ଭିଜିବ ପାର୍ବଣ, ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୭ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ହେବ । ୨୮ ତାରିଖରେ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ତେବେ ଘୂର୍ଣ୍ଣିବଳୟଟି କେତେ ଘନୀଭୁତ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ । ଯଦି ଘୂର୍ଣ୍ଣିବଳୟଟି ଅଧିକ ଘନୀଭୁତ ହୁଏ ତେବେ ଦଶହରା ପୂର୍ବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।