ଆଜି ଜୟପୁରରେ କଂଗ୍ରେସ ବିଧାୟକ ଦଳ ବୈଠକ, ପାଇଲଟ୍‌ଙ୍କୁ ମିଳିପାରେ ଦାୟିତ୍ବ

ଜୟପୁର: କିଏ ହେବ ରାଜସ୍ଥାନ ମୁଖିଆ? ଗେହଲଟଙ୍କ ସ୍ଥାନରେ କିଏ ବସିବ ସିଂହାସନରେ ? ଆଜି ଜୟପୁରରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗଦେବେ । ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଏଆଇସିସି ସାଧାରଣ ସମ୍ପାଦକ ଅଜୟ ମାକେନ ବୈଠକରେ ଉପସ୍ଥିତ ରହିବେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ସଭାପତି ରେସରେ ମଧ୍ୟ ସେ ସବୁଠୁ ଆଗରେ ରହିଛନ୍ତି । ଏହାସହ ତାଙ୍କ ସପକ୍ଷରେ ଗାନ୍ଧି ପରିବାର ସମର୍ଥନ ଥିବାରୁ ଗେହଲଟ ସଭାପତି ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି । ଗେହଲଟ ସଭାପତି ହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ । ଏଥିପାଇଁ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏଥିପାଇଁ ଆଜି ଜୟପୁରରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବାସଭବନରେ ବିଧାୟକଙ୍କ ବୈଠକ ଡକାଇଛି କଂଗ୍ରେସ ।

ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅଶୋକ ଗେହଲଟଙ୍କ ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ ମୁଖ୍ୟ ଦାବିଦାର ଅଛନ୍ତି । ନିକଟରେ ସଚିନ ପାଇଲଟ୍ ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡୋ ଯାତ୍ରାରେ ଯୋଗଦେଇ ଫେରିବା ପରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟି ରାଜସ୍ଥାନ ଫେରିଥିଲେ ।