spot_img
Home Blog Page 4093

ପୁନର୍ଗଠିତ ହେଲା ବିଜେଡିର ମୟୂରଭଂଜ ଜିଲ୍ଲା ଓ ବ୍ଲକ କମିଟି

ଭୁବନେଶ୍ୱର: ପୁନର୍ଗଠିତ ହେଲା ବିଜେଡିର ମୟୂରଭଂଜ ଜିଲ୍ଲା ଓ ବ୍ଲକ କମିଟି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନୂଆ କର୍ମକର୍ତ୍ତା ତାଲିକା ଜାରି କରାଯାଇଛି । ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, ମୋରଡ଼ା, ଉଦଳା, କରଞ୍ଜିଆ, ଯଶୀପୁର, ସାରସକଣା, ରାଇରଂଗପୁର ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଜାରି କରାଯାଇଛି । ତାଲିକା ଜାରି କରିଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

୯ନିର୍ବାଚନ ମଣ୍ଡଳୀ ପାଇଁ ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି । ଜଣେ ଲେଖାଏଁ ଉପସଭାପତି ଓ ସାଧାରଣ ସଂପାଦକ ନିଯୁକ୍ତ ହୋଇଛନ୍ତି । ୫ନିର୍ବାଚନ ମଣ୍ଡଳୀ ପାଇଁ ୩ଜଣ ଲେଖାଏଁ ସଂପାଦକ ନିଯୁକ୍ତ କରାଯାଇଛି । ରାଇରଂଗପୁର ପାଇଁ ଦୁଇ ଜଣ ଉପସଭାପତି ନିଯୁକ୍ତ ହୋଇଛନ୍ତି । ଦୁଇଜଣ ସାଧାରଣ ସଂପାଦକ ଓ ୪ଜଣ ସଂପାଦକ ନିଯୁକ୍ତ ହୋଇଛନ୍ତି ।

ସେପଟେ କରଞ୍ଜିଆ, ଯଶୀପୁର, ସାରସକଣା ପାଇଁ ୪ଜଣ ଲେଖାଏଁ ସଂପାଦକ ଚୟନ ହୋଇଛନ୍ତି । ବ୍ଲକ, ମ୍ୟୁନିସିପାଲିଟି ଓ ଏନଏସି ପାଇଁ ମଧ୍ୟ କର୍ମକର୍ତ୍ତା ନିଯୁକ୍ତ ହୋଇଛନ୍ତି । ତେବେ ବିଜେଡି ମୟୁରଭଞ୍ଜରେ ତୃଣମୂଳ ସ୍ତରରେ ସୁଦୃଢ ହୋଇଛି  । ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜ ଦାୟିତ୍ୱରେ ରହିଛନ୍ତି   । ଅନ୍ୟପଟେ ଚଳିତବର୍ଷ ପଞ୍ଚାୟତ ନିର୍ବାଚନରେ ଦଳ ସେଠାରେ ଭଲ ରେଜଲ୍ଟ ମଧ୍ୟ କରିଥିଲା  ।

ଏମସ ଛାତରୁ ଡେଇଁ ଜୀବନ ହାରିଲେ ରୋଗୀ

ଭୁବନେଶ୍ବର: ଏମସରେ ଘଟିଛି ଦୁଃଖଦ ଘଟଣା । ୫ ମହଲାରୁ ଡେଇଁ ଜୀବନ ହାରିଲେ ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିବା ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏମସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ ।

ଆଜି ଅପରାହ୍ନରେ ମହେନ୍ଦ୍ରଙ୍କ ପତ୍ନୀ ସ୍ବାମୀଙ୍କୁ ହୁଇଲ ଚେୟାରରେ ବୁଲାଉଥିବାବେଳେ ହଠାତ୍ ୫ ମହଲାରେ ଥିବା ଝରକା ପଟେ ତଳକୁ ଡେଇଁ ପଡିଥିଲେ ମହେନ୍ଦ୍ର । ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଜୁଲାଇ ୧୧ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ ମହେନ୍ଦ୍ର । ଶୁଣିବାକୁ ମିଳୁଛି ରୋଗର ଯନ୍ତ୍ରଣା ସହ୍ୟକରିନପାରି ମହେନ୍ଦ୍ର ଆତ୍ମହତ୍ୟା କରିଛନ୍ତି  ।

ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  । ମହେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ । ଗୋଡରେ ଘା ହୋଇଥିଲା, ପରବର୍ତ୍ତୀ ସମୟରେ ଏହି ଘା ଟ୍ୟୁମରରେ ପରିଣତ ହୋଇଥିଲା  ।  ୨୦ ଦିନ ତଳେ ମହେନ୍ଦ୍ର ଏମସରେ ଭର୍ତ୍ତି ହୋଇଥିବାବେଳେ, ମହେନ୍ଦ୍ର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ  । ଆଜି ହଠାତ ପତ୍ନୀ ହୁଇଲ ଚେୟାରରେ ବୁଲାଉଥିବାବେଳେ ପାଞ୍ଚ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ମହେନ୍ଦ୍ର  ।

ବନ୍ୟା ପାଇଁ ଘୁଞ୍ଚିଲା +୨ ନାମଲେଖା ଅବଧି, ଘୋଷଣା କଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ବନ୍ୟା ପାଇଁ ଘୁଞ୍ଚିଲା ଯୁକ୍ତ ଦୁଇ ନାମଲେଖା ଅବଧି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ ତାରିଖକୁ ନାମଲେଖା ଅବଧି ବୃଦ୍ଧି କରାଯାଇଛି । ତାରିଖ ବୃଦ୍ଧି ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପୂର୍ବରୁ ଅଗଷ୍ଟ ୨୫ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଧାର୍ଯ୍ୟ ହୋଇଥିଲା ।

ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ତାରିଖକୁ ସେପ୍ଟେମ୍ୱର ୮ରୁ ୧୦କୁ ବୃଦ୍ଧି କରାଯାଇଛି । ସ୍ପଟ୍ ସିଲେକ୍ସନ ସେପ୍ଟେମ୍ୱର ୧୭ରୁ ୨୦ମଧ୍ୟରେ ହେବ  । ବନ୍ୟା ପାଇଁ ରାଜ୍ୟରେ ଏକାଧିକ ଜିଲ୍ଲା ପ୍ରଭାବିତ ହୋଇଛି  । ଯଥା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଆଜି ଦିଲ୍ଲା ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି  । ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି  ।

 

ଉପରାଷ୍ଟ୍ରପତି ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପୁରୀ ସାଂସଦ ପିନାକୀ ମିଶ୍ର ଏବଂ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଉପରାଷ୍ଟ୍ରପତିଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ ଜଣାଇଥିଲା ।

ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି  ଜଗଦୀପ ଧନଖଡ଼ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜଗଦୀପଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତ ୬ ତାରିଖରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଦଳ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ଏନଡିଏ ପ୍ରାର୍ଥୀ ଧନଖଡ଼ । ଜଗଦୀପ ଧନଖଡ଼ ୫୨୮ ଭୋଟ ପାଇଥିବାବେଳେ ଆଲଭା ପାଇଥିଲେ ୧୮୨ ଭୋଟ୍ ।

ଧନଖଡ଼ ପାଇଥିବା ଭୋଟ ହାର ରହିଥିଲା ୭୪.୩୬ ପ୍ରତିଶତ । ୧୯୯୭ ପରଠାରୁ ଦେଶରେ ଅନୁଷ୍ଠିତ ୬ଟି ଉପରାଷ୍ଟ୍ରପତି ନିର୍ବାଚନରେ ସର୍ବାଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ ଧନଖଡ଼ । ୭୮୦ ସାଂସଦଙ୍କ ମଧ୍ୟରୁ ୭୨୫ ସାଂସଦ ଭୋଟ ଦେଇଥିବାବେଳେ ୧୫ ଭୋଟ ନାକଚ ହୋଇଥିଲା । ଭୋଟ ହାର ଥିଲା ୯୨.୯୪ ପ୍ରତିଶତ । ଧନଖଡ଼ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି  ।

ସାରଥି ମନ୍ଦିରରେ ପଶିଲେ ଅନୁଗାମୀ

କେନ୍ଦ୍ରାପଡ଼ା: ପୁଣି ଖୋଲିଲା ଆତ୍ମଘୋଷିତ ବାବା ସାରଥିଙ୍କ ଆଶ୍ରମ । ସମସ୍ତ ଆଇନ କାନୁନକୁ ଜଳାଞ୍ଜଳି ଦେଇ ଆଶ୍ରମରେ ପଶିଲେ ଅନୁଗାମୀ । ଜନ୍ମାଷ୍ଟମୀରେ ପଶିଲେ, ସାରଥୀଙ୍କ ଫଟୋ ପୂଜା କଲେ ।

ସୂଚନାଯୋଗ୍ୟ, ମହିଳାଙ୍କୁ ନିର୍ଯାତନା ଦେବା ଅଭିଯୋଗ ବିବାଦ ସାର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଯାହାକୁ ନେଇ ସାରା ରାଜ୍ୟରେ ନିଆଁ ଜଳିଥିଲା । ପୋଲିସ ସାରଥିଙ୍କୁ ଗିରଫ କରିଥିଲା । ଏବେ ଜାମିନରେ ଆସି ସାରଥି ଘରେ ରହିଛନ୍ତି ।

ଲୋକେ ଆଶ୍ରମ ଖୋଲି ଏମିତି ପଶିବାକୁ ନେଇ ଉଠିବାରେ ଲାଗିଛି ପ୍ରଶ୍ନ । ସୁରକ୍ଷା ବଳୟରେ ଥିବା ଆଶ୍ରମରେ ଲୋକେ କେମିତି ପଶିଥିଲେ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ପାକିସ୍ତାନରୁ ମୁମ୍ବାଇ ପୋଲିସକୁ ଆସିଲା ଫୋନ୍, ପୁଣି ଘଟାଇବୁ ୨୬/୧୧

ମୁମ୍ବାଇ: ଆଉ ଏକ ୨୬/୧୧ ଘଟଣା ଘଟାଇବା ଲାଗି ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ ଫୋନ । ଯେଉଁଥିପାଇଁ ଆଲର୍ଟରେ ମୁମ୍ବାଇ ପୋଲିସ । ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ବିଭାଗ ନିକଟକୁ ଏକ ପାକିସ୍ତାନୀ ନମ୍ବରରୁ ହ୍ବାଟସଆପ୍ ମେସେଜ ଆସିବା ପରେ ମୁମ୍ବାଇ ପୋଲିସ ଆଲର୍ଟ ହୋଇଛି ।

ନମ୍ବରଟି ପାକିସ୍ତାନର ନା ଅନ୍ୟ କୌଣସି ଦେଶର, ମେସେଜ ପ୍ରେରକ କିଏ ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ମେସେଜରେ କୁହାଯାଇଛି ଭାରତରେ ଏହି ଘଟଣା ଘଟାଇବା ଲାଗି ୬ ଜଣ ନିୟୋଜିତ ରହିଛନ୍ତି । ଯୋଜନାରେ ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ମେସେଜରେ କୁହାଯାଇଛି । ମହାରାଷ୍ଟ୍ର ରାଇଗଡରେ ଏକ ବୋଟରୁ ଏକେ ୪୭ ଜବତ ହେବା ଘଟଣାର ଦୁଇ ଦିନ ପରେ ମୁମ୍ବାଇ ପୋଲିସ ନିକଟକୁ ଏହି ଧମକ ଆସିବା ଯୋଗୁ ପୋଲିସର ଚିନ୍ତା ବଢିଛି ।

୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୧୭୫ ଜଣ ପ୍ରାଣ ହରାଇଥିଲେ । ଲସ୍କର-ଏ-ତଏବାରେ ୧୦ ଆତଙ୍କବାଦୀ ମୁମ୍ବାଇର ବିଭିନ୍ନ ସ୍ଥାନରେ ଗୁଳିଚାଳନା କରିବା ସହ ବିସ୍ଫୋରଣ ଘଟାଇଥିଲେ ।

୨୭ରେ ଏଏସଓ ପରୀକ୍ଷା, ବନ୍ୟା ପାଇଁ ଘୁଞ୍ଚିଥିଲା

ଭୁବନେଶ୍ବର: ୨୭ରେ ହେବ ଏଏସଓ ପରୀକ୍ଷା  । ବନ୍ୟା ସ୍ଥିତି ଯୋଗୁଁ ପରୀକ୍ଷା ସ୍ଥଗିତ ଥିଲା । ୨୭ରେ ସକାଳ ୯ରୁ ସାଢେ ୧୦ଟା ଯାଏ  ପ୍ରଥମ ସିଟିଂ ପରୀକ୍ଷା ହେବ । ସାଢେ ୧୧ରୁ ଗୋଟାଏ ମଧ୍ୟରେ ହେବ ଦ୍ବିତୀୟ ସିଟିଂ ପରୀକ୍ଷା । ସାଢ଼େ ଦୁଇଟାରୁ ସାଢ଼େ ୪ଟା ଯାଏ ହେବ ତୃତୀୟ ସିଟିଂ ପରୀକ୍ଷା । ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବ୍ୟାରେଜରୁ ଡେଇଁ ପଡିଲେ ଯୁବତୀ, ବର୍ତ୍ତିଗଲା ଜୀବନ

ଅନୁଗୋଳ: କଣିହାଁ ବ୍ଲକ୍ ସମଲ ବ୍ୟାରେଜରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଆଜି ସମଲ ବ୍ୟାରେଜର ୨୪ ନମ୍ବର ଗେଟ ପାଖରେ ବ୍ୟାରେଜକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି ।

ଯୁବତୀ ଜଣକ ଡେଇଁବା ପରେ ନିକଟରେ ଥିବା ପ୍ରତ୍ୟକ୍ଷଦର୍ଶୀ ଏନେଇ ବ୍ୟାରେଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କର୍ତ୍ତୃପକ୍ଷ ତୁରନ୍ତ ବ୍ୟାରେଜ୍ ଗେଟ୍ ବନ୍ଦ କରିଦେବାରୁ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଯୁବତୀ ଜଣଙ୍କ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତା’ର କାରଣ ଜଣାପଡିନାହିଁ ।

ଡେରାଡୁନରେ ଭାସିଗଲା ପୋଲ, ବାଦଲଫଟା ବର୍ଷାରେ ପ୍ରାଣ ହରାଇଲେ ୬

ଡେରାଡୁନ: ଉତ୍ତରାଖଣ୍ଡରେ ପୁଣି ଜଳପ୍ରଳୟ । ଡେରାଡୁନ ଜିଲ୍ଲାରେ ବାଦଲଫଟା ବର୍ଷା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଇପୁର-କୁମାଲଦା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଜଳସ୍ରୋତରେ ଭାସିଯାଇଛି ଘରଦ୍ବାର । କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ତୋନସ ନଦୀ କୂଳରେ ଥିବା ଶିବ ମନ୍ଦିର ତପକେଶ୍ବରରେ ବି ପଶିଛି ପାଣି ।

ସେହିପରି ସୋଙ୍ଗ ନଦୀରେ ଥିବା ଏକ ପୋଲ ଭାସିଯାଇଛି । ପର୍ଯ୍ୟଟନସ୍ଥଳୀ କେମ୍ପଟି ଫଲ୍ସରେ ବି ସ୍ଥିତି ବିପନ୍ନ ହୋଇଛି । ୧୨ରୁ ଅଧିକ ଗାଁରେ କାଦୁଆମାଟି ପଶିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାରେ ପଡିଛନ୍ତି । ବିଭିନ୍ନ ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ମୁତୟନ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସହସ୍ରାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ବିପଜ୍ଜନକ ଅବସ୍ଥାରେ ଫସିଥିବା କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି ।

ମାଳଦେବତା, ଭୁତସି, ତଉଲିୟାକତାଲ, ଥାତଉଦ, ରିଙ୍ଗାଲଗଡ଼, ସର୍ଖେତ ଆଦି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ବିଭିନ୍ନ ସ୍ଥାନରେ ସଂଯୋଗ ବି ବିଚ୍ଛିନ୍ନ ହୋଇଛି । ଋଷିକେଶ-ବଦ୍ରିନାଥ ରାଜପଥରେ ଯାତାୟାତ ବିଚ୍ଛିନ୍ନ ହୋଇଛି । ସେହିପରି ହିମାଚଳ ପ୍ରଦେଶର ବି ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । କାଙ୍ଗ୍ରା ଜିଲ୍ଲାରେ ଚକ୍କି ନଦୀ ଉପରେ ଥିବା ଏକ ରେଳପୋଲ ଭାସିଯାଇଛି । ସେପଟେ ଜମ୍ମୁ ଓ କାଶ୍ମୀରର ମୁତ୍ତାଲ ଅଞ୍ଚଳ ସାମୋଲ ଗ୍ରାମରେ ଭୂସ୍ଖଳନରେ ଦୁଇ ଶିଶୁ ପ୍ରାଣ ହରାଇଛନ୍ତି ।

ସିସୋଦିଆଙ୍କ ବଢୁଛି ଅଡୁଆ, କହିଲେ ଦୁଇ ଚାରିଦିନରେ ହେବି ଗିରଫ

ନୂଆଦିଲ୍ଲୀ: ବଢୁଛି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ସିସୋଦିଆଙ୍କ ବାସଭବନରେ ସିବିଆଇ ଚଢାଉ ପରେ  ଦିଲ୍ଲୀ କଂଗ୍ରେସ ମୁଖପାତ୍ର ଶାମା ମହମ୍ମଦ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ଇସ୍ତଫା ଦାବି କରିଛନ୍ତି । ମଦ ଲାଇସେନ୍ସ ପ୍ରଦାନରେ ଘୋଟାଲା ଅଭିଯୋଗ କ୍ରମେ ଗତକାଲି ସିସୋଦିଆଙ୍କ ବାସଭବନରେ ସିବିଆଇ ରେଡ କରିଥିଲା ।

ଆଜି ପ୍ରେସ କନ୍ଫରେନ୍ସରେ ଏହା ବିରୋଧରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ସିସୋଦିଆ  ।  ଯେଉଁ ମଦ ନୀତି ଆଧାରରେ ବିବାଦ ଆରମ୍ଭ ହୋଇଛି ଏହା କେନ୍ଦ୍ର ସରକାରର ସର୍ବୋତ୍ତମ ବିକଳ୍ପ  । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରଙ୍କୁ ଡରି ଯାଇଛନ୍ତି ମୋଦି ସରକାର  । ସ୍ବାସ୍ଥ୍ୟ ଏବଂ ଶିକ୍ଷାରେ କେଜ୍ରିୱାଲଙ୍କ ସଫଳତାକୁ ଦେଖି କେନ୍ଦ୍ର ଏହି ଦୁଇଟି ବିଭାଗର ମନ୍ତ୍ରୀଙ୍କୁ ଟାର୍ଗେଟ କରୁଛି  । ଦୁଇ ଚାରି ଦିନ ମଧ୍ୟରେ ମୋତେ ବି ଗିରଫ କରାଯିବ ବୋଲି ଗଣମାଧ୍ୟମରେ କହିଛନ୍ତି ସିସୋଦିଆ  ।

ସେପଟେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ଦିଲ୍ଲୀର ୧୨ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବଦଳି କରିଛନ୍ତି । ଗତକାଲି ସିସୋଦିଆଙ୍କ ବାସଭବନ ସମେତ ବିଭିନ୍ନ ରାଜ୍ୟର ୨୧ଟି ସ୍ଥାନରେ ସିବିଆଇ ରେଡ କରିଥିଲା । ସେହିପରି ସିସୋଦିଆଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ନେତା ଅଳକା ଲାମ୍ବା ଓ ଅଭିଷେକ ଦତ୍ତ । ସେମାନେ କହିଛନ୍ତି ଦିଲ୍ଲୀ ସରକାରଙ୍କ ଦୁର୍ନୀତିକୁ କଂଗ୍ରେସ ବିରୋଧ କରୁଛି ।

ତୁରନ୍ତ ଏହି ଘଟଣାରେ ସିସୋଦିଆ ଇସ୍ତଫା ଦିଅନ୍ତୁ । ସେପଟେ ସିସୋଦିଆ କହିଛନ୍ତି ତାଙ୍କ ବାସଭବନରେ ହୋଇଥିବା ଚଢାଉରୁ ସିବିଆଇ ଏକ  କମ୍ପ୍ୟୁଟର, ଫୋନ ଓ କେତେକ ନଥି ଜବତ କରିଛି । ଅବକାରୀ ନୀତି ୨୦୨୧-୨୨ ନୀତିକୁ କାର୍ଯ୍ୟକାରୀ କରିବା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସକ୍ସେନାଙ୍କ ମାମଲା ଦାଏର ପରେ ଚଢାଉ କରିଥିଲା ସିବିଆଇ । ୧୫ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିବା ବେଳେ ତାଲିକାରେ ସବୁଠୁ ଟପରେ ଅଛନ୍ତି ସିସୋଦିଆ  । ସିସୋଦିଆଙ୍କ ସମ୍ପର୍କୀୟ ମଦ ମାଫିଆଙ୍କ ଠାରୁ ଏକ କୋଟି ଟଙ୍କା ନେଇଥିବା ସିବିଆଇ ଟିମ୍ ଜାଣିବାକୁ ପାଇଛି  । ତେଣେ ଦିଲ୍ଲୀ ଆପ୍ ଅଫିସରେ କର୍ମୀମାନେ ନାରାବାଜି କରିଥିବାରୁ ପୋଲିସ ମୁତୟନ କରାଯାଇଛି । ତେଣେ ସିସୋଦିଆଙ୍କ ଇସ୍ତଫା ଦାବିରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି ।