ସିନ୍ଦେ କ୍ୟାବିନେଟ୍: ୬୫-୩୫ ଫର୍ମୁଲାରେ ବଣ୍ଟାଯିବ ମନ୍ତ୍ରୀ ପଦ

ମୁମ୍ବାଇ: ପ୍ରଥମେ ବିଦ୍ରୋହ, ତା’ପରେ ବିଜେପି ସମର୍ଥନରେ ସରକାର ଗଠନ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଛନ୍ତି ଏକନାଥ ସିନ୍ଦେ । ହେଲେ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ଗଠନ ହୋଇନାହିଁ କି ଏହାକୁ ନେଇ କିଛି ସୂଚନା ନାହିଁ । ତେବେ ମିଳିଥିବା ତାଜା ତଥ୍ୟ ଅନୁସାରେ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳ ଗଠନର ରୂପରେଖ ପ୍ରସ୍ତୁତ ହୋଇ ସାରିଛି । ଯେଉଁଥିରେ ୪୨ ମନ୍ତ୍ରୀ ରହିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସିନ୍ଦେ କ୍ୟାବିନେଟରେ ରହିବେ ୪୨ ମନ୍ତ୍ରୀ ।

ସୂଚନାଯୋଗ୍ୟ, ସିନ୍ଦେଙ୍କ ସହ ବିଦ୍ରୋହୀ ଗ୍ରୁପରେ ସାମିଲ ହୋଇଥିବା ବିଧାୟକଙ୍କ ମଧ୍ୟରେ ୯ ଜଣ ଶିବସେନା ସରକାରରେ ମନ୍ତ୍ରୀ ଥିଲେ । ଏମାନଙ୍କ ମଧ୍ୟରୁ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୪ ଜଣ ରାଜ୍ୟମନ୍ତ୍ରୀ ଥିଲେ । ଆଶା କରାଯାଉଛି ଏମାନଙ୍କୁ ସିନ୍ଦେଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ । ଏହାସହ ସିନ୍ଦେଙ୍କ ବିଦ୍ରୋହୀ ଗ୍ରୁପକୁ ୧୫ରୁ ୧୬ ମନ୍ତ୍ରୀ ପଦ ମିଳିପାରେ ।

ତେବେ ସିନ୍ଦେ ସରକାରରେ ବିଜେପି ଖାତାକୁ ଅଧିକ ମନ୍ତ୍ରୀ ପଦ ଯାଇପାରେ । ବିଜେପି ଓ ସିନ୍ଦେ ଗ୍ରୁପ ମଧ୍ୟରେ ୬୫/୩୫ ପ୍ରତିଶତରେ ମନ୍ତ୍ରୀ ହୋଇପାରନ୍ତି । ଏମିତି ହେଲେ ବିଜେପି ଖାତାକୁ ୨୪ରୁ ୨୫ ମନ୍ତ୍ରୀ ପଦ ଯିବ । ଅନ୍ୟପକ୍ଷେ ସିନ୍ଦେ ଗ୍ରୁପକୁ ୧୫ରୁ ୧୬ ମନ୍ତ୍ରୀ ପଦ ମିଳିବ । ଏହାବାଦ କିଛି ଛୋଟ ଦଳ ଓ ସ୍ବାଧୀନ ବିଧାୟକ ମଧ୍ୟ ସରକାରକୁ ସମର୍ଥନ ଦେଇଛନ୍ତି । ସେମାନଙ୍କ ମଧ୍ୟରୁ କାହାକୁ ବି ମନ୍ତ୍ରୀ କରାଯାଇପାରେ ।