ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଲେ ଅଧିର ରଞ୍ଜନ, ସଂସଦରେ କମୁନି ତାତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କ୍ଷମା ମାଗିଲେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ । ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି ଅଧୀର ରଂଜନ । ଭୁଲ୍‌ରେ ପାଟିରୁ ଅପଶବ୍ଦ ବାହରି ଗଲା ବୋଲି କହିଛନ୍ତି ଅଧିର । ଏହାକୁ ନେଇ ସଂସଦରେ ଆଜି ବି ପ୍ରବଳ ହଙ୍ଗାମା ହୋଇଥିଲା । ଏପଟେ ସଂସଦ ବାହାରେ ନିଲମ୍ବିତ ସାଂସଦଙ୍କ ଧାରଣା ଜାରି ରହିଛି । ସେପଟେ ଏଭଳି ସ୍ଥିତିରେ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ  ।

ରାଷ୍ଟ୍ରପତିଙ୍କୁ ଅପମାନ । ବିବାଦୀୟ ବୟାନ ପ୍ରସଙ୍ଗରେ ଆଜି ବି ଗୃହ ଅଚଳ । ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବି । କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଜାଣିଶୁଣି ଏଭଳି କହିଛନ୍ତି । ପାଟିରୁ ଖସିଯାଇଛି କହି ବିବାଦରୁ ଖସି ଯିବାକୁ ଚେଷ୍ଟା କରୁଛି କଂଗ୍ରେସ । ଏଭଳି କହି କଂଗ୍ରେସକୁ ଘେରିଛି ଶାସକ ବିଜେପି । ସଂସଦର ଉଭୟ ଗୃହରେ ଏହାକୁ ନେଇ ବିଜେପି ଓ ସହଯୋଗୀ ଦଳ ସାଂସଦଙ୍କ ହଙ୍ଗାମା । ଅଧ୍ୟକ୍ଷା ସୋନିଆ ଗାନ୍ଧି କ୍ଷମା ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି ।

ସେପଟେ କଂଗ୍ରେସ କହିଛି ଯେ ବିବାଦୀୟ ମନ୍ତବ୍ୟ ନେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କ୍ଷମା ମାଗିସାରିଛନ୍ତି । ଖୁବଶୀଘ୍ର ରାଷ୍ଟ୍ରପତିଙ୍କୁ ଭେଟି ମଧ୍ୟ କ୍ଷମା ମାଗିବେ । ହେଲେ ଜିଦ୍‌ରେ ଅଟଳ ବିଜେପି । ସଂସଦର ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେପି ସାଂସଦମାନେ ପ୍ରବଳ ହଙ୍ଗାମା ସୃଷ୍ଟି କରିଥିଲେ । ଏପଟେ ସୋନିଆ ଗାନ୍ଧୀଙ୍କ ସହ କଥା କଟାକଟି ପ୍ରସଙ୍ଗରେ ସ୍ମୃତି ଇରାନି କ୍ଷମା ମାଗନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଏହାକୁ ନେଇ ସଂସଦର ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି କଂଗ୍ରେସ ସାଂସଦ ।

ସେପଟେ ଥମୁନି ସଂସଦରୁ ସସ୍‌ପେଣ୍ଡ ବିବାଦ । ୫୦ଘଣ୍ଟା ଧରି ଧାରଣା ଦେଲେଣି ସଂସଦରୁ ନିଲମ୍ବିତ ସାଂସଦ । ସାଂସଦମାନେ ମଶାରି ଟାଣି ଦୁଇ ରାତି କଟାଇଛନ୍ତି । ଇଡିଲି ଓ ବିସ୍କୁଟ ଖାଇ ସାଂସଦ ମାନେ ଧାରଣା ଜାରି ରଖିଛନ୍ତି । ମୁଦ୍ରାସ୍ଫୀତି, ଦରବୃଦ୍ଧି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପରି ସଂସ୍ଥାକୁ ଅପବ୍ୟବହାରକୁ ପ୍ରସଙ୍ଗ କରି ବିରୋଧୀ ଦଳର ସାଂସଦମାନେ ପ୍ରତିବାଦ କରିବାରୁ ୨୭ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଗଣତାନ୍ତ୍ରିକ ଅଧିକାର ଲାଗି ଲଢେଇ କରୁଥିବାବେଳେ ସେମାନଙ୍କୁ ଗୃହରୁ ନିଲମ୍ବନ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ସାଂସଦ । ତୁରନ୍ତ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ସେପଟେ ଗତକାଲି ଟିଏମସି ସାଂସଦ ନିଲମ୍ବିତ ସାଂସଦଙ୍କୁ ମାଛ ଓ ଚିକେନ୍‌ଖାଇବାକୁ ଦେଇଥିବାରୁ ତାକୁ ନେଇ ବିବାଦ ଦେଖାଦେଇଛି । ବ୍ୟୁରୋ ରିପୋର୍ଟ ନନ୍ଦିଘୋଷ ଟିଭି ।