ଆଜି ପବିତ୍ର ମହାଳୟା, ପିତୃପକ୍ଷର ଶେଷ ଦିନରେ ଚାଲିଛି ପିଣ୍ଡଦାନ

ଭୁବନେଶ୍ବର: ଆଜି ପବିତ୍ର ମହାଳୟା । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ପିତୃ ପକ୍ଷର ଶେଷ ଦିନ । ପିତୃପକ୍ଷ ଲୋକଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି ।

ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଦୁଇବର୍ଷ ପରେ ମହାଳୟାରେ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । କୋରୋନା ପାଇଁ ଗତ ଦୁଇ ବର୍ଷ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ପିଣ୍ଡଦାନ ବନ୍ଦ ରହିଥିଲା ।

ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପବିତ୍ର ମହାଳୟାରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ । ମାଆଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ବୋଲି ବିଶ୍ବାସ ରହିଛି ।