spot_img
Home Blog Page 4094

ସୁଧୁରୁଛି ବନ୍ୟା ସ୍ଥିତି, ୧୦ ଗେଟ୍‌ ଦେଇ ଛଡାଯାଉଛି ବନ୍ୟାଜଳ

ସମ୍ବଲପୁର: ହୀରାକୁଦରେ ବନ୍ଦ ହେଲା ଆଉ 6 ଗେଟ୍ । ଏବେ ୧୦ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାଜଳ । ବାମପଟୁ 6, ଦକ୍ଷିଣ ପଟୁ 4ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଆହୁରି ହୀରାକୁଦର ଜଳସ୍ତର କମିବା ନେଇ ଅନୁମାନ କରାଯାଉଛି  । ଏହାପୂର୍ବରୁ ହୀରାକୁଦ ଜଳସ୍ତର ୬୨୦.୭୧ ଫୁଟ ରହିଥିଲା । ଜଳଭଣ୍ଡାରକୁ ଲକ୍ଷେ ୮୩ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ଲକ୍ଷ ୫୪ହଜାର ୬ଶହ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।

ମୁଣ୍ଡଳୀରେ ୮ ଲକ୍ଷ ୫୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ସନ୍ଧ୍ୟା ସୁଦ୍ଧା ୮ ଲକ୍ଷକୁ ଖସି ଆସିବା ସମ୍ଭାବନା ଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ଗତକାଲି ସକାଳ ୯ଟା ବେଳକୁ ୯ ଲକ୍ଷ ୫୬ ହଜାର ଜଳ ପାସ୍ କରୁଥିଲା । ଆଗକୁ ଆହୁରି ସ୍ଥିତି  ସୁଧୁରିବ । ଏବେ ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝରରେ ବର୍ଷା ହୋଇଛି । ନଦୀ ଜଳସ୍ତର ବଢ଼ିବା ନେଇ ସୂଚନା ନାହିଁ  ।

ଜଳକା ବିପଦ ସଙ୍କେତ ଉପରେ ଥିବାବେଳେ କାଶୀନଗରରେ ମଧ୍ୟ ବିପଦସଙ୍କେତ ଉପରେ ନଦୀ ଜଳସ୍ତର । ଗତକାଲି ଛତିଶଗଡ଼ରେ ବିଶେଷ ବର୍ଷା ହୋଇନି  ।  ସେପଟେ ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ ଓ ପୁନଃ ଥଇଥାନ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ । ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ରିଲିଫ ଯୋଗାଇ ଦିଆଯାଉଛି ।

ଚଳିତବର୍ଷରୁ ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ଏମବିବିଏସ ନାମଲେଖା

ସୁନ୍ଦରଗଡ଼: ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସୁନ୍ଦରଗଡ଼ ସହରର ଶଙ୍କରା ଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନ୍ୟାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ କମିଶନ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ କରିଛନ୍ତି।

ଏହି ମେଡିକାଲ କଲେଜ ସହିତ ୬ ମହଲା ବିଶିଷ୍ଟ ତଥା ୫୦୦ ଶଯ୍ୟାର ଏକ ସୁପରସ୍ପେଶାଲଟି ହସ୍ପିଟାଲ ନିର୍ମାଣ କରାଯାଇଛି। ଏଠାରେ ଆବଶ୍ୟକ ସଂଖ୍ୟକ ଆଇସିୟୁ ବେଡ୍, ବିଭିନ୍ନ ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା, ଅତ୍ୟାଧୁନିକ ଅପରେସନ ଥିଏଟର ଏବଂ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ରହିଛି। ଫଳରେ ଆଗାମୀ ଦିନରେ ସୁନ୍ଦରଗଡ଼ ଡାକ୍ତରୀ ଶିକ୍ଷା ପାଇଁ ଏକ ପ୍ରମୁଖ ଆକର୍ଷଣ ହେବା ସହିତ ପଶ୍ଚିମ ଓଡ଼ିଶାରେ ଚିକିତ୍ସା ସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।

ଚଳିତ ବର୍ଷ ଲାଗି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ନାମଲେଖା ପାଇଁ ପଥ ପରିଷ୍କାର ହୋଇଯାଇଛି। ବର୍ତ୍ତମାନ ମେଡିକାଲ କଲେଜ ପାଇଁ ଆବଶ୍ୟକ ଅନ୍ୟାନ୍ୟ ଅନୁମତି ଲାଗି ପଦକ୍ଷେପ ନିଆଯିବ। ଚଳିତ ଶିକ୍ଷାବର୍ଷରେ ସର୍ବଭାରତୀୟ ସ୍ତରରେ ପ୍ରତିଯୋଗିତାମୂଳକ ନିଟ୍ ପରୀକ୍ଷାରୁ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ନାମ ଲେଖାଇବାର ସୁଯୋଗ ପାଇବେ।

ଅନୁମତି ଆସିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ଅତ୍ୟାଧୁନିକ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ଲାଗି ରାଜ୍ୟ ସରକାରଙ୍କ ପରିକଳ୍ପନାକୁ ସାକାର କରିବ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବାକୁ ଥିବା ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ କ୍ଲାସରୁମ ସହିତ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଲାବୋରେଟୋରି ରହିଛି। ଛାତ୍ରଛାତ୍ରୀ ମାନଙ୍କ ରହିବା ପାଇଁ ମୋଟ ୪୮୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କରାଯାଇଛି। ସେହିପରି ୨୧ ଏକର ପରିବ୍ୟାପ୍ତ କ୍ଷେତ୍ରରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ସହ ରେସିଡେଣ୍ଟ ଡାକ୍ତର ଏବଂ ନର୍ସଙ୍କ ପାଇଁ ହଷ୍ଟେଲ ତଥା କର୍ମଚାରୀ ଓ ଡିନଙ୍କ ପାଇଁ କ୍ୱାର୍ଟର ନିର୍ମାଣ କରାଯାଇଛି।

ଜନ୍ମାଷ୍ଟମୀ ଆଳତି ବେଳେ ଦଳାଚକଟା ଘଟି ଜୀବନ ହାରିଲେ ୨

ମଥୁରା: ଜନ୍ମାଷ୍ଟମୀ ପାଳନ ବେଳେ ଅଘଟଣ । ଉତ୍ତର ପ୍ରଦେଶ ମଥୁରାରେ ଦଳାଚକଟାରେ ୨ ଭକ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୬ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି  । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମନ୍ଦିରରେ ବହୁସଂଖ୍ୟକ ଭକ୍ତଙ୍କ ସମାଗମ ଘଟିବାରୁ ଏହି ଅଘଟଣ ଘଟିଛି । ମଥୁରାର ବାଙ୍କ ବିହାରୀ ମନ୍ଦିରରେ ଗତକାଲି ରାତିରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବାବେଳେ ଭକ୍ତମାନେ ଦର୍ଶନ ଲାଗି ଭିଡ଼ ଜମାଇଥିଲେ ।

ପୋଲିସ ବି ଭକ୍ତଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ଫଳରେ ସେଠାରେ ଦଳାଚକଟା ଘଟିଥିଲା । ଆରତି ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମଥୁରା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ହୋଇଥିବାରୁ ପ୍ରତିବର୍ଷ ଜନ୍ମାଷ୍ଟମୀରେ ଏଠାରେ ଭିଡ ଜମିଥାଏ ।

ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୃଷ୍ଣ ଜନ୍ମଭୂମି ମନ୍ଦିର ମଥୁରାରେ ପହଞ୍ଚି ରାଜ୍ୟରେ ମନ୍ଦିର  ଐତିହ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟବାସୀଙ୍କୁ ଅପିଲ୍‌ କରିଥିଲେ  ।

ଭାରତରତ୍ନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଭାରତ, ବୀରଭୂମିରେ ରାହୁଲ ପ୍ରିୟଙ୍କା

ନୂଆଦିଲ୍ଲୀ: ‘ପାପା ତୁମେ ସବୁବେଳେ ମୋ ହୃଦୟରେ ଅଛ, ମୋ ସାଙ୍ଗରେ ଅଛ । ତୁମେ ଦେଶ ପାଇଁ ଯାହା ସ୍ବପ୍ନ ଦେଖିଛ ମୁଁ ସବୁବେଳେ ତାକୁ ପୂରଣ କରିବା ପାଇଁ ଚେଷ୍ଟା କରିବି’। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀରେ ଏଭଳି କହିଛନ୍ତି ପୁଅ ରାହୁଲ ଗାନ୍ଧୀ  । ଆଜି ବୀରଭୂମି ଯାଇ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ । ଜ୍ବାଇଁ ରବର୍ଟ ଭଦ୍ରା ମଧ୍ୟ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି  ।

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ସାଂସଦ କେସି ବେଣୁଗୋପାଳ ବୀରଭୂମିରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  । ସେ ଟ୍ବିଟ କରି ଲେଖିଛନ୍ତି ‘ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି’ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  । ଟ୍ବିଟ କରି ନବୀନ କହିଛନ୍ତି ‘ଭାରତ ରତ୍ନ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି  । ତାଙ୍କ ଲିଡରସିପ୍‌ ଓ ଯୋଗଦାନ ପାଇଁ ଦେଶ ତାଙ୍କୁ ମନେ ରଖିବ’  ।

ରାଜୀବଙ୍କ ଜୟନ୍ତୀରେ କଂଗ୍ରେସ ମହାସଚିବ ଜୟରାମ ରମେଶ ତାଙ୍କର କାର୍ଯ୍ୟକାଳକୁ ନେଇ ୬ ଉପଲବ୍ଧି ବିଷୟରେ ସୂଚନା ଦେଇଛନ୍ତି  । ଦେଶରେ କମ୍ପ୍ୟୁଟର, ଦୂରସଞ୍ଚାର, ସଫ୍ଟୱେୟାର, ୧୮ ବର୍ଷରେ ଭୋଟ ଦେବା ଅଧିକାର, ଗଙ୍ଗା ସଫେଇ, ମରୁଭୂମିରେ ବନୀକରଣ ଏସବୁ ଉପଲବ୍ଧି ରାଜୀବଙ୍କ ବୋଲି କହିଛି କଂଗ୍ରେସ  । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲ ରାଜୀବଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି  ।

ଭୁଷୁଡି ଗଲା ସ୍କୁଲହତା ପାଚେରୀ, ଘରେ କାନ୍ଥ ପଡି ୨ ଭଉଣୀ ମୃତ

ବାଲେଶ୍ବର/ବାରିପଦା: ପ୍ରବଳ ବର୍ଷା ଓ ପବନରେ ବାଲେଶ୍ବର ବାଲିଆପାଳରେ ଅଘଟଣ । ମଧୁପୁରା ଗାଁରେ ସେକ୍ ଅନସାରଙ୍କ ଭାଙ୍ଗିଲା ପାଚେରୀ । ପରିବାର ଲୋକ ଶୋଇଥିବା ବେଳେ ପାଚେରୀ ପଡି ୪ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । 2 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି  ।

ସୂଚନା ଅନୁସାରେ ସ୍କୁଲ ହତାରେ ଥିବା ଏକ ଗଛ ଭାଙ୍ଗି ପାଚେରୀରେ ପଡ଼ିବାରୁ ପାଚେରୀ ଭାଙ୍ଗି ଯାଇଥିଲା । ଆହତଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । କଟକ ସ୍ଥାନାନ୍ତର ବେଳେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି ।

ସେହିପରି କାନ୍ଥ ପଡି ଗୋଟିଏ ପରିବାରର ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି  । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଲୁହାକାନି ପଞ୍ଚାୟତ ଭୋଳବେଡା ଗାଁରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ପାଇଁ କାନ୍ଥ ପଡି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଅନୀଲ କୁମାର ଗିରିଙ୍କ ଦୁଇ ଝିଅ ୫ ବର୍ଷୀୟ ନିହାରିକା ଗିରି ଓ ୧୨ ବର୍ଷୀୟ ସୁଇଟି ଗିରି।

କାନ୍ଥ ଚାପି ଯିବା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିବାର ସଦ୍ୟସଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ନିହାରିକା ଓ ସୁଇଟିର ମୃତ୍ୟୁ ଘଟିସାରିଥିଲା। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଗଭୀର ଶୋକବ୍ୟକ୍ତ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

ଲଘୁଚାପ ବର୍ଷାରେ ଅଧିକ ପ୍ରଭାବିତ ହେଉଛି ଉତ୍ତର ଓଡ଼ିଶା । ଆଜି ବାଲେଶ୍ବର ଭଦ୍ରକ ସମେତ କେନ୍ଦୁଝର, ମୟୂରଭଞ୍ଜରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।

ପୁରୀରେ ପାଣ୍ଡିଆନ, ଶ୍ରୀମନ୍ଦିର ରୋଷଘର ମରାମତିର କଲେ ସମୀକ୍ଷା

ପୁରୀ: ପୁରୀରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଆଜି ସକାଳୁ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ପାଣ୍ଡିଆନ । ଶ୍ରୀମନ୍ଦିର ରୋଷ ଘର ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ।

ଶ୍ରୀମନ୍ଦିରର ବିକାଶ ପାଇଁ ସେବାୟତଙ୍କ ସହ ଆଲୋଚନା କରିଥିଲେ 5T ସଚିବ । ଏହି ଅବସରରେ ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦୀର୍ଘଦିନରୁ ପ୍ରତି ଶନିବାର ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭି କେ ପାଣ୍ଡିଆନ  ।

ସୁଧୁରୁଛି ବନ୍ୟା ସ୍ଥିତି, ୫ ଜିଲ୍ଲାରେ ୧୫ ଦିନ ବଣ୍ଟାଯିବ ରିଲିଫ

ଭୁବନେଶ୍ବର: କମୁଛି ହୀରାକୁଦର ଜଳସ୍ତର। ହୀରାକୁଦରେ ବର୍ତ୍ତମାନ ୬୨୧.୦୨ ଫୁଟ ଜଳସ୍ତର ରହିଛି । ବାମପଟୁ ୧୪, ଦକ୍ଷିଣ ପଟୁ ୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୬ ହଜାର ୬୧୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୪ ହଜାର ୬୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡଳୀରେ  ୮ ଲକ୍ଷ କ୍ୟୁସେକ ଜଳ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି  ।

ମହାନଦୀର ଜଳସ୍ତର ବଢିବା ଆଶଙ୍କା ମଧ୍ୟ କମ୍  । କୌଣସି ନୂଆ ଘାଇ ସୃଷ୍ଟି ହୋଇନାହିଁ  । ମୁଣ୍ଡଳୀରେ ବନ୍ୟା ଜଳ ୯ ଲକ୍ଷ କ୍ୟୁସେକରେ ପହଞ୍ଚିଲେ ଗାଁରୁ ପାଣି ଛାଡ଼ିବ । ବନ୍ୟା ପ୍ରଭାବିତ ଜିଲ୍ଲାରେ ରିଲିଫ ଓ ପୁନଃ ଥଇଥାନ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ। ବନ୍ୟା ପାଇଁ ୧୫୯ ସ୍ବାସ୍ଥ୍ୟ ରିଲିଫ କ୍ୟାମ୍ପ, ୧୧୦ଟି ମୋବାଇଲ ଭ୍ୟାନ ଜରିଆରେ ପ୍ରଭାବିତ ୫ ହଜାର ୫ ଶହ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି  ।

ଯେଉଁଥିରେ ୫ ଜଣ ସାପ କାମୁଡ଼ାର ମଧ୍ୟ ଚିକିତ୍ସା କରାଯାଇଛି  । ସେହିପରି ଗୃହ ପାଳିତ ପଶୁଙ୍କ ପାଇଁ ୨୮୫ଟି କ୍ୟାମ୍ପ କରାଯାଇଥିଲା  ।  ୧୦ ହଜାର ପ୍ରାଣୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଥିଲା  ।  ୫ ଲକ୍ଷ ୧୪ହଜାର ୪୯୯ ଟିକାକରଣ କରାଯାଇଥିଲା  ।  ୭ଟି ଜିଲ୍ଲାରେ ଜିଲ୍ଲାରେ ୨୩୧ ମେଟ୍ରିକ ଟନ ଗୋଖାଦ୍ୟ  ଦିଆଯାଇଛି  ।

ବନ୍ୟା ଯୋଗୁଁ ୨ଲକ୍ଷ  ୭୭ ହଜାର ୯୫୫  ବିଜୁଳି ଗ୍ରାହକ ପ୍ରଭାବିତ ହୋଇଥିବା ବେଳେ  ଏହା ମଧ୍ୟରେ ୨ଲକ୍ଷ ୪୩ ହଜାର ୩୪୬ ଜଣ ଗ୍ରାହକଙ୍କ ଘରକୁ ବିଜୁଳି ସଂଯୋଗ କରାଯାଇଛି  । ପାଣି ଛାଡ଼ିଲେ ଆଉ ୩୪ ହଜାର ଗ୍ରାହକଙ୍କୁ ବିଦ୍ୟୁତ ସଂଯୋଗ କରାଯିବ  ।  ମାଗଣା ଖାଦ୍ୟ ଯୋଗାଣ ସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ୧୫ ଦିନ ରିଲିଫ ଯୋଗାଇ ଦିଆଯିବ  । ସେହିପରି ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ ରିଲିଫ ଦିଆଯିବ  ।

ଉତ୍ତର ଓଡିଶାରେ ପ୍ରବଳ ବର୍ଷା, ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

ଭୁବନେଶ୍ବର: ସ୍ଥଳଭାଗ ଛୁଇଁ ସାରିଛି ତୀବ୍ର ଅବପାତ । ପ୍ରଭାବରେ ଉତ୍ତର ଓଡ଼ିଶାରେ ଲାଗି ରହିଛି ପ୍ରବଳ ବର୍ଷା । ବାଲେଶ୍ବର, ଭଦ୍ରକ ଉପକୂଳରେ ଘଣ୍ଟାକୁ ୫୫ରୁ ୬୫କିମି ବେଗରେ ପବନ ବହୁଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ପାଇଁ ୮ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପରେ ଅଧିକ ପ୍ରଭାବିତ ହେଉଛି ଉତ୍ତର ଓଡ଼ିଶା । ବାଲେଶ୍ବର ସମେତ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଭଦ୍ରକରେ ମଧ୍ୟ ବର୍ଷାର ପ୍ରଭାବ ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ସ୍ଥିତିକୁ ନଜରରେ ରଖି ବାଲେଶ୍ବରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଆଜି ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।

ଲଘୁଚାପରେ ଅଧିକ ପ୍ରଭାବିତ ହେଉଛି ଉତ୍ତର ଓଡ଼ିଶା । ବାଲେଶ୍ବର ସମେତ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଭଦ୍ରକରେ ମଧ୍ୟ ବର୍ଷାର ପ୍ରଭାବ ରହିଛି । ଏସବୁକୁ ଦୃଷ୍ଟିରେ ରଖି ସଂପୃକ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ କରିଛନ୍ତି ରାଜ୍ୟ ସରକାର । ସ୍ଥିତିକୁ ନଜରରେ ରଖି ବାଲେଶ୍ବରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଆଜି ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।

ସବୁ ସ୍ଥାନରେ ତୟାର ଅଛନ୍ତି ଉଦ୍ଧାରକାରୀ ଦଳ ।  ଆବଶ୍ୟକ ପଡ଼ିଲେ ଅଧିକ ଓଡ୍ରାଫ, ଏନଡ଼ିଆରଏଫ, ଓ ଅଗ୍ନିଶମ ଟିମ ପଠାଯିବ । ତଳିଆ ଅଞ୍ଚଳରୁ ପ୍ରାୟ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବରରୁ ପ୍ରାୟ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ତୀବ୍ର ଅବପାତ ଓଡ଼ିଶାରୁ ଅତିକ୍ରମ ନକରିବା ଯାଏ ବଡ ଚ୍ୟାଲେଞ୍ଜ ରହିଛି । ପ୍ରବଳ ବର୍ଷାରେ  ସୁରକ୍ଷିତ ରହିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନହୋଇ ପ୍ରଶାସନକୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଉତ୍ତମ ଆଚରଣ ସହ ରୋଗୀଙ୍କୁ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଗଣତନ୍ତ୍ରର ଆତ୍ମା ହେଉଛନ୍ତି ଜନସାଧାରଣ । ଆମ ସରକାରରେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଏ । ଏଣୁ ରୋଗୀଙ୍କୁ ବୃତ୍ତିଗତ ଆଚରଣ ସହ ସେମାନଙ୍କୁ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନବ ନିଯୁକ୍ତ ଲାବୋରାଟୋରୀ ଟେକ୍ନିସିଆନ୍‌ଙ୍କ ଇଣ୍ଡକସନ୍‌ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇ ସେମାନଙ୍କ ନିଯୁକ୍ତି ନେଇ ଖୁସି ବ୍ୟକ୍ତ କରିଛନ୍ତି । ଗତ ମାସରେ ୫୧୦ଜଣ ମେଡିକାଲ ଅଧିକାରୀଙ୍କ ନିଯୁକ୍ତି ପରେ ଚଳିତ ମାସରେ ୫୫୦ ଜଣ ଲାବୋରାଟୋରୀ ଟେକ୍ନିସିଆନ୍‌ଙ୍କୁ ନିଯୁକ୍ତି ମିଳିଛି । ନୂଆ ଟେକ୍ନିସିଆନଙ୍କ ନିଯୁକ୍ତି ପରେ ଡାଇଗ୍ନୋସିସ୍ ମାନରେ ବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି । ଏହା ସରକାରୀ ମେଡିକାଲ ସୁବିଧା ନେଇ ଲୋକେ ଅଧିକ ସନ୍ତୁଷ୍ଟି ପ୍ରକାଶ କରିବେ ।

ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।

ବିଜୁ ଯୁବ ଜନତା ଦଳର ପୁନର୍ଗଠନ; ମହାସଚିବ ହେଲେ ଏଲିନା ଦାଶ

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଯୁବ ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ଧ୍ରୁତି ରଞ୍ଜନ ମାର୍ଥାଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଥିବା ବେଳେ ଏଲିନା ଦାଶଙ୍କୁ ମହାସଚିବ ଦାୟିତ୍ୱ  ଦେଇଛି ଦଳ ।  ସେହିଭଳି ବରିଷ୍ଠ ଉପ ସଭାପତି ଭାବେ ଜ୍ୟୋତ୍ସ୍ନାମୟୀ ପରିଡ଼ା, ଡ. ସୁବାସ ଚନ୍ଦ୍ର ନାୟକ ଓ ମଣ୍ଟୁ ନାୟକଙ୍କୁ ନିଯୁକ୍ତି ମିଳିଛି ।

ଜୋନ୍ ସଭାପତି ଭାବେ ଭୁବନେଶ୍ୱର ଜୋନ୍ ପାଇଁ ବିଜୟ କେତନ ସାହୁ, କଟକ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ନଚିକେତା ସ୍ୱାଇଁ, ବଲାଙ୍ଗୀର ମଣିନ୍ଦ୍ର ମହାନ୍ତି, ସମ୍ୱଲପୁର ଦେବାଶିଷ ପରିଡ଼ା, କୋରାପୁଟ ତାପସ ତ୍ରିପାଠୀ, ବାଲେଶ୍ୱର ଜୟରାମ  ଦାସଙ୍କୁ ନିଯୁକ୍ତି ମିଳିଛି ।

ସେହିଭଳି ସୋଫିଆ ଆଲମଙ୍କ ସମେତ ମୋଟ ୧୩ ଜଣଙ୍କୁ ଉପ ସଭାପତି, ୪୬ଜଣଙ୍କୁ ସାଧାରଣ ସମ୍ପାଦକ, ୬୩ଜଣଙ୍କୁ ସମ୍ପାଦକ, ୨୩ଜଣଙ୍କୁ ଯୁଗ୍ମ ସମ୍ପାଦକ ଓ ୩୫ ସାଂଗଠନିକ ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।