ନୂଆ ପାର୍ଲାମେଣ୍ଟ ଉଡ଼ାଇଦେବାକୁ ଧମକ ଦେଇ ଗିରଫ ହେଲେ ପୂର୍ବତନ ବିଧାୟକ

1 min read

ଭୋପାଳ : ମଧ୍ୟପ୍ରଦେଶର ଜଣେ ପୂର୍ବତନ ବିଧାୟକ ନୂଆ ସଂସଦ ଭବନ (ସେଣ୍ଟ୍ରାଲ ଭିସ୍ତା)କୁ ଉଡ଼ାଇ ଦେବାକୁ ଧମକ ଦେଇ ବନ୍ଧା ହୋଇଛନ୍ତି । ଏହି ପୂର୍ବତନ ବିଧାୟକଙ୍କ ନାମ ହେଉଛି କିଶୋର ସମରିତେ । କିଶୋର ଏକ ବ୍ୟାଗରେ ଜିଲେଟିନ୍ ଛଡ଼ ଓ ଧମକପୂର୍ଣ୍ଣ ଚିଠି ଲୋକସଭା-ରାଜ୍ୟସଭା ସିକ୍ୟୁରିଟି ଜେନରାଲଙ୍କ ପାଖକୁ ପଠାଇଥିଲେ । ପତ୍ରରେ ସେ ସଂସଦ ଭବନ ଉଡ଼ାଇବାକୁ ଧମକ ଦେଇଥିଲେ । ଦିଲ୍ଲୀ କ୍ରାଇମବ୍ରାଂଚ୍ ଅନୁସାରେ ସୋମବାର ଦିନ କିଶୋରଙ୍କୁ ଭୋପାଳର କୋଲାରରୁ ଗିରଫ କରାଯାଇଛି । କିଶୋର ମଧ୍ୟପ୍ରଦେଶର ଲାଂଜି ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ମାଓବାଦୀଙ୍କ ସହିତ ସମ୍ପର୍କ ଥିବା ନେଇ ମଧ୍ୟ ଆଗରୁ ଅଭିଯୋଗ ରହିଛି । ଆର୍ମସ ଆକ୍ଟରେ ସେ ଆଗରୁ ଗିରଫ ହୋଇ ଜେଲ ମଧ୍ୟ ଯାଇଛନ୍ତି ।

ସେପ୍ଟେମ୍ବର ୩୦ରେ ଉଡ଼ାଇବାକୁ ଦେଇଥିଲେ ଧମକ 

ପ୍ରାୟ ଏକ ସପ୍ତାହ ତଳେ ସଂସଦ ଭବନରେ ନିୟୋଜିତ ଜଣେ ସୁରକ୍ଷାକର୍ମୀଙ୍କୁ ଏକ ବ୍ୟାଗ୍ ମିଳିଥିଲା । ଏହି ବ୍ୟାଗରେ ଜାତୀୟ ପତାକା,ସମ୍ବିଧାନର କପି,ଜିଲେଟିନ୍ ରଡ୍ ଓ ଏକ ପତ୍ର ଥିଲା । ପତ୍ରରେ ୭୦ ଦାବି ପୁରଣ ନହେଲେ ନୂଆ ସଂସଦ ଭବନକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିଲା । ୩୦ ତାରିଖ ସୁଧା ଦାବି ପୁରଣ କରିବାକୁ ଏଥିରେ ଚେତାବନୀ ଦିଆଯାଇଥିଲା । ଏହି ପତ୍ର ମିଳିବା ପରେ ଦିଲ୍ଲୀ କ୍ରାଇମ ବ୍ରାଂଚ,ଆଇବି ସମେତ ଅନ୍ୟ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଥିଲେ ।

ଜେଲରୁ ନିର୍ବାଚନ ଲଢି ହୋଇଥିଲେ ବିଧାୟକ
କିଶୋର କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇରୁ ରାଜନୀତି ଆରମ୍ଭ କରିଥିଲେ । ପରେ ସେ ଜନତା ଦଳ ଓ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ୨୦୦୭ରେ ସେ ସମାଜବାଦୀ ପାର୍ଟି ଟିକେଟରେ ଉପ-ନିର୍ବାଚନ ଲଢି ବିଧାୟକ ହୋଇଥିଲେ । ନିର୍ବାଚନ ସମୟରେ ସେ ଜେଲରେ ଥିଲେ । ଜେଲରୁ ହିଁ ସେ ନିର୍ବାଚନ ଜିତିଥିଲେ । ତେବେ ୨୦୨୨ରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ । ଆର୍ମସ ଆକ୍ଟ ଅନ୍ତର୍ଗତରେ ଦୋଷୀ ସାବ୍ୟସ୍ତ ହୋଇ କିଶୋର ୫ ବର୍ଷ ଜେଲରେ ଥିଲେ । ରାଜ୍ୟର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ୧୭ ମାମଲା ରହିଛି ।