ବଡ଼ ସ୍କୋର ସତ୍ତ୍ୱେ ହାରିଲା ଭାରତ: ୪ ୱିକେଟରେ ଅଷ୍ଟ୍ରେଲିଆ ବିଜୟୀ

1 min read

ମୋହାଲି: ମୋହାଲି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ୪ ୱିକେଟରେ ଅଷ୍ଟ୍ରେଲିଆ ଏହି ପ୍ରଥମ ମ୍ୟାଚ ଜିତିନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୨୦୮ ରନର ବିରାଟ ସ୍କୋର କରିଥିଲା । ହେଲେ ଏହି ବଡ ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୯.୨ ଓଭରରେ ୬ ୱିକେଟ ହରାଇ ୨୧୧ ରନ୍ କରି ହାସଲ କରିନେଇଛି । ଏହି ବିଜୟ ସହ ଅଷ୍ଟ୍ରେଲିଆ ୧-୦ରେ ସିରିଜରେ ଆଗୁଆ ରହିଛି । ଆଜିର ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା ।

ଆହ୍ୱାନ କ୍ରମେ ଭାରତୀୟ ଦଳ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଦଳ ୬ ୱିକେଟ ବିନିମୟରେ ୨୦୮ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ଏବଂ ରୋହିତ ଶର୍ମା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ପଡ଼ିଆକୁ ଓହ୍ଲାଇଥିଲେ । ରୋହିତ ୯ ବଲ୍ ଖେଳି ୧୧ ରନ୍ ସଂଗ୍ରହ କରି ନଥାନ ଏଲିସଙ୍କ ବଲରେ କ୍ୟାଚ ଆଉଟ୍ ହୋଇଯାଇଥିଲା । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଆସିଥିବା ବିରାଟ କୋହଲି ମଧ୍ୟ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ମାତ୍ର ଦୁଇ ରନ୍ କରି ପାଭେଲିଅନ ଫେରିଯାଇଥିଲେ । କେଏଲ ରାହୁଲ କିନ୍ତୁ ଦଳୀୟ ସ୍ଥିତିକୁ ବଜାୟ ରଖିଥିଲେ ।

୩୫ ବଲ୍ ଖେଳି ୫୫ ରନର ଏକ ଭଲ ଇନିଂସ ଖେଳିଥିଲେ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୫ ବଲ୍ ଖେଳି ୪୬ରନର ଧୂଆଁଧାର ପାରି ଖେଳିଥିଲେ । ମ୍ୟାଚ ଶେଷ ବେଳକୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ହର୍ଷଲ ପଟେଲ କ୍ରୀଜରେ ଅପରାଜିତ ଦଣ୍ଡାୟମାନ ରହିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୩୦ ବଲ୍ ଖେଳି ୭୧ ରନ ସଂଗ୍ରହ କରିଥିଲେ  । ଏହି ୭୧ ରନରେ ୭ଟି ଚୌକା ଏବଂ ୫ଟି ବିଶାଳକାୟ ଛକା ସାମିଲ ରହିଛି ।

 ସେହିପରି ହର୍ଷଲ ୪ଟି ବଲ୍ ଖେଳି ୭ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ସର୍ବାଧିକ ୩ଟି ୱିକେଟ୍ ସଂଗ୍ରହ କରିଥିବା ବେଳେ ଜୋଶ ହାଜେଲହୁଡ ୨ଟି ୱିକେଟ ଏବଂ କାମେରନ ଗ୍ରୀନ ଗୋଟିଏ ୱିକେଟ୍ ନେବାରେ ସକ୍ଷମ ହୋଇଥିଲେ । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ଏବଂ କାମେରନ ଗ୍ରୀନ ଭଲ ଆରମ୍ଭ ଦେଇଥଲେ ।

ଅବଶ୍ୟ ଆରନ ଫିଞ୍ଚ ୨୨ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ କାମେରନ ଏବଂ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । କାମେରନ ୩୦ ବଲରେ ୬୧ରନ କରି ଆଉଟ୍ ହୋଇଯାଇଥିଲେ । ସେହିପରି ସ୍ମିଥ ୨୪ ବଲରେ ୩୫ ରନ୍ କରିଥିଲେ । ଶେଷ ଭାଗରେ ମାଥ୍ୟୁ ୱେଡଙ୍କ ବ୍ୟାଟରୁ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା ।

ମାତ୍ର ୨୧ ବଲରେ ୪୫ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ । ପାଟ କମିନ୍ସ ଗୋଟିଏ ବଲରେ ଏକ ଚୌକା ମାରି ଅପରାଜିତ ରହିଥିଲେ । ଅକ୍ସର ପଟେଲ ଆଜି ଜବରଦସ୍ତ ବୋଲିଂ କରିଥିଲେ । ୪ ଓଭରରେ ମାତ୍ର ୧୭ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ଉମେଶ ଯାଦବ ଦୁଇଟି ୱିକେଟ୍ ଏବଂ ଯୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ୍ ନେବାକୁ ସକ୍ଷମ ହୋଇଥିଲେ ।