ମହାଳୟା ଶୁଭେଚ୍ଛା ଦେଲେ ନବୀନ, ମା’ ଦୁର୍ଗାଙ୍କ ଆଶିଷ ଭିକ୍ଷା କଲେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ବର: ପବିତ୍ର ମହାଳୟା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମା’ ଦୁର୍ଗା ସମସ୍ତଙ୍କୁ ସୁଖ ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି କହିଛନ୍ତି ନବୀନ।

ଆଜି ମହାଳୟା ଅବସରରେ ପିତୃପକ୍ଷଙ୍କ ଆତ୍ମାର ସଦଗତି କାମନା କରି ଶ୍ରାଦ୍ଧ ଦେଉଛନ୍ତି ଆତ୍ମୀୟ । ଆଜିର ଦିନରେ ଯେଉଁ ପିଣ୍ଡଦାନ କରାଯାଏ, ସେଥିରେ ପିତୃପୁରୁଷଙ୍କୁ ପୂର୍ଣ୍ଣ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି ।

ହିନ୍ଦୁ ଧର୍ମ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଦୁଇବର୍ଷ ପରେ ମହାଳୟାରେ ଭକ୍ତଙ୍କ ପାଇଁ ଖୋଲା ରହିଛି ବିଭିନ୍ନ ଧର୍ମାନୁଷ୍ଠାନ । କୋରୋନା ପାଇଁ ଗତ ଦୁଇ ବର୍ଷ ପୁରୀ ଓ ଭୁବନେଶ୍ବର ବିନ୍ଦୁସାଗରରେ ପିଣ୍ଡଦାନ ବନ୍ଦ ରହିଥିଲା ।

ଚଳିତବର୍ଷ କଟକଣା ନଥିବାରୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ସେପଟେ ପବିତ୍ର ମହାଳୟାରେ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି, ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ । ମାଆଙ୍କ ଏହି ବେଶକୁ ଦର୍ଶନ କଲେ ଗଙ୍ଗା ଦର୍ଶନର ଲାଭ ମିଳିଥାଏ ବୋଲି ବିଶ୍ବାସ ରହିଛି ।