କଂଗ୍ରେସ ଛାଡିବାର ଏକ ମାସ ପରେ ନୂଆ ଦଳର ଘୋଷଣା କଲେ ଗୁଲାମ ନବୀ ଆଜାଦ

1 min read

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବାର ଠିକ୍ ଏକମାସ ପରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ନିଜର ନୂଆ ଦଳ ଘୋଷଣା କରିଛନ୍ତି । ନୂଆ ଦଳର ନାଁ ରଖିଛନ୍ତି ଡେମୋକ୍ରାଟିକ ଆଜାଦ ପାର୍ଟି । ନୂଆ ଦଳ ଘୋଷଣା ଅବସରରେ ଗୁଲାମ କହିଛନ୍ତି, ପ୍ରାୟ ୧,୫୦୦ ନାଁ ଆମକୁ ଉର୍ଦୁ, ସଂସ୍କୃତରେ ପଠାଯାଇଥିଲା । ହିନ୍ଦୀ ଏବଂ ଉର୍ଦୁର ମିଶ୍ରଣ ହିନ୍ଦୁସ୍ତାନୀ ଅଟେ ।

ଚାହୁଁଥିଲୁ ଯେ ନାଁ ଗଣତାନ୍ତ୍ରିକ, ଶାନ୍ତିପୂର୍ଣ୍ଣ ଏବଂ ସ୍ୱାଧୀନ ହେଉ । ଏଥିପାଇଁ ଦଳର ଏହି ନାଁ ନିର୍ଦ୍ଧାରିତ ହୋଇଛି । ଜମ୍ମୁରେ ଗଣମାଧ୍ୟମ ସହ କଥାବାର୍ତ୍ତାରେ କହିଛନ୍ତି, ଆମର ରାଜନୀତି ଜାତି ବା ଧର୍ମ ଉପରେ ଆଧାରିତ ହେବ ନାହିଁ । ସବୁ ଧର୍ମ ଏବଂ ରାଜନୈତିକ ଦଳକୁ ସମ୍ମାନ କରିବୁ । ମୁଁ କେବେ ବି କୌଣସି ଦଳ ବା ନେତାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରିନାହିଁ । ଅବଶ୍ୟ ମୁଁ ନୀତିର ଆଲୋଚନା କରିଥାଏ ।

ସୂଚନାଥାଉକି ଗୁଲାମ ନବୀ ଆଜାଦ ତିନି ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଅଛନ୍ତି । କଂଗ୍ରେସ ଛାଡିବା ପରେ ମଧ୍ୟ ଗୁଲାମ ନବୀ ଆଜାଦ ପ୍ରଦେଶ ଗସ୍ତ କରିଥିଲେ । ଏହି ଅବସରରେ ଗୁଲାମନବୀ ଆଜାଦ ନୂଆ ପାର୍ଟି ପାଇଁ ସମର୍ଥକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ଏବଂ ଦିଲ୍ଲୀରେ ଦଳର ନାଁକୁ ନେଇ ମନ୍ଥନ କରିଥିଲେ । ୭୩ ବର୍ଷୀୟ ଗୁଲାମ ନବୀ ଆଜାଦ ୨୬ ଅଗଷ୍ଟରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଆଜାଦ ଇସ୍ତଫା ଦେବା ପରେ ଅନେକ ନେତା ଓ ପୂର୍ବତନ ମନ୍ତ୍ରୀ ଦଳ ଛାଡିଥିଲେ ।