ଭାରତ-ଅଷ୍ଟ୍ରେଲିଆ ଟି-୨୦ ମ୍ୟାଚ୍: ଟସ୍ ଜିତି ବୋଲିଂ କରୁଛି ଅଷ୍ଟ୍ରେଲିଆ, କ୍ରିଜରେ ରାହୁଲ-ରୋହିତ

1 min read

ମୋହାଲି: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ମୋହାଲିରେ ଖେଳାଯାଉଛି । ଅଷ୍ଟ୍ରେଲିଆ ଅଧନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ସେହିପରି ଭାରତ ଆହ୍ୱାନ କ୍ରମେ ପ୍ରଥମେ ବ୍ୟାଟିଂ କରୁଛି । ଭାରତ ପକ୍ଷରୁ କେଏଲ ରାହୁଲ ଏବଂ ଅଧିନାୟକ ରୋହିତ ଶର୍ମା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରୀଜକୁ ଓହ୍ଲାଇଛନ୍ତି । ମୋହାଲି ବ୍ୟାଟିଂ ପିଚ୍ ଥିବାରୁ ନିର୍ଦ୍ଧାରିତ ୨୦ ଓଭରରେ ୧୯୦ରୁ ଉର୍ଦ୍ଧ୍ୱ ରନ୍ କରିବାକୁ ଭାରତ ଲକ୍ଷ୍ୟ ରଖିଛନ୍ତି ।

ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାରତ ପାଇଁ । କାରଣ ଗତ ଏସିଆ କପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ଟିମ୍ କୁ ନେଇ ପ୍ରଶ୍ନ ଉଠିଥିଲା ଯେ ଯଦି ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ଦଳଠୁ ଭାରତ ହାରୁଛି ତେବେ କିପରି ଭାବେ ବିଶ୍ୱକପରେ ଶକ୍ତିଶାଳୀ ଦଳ ଠାରୁ ଜିତିବ । ଟି-୨୦ ବିଶ୍ୱକପ ପୂର୍ବରୁ ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଏହି ଦୁଇଟି ସିରିଜ ଭାରତ ଜିତିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବ । ଟିମ ଡେଭିଡ ଅଷ୍ଟ୍ରେଲିଆ ପକ୍ଷରୁ ଡେବ୍ୟୁ କରୁଛନ୍ତି । ସେହିପରି ଭାରତ ପାଇଁ ଆଜିର ମୁକାବିଲା ଷ୍ଟାର ବୋଲର ବୁମରାହ ଏବଂ ଋଋଭ ପନ୍ତ ଖେଳୁନାହାନ୍ତି । ଉମେଶ ଯାଦବ ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ପାଇଛନ୍ତି । ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିଛି ।

ଭାରତୀୟ ଦଳ: କେଏଲ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଉମେଶ ଯାଦବ ଏବଂ ହର୍ଷଲ ପଟେଲ ।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ (ଅଧିନାୟକ), କାମରନ ଗ୍ରୀନ, ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଇଂଗଲିସ, ଟିମ ଡେଭିଡ, ମାଥ୍ୟୁ ୱେଡ, ପାଟ କମିନ୍ସ, ନାଥନ ଏଲିସ, ଆଡମ ଜମ୍ପା, ଜୋଶ ହାଜେଲହୁଡ ।