କ୍ରିକେଟରେ ନୂଆ ନିୟମ: ଆଉଟ୍ ହେବାର ୨ମିନିଟ ଭିତରେ ନୂଆ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକ ନକଲେ….

1 min read

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଇଣ୍ଟରନ୍ୟାସନାଲ କ୍ରିକେଟ ନିୟମରେ କିଛି ପରିବର୍ତ୍ତନ କରିଛି । ୧ ଅକ୍ଟୋବରରୁ ନୂଆ ନିୟମ ଲାଗୁ ହେବ । ତେବେ ଟି-୨୦ ବିଶ୍ୱକପ ନୂଆ ନିୟମ ସହ ହିଁ ଖେଳାଯିବ । ତେବେ ନୂଆ ନିୟମ ଜାଣିବାକୁ କ୍ରିକେଟ ଫ୍ୟାନ୍ସମାନଙ୍କ ମଧ୍ୟରେ ଉତ୍ସାହ ରହିଥିବ । ନୂଆ ନିୟମଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଯେ ଯେତବେଳେ ଜଣେ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇଥାଏ ତେବେ ନୂଆ ବ୍ୟାଟ୍ସମ୍ୟାନଙ୍କୁ ଏବେ ୨ ମିନିଟ ଭିତରେ ହିଁ କ୍ରୀଜକୁ ଆସି ଷ୍ଟ୍ରାଇକ୍ ନେବାକୁ ପଡ଼ିବ ।

ଯଦି ଏପରି ନହୁଏ ତେବେ ବିପକ୍ଷ ଟିମର ଅଧିନାୟକଙ୍କ ପାଖରେ ଟାଇମ ଆଉଟର ଆବେଦନ କ୍ଷମତା ରହିବ । ଆଇସିସିର ଏହି ନୂଆ ନିୟମ ଅନୁସାରେ, ଟେଷ୍ଟ ଏବଂ ଦିନିକିଆରେ ୨ମିନିଟ ଭିତରେ କ୍ରୀଜରେ ପହଞ୍ଚିବାକୁ ପଡ଼ିବ । ସେହିପରି ଟି-୨୦ କ୍ରିକେଟରେ କେବଳ ୯୦ ସେକଣ୍ଡରେ କ୍ରୀଜକୁ ଆସିବାକୁ ପଡ଼ିବ । ତେବେ ଏହା ପୂର୍ବରୁ ଏହି ସମୟ ଦିନିକିଆ ଏବଂ ଟେଷ୍ଟରେ ୩ ମିନିଟ ଥିଲା ।

ଯଦି ବ୍ୟାଟ୍ସମ୍ୟାନ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚିନପାରନ୍ତି ତେବେ ଫିଲ୍ଡିଂ ଅଧିନାୟକ ଟାଇମ ଆଉଟର ଆବେଦନ କରିପାରିବେ । ଯାହାଫଳରେ ବ୍ୟାଟିଂ ନକରି ଆଉଟ୍ ହୋଇଯିବେ ଉକ୍ତ ବ୍ୟାଟ୍ସମ୍ୟାନ । ଆଇସିସି ଦ୍ୱାରା ଅନେକ ନିୟମ ଅଣାଯାଇଛି । ସେଗୁଡିକ ୧ ଅକ୍ଟୋବରରୁ ଲାଗୁ ହେବ । ଆଉ ଏକ ନିୟମ ହେଉଛି ଯଦି କୌଣସି ବ୍ୟାଟ୍ସମ୍ୟାନ କ୍ୟାଚ ଆଉଟ ହୁଅନ୍ତି ତେବେ ଆଗାମୀ ବଲରେ ଷ୍ଟ୍ରାଇକ ନୂଆ ବ୍ୟାଟ୍ସମ୍ୟାନ ହିଁ କରିବେ । ଅର୍ଥାତ ଷ୍ଟ୍ରାଇକ ପରିବର୍ତ୍ତନ ନିୟମ ଏବେ ସମାପ୍ତ କରିଦିଆଯାଇଛି ।

ମ୍ୟାଚ ସମୟରେ ବଲରେ ସାଲାଇଭାର ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ପୂର୍ବରୁ ଏହା ଉପରେ ରୋକ୍ ଲଗା ଯାଇଥିଲା କିନ୍ତୁ ଏବେ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯଦି ଏବେ କୌଣସି ବୋଲର ନିଜ ରନଅପ୍ ସମୟରେ କିଛି ଅନୁଚିତ କରେ ତେବେ ବ୍ୟାଟିଂ ଟିମ ପାଖରେ ଅଭିଯୋଗ କରିବାର ସୁଯୋଗ ରହିବ ଏବଂ ଜରିମାନା ଆଧାରରେ ଅମ୍ପାୟାର ଫିଲ୍ଡିଂ ଟିମ ଉପରେ ୫ ରନର ପେନାଲ୍ଟି ଲଗାଇପାରେ ।