ହରିୟାଣାରେ ମେଳି କରିବେ ହେଭିୱେଟ, ବିଜେପି ପାଇଁ ହୋଇପାରେ ବଡ ଚ୍ୟାଲେଞ୍ଜ

ଚଣ୍ଡିଗଡ: ଆଜି ବିରୋଧୀ ଦଳଙ୍କ ମେଗା ଶୋ । ହରିୟାଣା ଫତେବାଦରେ ହେବାକୁ ଥିବା ରାଲିରେ ସାମିଲ ହେବେ ବହୁ ହେଭିଓ୍ବେଟ । ଭାରତୀୟ ଜାତୀୟ ଲୋକଦଳ ବା ଆଇଏନଏଲଡି ଦ୍ବାରା ଆହୁତ ରାଲିରେ ସାମିଲ ହେବେ ଏନସିପି ମୁଖ୍ୟ ଶରଦ ପାଓ୍ବାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜମ୍ମୁ ଓ କାଶ୍ମୀର ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା । ଏହା ସହ ଆରଜେଡି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ସିପିଏମ ନେତା ସୀତାରାମ ୟେଚୁରୀ ମଧ୍ୟ ରାଲିରେ ରହିବେ ।

ଯଦିଓ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଆଇଏନଏଲଡି ପ୍ରତିଷ୍ଠାତା ଦେବୀ ଲାଲଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ଏହି ରାଲି କରାଯାଉଛି, ତଥାପି ରାଜନୈତିକ ଦୃଷ୍ଟିରୁ ଭିନ୍ନ ସଙ୍କେତ ମିଳୁଛି । ଜାତୀୟ ସ୍ତରରେ ବିଜେପି ବିରୋଧରେ ମେଣ୍ଟ ଗଠନ ଦାନା ବାନ୍ଧୁଥିବା ବେଳେ  ହରିଆଣା ରାଜନୀତି ଏବେ ନୂଆ ବାର୍ତ୍ତା ପ୍ରଦାନ କରୁଛି ।

ବଡ଼ କଥା ହେଉଛି ଏହି ରାଲିରେ ଯୋଗଦେବେ ବିଜେପି ନେତା ବୀରେନ୍ଦ୍ର ସିଂ । ବୀରେନ୍ଦ୍ର ବିଜେପିରେ ଥିବା ସତ୍ତ୍ବେ ଦଳ ସହ ତାଙ୍କର ସମ୍ପର୍କ ଅନେକ ଦିନ ଧରି ତିକ୍ତ ହେବାରେ ଲାଗିଛି । ରାଲି ପ୍ରସଙ୍ଗରେ ଜେଡିୟୁ ନେତା କେ.ସି. ତ୍ୟାଗୀ କହିଛନ୍ତି, ଏହା ଏକ ଐତିହାସିକ ରାଲି ଏବଂ ବିଜେପି ବିରୋଧରେ ସମଭାବାପନ୍ନ ଦଳଙ୍କୁ ଏକାଠି କରିବା ଲାଗି ଉଦ୍ଦିଷ୍ଟ । ଆଇଏନଏଲଡି ନେତା ଓମ ପ୍ରକାଶ ଚୌତାଲାଙ୍କ ପୁଅ ଅଜୟ ଚୌତାଲା ଆଇଏନଏଲଡିରୁ ବାହାରି ଜନନାୟକ ଜନତା ପାର୍ଟି ଗଠନ କରିବା ସହ ବିଜେପି ସରକାରରେ ସାମିଲ ହୋଇଥିଲେ । ଗତ ବିଧାନସଭା ନିର୍ବାଚନରେ ଆଇଏନଏଲଡିକୁ ପରାସ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ପୁତ୍ର ନେତୃତ୍ବାଧୀନ ଜନନାୟକ ଜନତା ପାର୍ଟି ।