ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ୱରରେ ରଥଯାତ୍ରା ଭିଡ଼ର ମଉକା ଦେଖି ମାତିଲେ ପକେଟ ମାର ଓ ଛିନତାଇ ଗ୍ୟାଙ୍ଗ । ଭକ୍ତିର ଭାବନା ନେଇ ମହାପ୍ରଭୁଙ୍କ ଘୋଷ ଯାତ୍ରା ଦେଖିବାକୁ ଆସିଥିବା ଲୋକଙ୍କଠୁ ଚୋରି ଅଭିଯୋଗ । ଲୋକ ମାନେ ମୁଣ୍ଡିଆ ମାରିବା ବେଳେ ପକେଟରୁ ମାରିନେଲେ ମୋବାଇଲ । ସେପଟେ ସିଆରପି ଛକରୁ ଭିଡର ସୁଯୋଗ ନେଇ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ । ସେଇ ଭଳି ଆଉ ଜଣଙ୍କ ମହିଳାଙ୍କ ଠାରୁ ମଧ୍ୟ ସୁନା ଚେନ ଝାମ୍ପି ନେଇଛନ୍ତି ଲୁଟେରା । ଏବେ ସୁଦ୍ଧା ୮ ଟି ଦାମୀ ମୋବାଇଲ ଓ ଦୁଇଟି ସୁନା ଚେନ ଚୋରି ହୋଇଛି । ଏନେଇ ନାୟପଲ୍ଲୀ ଥାନାରେ ଅଭିଯୋଗ ହୋଇଛି । ପୋଲିସ ପକେଟ୍ ମାର ଓ ଛିନତାଇ ଗ୍ୟାଙ୍ଗକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି ।
ଉଦୟପୁର ହତ୍ୟା ମାମଲା: ହତ୍ୟା ସମର୍ଥନରେ ଇଣ୍ଟରନେଟରେ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ: ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ନୋଟିସ୍ ଜାରି କରାଯାଇ ତାଗିଦ କରାଯାଇଛି । ରାଜସ୍ଥାନର ଉଦୟପୁରରେ ଟେଲର କହ୍ନେୟା ଲାଲଙ୍କ ତାଲିବାନୀ ଷ୍ଟାଇଲରେ କରାଯାଇଥିବା ହତ୍ୟାକୁ ଉଚିତ କହୁଥିବା, ପ୍ରାଧାନ୍ୟ ଦେଉଥିବା ବିଷୟକୁ ଇଣ୍ଟରନେଟରୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଦୟପୁର ଘଟଣା ପରେ କେନ୍ଦ୍ର ସରକାର ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମ ଉପରେ ଲଗାତାର କଡ଼ା ନଜର ରଖିଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଏକ ନୋଟିସ୍ ଜାରି କରି ଇଣ୍ଟରନେଟ ମିଡିଆ ପ୍ଲାଟଫର୍ମରୁ ଉଦୟପୁରରେ ହୋଇଥିବା ନୃଶଂସ ହତ୍ୟାକୁ ପ୍ରାଧାନ୍ୟ ଦେବା ବା ଏହାକୁ ଉଚିତ କହୁଥିବା ସାମଗ୍ରୀକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ଥାନର ଉଦୟପୁରରେ ରହୁଥିବା ଟେଲର କହ୍ନେୟାଲାଲଙ୍କ କଥିତ ଏକ ବିବାଦୀୟ ଇଣ୍ଟରନେଟ ମିଡିଆ ପୋଷ୍ଟକୁ ନେଇ ମଙ୍ଗଳବାର ଦିନ ଦିପ୍ରହରେ ଦୁଇଜଣ ମୁସଲିମ ଯୁବକ ରିୟାଜ ଅଖତାରୀ ଏବଂ ଗେସ ମହମ୍ମଦ ଛୁରୀରେ ତାଙ୍କ ମୁଣ୍ଡ କାଟ କରି ହତ୍ୟା କରିଦେଇଥିଲେ । ଏହାପରେ ମୁଣ୍ଡ କାଟିଥିବାର ସ୍ୱୀକାର କରି ଏହି ଅପରାଧର ଏକ ଭୟଙ୍କର ଭିଡିଓ ଇଣ୍ଟରନେଟ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ । ଏହି ହତ୍ୟାକୁ ନେଇ କିଛି ଲୋକ ସମର୍ଥନ କରୁଥିବାର ଦେଖାଯାଇଥିଲା । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ, ରାଜସ୍ଥାନର ଆତଙ୍କବାଦୀ ନିରୋଧୀ ସଂସ୍ଥା ଏଟିଏସ ଏବଂ ଏସଓଜି ମିଳିତ ସହଯୋଗରେ ମାମଲାର ଯାଞ୍ଚ କରାଯାଉଛି ।
ରିଲ୍ ବନାଇବା ପଡ଼ିଲା ମହଙ୍ଗା , ୩ ପୋଲିସ କର୍ମଚାରୀ ନିଲମ୍ବିତ
ଲକ୍ଷ୍ନୌ: ଏବେ ମର୍ଡନ ଯୁଗରେ ସମସ୍ତଙ୍କୁ ବାଇ କରିଛି ସୋସିଆଲ ମିଡ଼ିଆ । କିନ୍ତୁ ଏହି ସୋସିଆଲ ମିଡିଆ କାହାପାଇଁ ବରଦାନ ପାଲଟୁଥିବା ବେଳେ କାହା ପାଇଁ ଏହା ଅଭିଶାପ ପାଲଟିଯାଉଛି। ସେହିପରି ନିକଟରେ ଏକ ମହିଳା କନେଷ୍ଟବଳଙ୍କୁ ଭାରି ପଡିଲା ରିଲ୍ ଭିଡିଓ । କେବଳ ଜଣେ ନୁହେଁ ମହିଳା କନେଷ୍ଟବଳଙ୍କ ସମେତ ୩ଜଣ ପୋଲିସ କର୍ମଚାରୀଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି । ପୋଲିସ ପୋଷାକରେ ହିନ୍ଦି ପିଲ୍ମ ଗୀତରେ ଭିଡିଓ ବନାଇ ନିଜ କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ଏପରି ପରିମାଣ ଭୋଗିବାକୁ ପଡିଛି ।
ଉତ୍ତରପ୍ରଦେଶର ହରଦୋଇ ଜେଲରେ ଜଣେ ମହିଳା କନେଷ୍ଠବଳଙ୍କ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ହେଲ୍ପ ଡେକ୍ସରେ ବସି ପୋଲିସ ପୋଷାକରେ ଫିଲ୍ମ ଗୀତରେ ଆଖିରେ ଏକ୍ସପ୍ରେସନ ଦେଇ ଭିଡିଓ ବନାଇଛନ୍ତି । ଏହା ଛଡ଼ା ଆଉ ଏକ ଭିଡ଼ିଓରେ ସେହି ମହିଳା ଜଣକ ସିପାହୀ ରୋଡରେ ଦୁଇ ପୁରୁଷ ପୋଲିସ କର୍ମଚାରୀଙ୍କ ସହିତ ମଧ୍ୟ ରିଲ ଭିଡିଓ ବନାଇଥିବା ଦେଖିବାକୁ ମିଳିଛି ।ମହିଳା ପୋଲିସଙ୍କ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଅଧିକାରୀ ଏପରି କାର୍ଯ୍ୟକୁ କଡ଼ା ନିନ୍ଦା କରିବା ସହ ମହିଳା କର୍ମଚାରୀଙ୍କ ସମେତ ୩ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
ଶରଧାବାଲିରେ ଲାଗିଲା ତିନି ରଥ, ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଭକ୍ତ କୃତାର୍ଥ
ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗି ଯାଇଛନ୍ତି ତିନିରଥ । ଆଜି ନୀତିନିର୍ଘଣ୍ଟର ଢେର୍ ପୂର୍ବରୁ ସବୁନୀତି ସଅଳ ଚାଲିଥିଲା । ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି, ପହଣ୍ଡି ବିଜେ, ଛେରାପହଁରା ଓ ରଥଟଣା, ସବୁ କିଛି ଚାଲିଥିଲା ସଅଳ । ଦୁଇବର୍ଷ ପରେ ବଡ଼ଦାଣ୍ଡରେ, ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଓ ରଥଟାଣିବାର ସୁଯୋଗ ପାଇଛନ୍ତି ଭକ୍ତ ।
ଚାତକଚକ୍ଷୁରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚାହିଁ ରହିଥିଲେ ଭକ୍ତ । ବଡ଼ଦାଣ୍ଡକୁ କେତେବେଳେ ଆସିବେ ବିଶ୍ବନିୟନ୍ତା? କରୋନା ପାଇଁ ଦୁଇବର୍ଷ ଧରି ରଥଯାତ୍ରାରେ ବଡ଼ଦାଣ୍ଡକୁ ଯାଇ ନପାରି ଝୁରୁଥିଲା ମନ । ଭକ୍ତଙ୍କୁ ଭେଟିବାକୁ ଭଗବାନ ବି ଯେମିତିଥିଲେ ବ୍ୟଗ୍ର । ଶ୍ରୀମନ୍ଦିରରେ ସଅଳ ସମ୍ପନ୍ନ ହୋଇଥିଲା ସବୁ ନୀତିକାନ୍ତି । ଯେତେବେଳେ ପହଣ୍ଡି ଆରମ୍ଭ ହେବ ବୋଲି ନୀତିନିର୍ଘଣ୍ଟ ହୋଇଥିଲା, ସେତେବେଳକୁ ପହଣ୍ଡି ଶେଷ ହୋଇଥିଲା । ଧାଡ଼ି ପହଣ୍ଡିରେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଭାବବିହ୍ବଳ ହୋଇଉଠିଥିଲେ ଭକ୍ତ । ହରିବୋଲ ହୁଳହୁଳି ଧ୍ବନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ ।
ଶ୍ରୀସୁଦର୍ଶନ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିରାଜମାନ କରିବା ପରେ ବଡ଼ଭାଇ ବଳଭଦ୍ର ତାଳଧ୍ବଜ, ଦେବୀ ସୁଭଦ୍ରା ଦର୍ପଦଳନ ଓ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିଜେ କରିଥିଲେ । ତା’ପରେ ରଥ ଉପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି । ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ତିନିରଥକୁ ଯାଇ ଦର୍ଶନ କରିଥିଲେ । ପରେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମେ ତାଳଧ୍ବଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଗଜପତି ଛେରାପହଁରା କରିଥିଲେ । …
ଶେଷରେ ଆରମ୍ଭ ହୋଇଥିଲା ରଥଟଣା ପ୍ରସ୍ତୁତି । ଚାରମାଳ ଫିଟା ଓ ଘୋଡ଼ା ଯୋଚା ପରେ ଆରମ୍ଭ ହୋଇଥିଲା ରଥଟଣା । ଆଗେ ଆଗେ ତାଳଧ୍ବଜ, ପରେ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥକୁ ଭକ୍ତମାନେ ଆନନ୍ଦ ଉଲ୍ଲାସରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁମନ୍ତ୍ରୀ ରଥ ଟାଣିଥିଲେ । ଆଇନଶୃଙ୍ଖଳା ରକ୍ଷା, ଟ୍ରାଫିକ, ଭିଡ଼ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ଆମ ସମର୍ଥନରେ ଅଛନ୍ତି ୧୭୦ ବିଧାୟକ: ଏକନାଥ ସିନ୍ଦେ
ମୁମ୍ବାଇ: ହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆସନ୍ତା ସୋମବାର ଦିନ ବିଧାନସଭାରେ ଫ୍ଲୋର ଟେଷ୍ଟର ସାମ୍ନା କରିବେ । ଏଥିପାଇଁ ରବିବାର ଓ ସୋମବାର ବିଧାନସଭାର ଅଧିବେଶନ ବସିବ । ନୂଆ ବାଚସ୍ପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ହେବ । ଗତକାଲି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଜେପିର ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଆମ ସମର୍ଥନରେ ୧୭୦ ବିଧାୟକ ଅଛନ୍ତି । ଆସ୍ଥା ଭୋଟରେ ଆମେ ବିଜୟୀ ହେବୁ ବୋଲି ସେ ଦାବି କରିଛନ୍ତି ।
ଏଣେ ଶିବସେନାର ୩୮ ବିଧାୟକଙ୍କ ବିରୋଧରେ ମହାବିକାଶ ଅଘାଡି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଶିବସେନାର ସବୁ ବିଦ୍ରୋହୀ ବିଧାୟକଙ୍କୁ ବିଧାନସଭାରୁ ବାରଣ ପାଇଁ ଆବେଦନ କରାଯାଇଛି । ଯେଉଁ ବିଧାୟକଙ୍କ ବିରୋଧରେ ଶୁଣାଣି ଚାଲିଛି ବା ଶୁଣାଣି ହେବାକୁ ଯାଉଛି, ସେମାନଙ୍କୁ ଗୃହକାର୍ଯ୍ୟରୁ ରୋକିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଆସନ୍ତା ୧୧ ତାରିଖରେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବେ । ଏକନାଥ ସିନ୍ଦେଙ୍କ ବିଦ୍ରୋହ ସତ୍ତ୍ବେ ଶିବସେନା ଉଦ୍ଧବ ଠାକ୍ରେଙ୍କର ବୋଲି ଟିମ୍ ଉଦ୍ଧବ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ଯାହା ଜଣାପଡୁଛି ଟିମ୍ ଉଦ୍ଧବ ହଠାତ ଏବେ ବି ହାର ମାନିବା ମୁଡରେ ନାହିଁ । ଏକନାଥ ସିନ୍ଦେଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଟିମ୍ ଉଦ୍ଧବ ପ୍ରସ୍ତୁତ ହେଉଛି ।
ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଉଦ୍ଧବ ଠାକରେ । ଯେଉଁମାନେ ବିଜେପି ସହ ଯାଇଛନ୍ତି, ସେମାନେ ନିଜକୁ ପ୍ରଶ୍ନ କରନ୍ତୁ ବୋଲି ଉଦ୍ଧବ କହିଛନ୍ତି । ବର୍ତ୍ତମାନ ବିଜେପି ମୁଖ୍ୟମନ୍ତ୍ରୀ ପଦ ପ୍ରତ୍ୟାଖ୍ୟାନ କରିଛି, ତେବେ ୨୦୧୯ରେ କାହିଁକି ଅମଙ୍ଗ ହେଉଥିଲା ବୋଲି ପ୍ରଶ୍ନ କରିଛନ୍ତି ଉଦ୍ଧବ । ଆସନ୍ତା ୪ରେ ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ସମସ୍ତଙ୍କ ନଜର ରହିଛି । ଶିବସେନା ପକ୍ଷରୁ ସେଦିନ ହ୍ୱିପ ଜାରି କରାଯାଇ ପାରେ । ତେବେ ବିଦ୍ରୋହୀ ବିଧାୟକମାନେ ହ୍ୱିପକୁ ସମର୍ଥନ କରିବେ ନାଁ ଏକନାଥ ସିନ୍ଦେଙ୍କୁ, ତାହାକୁ ଅପେକ୍ଷା ।
ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ପୁରୀ: ରଥଯାତ୍ରାରେ ପୁରୀ ଯାଇ ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପଞ୍ଜାବୀ ମଠ ନିକଟରେ ନିର୍ମାଣ କାମ ପରିଦର୍ଶନ କରିଛନ୍ତି । କେତେ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି? ପରିକ୍ରମା ପ୍ରକଳ୍ପ ମ୍ୟାପ୍ ଦେଖି ନିର୍ମାଣ କାର୍ଯ୍ୟର ଅଗ୍ରଗତି ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ। ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି। ଯାହା ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛି। ଦକ୍ଷିଣ ଦ୍ବାର ପାଖରେ ୯୦ପ୍ରତିଶତ ନିର୍ମାଣ କାମ ଶେଷ ହୋଇଛି।

ସେହିପରି ସେଲ୍ଟର ପାଭିଲିୟନ୍ ବୁଲି ଦେଖିବା ସହ ପାଖାପାଖି ୧୫ମିନିଟ୍ ଧରି ନିର୍ମାଣ କାମର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ବାସ୍ତବ ରୂପ ନେଉଛି ନବୀନଙ୍କ ଶ୍ରୀକ୍ଷେତ୍ର ନବକଳେବର ସ୍ବପ୍ନ। ପରିକ୍ରମା ପ୍ରକଳ୍ପ ଅଞ୍ଚଳକୁ ରଙ୍ଗବେରଙ୍ଗ ଗଛରେ ସଜାଯାଇଥିବା ବେଳେ ଆଲୋକୀକରଣ କରାଯାଇଛି । ପ୍ରକଳ୍ପ କାମ ଚାଲିଥିବା ବେଳେ ଏବେଠୁ ଆକର୍ଷଣର କେନ୍ଦ୍ର ପାଲଟିଛି । ପୂର୍ଣ୍ଣାଙ୍ଗ ପ୍ରକଳ୍ପ ଆହୁରି ଚିତାକର୍ଷକ ହେବ ।

ଫାଷ୍ଟଟ୍ରାକ୍ରେ ଚାଲିଛି ପରିକ୍ରମା ପ୍ରକଳ୍ପ କାମ। ଆସନ୍ତା ୯ମାସ ମଧ୍ୟରେ କାମ ସାରିବାକୁ ଟାର୍ଗେଟ୍ ରଖାଯାଇଛି। ଐତିହ୍ୟ ପ୍ରକଳ୍ପ କାମ ସରିଲେ ଜଗନ୍ନାଥଙ୍କ ସହ ଜଡିତ ବିଭିନ୍ନ ରିତିନୀତି ଓ ପର୍ବପର୍ବାଣୀ ଅତି ସହଜରେ ପାଳନ ହେବ। ପରିକ୍ରମା ପ୍ରକଳ୍ପରେ ପାଞ୍ଚଟି ଜୋନ୍ ରହିଛି। ପ୍ରବେଶ ନିଷେଧ ଜୋନ୍, ଭିତର ପ୍ରଦକ୍ଷିଣ ଜୋନ୍, ଶ୍ରୀମନ୍ଦିର ପରିସର, ବାହାର ପ୍ରଦକ୍ଷିଣ ଜୋନ୍, ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଏକ ଜୋନ୍ କରାଯାଇଛି। ଭିତର ପରିକ୍ରମା ପଥ ପାରମ୍ପରିକ ରୀତିନୀତି, ଦେବାଦେବୀଙ୍କ ଶୋଭାଯାତ୍ରା ଓ ଶ୍ରଦ୍ଧାଳୁଙ୍କ ମନ୍ଦିର ପରିକ୍ରମା ପାଇଁ ବ୍ୟବହାର କରାଯିବ। ସବୁଜ ବଳୟରେ କଳାକୃତିରେ ଝଲସିବ ଶ୍ରୀଜଗନ୍ନାଥ ସଂସ୍କୃତିର ଝଲକ। ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୩୧.୨୮କୋଟି ଟଙ୍କା ଖର୍ଚ୍ଚ ହେଉଛି ।
ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କୁ ସମର୍ଥନ ଦେବ ଶିରୋମଣୀ ଅକାଳି ଦଳ
ଅମ୍ରିତସର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ଓଡିଶା, ଆନ୍ଧ୍ରପ୍ରଦେଶ, ବିହାର ପରେ ଏବେ ପଞ୍ଜାବର ସିରୋମଣୀ ଅକାଳୀ ଦଳର ସମର୍ଥନ ଦ୍ରୌପଦୀଙ୍କୁ ମିଳିଛି । ଯେଉଁ ଉଦ୍ଦେଶ୍ୟରେ ବିଜେପି ଦ୍ରୌପଦୀଙ୍କୁ ପ୍ରାର୍ଥୀ କରିଥିଲା ତାହା ଧୀରେ ଧୀରେ ପୂରଣ ହେଉଥିବା ଦେଖାଯାଇଛି । ଶିରୋମଣୀ ଅକାଳି ଦଳ ଅଧ୍ୟକ୍ଷ ସୁଖବୀର ବାଦଲ ସମର୍ଥନ ଦେବା ନେଇ ଗୁରୁବାର ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜି ଦୀର୍ଘ ସମୟ ଦଳୀୟ ବୈଠକ ପରେ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ସର୍ବସମ୍ମତି କ୍ରମେ ସମ୍ମତି ମିଳିଥିଲା । ରାଜନୈତିକ ବିଚାରକୁ ଅଲଗା ରଖି ମୁର୍ମୁଙ୍କୁ ସମର୍ଥନ ଦେବା କଥା କହିଛନ୍ତି ସୁଖବୀର ବାଦଲ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦ୍ରୌପଦୀ ମୁର୍ମୁ ତାଙ୍କୁ ସମର୍ଥନ ଦେବାକୁ ଫୋନ୍ କରି ଅନୁରୋଧ କରିଥିଲେ ।
ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ନଦେବା ବିଷୟରେ ସୁଖବୀର କହିଛନ୍ତି, କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଆମେ ସମର୍ଥନ ଦେବୁନାହିଁ । କଂଗ୍ରେସ ହେଉଛି ଶିଖ୍ ବିରୋଧୀ ଦଳ ଏହି କାରଣରୁ ସିହ୍ନାଙ୍କୁ ସମର୍ଥନ ନଦେଇ ମୁର୍ମୁଙ୍କୁ ଦେଉଛୁ । ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ଗତ ବର୍ଷ ଶିରୋମଣୀ ଅକାଳି ଦଳ ଏନଡିଏ ମେଣ୍ଟ ଠାରୁ ଅଲଗା ହୋଇଥିଲା । ସେବେଠୁ ବିଜେପିକୁ ବିରୋଧ କରି ଆସୁଥିଲା ଦଳ । ଦଳ ନଦେଖି ପ୍ରାର୍ଥୀ ଦେଖି ସମର୍ଥନ କରୁଥିବା କଥା ଦଳ କହିଛି । ସୂଚନାଥାଉକି ଆସନ୍ତା ୧୮ ତାରିଖେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ।
ସତ୍ୟନଗର ଶଶ୍ମାନରେ ଜଳିଲା ଅଶୋକଙ୍କ ଜୁଇ
ଭୁବନେଶ୍ୱର: ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସତ୍ୟନଗର ଶଶ୍ମାନରେ ଜଳିଛି ଜୁଇ । ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ପୁରୀକୁ ଫଟୋ ଖବର ସଂଗ୍ରହ ପାଇଁ ଯାଉଥିବା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ସଡକ ଦୁର୍ଘଟଣାରେ ପରଲୋକ ଘଟିଥିଲା। ସାକ୍ଷୀଗୋପାଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ମତ ଘୋଷଣା କରିଥିଲେ।
ମୃତ୍ୟୁ ବେଳକୁ ଆଶୋକ ପଣ୍ଡାଙ୍କୁ ୫୭ ବର୍ଷ ହୋଇଥିଲା। ଜଣାଶୁଣା ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକଙ୍କ ଅକାଳ ବିୟୋଗରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଶୋକ ପ୍ରକାଶ କରିଥିଲେ । ହସ୍ପିଟାଲରେ ତାଙ୍କର ଶେଷ ଦର୍ଶନ କରିଥିଲେ ବହୁ ମାନ୍ୟଗନ୍ୟ ନେତା, ସାମ୍ବାଦିକ, ପୋଲିସ ଅଧିକାରୀ ଓ ସମାଜସେବୀ ।
ଅଶୋକ ଦୈନିକ ଖବର କାଗଜ ‘ସମୟ’ ସହିତ ଦୀର୍ଘ ବର୍ଷ ହେଲା ଜଡ଼ିତ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ମଞ୍ଚେଶ୍ବର ସ୍ଥିତ ‘ସମୟ’ ଅଫିସ କୁ ନିଆଯାଇଥିଲା । ସତ୍ୟନଗର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅଶୋକଙ୍କ କୁନିଝିଅ ମୁଖାଗ୍ନି ଦେଇଥିବା ବେଳେ ପରିବାର ପକ୍ଷରୁ ତାଙ୍କର ଚକ୍ଷୁଦାନ କରାଯାଇଛି।
ଫୋନ୍ ଯୋଗେ ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି । ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟ ଉପରେ ଭାରତର ଆଭଭିମୁଖ୍ୟକୁ ଦୋହରାଇଥିଲେ ଏବଂ ଏହାର ସମାଧାନ କରିବାକୁ କୂଟନୈତିକ ପ୍ରକ୍ରିୟାକୁ ଆପଣାଇବା ପାଇଁ କହିଥିଲେ । ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଅନେକ ଥର ଭ୍ଲାଦମିର ପୁଟିନଙ୍କ ସହ ଫୋନ୍ ଯୋଗେ କଥା ହୋଇସାରିଛନ୍ତି । ଯୁଦ୍ଧ ରୋକିବା ପାଇଁ କୂଟନୈତିକ ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇ ସାରିଛନ୍ତି । ୟୁକ୍ରେନ ସଙ୍କଟ ବ୍ୟତୀତ ଦୁଇ ଦେଶ ଦ୍ୱିପାକ୍ଷିକ ବ୍ୟବସାୟ ସମେତ ଅନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ଏଥିସହିତ ପୁଟିନଙ୍କ ଭାରତ ଯାତ୍ରା ସମୟରେ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା ମଧ୍ୟ ଆଜିର ଚର୍ଚ୍ଚା ସମୟରେ ହୋଇଥିଲା ।
ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ସଙ୍କଟକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେଂସ୍କିଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇସାରିଛନ୍ତି । ପୂର୍ବରୁ ମଧ୍ୟ ଯୁଦ୍ଧ ସଙ୍କଟର ସମାଧାନ ଆଲୋଚନା ମାଧ୍ୟମରେ ବାହାର କରିବାକୁ ଅପୀଲ କରିସାରିଛନ୍ତି । ରୁଷ ସହ ଖାଦ୍ୟ ସୁରକ୍ଷା ସମେତ ଅନେକ ବୈଶ୍ୱିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ କୃଷି ବସ୍ତୁ, ଫାର୍ମା ପ୍ରଡକ୍ଟ ଏବଂ ଉର୍ବରକକୁ ନେଇ ଚର୍ଚ୍ଚା ହୋଇଥିଲା । ଦୁଇ ଦେଶ ଅନ୍ତର୍ଜାତୀୟ ଶକ୍ତି ଏବଂ ଖାଦ୍ୟ ବଜାରର ବର୍ତ୍ତମାନ ସ୍ଥିତି ଉପରେ ବିଚାର କରିଛନ୍ତି ।
ଏଠାରେ ସୂଚନା ଥାଉକି ରୁଷ୍ ଭାରତର ପାରମ୍ପରିକ ମିତ୍ର ଦେଶ ଅଟେ । କିନ୍ତୁ କିଛି ଦିନ ହେବ ୟୁକ୍ରେନ ପ୍ରସଙ୍ଗକୁ ନେଇ ଭାରତ ରୁଷକୁ ସମର୍ଥନ କରୁନାହିଁ । ନିକଟରେ ହୋଇଥିବା ଜି୭ ବୈଠକରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀଙ୍କୁ ରୁଷ୍ ଦେଶ ବିରୋଧୀ ରାଷ୍ଟ୍ରମାନେ ନିମନ୍ତ୍ରଣ କରିଥିଲେ । ରୁଷ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଭାରତ କିନ୍ତୁ ଏହି ପ୍ରସଙ୍ଗ ଉପରେ ନା ରୁଷକୁ ସମର୍ଥନ ଦେଇଥିଲା ନାଁ ବୈଠକରେ ଖୋଲାଖୋଲି ସମର୍ଥନ ଦେଇଥିଲା ।
ଭାଇରାଲ ବଏର ମ୍ୟାଜିକ୍ ଟ୍ରିକ୍
ନନ୍ଦିଘୋଷ ବ୍ୟୁରୋ: ମ୍ୟାଜିକ୍ ବା ଯାଦୁ ଦେଖିବାକୁ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ମାନଙ୍କୁ ମଧ୍ୟ ବହୁତ ମଜା ଲାଗିଥାଏ । ହେଲେ କେବେ ଛୋଟ ପିଲାଙ୍କୁ ମ୍ୟାଜିକ୍ ଟ୍ରିକ୍ କରୁଥିବାର ଦେଖିଛନ୍ତି କି ? ଏବେ ସୋସିଆଲ ମିଡିଆରେ ଏକ ସ୍କୁଲ ଛୁଆର ମ୍ୟାଜିକ୍ ଟ୍ରିକ୍ ଦେଖାଉଥିବା ଭିଡିଓ ବେଶ୍ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ଆଜ୍ଞା ହଁ ଏହି ପିଲାଟି ଏପରି ଯାଦୁଗରୀ ଦେଖାଉଛି ଯାହା ଯେ କେହି ଦେଖିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ନିଜ ଯାଦୁରେ ନିପୁଣ ଏହି ପିଲାଟି ଦୁଇ ହାତରେ ଦୁଇଟି ଛୋଟ ପଥରକୁ ଦେଖାଇ ସଙ୍ଗେ ସଙ୍ଗେ ଦୁଇ ହାତକୁ ଟ୍ରାନ୍ସପର କରି ଦେଉଛି । ସେ ଏପରି ଯାଦୁ ସମସ୍ତଙ୍କ ଉପସ୍ଥିତିରେ ହିଁ ଦେଖାଉଛି ହେଲେ ସେ ଏତେ ସ୍ପିଡରେ ଏହା କରୁଛି ,କେହି ବି ଜାଣି ପାରୁନାହିନ୍ତି ସେ ଏପରି କିପରି କରୁଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୨୮ ମିଲିୟନ ଲୋକ ଦେଖିସାରିଛନ୍ତି ଏବଂ ଏଥିରେ ପାଖାପାଖି ୫୭ଲକ୍ଷରୁ ଅଧିକ ଲାଇକ ମିଳିସାରିଛି ।
ଭିଡିଓରେ ଯେଉଁ ପିଲାଟି ମ୍ୟାଜିକ ଟ୍ରିକ୍ ଦେଖାଉଛି ସେ ଏକ ସ୍କୁଲ ଡ୍ରେସ୍ ପିନ୍ଧିଛି ଏବଂ ତାର ସାଙ୍ଗ ମାନେ ତାକୁ ଘେରି ରହିଛନ୍ତି । ନିଜ ଯାଦୁଗରିରେ ମାହିର ଏହି ପିଲାଟି ଏକ ପ୍ରଫେସନାଲ ପରି ଏକ ଛୋଟ ପଥର ଜରିଆରେ ନିଜ ଯାଦୁ ଦେଖାଉଛି । ଥରେ ଏହି ଟ୍ରିକ୍ ଦେଖାଇବା ପରେ ତାକୁ ଆଉଥରେ ଏପରି କରି ଦେଖାବାକୁ ତାକୁ କହୁଛନ୍ତି ଏବଂ ସେ ହସହସ ମୁହଁରେ ତାହା ଦେଖାଉଛି ।

