅଘଟଣ ଘଟିଛି  । ରଥ ଟାଣିବା ପାଇଁ  ଝିଅଘର ଗାଁକୁ ଯାଉଥିଲେ । ହେଲେ ଅଧା ରହିଗଲା ଇଚ୍ଛା । ଅଧାବାଟରେ ଚାଲିଗଲା ଜୀବନ । ପୋଲିସ ଭ୍ୟାନ ଧକ୍କାରେ ସ୍ତ୍ରୀ ମୃତ, ସ୍ୱା ଓ ଝିଅ ଗୁରୁତର । ଧର୍ମଗଡ ଆମ୍ବ ପାଣି ଥାନା ଭୂର୍ଷାଗୁଡା ନିକଟରେ ଘଟିଛି ଏହି ଅଘଟଣ । ମୃତକ ହେଲେ କନ୍ଦା ଗଡ ଗାଁର କିଆ ମାଝୀ । ସ୍ୱାମୀ କୃଷ୍ଣ ମାଝୀ ଓ ଝିଅ ନମିତାଙ୍କୁ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି କରାଯାଇଛି । ଆମ୍ବ ପାଣି ପୋଲିସ ଭ୍ୟାନ ଧକ୍କାରେ ଏହି ଦୁର୍ଘଟଣା ଘଟିଛି । ସେପଟେ କ୍ଷତି ପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ବିଜୁ ଏକ୍ସପ୍ରେସରେ ଯାତାୟାତ ବନ୍ଦ ରହିଛି  । ଘଟଣା ସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରୁଛି  ।

ପ୍ରମାଣ ପାଇଁ ନିଆଯାଇଥିବା ବୋମା କୋର୍ଟରେ ଫୁଟିଲା, ଜଣେ ଆହତ

ପାଟନା: ବିହାର ରାଜଧାନୀ ପାଟନା ସିଭିଲ କୋର୍ଟରେ ପ୍ରମାଣ ଆଧାରରେ ନିଆଯାଇଥିବା ବୋମା ବିସ୍ଫୋରଣ ହୋଇଛି  । ଏଥିରେ ବିଶେଷ କିଛି କ୍ଷତି ହୋଇନି । କେବଳ ଜଣେ ପୋଲିସ କର୍ମୀଙ୍କୁ ସାମାନ୍ୟ ଆଘାତ ଆସିଛି ।  ଶୁକ୍ରବାର ସିଭିଲ କୋର୍ଟରେ ହଠାତ ଏକ ଧମାକା ହୋଇଥିଲା । ଉପସ୍ଥିତ ଲୋକେ କିଏ କୁଆଡେ ଦୌଡିବାକୁ ଲାଗିଥିଲେ । ସମସ୍ତେ ଭାବିଥିରେ କେହି ଅପରାଧୀ କୋର୍ଟରେ ବୋମା ଫୁଟାଇଛି  । ହେଲେ ପରେ ଜଣା ପଡିଥିଲା କି ଦୁର୍ଘଟଣା ବସତଃ ଏହା ଫୁଟିଛି ବୋଲି  ।

ସୂଚନାନୁଯାୟୀ କିଛି ଦିନ ପୂର୍ବେ ପାଟନାର ଏକ ହଷ୍ଟେଲରୁ ଏହି ବୋମା ଜବତ କରାଯାଇଥିଲା  । ଜବତ ବୋମାକୁ ମାମଲାର ଶୁଣାଣି ପାଇଁ କୋର୍ଟରେ ହାଜର କରାଯାଉଥିଲା  । କିନ୍ତୁ ହାଜର ସମୟରେ ହିଁ ବୋମା ବ୍ଲାଷ୍ଟ ହୋଇଯାଇଥିଲା  । ବୋମାକୁ ପ୍ରମାଣ ଭାବେ କୋର୍ଟକୁ ଅଣାଯାଇଥିଲା । ଏହା ସହ ସମ୍ବନ୍ଧିତ ମାମଲାର ଜଜଙ୍କୁ ଦେଖାଇବା ପାଇଁ ଅଣାଯାଇଥିଲା  । କଦମକୁଆଁ ଥାନାର ପୋଲିସ ଜବତ କରାଯାଇଥିବା ବୋମାକୁ କୋର୍ଟକୁ ଆଣିଥିଲେ  । ତେବେ ଏହି ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ତେବେ ବୋମାକୁ ନିଷ୍କ୍ରିୟ କରାଯିବା ପରେ ବି କେମିତି ଏହା ବିସ୍ଫୋରଣ ହେଲା ତାର ତଦନ୍ତ କରୁଛି ପୋଲିସ  ।

ବେଙ୍ଗାଲୁରୁ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପାଳିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଆଗରାଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଧୁମଧାମରେ ପବିତ୍ର ରଥଯାତ୍ରା ପର୍ବ ପାଳନ କରାଯାଇଛି । ଏଠାରେ ଭୋରରୁ ମଂଗଳ ଆଳତୀ, ଅବକାଶ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ଓ ସାହାଣମେଲା ଆଦି ରୀତିନୀତିକୁ ଯଥାବିଧି ସମ୍ପନ୍ନ କରାଯାଇଥିଲା । ଦିନ ୧୨ ଟା ୧୫ରେ ଚାରି ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା । ମନ୍ଦିର ବେଢ଼ାରେ ଥିବା ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ୨୮ ଫୁଟ ଉଚ୍ଚ ରଥ ଉପରକୁ ଠାକୁରମାନଙ୍କୁ ଭକ୍ତ ମାନଙ୍କର କୀର୍ତ୍ତନ ତଥା ଜୟ ଜଗନ୍ନାଥ ଧ୍ବନିମଧ୍ୟରେ ନିଆଯାଇଥିଲା। ମନ୍ଦିରର ଟ୍ରଷ୍ଟି ସୀତିକଣ୍ଠ ଷଡ଼ଙ୍ଗୀ ଛେରା ପହଁରା କରିବା ପରେ ଅପରାହ୍ନ ୨ଟା ୩୦ରେ ରଥଟଣା ଆରମ୍ଭ ହୋଇଥିଲା । ରଥଟିକୁ ଦୀର୍ଘ ୧ କିମି ପର୍ଯ୍ୟନ୍ତ ଟଣାଯାଇ ସନ୍ଧ୍ୟା ୬ଟା ବେଳେ ମାଉସୀ ମା’ ମନ୍ଦିର ନିକଟରେ ପହଁଞ୍ଚାଯାଇଥିଲା । ପାଗ ମେଘୁଆ ଥିବାରୁ ପ୍ରାୟ ୨୫୦୦୦ ଦର୍ଶକ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦର୍ଶନ କରିଥିବା ଦେଖା ଦେଇଥିଲା।

ରଥଯାତ୍ରା ଉତ୍ସବରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ଏସ୍ ବୋମାଇ, କେନ୍ଦ୍ରୀୟ ବେଙ୍ଗାଲୁରୁର ସାଂସଦ ପିସି ମୋହନ, ରାଜ୍ୟମନ୍ତ୍ରୀ ଅରବିନ୍ଦ ଲିମ୍ବାଭଲି ଏବଂ ବିଧାୟକ ସତୀଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ । ସମଗ୍ର ମହୋତ୍ସବକୁ ସୂଚାରୁ ଆୟୋଜନ କରିବାରେ ମନ୍ଦିରର ଟ୍ରଷ୍ଟି ତଥା ସମ୍ପାଦନା ମଣ୍ଡଳୀ ସଦସ୍ୟ ନିହାର ସାମନ୍ତରା, ଡକ୍ଟର ପ୍ରତାପ ପାଣି, କାମାକ୍ଷା ପଣ୍ଡା, ଜଷ୍ଟିସ ଜେପି ଉଦଗାତା, ହର ମହାପାତ୍ର, ମନୋଜ ପାତ୍ର ଓ ପୁଣ୍ୟଶ୍ଲୋକ ଖୁଣ୍ଟିଆ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଡିଆରଡିଓ ପକ୍ଷରୁ ସ୍ୱୟଂ ଚାଳିତ ଯୁଦ୍ଧ ବିମାନର ସଫଳ ପରୀକ୍ଷଣ

ବେଙ୍ଗାଲୁରୁ: ଆତ୍ମନିର୍ଭର ଭାରତ ଦିଗରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ଆଉ ଏକ ପାଦେ ଆଗକୁ ବଢିଛି । ସ୍ୱୟଂ ଚାଳିତ ୱିଙ୍ଗ ଟେକ୍ନୋଲୋଜି ଡେମନଷ୍ଟ୍ରେଟରର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ବିନା ଚାଳକରେ ଏହି ବିମାନ ଉଡି ସଫଳତା ହାସଲ କରିଛି । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗରେ ଏରୋନଟିକାଲ ପରୀକ୍ଷଣ ରେଞ୍ଜରୁ ଏହି ଉଡାଣ ଭରିଥିଲା  । ଏହି ଯୁଦ୍ଧ ବିମାନର ଖାସ କଥା ହେଉଛି ଏହା ସ୍ୱୟଂ ଚାଳିତ ଅଟେ, ଅର୍ଥାତ ବିନା ପାଇଲଟରେ କାମ କରିବ । ଡିଆରଡିଏ ଏହାର ସୂଚନା ଦେଇ କହିଛି ଏହା ସମ୍ପୂର୍ଣ୍ଣ ଭାବେ ଅଟୋମେଟିକ ମୋଡରେ କାର୍ଯ୍ୟ କରିବ । ଏଥିରେ ଟେକ ଅଫ, ୱେ ପଏଣ୍ଟ ନାଭିଗେସନ ଏବଂ ଏକ ସହଜ ଟଚଡାଉନ ସାମିଲ ଅଛି । ଏହି ଜ୍ଞାନକୌଶଳକୁ ବେଙ୍ଗାଲୁରୁର ବିମାନ ବିକାଶ ପ୍ରତିଷ୍ଠାନ ଡିଜାଇନ କରିଛି ।

ଏହି ବିମାନ ଏକ ଛୋଟ ଟର୍ବୋ ଫ୍ୟାନ ଇଞ୍ଜିନ ଜରିଆରେ ଅପରେଟ କରାଯିବ  । ଏଥିରେ ଏୟାରଫ୍ରେମ ସହ ଅଣ୍ଡର କ୍ୟାରେଜ, ଫ୍ଲାଇଟ କଣ୍ଟ୍ରୋଲ ଏବଂ ଏଭିୟୋନିକ୍ସ ସିଷ୍ଟମକୁ ସ୍ୱଦେଶୀ ରୂପରେ ବିକଶିତ କରାଯାଇଛି  । ଯୁଦ୍ଧରେ ଏହା ଲାଭଦାୟକ ସାବ୍ୟସ୍ତ ହେବ  । ବିନା ଜୀବନ କ୍ଷତି ଭୟରେ ଏହା ଯୁଦ୍ଧ ଲଢିପାରିବ । ୨୯ ଜୁନରେ ହାଇସ୍ପିଡ ଏକ୍ସପେଣ୍ଡେବୁଲ ଏରିଏଲ ଟାର୍ଗେଟ (ଏଚଇଏଟି) ଅଭ୍ୟାସର ସଫଳତାପୂର୍ବକ ପରୀକ୍ଷଣ କରାଯାଇଥିଲା  । ଏହାର ଟେଷ୍ଟିଂ ଡିଆରଡିଓ ଓଡିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କରାଯାଇଥିଲା । ଏହା ମିସାଇଲକୁ ସିଧା ଟାର୍ଗେଟ କରିବ  ।

୨ ମାଗାଜିନର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମାସିକ ମାଗିଜିନ ଉତ୍କଳ ପ୍ରସଙ୍ଗ ଉନ୍ମୋଚିତ ହୋଇଯାଇଛି । ସେହିପରି ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ସଂସ୍କରଣ ଓଡିଶା ରିଭ୍ୟୁ ମାଗାଜିନ ଉନ୍ମୋଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଦୁଇ ମାଗାଜିନର ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଅରୁଖ ଉପସ୍ଥିତ ଥିଲେ । ପୁରୀରେ ଏହି ଉନ୍ମୋଚନ ଉତ୍ସବ ହୋଇଥିଲା  ।